ରାଜ୍ୟରେ କିଏ ଗଢ଼ିବ ସରକାର, କାହା ଦାବିରେ କେତେ ଦମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଦିନ ତଳେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କିଏ କରିବ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଯଦିଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ପଞ୍ଚମଥର ପାଇଁ କ୍ଷମତାସୀନ ହେବ ବୋଲି ଅନେକ ମତ ଦେଉଛନ୍ତି ତଥାପି ଏକଜିଟ୍ ପୋଲ୍ ରିପୋର୍ଟରେ ବିଜେପିକୁ ଅଧିକ ସଂଖ୍ୟକ ଲୋକସଭା ଆସନ ମିଳିବାର ଆକଳନ କରାଯିବା ଓ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ […]

Manoranjan Sial
  • Published: Tuesday, 21 May 2019
  • Updated: 21 May 2019, 07:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଦିନ ତଳେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କିଏ କରିବ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଯଦିଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ପଞ୍ଚମଥର ପାଇଁ କ୍ଷମତାସୀନ ହେବ ବୋଲି ଅନେକ ମତ ଦେଉଛନ୍ତି ତଥାପି ଏକଜିଟ୍ ପୋଲ୍ ରିପୋର୍ଟରେ ବିଜେପିକୁ ଅଧିକ ସଂଖ୍ୟକ ଲୋକସଭା ଆସନ ମିଳିବାର ଆକଳନ କରାଯିବା ଓ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ ପାଇଁ ବିଜେପିର ଦମ୍ଭୋକ୍ତି ଯୋଗୁ ବାସ୍ତବରେ ରାଜ୍ୟରେ ସରକାର କିଏ ଗଢ଼ିବ ତା'କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି।

ସତରେ କ’ଣ ବିଜେଡି ଏଥର ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହାସଲ କରିପାରିବ ନାହିଁ? ୨୦୧୪ ନିର୍ବାଚନରେ ମାତ୍ର ୧୦ଟି ବିଧାନସଭା ଆସନ ଜିଣିଥିବା ବିଜେପି କ’ଣ ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ୍ ସଂଖ୍ୟା ୭୪ ହାସଲ କରିନେବ? ସତରେ କ’ଣ ବିଜେପି ନିଜର ସଂଗଠନକୁ ତୃଣମୂଳସ୍ତରରେ ଏତେ ସୁଦୃଢ଼ କରିଛି ଯେ ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହାସଲ କରିବ ବୋଲି ଦମ୍ଭୋକ୍ତି ଦେଖାଉଛି? ନା ଦୁଇ ଦଶନ୍ଧି ଧରି କ୍ଷମତାରେ ଥିବା ନବୀନ ଓ ବିଜେଡି ବିରୋଧରେ ଶାସନବିରୋଧୀ ହାୱାରୁ ବିଜେପି ଚଳିତ ନିର୍ବାଚନରେ ଫାଇଦା ନେବ ବୋଲି ଦୃଢ଼ ଆଶାବାଦୀ ଅଛି ?

ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣ ଭୋଟରଙ୍କ ମନକୁ ଆନ୍ଦୋଳିତ କରୁଛି। ଏକଜିଟ୍ ପୋଲ ରିପୋର୍ଟଗୁଡ଼ିକରେ ବିଜେଡି ଗତଥର ତୁଳନାରେ ୮-୧୫ଟି ଲୋକସଭା ସିଟ୍ ହରାଇବ ବୋଲି ଆକଳନ କରାଯାଇଥିଲେ ମଧ୍ୟ ବିଜେଡି ରାଜ୍ୟରେ ସରକାର ଗଠନକୁ ନେଇ ଦୃଢ଼ ନିଶ୍ଚିତ ଅଛି। ନିଜସ୍ୱ ସର୍ଭେ ରିପୋର୍ଟରେ ବିଜେଡି ସର୍ବନିମ୍ନ ୧୦୦ଟି ବିଧାନସଭା ଆସନ ପାଇବାର ଆଶା ରଖିଥିବାବେଳେ ରାଜ୍ୟର ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ହୋଇଥିବା ଏକଜିଟ୍ ପୋଲ ରିପୋର୍ଟରେ ବିଜେଡିକୁ ୮୫ରୁ ୯୫ଟି ବିଧାନସଭା ଆସନ ମିଳିବ ବୋଲି କୁହାଯାଇଛି। ତେବେ ଗୁଇନ୍ଦା ରିପୋର୍ଟରେ ବିଜେଡିକୁ ସର୍ବାଧିକ ୯୦ଟି ଆସନ ମିଳିବାର ସମ୍ଭାବନା ଥିବା କୁହାଯାଇଛି। ଏହା ସହିତ ରାଜ୍ୟରେ ଚଳିତଥର ଡବଲ ଭୋଟିଂ - ଲୋକସଭା ପାଇଁ ନରେନ୍ଦ୍ର ମୋଦି ଓ ବିଧାନସଭା ପାଇଁ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ହୋଇଛି ବୋଲି ବିଜେଡି ଓ ଗୁଇନ୍ଦା ସଂସ୍ଥା ଆକଳନ କରିଛନ୍ତି। ଏପଟେ ବିଜେପି ମଧ୍ୟ ୭୦ଟି ବିଧାନସଭା ଆସନ ଜିଣିବ ବୋଲି ଦଳର ନେତାମାନେ ଦାବି କରିଛନ୍ତି। ମ୍ୟାଜିକ୍ ନମ୍ବର ମିଳିବାରେ ସମସ୍ୟା ହେବନି ବୋଲି ବିଜେପି କହିବା ସହ ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି ବାଢ଼ିଛି।

