କଳଙ୍କ ମୁଣ୍ଡାଇ ୧୨ ବର୍ଷରେ ୬ ଡିଜିପି ବିଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପୁଲିସ ବିଭାଗର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହୋଇ ଚାକିରିର ଶେଷ ପର୍ଯ୍ୟାୟରେ କଳଙ୍କ ମୁଣ୍ଡାଇ ୬ଜଣ ପୁଲିସ ଡିଜିଙ୍କୁ ଅପମାନିତ ହୋଇ ବିଦା ହେବାକୁ ପଡ଼ିଛି। ୨୦୦୦ ମସିହାରେ ବିଜେଡି କ୍ଷମତାକୁ ଆସିବା ପରେ ଆଜି ସୁଦ୍ଧା ୧୪ଜଣ ଡିଜିଙ୍କୁ (ଅନ୍ତରୀଣ ଡିଜି ସତ୍ୟଜିତ୍ ମହାନ୍ତିଙ୍କୁ ମିଶାଇ) ନିଯୁକ୍ତି ମିଳିଥିବାବେଳେ ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଅପମାନିତ କରି ନିଜ ପଦରୁ ବିଦା କରାଯାଇଛି। ସୂଚନା ଅନୁସାରେ, ୨୦୦୦ ମାର୍ଚ୍ଚ ୫ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ […]

bjp

bjp

Manoranjan Sial
  • Published: Thursday, 21 November 2019
  • Updated: 21 November 2019, 09:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପୁଲିସ ବିଭାଗର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହୋଇ ଚାକିରିର ଶେଷ ପର୍ଯ୍ୟାୟରେ କଳଙ୍କ ମୁଣ୍ଡାଇ ୬ଜଣ ପୁଲିସ ଡିଜିଙ୍କୁ ଅପମାନିତ ହୋଇ ବିଦା ହେବାକୁ ପଡ଼ିଛି। ୨୦୦୦ ମସିହାରେ ବିଜେଡି କ୍ଷମତାକୁ ଆସିବା ପରେ ଆଜି ସୁଦ୍ଧା ୧୪ଜଣ ଡିଜିଙ୍କୁ (ଅନ୍ତରୀଣ ଡିଜି ସତ୍ୟଜିତ୍ ମହାନ୍ତିଙ୍କୁ ମିଶାଇ) ନିଯୁକ୍ତି ମିଳିଥିବାବେଳେ ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଅପମାନିତ କରି ନିଜ ପଦରୁ ବିଦା କରାଯାଇଛି।

ସୂଚନା ଅନୁସାରେ, ୨୦୦୦ ମାର୍ଚ୍ଚ ୫ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ୱ ନେବାର ମାତ୍ର ୫ଦିନ ପରେ ଏସ୍.କେ.ଚାଟାର୍ଜୀଙ୍କୁ ରାଜ୍ୟ ପୁଲିସର ମୁଖିଆ ଭାବେ ନିଯୁକ୍ତି ଦେଇଥିଲେ। ତେବେ ମାତ୍ର ସାଢ଼େ ୬ବର୍ଷ ମଧ୍ୟରେ ରାଜ୍ୟ ପୁଲିସର ମୁଖିଆ ଭାବେ ଶ୍ରୀ ଚାଟାର୍ଜୀଙ୍କ ବ୍ୟତୀତ କେଡି ବାଜପେୟୀ, ଏନସି ପାଢ଼ୀ, ବିବି ମିଶ୍ର ଓ ସୁଚିତ୍ ଦାସଙ୍କ ଭଳି ୫ ଜଣ ଆଇପିଏସ ଅଫିସର ଦାୟିତ୍ୱ ତୁଲାଇଥିଲେ।

ତେବେ ୨୦୦୬ ସେପ୍ଟେମ୍ବର ୧ରେ ଅମରାନନ୍ଦ ପଟ୍ଟନାୟକ ରାଜ୍ୟ ପୁଲିସର ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପୁଲିସ ବିଭାଗର ସର୍ବୋଚ୍ଚ ପଦରେ ରହୁଥିବା ଅଫିସରଙ୍କୁ ଅପମାନିତ ହୋଇ ବିଦା କରିବାର ମୂଳଦୁଆ ବିଜେଡି ଶାସନ କାଳରେ ପଡ଼ିଥିଲା। ଶ୍ରୀ ପଟ୍ଟନାୟକ ଆନ୍ତର୍ଜାତିକ ପୁଲିସ ସମ୍ମିଳନୀରେ ଯୋଗ ଦେବାକୁ ମରକ୍କୋ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ତାଙ୍କୁ ଅଚାନକ ଡିଜି ପଦରୁ ବିଦା ହେବାକୁ ପଡ଼ିଥିଲା। ସରକାର ତାଙ୍କୁ ହଟାଇ ଆଇପିଏସ୍ ଗୋପାଳ ଚନ୍ଦ୍ର ନନ୍ଦଙ୍କୁ ପୁଲିସ ଡିଜି କରୁଥିବା ଜାଣିବା ପରେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ପଳାଇଥିଲେ। ସେ ଛୁଟିର ଯିବାର ଦିନକ ପରେ ଶ୍ରୀ ନନ୍ଦଙ୍କୁ ଆନୁଷ୍ଠାନିକ ଭାବେ ଡିଜିପି ଭାବେ ନିଯୁକ୍ତି ମିଳିଥିଲା। ଶ୍ରୀ ପଟ୍ଟନାୟକ ମାତ୍ର ୧୩ମାସ ଡିଜିପିି ଭାବେ କାର୍ଯ୍ୟ କରିଥିଲେ।

