ପାଟଣାଗଡ଼(କରୁଣାକର ବଡେକା): ସହି ହେଉନି ରୋଗାକ୍ରାନ୍ତ ଝିଅର କଷ୍ଟ। ଝିଅକୁ ଭଲ କରିବାକୁ ଘରେ ଯାହା ଥିଲା ସବୁ ବିକ୍ରି କରିଦେଲେ ବାପାମା’ । ତଥାପି ଝିଅର ବେମାର ଭଲ ହେବା ନାଁ ଧରୁନି। ସ୍ଥିତି ଏପରି ଯେ, ଡାକ୍ତରଖାନା ଦୌଡ଼ିବାକୁ ପାଖରେ ପଇସାଟିଏ ନାହିଁ। ହେଲେ ଝିଅର କାନ୍ଦ କାନ୍ଦ ମୁହଁ ଦେଖି ହେଉ ନ ଥିବା ବେଳେ କାନ୍ଧରେ ଝିଅକୁ ବସାଇ ମାଇଲ ମାଇଲ ବାଟ ଚାଲି ଚାଲି ମେଡିକାଲ ଯାଉଛି ବାପା । ସରକାରଙ୍କ ମାଳ ମାଳ ଯୋଜନା ଏଠି ପ୍ରହସନ ପରି ଲାଗୁଛି। ନା ମିଳୁଛି ସରକାରୀ ସହାୟତା ନା ରୋଗ ଭଲ କରିବାକୁ ନିଆଯାଉଛି ପଦକ୍ଷେପ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ବେଲପଡା ଅଞ୍ଚଳରେ ।
ପାଟଣାଗଡ଼ ନେହେନାବନ୍ଦ ଗାଁର ଧୂବଲ ଛାତ୍ରିଆ । ସଂସାର କହିଲେ ପତ୍ନୀ ଓ ୧୮ ବର୍ଷର ଝିଅ। ହେଲେ ଝିଅ ଏକ ଅଜଣା ରୋଗରେ ଆକ୍ରାନ୍ତ ହେବା ପରଠୁ ପରିବାର ଲୋକଙ୍କ ମୁହଁରୁ ହସ ହଜିଯାଇଛି। ଝିଅର କଷ୍ଟ ବାପାମା’ ସହି ପାରୁ ନ ଥିବା ବେଳେ ଚିକିତ୍ସା କରିବା ବି କାଠିକର ପାଠ ହୋଇପଡ଼ୁଛି। ଏପରିକି ଝିଅକୁ ଭଲ କରିବାକୁ ଘରେ ଯାହା ଥିଲା ସବୁ ବିକ୍ରି କରି ବିଭିନ୍ନ ଡାକ୍ତରଖାନା ଦୌଡୁଛନ୍ତି । ତଥାପି ଭଲ ହେଉନି ଝିଅର ରୋଗ, ଦୂର ହେଉନି କଷ୍ଟ।
ଏବେ ଧୂବଲଙ୍କ ପାଖରେ ସମ୍ବଳ ବୋଲି କିଛି ନ ଥିବା ବେଳେ ଝିଅକୁ ଭଲ କରିବା ପଣରୁ କିନ୍ତୁ ସେ ଓହରି ଯାଇ ନାହାନ୍ତି। ମେଡିକାଲ ନେବାକୁ ପାଖରେ ପଇସା ନ ଥିବା ବେଳେ ନିଜ କାନ୍ଧରେ ଝିଅକୁ ବସାଇ ହସ୍ପିଟାଲ ଯାଉଛନ୍ତି ବୁଢ଼ା ବାପା। ଏପରି ଘଟଣା ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆସୁ ନ ଥିବା ବେଳେ ଆହା ପଦେ କହିବାକୁ କେହି ନାହାନ୍ତି। ଏପରିକି ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ପ୍ରାଥମିକତା ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଏଥିରୁ କିନ୍ତୁ ସ୍ପଷ୍ଟ ଜଣାପଡ଼ୁଛି ସରକାରଙ୍କ ଚିନ୍ତା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।