ତେବେ ଓଡ଼ିଶା ଭୋଟରଙ୍କ ମାନସିକତା ଓ ସଚେତନତାର ସ୍ତର ଏପରି ନୁହେଁ ଯେ, ସେମାନେ ଅଧିକ ପରିମାଣରେ ବିଭାଜିତ ମତଦାନ କରିଥିବେ। ତେବେ ଜାତୀୟସ୍ତରର ସଂସ୍ଥାଗୁଡ଼ିକ ପକ୍ଷରୁ ପ୍ରକାଶିତ ଲୋକସଭା ‘ଏକଜିଟ୍ ପୋଲ୍’ ରିପୋର୍ଟ ଓ ଉପରୋକ୍ତ ଥିଓରିକୁ ଆକଳନ କରି ବିଜେପି ଏବେ ରାଜ୍ୟରେ ନୂଆ ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ବାଢ଼ିଛି। ତା’ଛଡ଼ା ବିଜେପି ପାଖରେ ଏବେ ବିଜେଡିର ଏଭଳି ବରିଷ୍ଠ ନେତାମାନେ ଅଛନ୍ତି ଯେଉଁମାନେ ବିଜେଡିର ପ୍ରତ୍ୟେକ ରଣନୀତିକୁ ଆଗୁଆ ଆକଳନ କରିବାର ସାମର୍ଥ୍ୟ ରଖନ୍ତି। ବରିଷ୍ଠ ନେତା ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ, ଡାକ୍ତର ଦାମୋଦର ରାଉତ ଓ ରଘୁନାଥ ମହାନ୍ତି ଆଦି ବିଜେଡି ସହ ଦୀର୍ଘବର୍ଷ ଧରି ଜଡ଼ିତ ଥିବାରୁ ଏମାନେ ଆଗାମୀ ଦିନରେ ବିଜେପି ପାଇଁ ପ୍ରମୁଖ ଭୂମିକା ତୁଲାଇବାର ସମ୍ଭାବନା ରହିଛି।

ରାଜ୍ୟରେ ବିଜେପିକୁ କ୍ଷମତାସୀନ କରାଇବା ପାଇଁ ଯଦି ବିଜେଡିର ବିଭାଜନ ଆବଶ୍ୟକ ପଡ଼େ ତାହା କରାଇବାରେ ଏହି ନେତାମାନଙ୍କ ପକ୍ଷରେ ବିଶେଷ ଅସୁବିଧା ହେବ ନାହିଁ । କାରଣ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୁର୍ବଳ ସ୍ୱାସ୍ଥ୍ୟାବସ୍ଥା, ବିଜେଡିରେ ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କର ଏକକ କର୍ତ୍ତୃତ୍ୱକୁ ନେଇ ଦଳର ନେତାମାନଙ୍କ ମଧ୍ୟରେ ଏବେ ଅନିଶ୍ଚିତତା ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ୨୦୧୯ ନିର୍ବାଚନ ଫଳାଫଳ ଆସିବା ପରେ ନେତାମାନଙ୍କ ମଧ୍ୟରେ ଚାପି ହୋଇ ରହିଥିବା ଅସନ୍ତୋଷ ମଧ୍ୟ ଉଗ୍ର ରୂପ ନେବାର ଆଶଙ୍କା ରହିଛି। ଯାହାର ଫାଇଦା ଉଠାଇବାକୁ ବିଜୟ, ବୈଜୟନ୍ତ, ଦିଲ୍ଲୀପ ଓ ଦାମଙ୍କ ଭଳି ବରିଷ୍ଠ ନେତାମାନେ ନିଶ୍ଚିତ ଚାହିଁବେ। ଯଦି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାସୀନ ହୁଏ ଓ ବିଜେପି ରାଜ୍ୟରେ ସର୍ବନିମ୍ନ ୪୦ରୁ ୫୦ଟି ବିଧାନସଭା ଆସନ ଜିଣିବାରେ ସକ୍ଷମ ହୁଏ, ତା’ହେଲେ ବିଜେଡିରେ ଥିବା ଅସନ୍ତୋଷ ହିଁ ବିଜେଡିକୁ ବିଭାଜନ ଆଡ଼କୁ ଟାଣିନେବାର ଆଶଙ୍କା ରହିଛି। ସମ୍ଭବତଃ ଏହାକୁ ଆକଳନ କରି ବିଜେପି ଏବେ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବାର ଦମ୍ଭୋକ୍ତି ବାଢ଼ୁଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos