ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଅବାସ’ ମହାଦୁର୍ନୀତିର ନାୟକ ହେଉଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ଆଉ ତାଙ୍କ ସେନାପତି ସାଜିଥିଲେ ମାହାଙ୍ଗା ବିଡିଓ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ। ଚୋର ହାତରେ ଚାବିକାଟି ଧରାଇଦେବା ଭଳି ‘ଆବାସ’ ମହାଦୁର୍ନୀତିକୁ ସାରା ରାଜ୍ୟରେ ବଢ଼ାବା ପାଇଁ ସରକାର ବାଟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମହାଦୁର୍ନୀତିରେ ବୁଡ଼ି ରହିଥିବା ସେହି ଅଫିସରଙ୍କୁ ମନ୍ତ୍ରୀଙ୍କ ଓଏସ୍ଡି ଭାବେ ସରକାର ପଦୋନ୍ନତି ଦେବା ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।
ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମିର ମହାନ୍ତି କହିଛନ୍ତି-“ମାହାଙ୍ଗାରେ ହୋଇଥିବା ‘ଆବାସ’ କେଳାଙ୍କାରୀ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ଖୋଦ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଅଧିକାଂଶ ପଞ୍ଚାୟତରେ ବହୁ ଅଯୋଗ୍ୟ ହିତାଧିକାରୀ ଘର ହାତେଇଛନ୍ତି। ସେ ମଉଦା ପଞ୍ଚାୟତ ହେଉ ଅବା ନିଶ୍ଚିନ୍ତକୋଇଲି, ସବୁଠି ହୋଇଥିବା ଏହି କେଳାଙ୍କାରୀର ମହାନାୟକ ହେଉଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ଆଉ ତାଙ୍କର ସେନାପତି ସାଜିଥିଲେ ବର୍ତ୍ତମାନ ତାଙ୍କର ଓଏସ୍ଡି ହୋଇଥିବା ତଥା ମାହାଙ୍ଗାର ପୂର୍ବତନ ବିଡ଼ିଓ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ।”
ସେ ଆହୁରି କହିଛନ୍ତି-“ମାହାଙ୍ଗାରେ ‘ଆବାସ’ ଯୋଜନାରେ କଳାକନା ବୁଲାଇବା ପରେ ଏବେ ଏହି ଅଫିସରଙ୍କୁ ଧରି ସାରା ରାଜ୍ୟରେ କାୟା ବିସ୍ତାର ପାଇଁ ଚେଷ୍ଟା କରିଛନ୍ତି ଖୋଦ ମନ୍ତ୍ରୀ ପ୍ରତାପ ଜେନା। ସରକାରୀ ଯୋଜନାକୁ ଦଳୀୟ ଭିତ୍ତିରେ ବାଣ୍ଟିବା ପାଇଁ ଆରମ୍ଭ ହୋଇଛି ଚକ୍ରାନ୍ତ। ଆଉ ଏଥିରେ ତାଙ୍କୁ ସହାୟତା କରୁଛନ୍ତି ତୃତୀୟ ମହଲାର କିଛି ଅଣଓଡ଼ିଆ ଅଫିସର। ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କ ହାତରେ ବିଜେଡି ଏବେ ଗୋଟିଏ ବିଭାଗ ହୋଇଯାଇଛି। ସାଢେ ୪ କୋଟି ଓଡ଼ିଆଙ୍କୁ ଠକିବା ପାଇଁ ଶପଥ ନେଇଥିବା ଏହି ଅଣଓଡ଼ିଆ ଅଫିସରମାନେ କିଛି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଏବେ ପଦୋନ୍ନତି ଦେବାରେ ଲାଗିଛନ୍ତି। ଯେଉଁ ଅଫିସରମାନେ ବିଜେଡି ପାଇଁ କାମ କରୁଛନ୍ତି। ସେମାନଙ୍କୁ ସରକାରରେ ଗୁରୁଦାୟିତ୍ୱ ମିଳୁଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।