ଶ୍ରୀ ନନ୍ଦଙ୍କ ଅବସର ପରେ ୨୦୦୮ ସେପ୍ଟେମ୍ବର ୩୦ରେ ମନମୋହନ ପ୍ରହରାଜଙ୍କୁ ରାଜ୍ୟ ପୁଲିସ୍ ମୁଖିଆ ଭାବେ ନିଯୁକ୍ତି ମିଳିଥିଲା। ତେବେ ୨୦୧୨ ମେ’ ୨୯ରେ ପ୍ୟାରୀମୋହନ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ୍ ତାଙ୍କ ପାଇଁ କାଳ ହୋଇଥିଲା। ପ୍ୟାରୀଙ୍କ ଘନିଷ୍ଠ ଥିବା ଆଶଙ୍କାରେ ଶ୍ରୀ ପ୍ରହରାଜଙ୍କୁ ଡିଜି ପଦରୁ ୨୦୧୨ ଜୁନ୍ ମାସରେ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ତାଙ୍କୁ ଅପମାନିତ କରି ଡିଜି ପଦରୁ ସରକାର ହଟାଇ ଦେଇଥିଲେ। ଆଉ ୨୦୧୨ ଜୁଲାଇ ୬ତାରିଖରେ କେନ୍ଦ୍ରୀୟ ଡେପୁଟେସନରୁ ଫେରି ପ୍ରକାଶ ମିଶ୍ର ରାଜ୍ୟ ପୁଲିସର ମୁଖିଆ ହୋଇଥିଲେ। ତେବେ ତାଙ୍କୁ ମଧ୍ୟ ଅପମାନିତ ହୋଇ ଓ ଦୁର୍ନୀତିର କଳଙ୍କ ମୁଣ୍ଡାଇ ମାତ୍ର ୨୪ମାସ ପରେ ପଦରୁ ବିଦା ହେବାକୁ ପଡ଼ିଥିଲା । ତାଙ୍କ ନାଁରେ ଭିଜିଲାନ୍ସ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା। ଅବଶ୍ୟ ପରେ ସୁପ୍ରିମକୋର୍ଟ ତାଙ୍କୁ କ୍ଲିନଚିଟ୍ ଦେଇଥିଲେ ।

ଶ୍ରୀ ମିଶ୍ରଙ୍କ ସ୍ଥାନରେ ୨୦୧୨ ଜୁଲାଇ ୬ତାରିଖରେ ସଞ୍ଜିବ ମାରିକ ରାଜ୍ୟ ପୁଲିସ ମୁଖିଆ ଦାୟିତ୍ୱ ନେଇଥିଲେ। ଖୁବକମ୍ ସମୟ ମଧ୍ୟରେ ଶ୍ରୀ ମାରିକ୍ ରାଜ୍ୟ ସରକାରଙ୍କ ଫେଭରାଇଟ୍ ଅଫିସର ମଧ୍ୟ ପାଲଟିଥିଲେ। କିନ୍ତୁ ତାଙ୍କୁ ବି ମାତ୍ର ୧୬ମାସ ପରେ ଅପମାନିତ ଢଙ୍ଗରେ ଡିଜିପି ପଦରୁ ହଟାଇ ଦେଇଥିଲେ । ସର୍ବୋଚ୍ଚ ପଦରୁ ଅଚାନକ ଗୁରୁତ୍ୱହୀନ ପଦବୀକୁ ପଠାଇ ଦେଇଥିଲେ।

ଶ୍ରୀ ମାରିକଙ୍କ ପରେ ୨୦୧୫ ନଭେମ୍ବର ମାସରେ କେବି ସିଂହଙ୍କୁ ଡିଜିପି ଦାୟିତ୍ୱ ମିଳିଥିଲା। ପ୍ରକାଶ ମିଶ୍ରଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରୁଜୁ କରି ସେ କୋର୍ଟଙ୍କଠୁ ଭର୍ତ୍ସନା ଶୁଣିଥିବା ସତ୍ତେ୍ୱ ସରକାର ତାଙ୍କୁ ରାଜ୍ୟ ପୁଲିସ ମୁଖିଆ ପଦରେ ଅବସ୍ଥାପିତ କରିଥିଲେ। ତେବେ ଡିଜି ଭାବେ ତାଙ୍କ ଉପରେ ସରକାର ବେଶୀ ଦିନ ଭରସା କରିପାରିନଥିଲେ ଓ ଶେଷରେ ତାଙ୍କୁ ମାତ୍ର ୨୨ମାସ ପରେ ନିଜ ପଦରୁ ଲଜ୍ୟାଜନକ ଭାବେ ବିଦା ହେବାକୁ ପଡ଼ିଥିଲା। ଏପରିକି ଶେଷ ସମୟରେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ବି ସରକାର ଅନୁମତି ଦେଇନଥିଲେ।

