ପ୍ରାଇଭେଟ୍‌ ପାର୍ଟରେ ହାତ ମାରିଦେଲେ ଡାକ୍ତର, ନ୍ୟାୟ ମାଗୁଛନ୍ତି ଯୁବତୀ

ନବରଙ୍ଗପୁର (ନବଘନ ବିଷୋୟୀ): ଦାନ୍ତ ବିନ୍ଧୁଥିବାରୁ ଡାକ୍ତଖାନା ଆସିଥିଲେ ଯୁବତୀ। ଦାନ୍ତ ଦେଖିବା ବାହାନାରେ ଯୁବତୀଙ୍କ ପ୍ରାଇଭେଟ୍‌ ପାର୍ଟରେ ହାତ ମାରିଦେଲେ ଡାକ୍ତର। ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ। ପୀଡ଼ିତା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଡାକ୍ତରଙ୍କୁ ପଚରାଉଚରା କରୁଛି। ଅନ୍ୟପକ୍ଷରେ ପୀଡ଼ିତା କହିଛନ୍ତି, ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବି।

ଡାବୁଗାଁ ଥାନା ଅଞ୍ଚଳର ଯୁବତୀ ସୀମା(ଛଦ୍ମନାମ)ଙ୍କ ଦାନ୍ତ ଯନ୍ତ୍ରଣା କରୁଥିଲା। ତେଣୁ ସେ ଗୁରୁବାର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ। ସେଠାରେ ଦାନ୍ତ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ଦେଖିବା ପରେ ରକ୍ତ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ କହିବା ଅନୁସାରେ ସୀମା ରକ୍ତ ପରୀକ୍ଷା ରିପୋର୍ଟ ଧରି ଆଉ ଥରେ ଯାଇଥିଲେ।

ସୀମାଙ୍କୁ ଦେଖି ଦାନ୍ତ ଡାକ୍ତର ମହାଶୟ ନିଜ ଚ୍ୟାମ୍ୱରକୁ ଡାକିଥିଲେ। ପ୍ରଥମେ ରକ୍ତ ପରୀକ୍ଷା ରିପୋର୍ଟ ଦେଖିଥିଲେ। ତା’ପରେ ଦାନ୍ତ ସଫା କରିବା ପାଇଁ ସୀମାଙ୍କୁ କହିଥିଲେ। ଡାକ୍ତରଙ୍କ କଥାରେ ରାଜି ହୋଇଥିଲେ ସୀମା। ହେଲେ ଡାକ୍ତର ମହାଶୟ ଦାନ୍ତ ସଫା କରିବା ବାହାନାରେ ସୀମାଙ୍କ ପ୍ରାଇଭେଟ୍‌ ପାର୍ଟରେ ହାତ ମାରିଥିବା ଅଭିଯୋଗ ହୋଇଛି। ଯାହାକୁ ସୀମା ବିରୋଧ କରିବାରୁ ତାଙ୍କୁ ଡାକ୍ତର ତାଙ୍କୁ ଗାଳି ଦେଇଥିବା ଅଭିଯୋଗ ହୋଇଛି। ଏହା ପରେ ସୀମା ମେଡ଼ିକାଲ୍‌ ବାହାରକୁ ପଳାଇ ଆସି ପରିବାର ଲୋକଙ୍କୁ କହିଥିଲେ।

ସୀମାଙ୍କଠାରୁ ସବୁ କଥା ଶୁଣିବା ପରେ ପରିବାର ଲୋକେ ମେଡ଼ିକାଲ୍‌ ଚ୍ୟାମ୍ୱରକୁ ଯାଇଥିଲେ। ମାତ୍ର ସେତେବେଳକୁ ଡାକ୍ତର ସେଠାରୁ ଚମ୍ପଟ ମାରିଥିଲେ। ଏହା ପରେ ପରିବାର ଲୋକେ ଏନେଇ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ସମ୍ପୃକ୍ତ ଡାକ୍ତରଙ୍କୁ ଥାନାକୁ ଡକି ପ୍ରାୟ  ୬ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା।

ଅନ୍ୟପକ୍ଷରେ ପୀଡ଼ିତା କହିଛନ୍ତି, ଦୁର୍ବ୍ୟବହାର କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୋତେ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବି ବୋଲି ପୀଡ଼ିତା ଚେତାବନୀ ଦେଇଛନ୍ତି।

ସେପଟେ ଅଭିଯୋଗ ନେଇ ସମ୍ପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।