କ୍ୟାବିନେଟ୍ ମଞ୍ଜୁରୀ: ୯ଟି ନୂଆ ଅବକାରୀ ଥାନା ଓ ଓଏମସି ବିକିବ ଚୂନପଥର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୯ଟି ନୂଆ ଅବକାରୀ ଥାନା, ୧୩ଟି ନୂଆ ଅବକାରୀ ରେଞ୍ଜ ଅଫିସ୍ ଓ ୪୫୭ଟି ନୂଆ ଅବକାରୀ ପଦବୀ ସୃଷ୍ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହାସହିତ ଓଡ଼ିଶା ଖଣି ନିଗମ ମାଧ୍ୟମରେ ଚୂନପଥର ଆବଶ୍ୟକ କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ଦୀର୍ଘମିଆଦି ଯୋଜନାରେ ଚୂନପଥର(କଂଚାମାଲ) ଯୋଗାଣ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା […]

Excise

Excise

Ordigital Desk
  • Published: Thursday, 22 September 2022
  • Updated: 22 September 2022, 10:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୯ଟି ନୂଆ ଅବକାରୀ ଥାନା, ୧୩ଟି ନୂଆ ଅବକାରୀ ରେଞ୍ଜ ଅଫିସ୍ ଓ ୪୫୭ଟି ନୂଆ ଅବକାରୀ ପଦବୀ ସୃଷ୍ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହାସହିତ ଓଡ଼ିଶା ଖଣି ନିଗମ ମାଧ୍ୟମରେ ଚୂନପଥର ଆବଶ୍ୟକ କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ଦୀର୍ଘମିଆଦି ଯୋଜନାରେ ଚୂନପଥର(କଂଚାମାଲ) ଯୋଗାଣ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ଅବକାରୀ କ୍ୟାଡ଼ରର ପୁର୍ନଗଠନ ସହ ଅବକାରୀ ବିଭାଗକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ନିମନ୍ତେ ନୂଆ ଥାନା ସୃଷ୍ଟି ସହ ରେଞ୍ଜ ଅଫିସ୍ ଖୋଲିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । ଗୋପାଳପୁର,ଖପ୍ରାଖୋଲ, ମୋହନା,ଦାରିଙ୍ଗିବାଡ଼ି, ଯୋଡ଼ା, ହାଟଡିହି, ମୁନିଗୁଡ଼ା, କୋଇଡ଼ା ଓ ସୁକୁରୁଲିରେ ୯ଟି ନୂଆ ଅବକାରୀ ଥାନା ସମେତ ଜଳଶ୍ୱେର,ବାସୁଦେବପୁର,ସାଲେପୁର,କାମାକ୍ଷାନଗର, ଆର ଉଦୟଗିରି,ଭଞ୍ଜନଗର, ପାରାଦୀପ, ଯାଜପୁର ରୋଡ୍‌, ଭୁବନେଶ୍ୱର-୨, ନନ୍ଦପୁର, ନିମାପଡ଼ା,ରେଢ଼ାଖୋଲ ଓ ବଡ଼ଗାଁରେ ୧୩ଟି ରେଞ୍ଜ ଅଫିସ୍ ସ୍ଥାପନ ଏବଂ କଟକ,ବ୍ରହ୍ମପୁର ଓ ସମ୍ବଲପୁରଠାରେ ଇଆଇ ଓ ଇବି ୟୁନିଟ୍ ଅଧୀନରେ ୩ଟି ନୂଆ ସାଟେଲାଇଟ୍ ୟୁନିଟ୍ ଯଥାକ୍ରମେ ବାଲେଶ୍ୱର, ଜୟପୁର ଓ ରାଉରକେଲାରେ ସ୍ଥାପନ ନିଷ୍ପତ୍ତିକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ କରିଛନ୍ତି । ଏହାସହିତ ଅବକାରୀ ଅଧୀକ୍ଷକରୁ ଅବକାରୀ ସିପାହୀ ପର୍ଯ୍ୟନ୍ତ ମୋଟ ପଦବୀ ସଂଖ୍ୟା ୨୧୯୭ରୁ ୨୬୫୪କୁ ବୃଦ୍ଧି, ଅବକାରୀ କମିଶନରଙ୍କ ଅଫିସରେ ମୋଟ ପଦବୀ ୩୯ରୁ ୪୯କୁ ବୃଦ୍ଧି, ଅବକାରୀ ଅମଲା କ୍ୟାଡ଼ରରେ ୫୨ରୁ ୭୨କୁ ପଦବୀ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ସେହିପରି ଇଡକଲ୍ ଓ ଓଏମସିର ମିଶ୍ରଣ ୨୦୨୨ ଅଗଷ୍ଟ ୧୬ତାରିଖରୁ ହୋଇଥିବାବେଳେ ଇଡକଲର ପ୍ରସ୍ତାବକୁ ବିଚାରକୁ ନେଇ ଏବେ ଚୂନପଥରକୁ ଦୀର୍ଘକାଳୀନ ସଂଯୋଗୀକରଣ ନୀତି(ଲଙ୍ଗଟର୍ମ ଲିଙ୍କେଜ୍ ପଲିସି)ରେ ସାମିଲ କରିବା ଓ ଓଏମସି ମାଧ୍ୟମରେ ଓଡ଼ିଶାର ଶିଳ୍ପାନୁଷ୍ଠାନକୁ ଚୂନପଥର ବିକ୍ରି ନିମନ୍ତେ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି । ଅମ୍ପାଭାଲି ଚୂନପଥର ଖଣି ଓ ଭବିଷ୍ୟତରେ ନିଲାମ ମାଧ୍ୟମରେ ମିଳିବାକୁ ଥିବା ଚୂନପଥରକୁ ଓଏମସି ରାଜ୍ୟର ଶିଳ୍ପ ସଂସ୍ଥାକୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଚୂନପଥର ନିରନ୍ତର ଯୋଗାଣ(ବିକ୍ରି) କରିବ । ଓଏମସି ରାଜ୍ୟ ସରକାରଙ୍କ ଉଦ୍ୟୋଗ ହୋଇଥିବାରୁ ଏହି ନିଷ୍ପତ୍ତି ରାଜ୍ୟର ରାଜସ୍ୱ ବୃଦ୍ଧିରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସେହିପରି ଆଇଟି କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବା ନିମନ୍ତେ ଆଇଟି ଟାୱାରରେ ଥିବା ସ୍ଥାନର ଲିଜ୍ ଭଡ଼ାକୁ ସଂଶୋଧନ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସମସ୍ତ ଆଇଟି ଟାୱାରରେ କୋର ସ୍ପେସ୍ ପାଇଁ ଭଡ଼ା ଦେୟ ୨୦ଟଙ୍କା ପ୍ରତି ବର୍ଗଫୁଟ କାର୍ପେଟ ଏରିଆ ଉପରେ ସ୍ଥିର ହୋଇଛି । ଯେଉଁଥିରେ ସୁପର ବିଲଡ୍ ଅପ ଏରିଆରେ ଉପଯୋଗିତାର ବ୍ୟବହାର ନିମନ୍ତେ ଅତିରିକ୍ତ ୧୦%ର ବ୍ୟବସ୍ଥା ହୋଇଛି । ଭଡ଼ା ସଂଶୋଧନ ବିଜ୍ଞପ୍ତି ପ୍ରକାଶ ପାଇବାର ୫ବର୍ଷ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ଓ ସରକାର ଚାହିଁଲେ ଏହି ସଂଶୋଧନରେ ଥିବା ନିୟମକୁ ପରିବର୍ତ୍ତନ କରିପାରିବେ ।

