ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଆଜକୁ ୧୦୧ ବର୍ଷ ତଳେ ଅର୍ଥାତ ୧୯୨୩ ମସିହା ଜାନୁଆରୀ ୨ ତାରିଖରେ ପୁରୀ ମାଟିରେ ପଦାର୍ପଣ କରିଥିଲେ। ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ ଆମନ୍ତ୍ରଣ ଏବଂ ଅନୁରୋଧ କ୍ରମେ ଠାକୁର ପୁରୀରେ ମାସାଧିକ କାଳ ରହି ତାଙ୍କର ଦିବ୍ୟ ଲୀଳାରେ ସଭିଙ୍କୁ ଆକର୍ଷିତ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଠାକୁର ଶ୍ରୀଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ଉତ୍କଳ ଆଗମନକୁ ଶହେ ବର୍ଷ ପୂର୍ତ୍ତି ଉତ୍ସବ ପୁରୀ ତାଳବଣିଆ ସ୍ପୋର୍ଟ କମ୍ଲେକ୍ସରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଯୋଗଦେଇ କହିଥିଲେ, କର୍ମ କରିବା ଆମର ଅଧିକାର। ଭାଗ୍ୟ ଓ ଫଳ ପ୍ରଭୁଙ୍କୁ ସମର୍ପଣ କରିବା ଉଚିତ। ଠାକୁରଙ୍କ ଉତ୍କଳ ଆଗମନର ଶହେ ବର୍ଷ ପୂର୍ତ୍ତି ସମସ୍ତଙ୍କୁ ସତକର୍ମ ଓ ନିଷ୍ଠାବାନ ହେବାକୁ ପ୍ରେରଣା ଦେବ ବୋଲି ସେ କହିଛନ୍ତି।
ଅନ୍ୟତମ ଅତିଥିଭାବେ ଯୋଗଦେଇ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ପରମ ପ୍ରେମମୟ ଠାକୁର ନିଜ କାର୍ଯ୍ୟ କଳାପ, ଜୀବନୀ ଓ ଆଦର୍ଶର ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ମାନବ ଜାତିକୁ ସଂସ୍କାର ଓ ସୁସ୍ଥ ସମାଜ ପାଇଁ ମାର୍ଗଦର୍ଶନ କରାଇ ଚାଲିଥିବ।
ସତସଙ୍ଗ ସହ ସମ୍ପାଦକ ପ୍ରତି ରିତ୍ୱିକ ଡ଼ା. ବିନାୟକ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ସତସଙ୍ଗ ଦେଓଘର ପ୍ରଚାର କମିଟିର ଉପାଧ୍ୟକ୍ଷ ଯତୀନ୍ଦ୍ରନାଥ ମହାନ୍ତି, ଆୟକର ବିଭାଗର ପୂର୍ବତନ ମହା ନିର୍ଦ୍ଦେଶକ ତଥା ଉତ୍ସବ କମିଟିର ସଭାପତି ଡ଼. ନୃସିଂହ ପ୍ରସାଦ ତ୍ରିପାଠୀ ଯୋଗଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।