ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଘରସଜ୍ଜା ଓ ବିଳାସମୟ ବ୍ୟବସ୍ଥା ପାଇଁ ରାଜ୍ୟ ରାଜକୋଷରୁ ପ୍ରାୟ ୭୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଟେଣ୍ଡର ନିୟମ ବାହାରେ ଏହି ଅର୍ଥକୁ ଖର୍ଚ୍ଚ କରିବାକୁ ମଧ୍ୟ ଜିଲ୍ଲାପାଳ ନିଜେ ଗଳାବାଟ ବାହାର କରିବାକୁ ପଛାଇ ନାହାନ୍ତି। ଜିଲ୍ଲାପାଳଙ୍କ ବିଳାସ ନିମନ୍ତେ ମାତ୍ର ୬ମାସ ମଧ୍ୟରେ ୧୬ଟି ପର୍ଯ୍ୟାୟରେ ରାଉରକେଲାସ୍ଥିତ ଉଦିତନଗରରେ ଥିବା ଗୋଟିଏ ସରକାରୀ କ୍ୱାର୍ଟର୍ସ(୪ଆର/୧) ପାଇଁ ମୋଟ ୬୮ଲକ୍ଷ ୫୭ହଜାର ୯୫୦ ଟଙ୍କା ଖର୍ଚ୍ଚ ହୋଇଛି । ତାହାପୁଣି ଏହି ସରକାରୀ ବାସଭବନ ଚାରିପଟେ ମଶାରୀ ଲଗାଯିବା, ରଙ୍ଗବେରଙ୍ଗ ଲାଇଟ୍ ଓ ଘର ମରାମତି ନାଁରେ ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି।
ସୂଚନା ଅଧିକାର ଆଇନ ବଳରେ ମିିଳିଥିବା ତଥ୍ୟ ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ୨୦୧୦ ବ୍ୟାଚ ଆଇଏଏସ ଅଫିସର ରଶ୍ମିତା ପଣ୍ଡା ରାଉରକେଲା ଉନ୍ନୟନ ପ୍ରାଧିକରଣ (ଆରଡିଏ)ର ଉପାଧ୍ୟକ୍ଷ ସହ ରାଉରକେଲା ସ୍ମାର୍ଟ ସିଟି ଦାୟିତ୍ୱରେ ମଧ୍ୟ ରହିଛନ୍ତି। ତେବେ ଆରଡିଏ ଉପାଧ୍ୟକ୍ଷ ଭାବେ ସେ ଉଦିତନଗରସ୍ଥିତ ନିଜ ସରକାରୀ କ୍ୱାର୍ଟର୍ସ (୪ଆର/ଏ)ରେ ୨୦୧୮ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ବିନା ଟେଣ୍ଡରରେ ଏହି ଅର୍ଥ ଖର୍ଚ୍ଚ କରିଛନ୍ତି। ତଥ୍ୟ ଅନୁସାରେ କ୍ୱାର୍ଟର ଆଭ୍ୟନ୍ତରୀଣ ଓ ବାହ୍ୟ ବିଦ୍ୟୁତ ସାଜସଜ୍ଜା ବାବଦରେ ୯.୮୮ଲକ୍ଷ ଟଙ୍କା, ଝରକାରେ ମଶା ଜାଲି ନିମନ୍ତେ ୪.୦୪ଲକ୍ଷ ଟଙ୍କା, ପ୍ଲାଷ୍ଟିକ ପେଣ୍ଟିଂ ପାଇଁ ୪.୪୫ ଲକ୍ଷ ଟଙ୍କା, ଅତିରିକ୍ତ ବେଡରୁମ୍, ଡାଇନିଂ ରୁମ୍ , ଗାର୍ଡ ରୁମ୍ , ଟଏଲଟେ୍ ମରାମତି ଓ ନିର୍ମାଣ, ପାଚେରୀ ଉଚ୍ଚା କରିବା ଆଦି ପାଇଁ ଏହି ଅର୍ଥ ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି।
କେବଳ ଶ୍ରୀମତୀ ପଣ୍ଡା ନୁହନ୍ତି ଅନେକ ଆଇଏଏସ୍ ଅଫିସର ଗୋଟିଏ ସ୍ଥାନରୁ ଅନ୍ୟତ୍ର ବଦଳିବେଳେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ କ୍ୱାର୍ଟର୍ସର ସାଜସଜ୍ଜା ଓ ବିଳାସପୂର୍ଣ୍ଣ ଜୀବନ ଅତିବାହିତ ନିମନ୍ତେ ରାଜକୋଷରୁ ଆଖିବୁଜା ଅର୍ଥ ଖର୍ଚ୍ଚ କରୁଥିବାର ପ୍ରମାଣ ମିଳିଛି। ପୂର୍ବରୁ କଟକ, ଯାଜପୁର, ଢେଙ୍କାନାଳ,କଳାହାଣ୍ଡି, ମାଲକାନଗିରି ଜିଲ୍ଲାର ଏସପି ଓ ଜିଲ୍ଲାପାଳମାନେ ନିଜର ସରକାରୀ କ୍ୱାର୍ଟରରେ ରହିବା ପାଇଁ ୨୦୧୪-୧୫ରୁ ୨୦୧୮-୧୯ ମସିହା ମଧ୍ୟରେ ପ୍ରାୟ ଅଢ଼େଇ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।
ଗୋଟିଏ ପଟେ ରାଜ୍ୟ ସରକାର ନୂଆ ମନ୍ତ୍ରୀମାନଙ୍କୁ ନିଜର ଚ୍ୟାମ୍ବରର ସାଜସଜ୍ଜା ପାଇଁ ଅଯଥା ଖର୍ଚ୍ଚ ଉପରେ କଟକଣା ଜାରି କରିଥିବାବେଳେ ଅନ୍ୟପଟେ ଅଫିସରମାନଙ୍କ ପାଇଁ ରାଜକୋଷକୁ ସାହାଣମେଲା କରିବାକୁ ପଛାଇ ନାହାନ୍ତି। ରାଜ୍ୟବାସୀଙ୍କ ଟିକସ ଅର୍ଥକୁ ଅଫିସରମାନେ ଏଭଳି ନିଜର ବ୍ୟକ୍ତିଗତ ବିଳାସପୂର୍ଣ୍ଣ ଜୀବନ ପାଇଁ ଖର୍ଚ୍ଚ କରୁଥିବାରୁ ସେମାନଙ୍କ ବିରୋଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣରେ ଦାବି ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।