ଘଘର ନଦୀ ହିଁ ପୁରାଣ ପ୍ରସିଦ୍ଧ ସରସ୍ୱତୀ ନଦୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତର ପଶ୍ଚିମ ଭାରତରେ ପ୍ରବାହିତ ହୋଇ ଘଘର ନଦୀ ହିଁ ପୁରାଣ ବର୍ଣ୍ଣିତ ସରସ୍ୱତୀ ନଦୀ। ଏହା ପ୍ରମାଣ କରିଛନ୍ତି ଓଡ଼ିଆ ବୈଜ୍ଞାନିକ ପ୍ରଫେସର ଜ୍ୟୋତିରଞ୍ଜନ ଶ୍ରୀଚନ୍ଦ୍ର ରାୟ, ତାଙ୍କ ଅଧୀନରେ ପିଏଚ୍‌ଡି କରୁଥିବା ଅହମ୍ମଦାବାଦ ସ୍ଥିତ ଫିଜିକାଲ ରସର୍ଚ୍ଚ ଲାବୋରାଟୋରିର ଅନିର୍ବାଣ ଚାଟାର୍ଜୀ ଓ ଦୁଇ ଜଣ ସାଥୀ ଗବେଷକ। ପୁରାଣରେ ବର୍ଣ୍ଣିତ ଗଙ୍ଗା-ଯମୁନା ଓ ସରସ୍ୱତୀ ତିନୋଟି ପ୍ରମୁଖ ନଦୀ କୁହାଯାଉଥିବା ବେଳେ ଏହାର ସଙ୍ଗମ ସ୍ଥଳକୁ ତ୍ରିବେଣୀ ସଙ୍ଗମ ସ୍ଥଳୀ ବୋଲି କୁହାଯାଏ। ହେଲେ ଏହି ସଙ୍ଗମରେ ଗଙ୍ଗା ଓ ଯମୁନା ମିଶିଥିଲା ବେଳେ ସରସ୍ୱତୀ ନଦୀର ଚିହ୍ନବର୍ଣ୍ଣ ନାହିଁ। ତେଣୁ ସରସ୍ୱତୀ ନଦୀ ପ୍ରକୃତରେ ଥିଲା କି ସେନେଇ ବହୁ ବାଦ ବିବାଦ ଉଠିଅଛି।

ବିଭିନ୍ନ ସମୟରେ ବହୁ ଗବେଷକ ସରସ୍ୱତୀ ନଦୀକୁ ନେଇ ବିଭିନ୍ନ ମତ ଦେଇଛନ୍ତି। ହେଲେ ଓଡ଼ିଆ ଗବେଷକ ଜ୍ୟୋତିରଞ୍ଜନ ଶ୍ରୀଚନ୍ଦ୍ର ରାୟ ପ୍ରମାଣ ସହ କହିଛନ୍ତି ଯେ, ବର୍ତ୍ତମାନ ବହୁଥିବା ଘଘର ନଦୀର ଗତିପଥରେ ହିଁ ସରସ୍ୱତୀ ନଦୀ ବୋହୁଥିଲା। ଏହା ଏକ ଚିରସ୍ରୋତା ନଦୀ ଥିଲା। ପ୍ରଫେସର ରାୟଙ୍କ ଏହି ଗବେଷଣାର ଫଳାଫଳ ସନ୍ଦର୍ଭ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପତ୍ରିକା ‘ନେଚର ସାଇଣ୍ଟିଫିକ୍’ ରିପୋର୍ଟରରେ ପ୍ରକାଶ ପାଇଛି।

ପ୍ରଫେସର ରାୟ ଆଇସୋଟେପ୍‌ ଜ୍ଞାନ କୌଶଳ ପ୍ରୟୋଗ କରି ଘଘର ନଦୀର ୩ରୁ ୧୦ ମିଟର ତଳେ ମିଳୁଥିବା ବାଲିର ଉତ୍ପତ୍ତି ନିର୍ଦ୍ଧାରଣ କରି ପ୍ରମାଣିତ କରିଛନ୍ତି ଯେ, ପ୍ରାଚୀନ ଘଘର ନଦୀ ପ୍ରକୃତରେ ଚିରସ୍ରୋତା ଥିଲା ଏବଂ ହିମାଳୟର ବରଫ ଖଣ୍ଡର ତରଳ ହିମସ୍ରୋତରୁ ଜଳ ପାଉଥିଲା।

