ନୂଆ ବର୍ଷକୁ ଫିକା କରିପାରେ ବର୍ଷା: ୩୦ରୁ କୋହଲା ପାଗ ସାଙ୍ଗକୁ ବର୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ନୂଆବର୍ଷକୁ ପାଣିଚିଆ କରିପାରେ ଅଦିନିଆ ବର୍ଷା। ପାଣିପାଗ ବିଭାଗ କହିଛି, “ଆସନ୍ତା ୩୦ ତାରିଖରୁ କୋହଲା ପାଗ ସାଙ୍ଗକୁ ବର୍ଷା ହେବ।  ୩୦ ଓ ୩୧ ତାରିଖ ଯାଏଁ ଦୁଇଦିନ ଧରି ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ ହୋଇପାରେ। ବିଶେଷ କରି ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ।  ଏଭଳି ପାଗ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଲାଗି ରହିବ।” ତେଣୁ ନୂଆ ବର୍ଷର ମଉଜ ଫିକା ହେବାର ଆଶଙ୍କା ଦେଖାଦେଇଛି।

ରାଜ୍ୟର ଅଧିକାଂଶ ସହରରେ ଏବେ ପାରଦ ୧୦ ଡିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି। ବର୍ଷା ଛାଡ଼ିବା ପରେ ଅର୍ଥାତ ୩ ତାରିଖ ବେଳକୁ ଶୀତ ଆହୁରି ଅଧିକ ହେବ ବୋଲି ପାଣିପାଗ ବିଭାଗ କହିଛି। ଗତକାଲି ରାଜ୍ୟର ପ୍ରାୟ ୧୦ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ସବୁଠୁ କମ୍ ତାପମାତ୍ରା ରହିଛି ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ।  ଏଠାରେ ତାପମାତ୍ରା ପ୍ରାୟ ୩ଡିଗ୍ରୀ ରହୁଥିବାବେଳେ ଫୁଲବାଣୀରେ ୪ ଡିଗ୍ରୀ ସେଲ୍‌ସିଅସ ରହିଛି।