ଷଷ୍ଠୀରୁ ପ୍ରବଳ ବର୍ଷିବ,୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୨ ବର୍ଷ ହେଲା କରୋନା କଟକଣା ପାଇଁ ଫିକା ପଡ଼ିଥିଲା ଶାରଦୀୟ ଦୁର୍ଗା ପୂଜା। ଏଥର କିନ୍ତୁ କଟକଣାମୁକ୍ତ ପୂଜା ପାଇଁ ଅନୁମତି ମିଳିଥିଲେ ବି  ପୂଜା ମଉଜ ଫିକା ପଡ଼ିବା ଆଶଙ୍କା ଦେଖା ଦେଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବାରୁ ଏଥର ଫିକା ପଡ଼ିପାରେ ଦୁର୍ଗା ପୂଜା। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତାକାଲି ଅର୍ଥାତ ଶନିବାର ଉତ୍ତର ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ରବିବାର ମଧ୍ୟ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ମହା ଅଷ୍ଟମୀରେ ଅର୍ଥାତ ସୋମବାର ପୁରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା  ହେବ। ଉତ୍ତର ଆଭ୍ୟନ୍ତରୀଣ  ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜ ସମେତ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର ୧୧ ଜିଲ୍ଲାକୁ  ପାଣିପାଗ କେନ୍ଦ୍ର  ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଅକ୍ଟୋବର ପହିଲାରେ ଉତ୍ତର-ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୁର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଏହି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।