ଘଘର ନଦୀ ପ୍ରାୟ ୩୦୦ କିମି ପାକିସ୍ତାନ ସୀମା ପର୍ଯ୍ୟନ୍ତ ବିସ୍ତୃତ ପଠାରୁ ପାଉଁଶିଆ ରଙ୍ଗର ଖଦଡ଼ା ବାଲିସ୍ତର ଓ ବହୁ ପରିମାଣର ଧଳା ମାଇକା ପାଇଛନ୍ତି । ଏହି ପ୍ରକାରର ବାଲି ହିମାଳୟରୁ ନିର୍ଗତ ନଦୀଗୁଡ଼ିକରେ ଯଥା ଗଙ୍ଗା, ଯମୁନା ଓ ସତଲେଜରେ ଦେଖିବାକୁ ମିଳିଥାଏ। ଯାହା ପ୍ରମାଣ କରୁଛି ଯେ, ଏହି ବାଲି ଓ ମାଇକା ବରାଫାବୃତ୍ତ ଉଚ୍ଚତମ ହିମାଳୟର ପଥରରୁ ସୃଷ୍ଟି ହୋଇଛି। ହିମାଳୟରୁ ବାହାରିଥିବା ନଦୀଗୁଡ଼ିକରେ ବର୍ଷସାରା ଜଳ ପ୍ରବାହିତ ହୋଇଥାଏ। ଏହି ନଦୀ କେବଳ ବର୍ଷା ଋତୁ ଉପରେ ନିର୍ଭର କରେ ନାହିଁ। ମାତ୍ର ଏବେ ଘଘର ନଦୀ କେବଳ ମୌସୁମୀ ବର୍ଷା ଉପରେ ନିର୍ଭର କରୁଅଛି। ଆଉ ଏବେ ହିମାଳୟ ସହ କୌଣସି ସମ୍ପର୍କ ନାହିଁ, କିମ୍ବା ଅତୀତରେ ନଥିଲା। ପୁରାତନ ଘଘର ନଦୀର ବାଲିରୁ ମିଳିଥିବା ଶାମୁକାର ସ୍ପ୍ରୋନସିୟମ ଆଇସୋଟପିକ୍ କମ୍ପୋଜିସନ୍‌ରୁ ଜଣାପଡ଼ିଛି ଯେ, ଘଘର ନଦୀ ପଡ଼ୋଶୀ ନଦୀ ସତ୍‌ଲେଜ୍‌ ଠାରୁ ପାଣି ପାଉଥିଲା ଓ ପରବର୍ତ୍ତୀ ସମୟରେ ସମ୍ଭବତଃ ସତଲେଜ୍‌ ଶାଖା ନଦୀର ଜଳଧାରା ବନ୍ଦ ହୋଇଯିବା ଦ୍ୱାରା ପ୍ରାଚୀନ ଘଘର ଜଳ ପ୍ରବାହ ସମ୍ପୂର୍ଣ୍ଣ ହ୍ରାସ ପାଇଥିଲା।

ଅପରପକ୍ଷେ ହରପ୍ପା ସଭ୍ୟତାର ବସତିମାନଙ୍କର ଗତିଶୀଳତାକୁ ବିଶ୍ଲେଷଣ କରି ଏହି ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ପ୍ରାଚୀନ ଘଘର ପୁନଃ ଜୀବିତ ସମୟରେ (୯ ହଜାରୁ ୪୫୦୦ ବର୍ଷ ପୂର୍ବେ) ପ୍ରାରମ୍ଭିକ ହରପ୍ପା ସଭ୍ୟତା ଏହି ନଦୀ କୂଳରେ ଗଢ଼ିଉଠିଥିଲା। ଏହି ପୁନଃଜୀବିତ ଘଘର ନଦୀ ହିଁ ପ୍ରାଚୀନ ଭାରତର ପୁରାଣ ବର୍ଣ୍ଣିତ ସରସ୍ୱତୀ ନଦୀ।

ସଭ୍ୟତା ପରିପକ୍ୱ ହେବା ସମୟରେ( ୪୬୦୦ଠାରୁ ୩୯୦୦ ବର୍ଷ ପୂର୍ବେ) ସେହି ନଦୀର ପ୍ରବାହ ହ୍ରାସ ପାଇଥିଲା। ଏହି ନଦୀର ନିଷ୍କ୍ରିୟ ହେବା ସମ୍ଭବତଃ ସଭ୍ୟତାର କ୍ଷୟକୁ ଦର୍ଶାଉଛି। ଯାହାକି ୪୨୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ପୃଥିବୀ ବ୍ୟାପୀ ଶୁଷ୍କ ଜଳବାୟୁର ପରିଣତି। ଏହି ଗବେଷଣାରୁ ଜଣାପଡ଼ିଛି ଯେ , ହରପ୍ପା ସଭ୍ୟତା ହିମାଳୟରୁ ନିର୍ଗତ ସରସ୍ୱତୀ ନଦୀକୂଳରେ ହିଁ ଗଢ଼ି ଉଠିଥିଲା।

ଡଃ ରାୟଙ୍କ ଗବେଷଣାଲବ୍ଧ ସନ୍ଦର୍ଭ ନେଇ ତାଙ୍କ ଜନ୍ମମାଟି ନହରକଣ୍ଟା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।