ବିଜେଡି ପ୍ରାର୍ଥୀଙ୍କ ସମ୍ପତ୍ତି: ସୁଜିତ୍ ସବୁଠୁ ଧନୀ, ମମତାଙ୍କ ମାତ୍ର ୫୬ହଜାର ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ରାଜ୍ୟସଭା ନିର୍ବାଚନରେ ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ଦେଉନଥିବାରୁ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ବିଜେଡିର ୪ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ ହୋଇଛି। ତେବେ ୧୬ତାରିଖରେ ଯାଞ୍ଚ ଓ ୧୮ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅନ୍ୟ କୌଣସି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିବାର ସମ୍ଭାବନା କ୍ଷୀଣ ଥିବାରୁ ବିଜେଡିର ୪ଜଣ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ହୋଇଛି। […]

rajya-sabha-1

rajya-sabha-1

Tapas Behera
  • Published: Wednesday, 11 March 2020
  • Updated: 11 March 2020, 09:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ରାଜ୍ୟସଭା ନିର୍ବାଚନରେ ଅନ୍ୟ କୌଣସି ଦଳ ନିଜର ପ୍ରାର୍ଥୀ ଦେଉନଥିବାରୁ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ବିଜେଡିର ୪ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ ହୋଇଛି। ତେବେ ୧୬ତାରିଖରେ ଯାଞ୍ଚ ଓ ୧୮ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅନ୍ୟ କୌଣସି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିବାର ସମ୍ଭାବନା କ୍ଷୀଣ ଥିବାରୁ ବିଜେଡିର ୪ଜଣ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ହୋଇଛି। ତେବେ ବିଜେଡିର ଏହି ୪ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସୁଜିତ୍ କୁମାର ସବୁଠୁ ଧନୀ ଓ ଉଚ୍ଚଶିକ୍ଷିତ ଥିବାବେଳେ ମମତା ମହାନ୍ତଙ୍କ ପାଖରେ ମାତ୍ର ୫୬ହଜାର ୩୮ ଟଙ୍କା ଓ ମୁନ୍ନା ଖାଁଙ୍କ ଶିକ୍ଷାଗତ ଯୋଗ୍ୟତା ଆନ୍ଧ୍ର ମାଟ୍ରିକ ବୋଲି ଜଣାପଡ଼ିଛି।

ଆଜି ବିଧାନସଭା ପରିସରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିର ୪ଜଣ ପ୍ରାର୍ଥୀ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହାନ୍ତ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରତ୍ୟେକ ପ୍ରାର୍ଥୀ ଦୁଇ ସେଟ୍ ଲେଖାଏ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡିର ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠରେ ନିଜର ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା ଓ ଅପରାଧିକ ବିବରଣୀ ଉଲ୍ଲେଖ କରିଛନ୍ତି। କେବଳ ସୁବାସ ସିଂଙ୍କୁ ଛାଡ଼ିଦେଲେ ବିଜେଡିର ଅନ୍ୟ ପ୍ରାର୍ଥୀଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ । ସୁବାସଙ୍କ ନାଁରେ ୧୧ଟି ମାମଲା ରହିଛି।

