ଭୁବନେଶ୍ୱର: ଆଜି ସେଇ ମେ’ ୨୯। ନୂଆ ସରକାର ଶପଥ ନେଇଛନ୍ତି। ୫ମ ପାଳିରେ ଶାସନ ଗାଦିରେ ଆସୀନ ହୋଇଛି ବିଜେଡି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ। ଏହି ଅବସରରେ ମନେପଡୁଛି ୬ ବର୍ଷ ତଳର କଥା।
୬ବର୍ଷ ତଳେ ଅର୍ଥାତ୍ ୨୦୧୨ ମସିହାର ଠିକ୍ ଆଜିର ଦିନରେ ବିଜେଡି ପାଇଁ ଘୋଟି ଆସିଥିଲା କଳା ବାଦଲ। ମିଡ୍ନାଇଟ୍ ଅପରେସନ୍ରେ କ୍ଷଣିକେ ସବୁକିଛି ଓଲଟି ଯାଇଥାନ୍ତା। ନବୀନଙ୍କ ଅନୁପସ୍ଥିତିରେ ଏକ ଜଘନ୍ୟ ଷଡ଼ଯନ୍ତ୍ର ରଚା ଯାଇଥିଲା। ହେଲେ ସୌଭାଗ୍ୟକୁ ନବୀନ ବିଦେଶରୁ ଫେରି ଆସିବା ପରେ ବିଜେଡି ଏକ ବଡ଼ ବିପର୍ଯ୍ୟୟରୁ ବର୍ତ୍ତିଗଲା। ବିଜୁ ବାବୁଙ୍କ ଚିର ଅନୁଗତ କୁହାଯାଉଥିବା ପ୍ୟାରୀ ମୋହନ ମହାପାତ୍ରଙ୍କ ଷଡ଼ଯନ୍ତ୍ର ଫସର ଫାଟିଲା ଆଉ କିଛି ବିଧାୟକଙ୍କ ଅସଲ ଚେହେରା ପଦାରେ ପଡ଼ିଲା।
ସରକାର ଭାଙ୍ଗି ଦେବାକୁ ରଚାଯାଇଥିବା ଷଡ଼ଯନ୍ତ୍ର ଫସର ଫାଟିବା ପରେ ଦଳରୁ ବିଦା ହୋଇଥିଲେ ସେ ସମୟର ଦଳର ହେଭିୱେଟ୍ ପ୍ୟାରୀ ବାବୁ। ସବୁବେଳେ ବିଜୁ ଲିଗାସି କଥା କହି ଦଳର କ୍ଷମତାକେନ୍ଦ୍ର ସାଜିଥିବା ପ୍ୟାରୀ ମୁଖ୍ୟମନ୍ତ୍ରୀ ହେବା ଆଶାରେ ରଚିଥିବା ଚକ୍ରବ୍ୟୁହରେ ନିଜ ଫସିଗଲେ।
ଆଉ ବିଜେଡି ପାଇଁ ମେ’ ୨୯ ସାଜିଥିଲା କଳା ଦିବସ। ୨୦୧୨ ପରେ ଯେତେଥର ଏହି ଦିନ ଆସିଛି ପ୍ୟାରୀଙ୍କ ବିଶ୍ୱାସଘାତକତା କଥା ମନ ପକାଇଛି ଓଡ଼ିଶାର ରାଜନୀତି। କିନ୍ତୁ ଆଜି ସେଇ କଳଙ୍କିତ ଦିନଟି ପୁଣି ସ୍ମରଣୀୟ ହୋଇଛି। ଦେଶରେ ରେକର୍ଡ ସଂଖ୍ୟକ ଥର ଓଡ଼ିଶାର ଭାଗ୍ୟଡୋରି ହାତେଇ ଥିବା ନବୀନଙ୍କୁ ୫ମ ଥର ପାଇଁ ଗାଦିରେ ବସାଇଛନ୍ତି ଓଡ଼ିଶାର ଜନତା।
ଆଉ ଲୋକେ କହୁଛନ୍ତି ମେ’ ୨୯ କଳାରୁ ଆଜି ଧଳା ହେଲା। ମାନେ ଶୁଭ ଦିନଟିଏ।
ଆଉ ଗୋଟିଏ କଥା ମଧ୍ୟ ଆଜି ଜଣାପଡିଛି।
ସୋଶାଲ ମିଡିଆରେ କୁଆଡେ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କ ଜନ୍ମଦିନ ବୋଲି କଥା ଉଠିଛି। ଯଦି କଥାଟି ସତ, ତା'ହେଲେ ନିଶ୍ଚିତ ରୂପେ ବିଜେଡି ପାଇଁ ପାଣ୍ଡିଆନ୍ ଶୁଭଙ୍କର ବୋଲି କୁହାଯାଇପାରେ। ନଚେତ୍ ତାଙ୍କ ଜନ୍ମଦିନ ନା ମେ’ ୨୯ରେ ପଡିଥାନ୍ତା ନା ଏଇଦିନ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଶପଥ ନେଇଥାନ୍ତେ।
କାରଣ ସମସ୍ତେ ଜାଣନ୍ତି ଏବେ ସେତେବେଳର ପ୍ୟାରୀଙ୍କ ତୁଳନାରେ ଅଧିକ ଦବଦବା ପାଣ୍ଡିଆନ୍ଙ୍କର ରହିଛି। ତାଙ୍କ ବିନା ଇଶାରାରେ ବିଜେଡିର ପତ୍ରଟିଏ ହଲେନି ବୋଲି ସମସ୍ତେ ଜାଣନ୍ତି। ତେଣୁ ଶପଥ ଉତ୍ସବ ପାଇଁ ମେ'29 ତାରିଖରେ କରାଯିବା ପଛରେ ପାଣ୍ଡିଆନ ବାବୁଙ୍କ ଭୂମିକା ରହିଥିବା କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।