ପିପିଲି ଟୋଲ୍‌ଗେଟ୍‌ ପୁଣି ବନ୍ଦ

ପୁରୀ: ହୋଲିରୁ ବନ୍ଦ ରହିଥିବା ପିପିଲି ଟୋଲଗେଟ୍‌ ଆଜି ଖୋଲିଥିଲା। ପୁଣି ବିବାଦ ଦେଖାଦେବାରୁ ଟୋଲ ଆଦାୟକୁ ବନ୍ଦ କରିଦିଆଯାଇଛି। ଗତ ୧୩ ତାରିଖରେ ହୋଲିକୁ ନେଇ ଉଜାଣିପଡ଼ା ଓ ଶିଉଳା ଗାଁ ମଧ୍ୟରେ ବିବାଦ ଦେଖାଦେଇଥିଲା। ପରେ ଉତ୍ତ୍ୟକ୍ତ ଲୋକେ ଟୋଲଗେଟ୍‌ ଭଙ୍ଗାରୁଜା କରିବା ସହ ଟୋଲ ଆଦାୟ ବନ୍ଦ କରିଦେଇ ଥିଲେ।

ଏହି ଟୋଲଗେଟରୁ ପୂର୍ବରୁ ଫିଡ୍‌ବ୍ୟାକ୍‌ ନାମକ ଏକ କମ୍ପାନୀ ଟୋଲ ଆଦାୟ କରୁଥିଲା। ଆଜି ଆର୍ୟା ନାମକ ଆଉ ଏକ କମ୍ପାନୀ ନୂଆ କର୍ମଚାରୀଙ୍କୁ ନେଇ ଟୋଲ ଆଦାୟ ଆରମ୍ଭ କରିଥିଲା। ଫଳରେ ପୁରୁଣା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେମାନେ ଏହାକୁ ବିରୋଧ କରିଥିଲେ।

ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ସହ କୌଣସି ଆଲୋଚନା ନକରି ଟୋଲ ଆଦାୟ କରାଯିବାରୁ ପିପିଲି ପୋଲିସ ସେଠାର ପହଞ୍ଚି ଟୋଲ ଆଦାୟକୁ ବନ୍ଦ କରିଦେଇଥିଲେ।