ବିଜେଡି ପ୍ରାର୍ଥୀ ସୁଜିତ୍ କୁମାରଙ୍କ ମୋଟ ସମ୍ପତ୍ତି ପରିମାଣ ପ୍ରାୟ ୩.୫୬ କୋଟି ଟଙ୍କା ହୋଇଥିବାବେଳେ ସେ ଆମେରିକାର ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ମାଷ୍ଟରଡ୍ରିଗ୍ରୀ ହାସଲ କରିଛନ୍ତି। ସୁଜିତଙ୍କ ନାଁରେ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପରିମାଣ ୧.୮୮ କୋଟି ଟଙ୍କା ଥିବାବେଳେ ତାଙ୍କ ପତ୍ନୀ ସ୍ୱାତି କୁମାରୀଙ୍କ ନାଁରେ ୧.୦୧ କୋଟି ଟଙ୍କାର ସମ୍ପତ୍ତି ରହିଛି । ସୁଜିତଙ୍କ ପାଖରେ ୧୫.୧୭ କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ଥିବାବେଳେ ସେ ୭ଟି କମ୍ପାନୀରେ ୫୨.୦୮ଲକ୍ଷ ଟଙ୍କାର ପୁଞ୍ଜିନିବେଶ କରିଛନ୍ତି। ସୁଜିତଙ୍କ ପତ୍ନୀଙ୍କ ପାଖରେ ୫୨୦ଗ୍ରାମ ସୁନା, ୧କିଲୋ ରୂପା, ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ୧୨୦ ଗ୍ରାମର ରତ୍ନପଥର ରହିଛି। ଏସବୁ ବ୍ୟତୀତ ସୁଜିତଙ୍କ ନାଁରେ ୭୯.୯୪ଲକ୍ଷ ଟଙ୍କାର ଋଣ ରହିଛି। ବିଜେଡି ଯେଉଁ ୪ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ କରିଛି ସେମାନଙ୍କ ମଧ୍ୟରେ ସୁଜିତ ସବୁଠୁ ଧନୀ ଓ ଉଚ୍ଚଶିକ୍ଷିତ। ବିଦେଶରୁ ଚାକିରି ଛାଡ଼ି ସୁଜିତ୍ ୨୦୧୩ ମସିହାରେ ବିଜେଡିର ନିର୍ବାଚନୀ ରଣନୀତିକାର ଭାବେ ଦଳରେ ସାମିଲ ହୋଇଥିଲେ। କଳାହାଣ୍ଡିରେ ଜନ୍ମିତ ୪୪ବର୍ଷୀୟ ସୁଜିତ୍ ଏବେ ଭୁବନେଶ୍ୱରସ୍ଥିତ ପଟିଆର ସ୍ଥାୟୀ ବାସିନ୍ଦା।

ସେହିପରି ମୟୂରଭଞ୍ଜ ଜିଲ୍ଲା ବିଶୋୟୀ ବ୍ଲକର ୪୪ବର୍ଷୀୟା ମମତା ମହାନ୍ତଙ୍କୁ ବିଜେଡି ଚଳିତଥର ରାଜ୍ୟସଭାରେ ପ୍ରାର୍ଥୀ କରିଛି। ମମତାଙ୍କ ନିଜ ନାଁରେ ମାତ୍ର ୫୬ହଜାର ୩୮ଟଙ୍କା ଥିବାବେଳେ ତାଙ୍କ ପତି ବିଜୟ କୁମାର ମହାନ୍ତଙ୍କ ନାଁରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଶି ୩୮.୧୮ଲକ୍ଷ ଟଙ୍କା ରହିଛି। ତାଙ୍କ ପତି ବିଜୟଙ୍କ ନାଁରେ ୪.୮୭ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ମଧ୍ୟ ଅଛି। ମମତାଙ୍କ ପାଖରେ ୧୫୦ଗ୍ରାମ ସୁନା, ୩୦୦ଗ୍ରାମ ରୂପା ଥିବାବେଳେ ତାଙ୍କ ପତିଙ୍କ ପାଖରେ ୧୦୦ଗ୍ରାମ ସୁନା ଅଛି। ବିଜେଡିର ସମସ୍ତ ୪ଜଣ ପ୍ରାର୍ଥୀଙ୍କ ମଧ୍ୟରେ ମମତା ସବୁଠୁ ଗରିବ ପ୍ରାର୍ଥୀ ଓ ତାଙ୍କର ଶିକ୍ଷାଗତ ଗ୍ରାଜୁଏସନ୍ ବୋଲି ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ମମତା ୨୦୧୨ ମସିହା ପଞ୍ଚାୟତ ନିର୍ବାଚନବେଳେ ବିଜେଡିରେ ସାମିଲ ହୋଇଥିଲେ।
ସେହିପରି ବିଜେଡିର ପୁରୁଣା ନେତା ମୁନ୍ନା ଖାଁଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପରିମାଣ ପ୍ରାୟ ୨କୋଟି ୬୦ ଲକ୍ଷ ଟଙ୍କା ହେବ। ଏଥିରେ ମୁନ୍ନାଙ୍କ ପତ୍ନୀଙ୍କ ନାଁରେ ୧.୧୫କୋଟି ଟଙ୍କା ଥିବାବେଳେ ତାଙ୍କ ନାଁରେ ୧.୪୫କୋଟି ଟଙ୍କା ଅଛି । ମୁନ୍ନାଙ୍କ ପାଖରେ ୫୦୦ଗ୍ରାମ ସୁନା ଓ ପତ୍ନୀଙ୍କ ପାଖରେ ୮୦୦ ଗ୍ରାମ ସୁନା ଥିବାବେଳେ ଏକ ହୋଣ୍ଡା ସିଟି କାର ମଧ୍ୟ ଅଛି । ମୁନ୍ନାଙ୍କ ପତ୍ନୀ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି। ୫୭ବର୍ଷୀୟ ମୁନ୍ନା ୧୯୮୩ ମସିହାରେ ଆନ୍ଧ୍ର ମାଟ୍ରିକ ପାସ୍ କରିଛନ୍ତି ବୋଲି ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ମୁନ୍ନାଙ୍କ ପତ୍ନୀଙ୍କ ନାଁରେ ୧୪ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ରହିଛି।