ଶ୍ରୀ ସିଂଙ୍କ ପରେ ପୁଲିସ ମୁଖିଆ ଭାବେ ୨୦୧୭ ଅଗଷ୍ଟ ୩୧ତାରିଖରେ ଡଃ ଆରପି ଶର୍ମା ଦାୟିତ୍ୱ ନେଇଥିଲେ। ୨୩ମାସ ରହିବା ପରେ ସେ ନିଜଆଡ଼ୁ ସମ୍ମାନଜନକ ଭାବେ ଡିଜିପି ପଦରୁ ଅବ୍ୟାହତି ନେଇ ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ଥଇଥାନ ହୋଇଥିଲେ। ଡଃ ଶର୍ମାଙ୍କ ପରେ ବିକେ ଶର୍ମାଙ୍କୁ ୨୦୧୯ ଅଗଷ୍ଟ ୭ତାରିଖରେ ରାଜ୍ୟ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଲୋକସେବା ଆୟୋଗଙ୍କ ସୁପାରିସ ଆଧାରରେ ଡିିଜିପି ନିଯୁକ୍ତି ପ୍ରକ୍ରିୟାକୁ ରାଜ୍ୟ ସରକାର ପାଳନ କରୁଥିବାବେଳେ ଶ୍ରୀ ଶର୍ମାଙ୍କୁ ଫୁଲଟାଇମ୍ ଡିଜିପି ଭାବେ ଅବସ୍ଥାପିତ କରାଯିବାର ସମ୍ଭାବନା ମଧ୍ୟ ଥିଲା। କିନ୍ତୁ କେନ୍ଦ୍ରୀୟ ଲୋକସେବା ଆୟୋଗଙ୍କ ସୁପାରିସ୍ ଆସିବାର ୪୮ଘଣ୍ଟା ନପୁରୁଣୁ ଶ୍ରୀ ଶର୍ମାଙ୍କୁ ଡିଜିପି ପଦରୁ ଅତ୍ୟନ୍ତ ଲଜ୍ଜ୍ୟାଜନକ ଭାବେ ବିଦା କରିଦେଇଥିଲେ। ଏପରିକି ତାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେବାକୁ ସରକାର ପଛାଇ ନାହାନ୍ତି।
ଏପରିକି ନୂଆ ଡିଜି ଭାବେ ଅଭୟଙ୍କୁ ନିଯୁକ୍ତି ଦେଇ ତାଙ୍କ ଫେରିବା ପର୍ଯ୍ୟନ୍ତ ବି ଶ୍ରୀ ଶର୍ମାଙ୍କୁ ରଖିବାକୁ ସରକାର ଉଚିତ୍ ମଣିନାହାନ୍ତି । ଆଉ ବିଳମ୍ବିତ ରାତିରେ ଅନ୍ତରୀଣ ଡିଜିପି ଭାବେ ସତ୍ୟଜିତ୍ ମହାନ୍ତି ଦାୟିତ୍ୱ ସମ୍ଭାଳିଛନ୍ତି।

୨୦୦୬ରୁ ୨୦୧୯ ମସିହା ମଧ୍ୟରେ ୮ଜଣ ଡିଜିପି(ସତ୍ୟଜିତଙ୍କୁ ବାଦ ଦେଇ) ନିଯୁକ୍ତି ପାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଲଜ୍ଜିତ ହୋଇ ନିଜ ପଦରୁ ବିଦା ହେବାକୁ ପଡ଼ିଛି । କେବଳ ଆଇପିଏସ୍ ଗୋପାଳ ନନ୍ଦ ଓ ଆରପି ଶର୍ମା ସମ୍ମାନଜନକ ବିଦାୟ ନେଇଛନ୍ତି।
ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଉଭୟ କଂଗ୍ରେସ ଓ ବିଜେପି ତୀବ୍ର ସମାଲୋଚନା କରିବାକୁ ପଛାଇ ନଥିବାବେଳେ ପୁଲିସ ବିଭାଗର ସର୍ବୋଚ୍ଚ ପାହ୍ୟାରେ ଅବସ୍ଥାପିତ ଅଫିସରମାନଙ୍କୁ ଲଜ୍ୟାଜନକ ଭାବେ ବିଦା କରାଯାଉଥିବାରୁ ତାକୁ ନେଇ ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos