Advertisment

‘ଗୋପ ମାଟି ତଳେ ଗ୍ୟାସ୍‌ ନା ତୈଳ ଅଛି? ୨୨୭୫ ମିଟର ଖୋଳିବା ପରେ ସ୍ପଷ୍ଟ ହେବ’

ତୈଳ ସନ୍ଧାନ ମିଳିଥିବା ଅଞ୍ଚଳକୁ ଏବେ ସିଲ୍‌ ଦିଆଯାଇଛି। ଲୋକଙ୍କ ଆତଯାତ ଉପରେ ବାରଣ ଲାଗିଛି। ଆସନ୍ତା ସପ୍ତାହର ଶେଷ କିମ୍ବା ତା’ପର ସପ୍ତାହରେ ଜୋରଦାର ଢଙ୍ଗରେ କାମ ଆରମ୍ଭ ହୋଇଯିବ। ଦେଢ଼ରୁ ୨ ମାସ ଭିତରେ ରିଗ୍‌ କାମ ସରିବ।

author-image
Manoranjan Sial
ଅଦ୍ୟତନ ହୋଇଛି
OIL

OIL

ରତ୍ନ ଗର୍ଭା ଓଡ଼ିଶାର ମାଟିତଳେ ତୈଳର ଥିବା ସନ୍ଧାନ ମିଳିଥିଲା। ତେବେ ୨୦୦୦ରୁ ୨୨୭୫ ମିଟର ଖନନ କରିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ। ମାଟି ତଳେ ଗ୍ୟାସ୍‌ ନା ତୈଳ ଅଛି, ତାହା ଜଣାପଡ଼ିବ। ମାତ୍ର ବର୍ତ୍ତମାନ କିଛି କହିହେବ ନାହିଁ ବୋଲି ଅଏଲ ଇଣ୍ଡିଆର ଏକଜିକ୍ୟୁଟିଭ୍‌ ଡିରେକ୍ଟର ଅଞ୍ଜନଜ୍ୟୋତି ଫୁକନ। ଖନନ ପାଇଁ ୩ ମାସ ସମୟ ନେବ ବୋଲି ସେ କହିଛନ୍ତି।

Advertisment

ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ମାଟି ତଳେ ଭୂତଳ ଇନ୍ଧନର ସନ୍ଧାନ ପାଇବା ପରେ ତତ୍ପରତା ଦେଖାଇଛି ଅଏଲ ଇଣ୍ଡିଆର। ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଛି ଖନନ ପାଇଁ ପ୍ରସ୍ତୁତି। ସେଥିପାଇଁ ପହଞ୍ଚି ସାରିଲାଣି ରିଗ୍‌ ମେସିନ୍‌, ଡ୍ରିଲ୍‌ ମେସିନ, ୩ଟି କ୍ରେନ୍‌ ସହ ଅଧିକାଂଶ ଆନୁସଙ୍ଗିକ ଯନ୍ତ୍ରପାତି। ୧୦୦ରୁ ଅଧିକ ଟ୍ରଲର ସାହାଯ୍ୟରେ ଏସବୁ ଜିନିଷ ଆଣିଛି ମୁମ୍ବାଇର ଏକ ଘରୋଇ କମ୍ପାନୀ।

ତୈଳ ସନ୍ଧାନ ମିଳିଥିବା ଅଞ୍ଚଳକୁ ଏବେ ସିଲ୍‌ ଦିଆଯାଇଛି। ଲୋକଙ୍କ ଆତଯାତ ଉପରେ କଟକଣା ଲାଗିଛି। ଆସନ୍ତା ସପ୍ତାହର ଶେଷ କିମ୍ବା ତା’ପର ସପ୍ତାହରେ ଜୋରଦାର ଢଙ୍ଗରେ କାମ ଆରମ୍ଭ ହୋଇଯିବ। ଦେଢ଼ରୁ ୨ ମାସ ଭିତରେ ରିଗ୍‌ କାମ ସରିବ। ଅଶୋଧିତ ତୈଳ ପାଖେ ପହଞ୍ଚିବାକୁ ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୨୨୦୦ ମିଟର ପର୍ଯ୍ୟନ୍ତ ଖନନ କରିବାକୁ ପଡ଼ିବ ବୋଲି କହିଛନ୍ତି ଦାୟିତ୍ୱରେ ଥିବା ଅଧିକାରୀମାନେ କହିଛନ୍ତି।

Advertisment

ଗତବର୍ଷ ଜିଓ ଇଣ୍ଡିଆ ଲିମିଟେଡ୍‌ ନାମକ ଏକ ସଂସ୍ଥା ଭୂତଳ ଇନ୍ଧନ ନେଇ ସନ୍ଧାନ ପାଇଥିଲା। ଏହାପରେ ଗୋପ ବ୍ଲକ୍‌ କୁସୁପୁର ମୌଜାର କୁଶଭଦ୍ରା ନଦୀକୂଳ ବଣିଆ ସାହିରେ ଖନନ ପାଇଁ ଅଏଲ ଇଣ୍ଡିଆ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ଅଞ୍ଚଳର ୩୭ଜଣ ଜମି ମାଲିକଙ୍କଠାରୁ ୮ ଏକର ଜମି ଅଧିଗ୍ରହଣ କରାଯାଇ ତିନି ବର୍ଷ ପାଇଁ ଲିଜ୍‌ ସୂତ୍ରରେ ନେଇଥିଲା। ପ୍ରଥମ ପର୍ଯ୍ୟାୟରେ ଅଏଲ ୱେଲ୍‌ ବା ତୈଳ କୂପ ଖନନ କରାଯାଇ ସାପ୍ରୋ ପେଲାଇଟ୍‌ ବା କଳା ଚିକିଟା ତୈଳଯୁକ୍ତ ମାଟି ଉତ୍ତୋଳନ କରାଯିବ। ପରେ ଉକ୍ତ ମାଟି ସହ ଅଶୋଧିତ ଖଣିଜ ପଦାର୍ଥକୁ ବିଶୋଧନ ପାଇଁ ଅଏଲ୍‌ ରିଫାଇନାରୀକୁ ପଠାଯିବ। ସାପ୍ରୋ ପେଲାଇଟ୍‌ ଶିଳା ପର୍ଯ୍ୟନ୍ତ ପହଞ୍ଚିବାକୁ ୬୦୦ରୁ ୪୦୦୦ ମିଟର ପର୍ଯ୍ୟନ୍ତ ଖନନ କରିବାକୁ ପଡ଼ିବ ବୋଲି କହିଛନ୍ତି ଭୂତତ୍ତ୍ୱବିତ। ତେବେ ଲଗ୍‌ଇନ୍‌ଠାରୁ ଉତ୍ତୋଳନ ପର୍ଯ୍ୟନ୍ତ ପୁରା ପ୍ରକ୍ରିୟା ସରିବାକୁ ବର୍ଷେରୁ ୨ ବର୍ଷ ଲାଗିପାରେ ବୋଲି ଆକଳନ କରାଯାଉଛି।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

Puri