ସେହିପରି ଜଟଣୀର ଜାମୁକୋଳିଠାରେ କେନ୍ଦ୍ରୀୟ ହୋମିଓପ୍ୟାଥି ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ମାଗଣା ପ୍ରମିୟମରେ ୫ଏକର ସରକାରୀ ଜମି ଆବଂଟନ, ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଭିତ୍ତିଭୂମି ବିକାଶ ନିମନ୍ତେ ୫୦.୩୪ଏକର ସରକାର ଜମି ଆବଂଟନ ଓ ଭୁବନେଶ୍ୱରର ଅନ୍ଧାରୁଆ ମୌଜାରେ ନ୍ୟାସନାଲ ସେଂଟର ଫର ଡିଜିଜ୍ କଂଟ୍ରୋଲ(ଏନସିଡିସି)କୁ ୩.୧୨୫ଏକର ଜମି ମାଗଣା ପ୍ରିମିୟମରେ ରାଜ୍ୟ ସରକାର ଯୋଗାଇ ଦେବେ । କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।
ସେହିପରି ଓଡ଼ିଶାରେ ଥିବା ୨ଟି ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନାମଲେଖା ନିମନ୍ତେ କ୍ରୀଡ଼ା ଛାତ୍ରାବାସର ଶିକ୍ଷାର୍ଥୀଙ୍କ ପାଇଁ ୧୫% ସଂରକ୍ଷଣ ରହିବ । କ୍ରୀଡ଼ା ବିଭାଗ ଅଧୀନରେ ଥିବା ଏହି ଦୁଇଟି ସରକାରୀ ମହାବିଦ୍ୟାଳୟରେ ଭର୍ତ୍ତି ହେବା ନିମନ୍ତେ ଏହା କ୍ରୀଡ଼ା ଛାତ୍ରାବାସରୁ ପାସ୍ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟୀ ହେବ । ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos