ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସତ୍ତ୍ୱେ ସାରା ରାଜ୍ୟରେ ରଜ ପାଇଁ ପ୍ରସ୍ତୁତି ଜୋରଦାର। କିନ୍ତୁ ରାଜ୍ୟର କିଛି ଜିଲ୍ଲାରେ ରଜ ଉତ୍ସବ ପାଳନ ଉପରେ କଟକଣା ଲଗାଯାଇଛି। କେନ୍ଦୁଝର ଓ ଗଞ୍ଜାମ ପରେ ଏବେ ବାଲେଶ୍ୱର ଓ ଢ଼େଙ୍କାନାଳରେ ମଧ୍ୟ ରଜ ପାଇଁ କଟକଣା କରାଯାଇଛି।।
ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର ସଦର ଡିଭିଜନରେ ରଜ ପାଳନ ଉପରେ କଟକଣା ଲଗାଇଛନ୍ତି ବାଲେଶ୍ୱର ଜିଲ୍ଲା ପ୍ରଶାସନ। ଏହାଛଡ଼ା ସବଡିଭିଜନର ସମସ୍ତ ଧାର୍ମିକସ୍ଥଳ ମଧ୍ୟ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ସାଂସ୍କୃତିକ ପର୍ବ ପାଳନ ସମୟରେ ଗୋଟିଏ ସ୍ଥାନରେ ୭ରୁ ଅଧିକ ଲୋକେ ଉପସ୍ଥିତ ରହିବେ ନାହିଁ।
ଏହାଛଡ଼ା କୋଭିଡ୍ ଗାଇଡଲାଉନ୍ ମୁତାବକ ସମସ୍ତ ବ୍ୟକ୍ତି ସାମାଜିକ ଦୂରତା ସହ ମୁହଁରେ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ବାଲେଶ୍ୱର ଭଳି ଢେଙ୍କାନାଳରେ ମଧ୍ୟ ରଜ ପର୍ବ ପାଳନ ବେଳେ କଟକଣା ଜାରି କରିଛି ପ୍ରଶାସନ।
ହିନ୍ଦୋଳର ପ୍ରସିଦ୍ଧ ରଞ୍ଜାଦୋଳ ପଡ଼ିଆରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ଆସନ୍ତା ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୧୫ଟି ମନ୍ଦିରରେ ମଧ୍ୟ ୧୪୪ ଧାରା ଲାଗୁ କରିଛି।
ଏହା ପୂର୍ବରୁ କେନ୍ଦୁଝର, ଗଂଜାମ ଜିଲ୍ଲା ପ୍ରଶାସନ ଜୁନ ୧୬ ଯାଏଁ ରଜ ପାଳନ ଉପରେ କଡ଼ା କଟକଣା ଜାରି କରାଯାଇଥିଲା। ରଜ ସମୟରେ ଦୋଳି ଖେଳ ସହ ମେଳା ମହୋତ୍ସବ କିମ୍ବା ଭୋଜିଭାତର ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ଏପରିକି ପାରମ୍ପରିକ ଖେଳକୁ ମଧ୍ୟ ବାରଣ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।