ସେହିପରି ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିବା ଟ୍ରେଡ ୟୁନିଅନ୍ ନେତା ସୁବାସ ସିଂଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପରିମାଣ ପ୍ରାୟ ୨.୧୨କୋଟି ଟଙ୍କା। ଏଥିରେ ତାଙ୍କର ହୋମିଓପ୍ୟାଥି ଡାକ୍ତର ପତ୍ନୀଙ୍କ ନାଁରେ ୧.୨୯କୋଟି ଟଙ୍କାର ସମ୍ପତ୍ତି ରହିଛି। ୬୦ବର୍ଷୀୟ ସୁବାସ ରାଜନୀତି ବିଜ୍ଞାନରେ ଏମଏ ଓ ଆଇନରେ ମଧ୍ୟ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସୁବାସଙ୍କ ନାଁରେ ୧୧ଟି ଅପରାଧିକ ମାମଲା ଥିବାବେଳେ ତାଙ୍କ ପତ୍ନୀଙ୍କ ନାଁରେ ଗୋଟିଏ ସ୍କୁଟି ଓ ମାରୁତି ବ୍ରିଜା ନାମକ ୪ଚକିଆ କାର ମଧ୍ୟ ରହିଛି। ଏହାସହିତ ପତ୍ନୀଙ୍କ ପାଖରେ ୨୯୦ ଗ୍ରାମର ସୁନା ବି ଅଛି। ସୁବାସଙ୍କ ପତ୍ନୀଙ୍କ ନାଁରେ ୧୨.୨୬ ଲକ୍ଷ ଟଙ୍କାର ଋଣ ମଧ୍ୟ ଅଛି।
ଉଲ୍ଲେଖଯୋଗ୍ୟ, ପ୍ରମୁଖ ବିରୋଧୀ ଦଳ ବିଜେପି ଚଳିତ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବ ନାହିଁ ବୋଲି ଆନୁଷ୍ଠାନିକ ଭାବେ ଆଜି ଘୋଷଣା କରିଥିବାବେଳେ କଂଗ୍ରେସ ଓ ସିପିଏମ ମଧ୍ୟ ଭୋଟଦାନରୁ ବିରତ ରହିବେ ବୋଲି କହିଛନ୍ତି। ତେଣୁ ବିଜେଡିର ୪ଜଣ ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos