ଜଳୁଛି ୨ଟି ବଲ୍‌ବ, ବୁଲୁଛି ଗୋଟିଏ ଫ୍ୟାନ୍‌; ମାସକୁ ବିଲ୍‌ ଆସୁଛି ଲକ୍ଷେରୁ ଅଧିକ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଘରେ ଜଳୁଛି ୨ଟି ବଲ୍‌ବ ଓ ବୁଲୁଛି ଗୋଟିଏ ଫ୍ୟାନ୍‌। ହେଲେ ପ୍ରତି ମାସ ବିଲ୍‌ ଆସୁଛି ଲକ୍ଷାଧିକ ଟଙ୍କା। ଟିପିଏସ୍‌ଓଡିଏଲ୍‌ (ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ) ଏପରି ବିଲ୍‌ ପଠାଉଛି। ଆଉ ବିଲ୍‌ ପୈଠ କରିବା ପାଇଁ ଉପଭୋକ୍ତାଙ୍କ ଉପରେ ଚାପ ପକାଉଛି। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଜଗନ୍ନାଥପ୍ରସାଦ ବ୍ଲକ୍‌ ଚଢ଼େୟାପଲ୍ଲୀ ଗାଁର ପଙ୍କଜ ଗୌଡ଼। ବର୍ଷେ ତଳେ ପଙ୍କଜଙ୍କ ସ୍ୱାମୀ ଶିବ […]

Pankaj-Gouda

Pankaj-Gouda

Manoranjan Sial
  • Published: Thursday, 17 November 2022
  • Updated: 17 November 2022, 07:17 PM IST

Sports

Latest News

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଘରେ ଜଳୁଛି ୨ଟି ବଲ୍‌ବ ଓ ବୁଲୁଛି ଗୋଟିଏ ଫ୍ୟାନ୍‌। ହେଲେ ପ୍ରତି ମାସ ବିଲ୍‌ ଆସୁଛି ଲକ୍ଷାଧିକ ଟଙ୍କା। ଟିପିଏସ୍‌ଓଡିଏଲ୍‌ (ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ) ଏପରି ବିଲ୍‌ ପଠାଉଛି। ଆଉ ବିଲ୍‌ ପୈଠ କରିବା ପାଇଁ ଉପଭୋକ୍ତାଙ୍କ ଉପରେ ଚାପ ପକାଉଛି। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ।

ଜଗନ୍ନାଥପ୍ରସାଦ ବ୍ଲକ୍‌ ଚଢ଼େୟାପଲ୍ଲୀ ଗାଁର ପଙ୍କଜ ଗୌଡ଼। ବର୍ଷେ ତଳେ ପଙ୍କଜଙ୍କ ସ୍ୱାମୀ ଶିବ ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଝିଅଙ୍କୁ ନେଇ ଗାଁରେ ବାସ କରୁଛନ୍ତି ପଙ୍କଜ। ରୋଜଗାର କହିଲେ କିଛି ନାହିଁ। ଦୁଇ ଝିଅ ମୂଲ ଲାଗି ଯାହା ରୋଜଗାର କରୁଛନ୍ତି, ସେଥିରେ ତିନି ପ୍ରାଣୀ କୁଟୁମ୍ୱ ଚଳୁଛନ୍ତି। ଇନ୍ଦିରା ଆବାସ ଯୋଜନାରେ ମିଳିଥିବା ବଖରାଏ ଘରେ ମୁଣ୍ଡ ଗୁଞ୍ଜୁଛନ୍ତି। ସେହି ଘରେ ଗୋଟିଏ ଫ୍ୟାନ୍‌ ଘୂରୁଛି ଓ ଦୁଇଟି ବଲ୍‌ବ ଲାଗିଛି। ପ୍ରତି ବାସ ଯାହା ବିଲ୍‌ ଆସୁଥିଲା ତାକୁ ପୈଠ କରୁଥିଲେ ପଙ୍କଜ।

ମିଳିଥିବା ସୂଚନା ମୁତାବକ, ପଙ୍କଜଙ୍କ ପାଖକୁ ୨୦୨୨ ମସିହା ଏପ୍ରିଲ୍‌ ମାସରେ ୫୧ ଟଙ୍କା, ମେ’ ମାସରେ ୪୧ ଟଙ୍କା, ଜୁନ୍‌ ମାସରେ ୪୫ ଟଙ୍କାର ବିଦ୍ୟୁତ ବିଲ୍‌ ଆସିଥିଲା। ପଙ୍କଜ ବିଲ୍‌ ବୈଠକ କରିଥିଲେ। ତେବେ ଜୁଲାଇ ମାସରେ ହଠାତ୍‌ ୧୫୦୫୭୩ ଟଙ୍କାର ବିଲ୍‌ ଆସିଥିଲା। ଯାହାକୁ ଦେଖି ପଙ୍କଜଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ସେ ଏନେଇ ବିଦ୍ୟୁତ ବିଭାଗରେ ଅଭିଯୋଗ କରିଥିଲେ। ମାତ୍ର ବିଲ୍‌ ସଂଶୋଧନ କରାଗଲା ନାହିଁ। ଯେଉଁଥିପାଇଁ ସେ ବିଲ୍‌ ପୈଠ କଲେନାହିଁ। ତେଣୁ ପୁଣି ଅଗଷ୍ଟ ମାସରେ ୧୬୪୦୭୨ ଟଙ୍କା ଓ ସେପ୍ଟେମ୍ୱରରେ 1,65,876 ଟଙ୍କାର ବିଦ୍ୟୁତ ବିଲ୍‌ ଆସିଥିଲା। ଦିନକୁ ୧୦୦ କିମ୍ବା ୨୦୦ ଟଙ୍କା ରୋଜଗାର କରୁଥିବା ପରିବାର ପାଇଁ ଏତେ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ପୈଠ କରିବା ଚିନ୍ତାର ବିଷୟ ପାଲଟିଛି। ଏଥିପାଇଁ ପଙ୍କଜ ନିଜକୁ ଅସହାୟ ପ୍ରକାଶ କରିଛନ୍ତି।

ପଙ୍କଜ କହିଛନ୍ତି, ଆଗକୁ ମାସକୁ ଅତି ବେଶୀରେ ୧୦୦ ବା ୨୦୦ ଟଙ୍କାର ବିଲ୍‌ ଆସୁଥିଲା। ସେହି ଟଙ୍କା ପୈଠ କରୁଥିଲୁ। ହେଲେ ଗତ ୩ରୁ ୪ ମାସ ହେଲା ଲଗାତାର ଭାବେ ଲକ୍ଷେରୁ ଅଧିକ ଟଙ୍କାର ବିଲ୍‌ ଆସୁଛି। କାମଦାମ କଲେ ଆମେ ଚଳୁଛୁ। ଏତେ ଟଙ୍କା କେଉଁଠୁ ଆଣିବୁ ବୋଲି ପଙ୍କଜ କହିଛନ୍ତି।

ସେହି ଗାଁର ଆଉ ଜଣେ ହେଉଛନ୍ତି ହରି ଗୌଡ଼। ବିଦ୍ୟୁତ ବିଲ୍‌କୁ ନେଇ ତାଙ୍କର ମଧ୍ୟ ସମାନ ଅଭିଯୋଗ। ତାଙ୍କ ଘରେ ୩ଟି ବଲ୍‌ ଜଳୁଛି ଓ ଗୋଟିଏ ଫ୍ୟାନ୍‌ ଘୁରୁଛି। ଏଥିପାଇଁ ପ୍ରତି ମାସରେ ୨୦୦ ଟଙ୍କା ମଧ୍ୟରେ ବିଦ୍ୟୁତ ବିଲ ଆସୁଥିଲା। ଏବେ ବିଭାଗ ପକ୍ଷରୁ ନୂଆ ମିଟର ବସା ଯାଇଛି। ନୂଆ ମିଟର ଲାଗିବା ପରେ ମାସିକୁ ଏକ ହଜାର ଟଙ୍କାର ବିଲ୍‌ ଆସୁଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ ହରି। ହେଲେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍‌ ସଂଶୋଧନ କରାଯାଉ ନାହିଁ ବୋଲି ହରି କହିଛନ୍ତି।

ଅନ୍ୟପକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ କହିଛନ୍ତି, ଏମିତି ଅନେକ ଅଭିଯୋଗ ଗ୍ରାମଞ୍ଚଳରୁ ଆସୁଛି। ଉପଭୋକ୍ତାମାନେ ଏନେଇ ବିଦ୍ୟୁତ ବିଭାଗ ପାଖରେ ଅଭିଯୋଗ କରନ୍ତୁ। ବିଦ୍ୟୁତ ବିଭାଗ ଏଥିପ୍ରତି ଧ୍ୟାନ ନଦେଲେ ଉପଭୋକ୍ତାମାନେ ଖାଉଟି ଅଦାଲତର ଆଶ୍ରୟ ନିଅନ୍ତୁ। ଘଟଣାର ତଦନ୍ତ କରି କୋର୍ଟ ଯେଉଁ ନିଷ୍ପତ୍ତି ନେବେ, ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos