କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ। ଗୋଟିଏ ସ୍ଥାନରେ ବଜ୍ରାଘାତରେ ଶଳା-ଭିଣୋଇଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ସ୍ଥାନରେ ଗଛ ପଡ଼ି ଯିବାରୁ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।
ମୃତକ ଦ୍ୱୟ ହେଉଛନ୍ତି- ପ୍ରକାଶ ପ୍ରଧାନ (ଭିଣୋଇ) ଓ ଦେବଦତ୍ତ ପ୍ରଧାନ (ଶଳା)। ପ୍ରକାଶଙ୍କ ଗାଁ କାମାକ୍ଷାନଗର ଥାନା ଚକାପାଳ ଗାଁରେ। ସେହିପରି ଦେବଦତ୍ତଙ୍କ ଘର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ମକୁଆକାଟେଣୀ ଗାଁରେ।
ଦେବଦତ୍ତ ଭିଣୋଇଙ୍କ ଗାଁ ଚକାପାଳକୁ ଆସିଥିବା ବେଳେ ଘଟିଛି ଏହି ଅଘଟଣ। ଅପରାହ୍ଣ ପ୍ରାୟ ଚାରିଟା ବେଳେ ପ୍ରକାଶ ଓ ଦେବଦତ୍ତ କାଜୁ ଗୋଟାଇବା ପାଇଁ ଜଙ୍ଗଲକୁ ଯାଇଥିଲେ। ସେତେବେଳେ ହଠାତ୍ ମେଘପବନ ସହିତ ବଜ୍ରପାତ ହେବାରୁ ସେମାନେ ଏକ ଗଛ ତଳେ ରହିଯାଇଥିଲେ। ତେବେ ସେଠାରେ ବଜ୍ରପାତରେ ସେମାନଙ୍କ ଜୀବନ ଚାଲି ଯାଇଥିଲା।
କାଳବୈଶାଖୀ ଯୋଗୁ ମାର୍ଥାପୁର ଗାଁର ଶବର ସାହିରେ ଏକ ଗଛ ପଡ଼ିଯିବାରୁ ଗୋବର୍ଦ୍ଧନ ବାରିକଙ୍କ ପତ୍ନୀ ଶାନ୍ତିଲତା ବାରିକ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସେହିପରି କାଳବୈଶାଖୀ ଯୋଗୁ ୫୩ ନଂ ଜାତୀୟ ରାଜପଥ ଓ କାମାକ୍ଷାନଗର-କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟାତ କିଛି ସମୟ ପାଇଁ ଠପ୍ ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।