ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଆଜି ରାଜ୍ୟର ୯ଟି ସ୍ଥାନର ସର୍ବନିମ୍ନ ତାପମାତ୍ର ୮ ଡିଗ୍ରୀ ତଳେ ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।
ଗତକାଲି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ଏହା ୨.୮ ଡିଗ୍ରୀକୁ ଖସି ଆସିଛି।
ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କୋରାପୁଟରେ ୪.୮, ଟିଟିଲାଗଡ଼ରେ ୫, ସୋନପୁରରେ ୫.୮, ଅନୁଗୋଳରେ ୫.୬, ଭବାନୀପାଟଣାରେ ୬, କେନ୍ଦୁଝରରେ ୬.୬ ଓ ଝାରସୁଗୁଡ଼ାରେ ୬.୮ ଡିଗ୍ରୀ ରହିଛି।
ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ପରି ଭୁବନେଶ୍ୱର ଓ କଟକରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏହି ଦୁଇ ସହରର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୯.୫ ଓ ୮.୮ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ଏ ଦୁଇ ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରହିଥିଲା।
ପ୍ରବଳ ଶୀତ ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି। ଗତକାଲି ଦାରିଙ୍ଗବାଡ଼ି ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଆଜି ସୁନ୍ଦରଗଡ଼ ଜିଲ୍ଲା ବଣାଇର କୋଇଡ଼ା ଓ ଟେନ୍ସାରେ ତୁଷାରପାତ ହୋଇଛି। ଆଜି ବି କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ତୁଷାରପାତ ହୋଇଛି।
https://youtu.be/eGOzYa3akRg
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।