ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳା ଓ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତମାନେ ସହଜରେ ଖସି ଯାଉଛନ୍ତି। ରାଜ୍ୟରେ ଦିନକୁ ହାରାହାରି ୪ଜଣ ନାବାଳିକା ଓ ମୋଟ ୭ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବାବେଳେ ୮୨ ପ୍ରତିଶତ ଅଭିଯୁକ୍ତ ପ୍ରମାଣ ଅଭାବରୁ ଦୋଷମୁକ୍ତ ହେବାରେ ସକ୍ଷମ ହେଉଛନ୍ତି। ଯାହାକି ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଓ ଅଭିଯୁକ୍ତଙ୍କ ପ୍ରତି ସରକାରୀ କଳର କୋହଳ ମାନସିକତାକୁ ପ୍ରମାଣିତ କରୁଥିବା ଜଣାପଡ଼ିଛି\
ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରଖିଥିବା ତଥ୍ୟ ଅନୁସାରେ ଗତ କିଛିବର୍ଷ ଧରି କ୍ରମାଗତ ଭାବେ ନାବାଳିକା ଦୁଷ୍କର୍ମ ମାମଲା ବୃଦ୍ଧି ପାଇବାରେ ଲାଗିଛି। ୨୦୧୫ ମସିହାରେ ୧୨୧୨ଜଣ ନାବାଳିକାଙ୍କ ସମେତ ୨୨୮୬ଟି ଦୁଷ୍କର୍ମ ମାମଲା, ୨୦୧୬ ମସିହାରେ ୧୨୦୪ ନାବାଳିକା ଦୁଷ୍କର୍ମ ସମେତ ୨୧୪୪ଟି ଦୁଷ୍କର୍ମ ମାମଲା, ୨୧୦୭ ମସିହାରେ ୧୨୮୩ ନାବାଳିକା ଦୁଷ୍କର୍ମ ସମେତ ମୋଟ ୨୨୨୧ଟି ଦୁଷ୍କର୍ମ ମାମଲା, ୨୦୧୮ ମସିହାରେ ୧୪୩୦ ନାବାଳିକା ଦୁଷ୍କର୍ମ ମାମଲା ସମେତ ୨୫୦୨ଟି ମାମଲା, ୨୦୧୯ ସେପ୍ଟେମ୍ବର ୩୦ ସୁଦ୍ଧା ୯୫୬ଟି ନାବାଳିକା ଦୁଷ୍କର୍ମ ସମେତ ୧୮୬୫ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି। ଅର୍ଥାତ୍ ୨୦୧୫ରୁ ୨୦୧୯ ମସିହା ମଧ୍ୟରେ ମୋଟ ୬୦୮୫ଜଣ ନାବାଳିକାଙ୍କ ସମେତ ୧୧,୦୧୮ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି।
ମାତ୍ର ପରିତାପର ବିଷୟ ଯେ, ପଞ୍ଜିକୃତ ହେଉଥିବା ଦୁଷ୍କର୍ମ ଅଭିଯୋଗ ଆଧାରରେ ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇପାରୁନାହାନ୍ତି। ସରକାରୀସ୍ତରରେ ମାମଲା ପରିଚାଳନା, ପୁଲିସର ତଦନ୍ତ ପ୍ରକ୍ରିୟା ଓ ଅନ୍ୟାନ୍ୟ କାରଣରୁ ଅଭିଯୁକ୍ତମାନେ ସହଜରେ ନିଜର ପ୍ରଭାବ ବିସ୍ତାର କରି ଏସବୁ ଦୁଷ୍କର୍ମ ମାମଲାରୁ ଖସି ଯିବାରେ ସକ୍ଷମ ହେଉଛନ୍ତି।
ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ କହିବା ଅନୁସାରେ ୨୦୧୮ ମସିହାରେ ମୋଟ ୧୦୭୩ଟି ମାମଲାର ତଦନ୍ତ ହୋଇଥିବାବେଳେ ସେଥିରୁ ମାତ୍ର ୧୯୭ଟି ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବାକି ୮୭୬ଟି ମାମଲାରେ ଅଭିଯୁକ୍ତମାନେ ସହଜରେ ଖସିଯାଇଛନ୍ତି। ୨୦୧୮ ମସିହାରେ ମାତ୍ର ୧୮.୩୫% ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ପ୍ରାୟ ୮୨ ପ୍ରତିଶତ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି। ଅବଶ୍ୟ ମନ୍ତ୍ରୀଙ୍କ ଏହି ତାଲିକାରେ ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାର ତଥ୍ୟ ଉଲ୍ଲେଖ ନଥିବାରୁ ଏହି ଦୋଷମୁକ୍ତ ହାର ବୃଦ୍ଧି ପାଇବାର ଆଶଙ୍କା ରହିଛି।
ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଝାରସୁଗୁଡ଼ା ଜିଲ୍ଲାରେ ୧୧ଟି ଦୁଷ୍କର୍ମ ମାମଲାରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିବାବେଳେ ୨୦୧୮ ମସିହାରେ ସୋନପୁର ଜିଲ୍ଲାରେ ଗୋଟିଏ ବି ମାମଲାର ତଦନ୍ତ ନିର୍ଣ୍ଣାୟକସ୍ତରରେ ପହଞ୍ଚି ପାରି ନଥିଲା। କେନ୍ଦ୍ରାପଡ଼ା ଭଳି ସମ୍ବେଦନଶୀଳ ଜିଲ୍ଲାରେ ମାତ୍ର ୭ଟି ମାମଲାର ତଦନ୍ତ ହୋଇଥିବାବେଳେ ସେଥିରେ ୫ଟି ମାମଲାରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।