/odisha-reporter/media/post_attachments/uploads/2022/02/677.jpg)
Exam
ରାଉରକେଲା (ପବନ ତିୱାରୀ): ଚଳିତ ପଞ୍ଚାୟତ ନିର୍ବାଚନରେ ଘଟିଛି ଭିନ୍ନ ଏକ ରୋଚକ ଘଟଣା। ସରପଞ୍ଚ ପ୍ରାର୍ଥୀମାନଙ୍କୁ ଦେବାକୁ ପଡ଼ିଛି ଲିଖିତ ପରୀକ୍ଷା। ୮ ଜଣ ଲିଖିତ ପରୀକ୍ଷା ଦେଇଥିବା ବେଳେ ମାତ୍ର ୩ ଜଣ ପାସ୍ କରିଛନ୍ତି। ଏହି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ପଞ୍ଚାୟତର ମାଲୁପଡ଼ା ଗାଁରେ।
ଏହି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ମୋଟ ୯ ଜଣ ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟ ଅନ୍ୟ ସବୁ ସ୍ଥାନର ପ୍ରାର୍ଥୀଙ୍କ ଭଳି ଏହି ୯ ପ୍ରାର୍ଥୀ ମଧ୍ୟ ନିଜ ପଞ୍ଚାୟତରେ ଜୋରସୋରରେ ପ୍ରଚାର କରୁଛନ୍ତି। ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ମାଲୁପଡ଼ା ଗାଁରେ ସେମାନଙ୍କର ଏଭଳି ପ୍ରଚାର କାମ ଦେଇ ନାହିଁ। ମାଲୁପଡ଼ା ଗ୍ରାମବାସୀ ପ୍ରଥମେ ସେମାନଙ୍କ ଯୋଗ୍ୟତା ପରୀକ୍ଷା କରିବାକୁ ଚାହିଁଥିଲେ। ଆଉ ଏଥିପାଇଁ ଲିଖିତ ପରୀକ୍ଷା ଦେବାକୁ ହେବ ବୋଲି ସମସ୍ତ ସରପଞ୍ଚ ପ୍ରାର୍ଥୀଙ୍କୁ କହିଥିଲେ।
୯ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣ ଲିଖିତ ପରୀକ୍ଷା ଦେବାକୁ ରାଜି ହୋଇଥିଲେ। କିନ୍ତୁ ଜଣେ ରାଜି ହୋଇ ନଥିଲେ। ଯେଉଁ ୮ ଜଣ ଲିଖିତ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ମାତ୍ର ୩ ଜଣ ପାସ୍ କରିଛନ୍ତି।
ଏହି ପ୍ରାର୍ଥୀଙ୍କ ପାଇଁ ୭ଟି ପ୍ରଶ୍ନ ରଖାଯାଇଥିଲା। ପ୍ରଥମ ପ୍ରଶ୍ନ ଥିଲା- ଆପଣ ସରପଞ୍ଚ ପ୍ରାର୍ଥୀ ହେବାର ୫ଟି ଉଦ୍ଦେଶ୍ୟ ଲେଖନ୍ତୁ। ଅନ୍ୟପ୍ରଶ୍ନ ଗୁଡ଼ିକ ଥିଲା- ୨) ଯଦି ସରପଞ୍ଚ ହୋଇଗଲେ ଆଗାମୀ ୫ ବର୍ଷ ପାଇଁ କ’ଣ ଲକ୍ଷ୍ୟ ରହିବ?, ୩) ଯଦି ସମାଜ ସେବା କରିବା ପାଇଁ ରାଜନୀତିକୁ ଆସିଛନ୍ତି, ତା’ହେଲେ ଆଗରୁ ଆପଣଙ୍କ ଦ୍ୱାରା କରାଯାଇଥିବା ୫ଟି ସମାଜ ସେବାର ନାମ ଲେଖନ୍ତୁ, ୪) ଏବେ ସରପଞ୍ଚ ହେବା ପାଇଁ ଯେପରି ସାଧାରଣ ଲୋକଙ୍କ ଘରକୁ ବୁଲି ଭୋଟ୍ ମାଗୁଛନ୍ତି ଏବଂ କାହା ଘରେ କେତେ ଖଣ୍ଡ ଭୋଟ୍ ଅଛି ଜାଣିପାରୁଛନ୍ତି, ଯଦି ଆପଣ ସରପଞ୍ଚ ଭାବେ ବିଜୟ ଲାଭ କରନ୍ତି, ତା’ହେଲେ ଏଭଳି ଲୋକଙ୍କ ଘରକୁ ଯାଇ ସମସ୍ୟାର ସମାଧାନ କରିବେ କି?, ୫) ଆପଣଙ୍କ ସ୍ୱପ୍ନର ଗ୍ରାମ ପଞ୍ଚାୟତ କିପରି ହେବା ଦରକାର ବର୍ଣ୍ଣନା କରନ୍ତୁ, ୬) ଆପଣଙ୍କ ପଞ୍ଚାୟତରେ କେତୋଟି ୱାର୍ଡ ଅଛି ଓ କେତେ ଲୋକ ବସବାସ କରୁଛନ୍ତି?, ୭) ପୂର୍ବରୁ ଯେଉଁମାନେ ସରପଞ୍ଚ ଥିଲେ ସେମାନଙ୍କ ସଂପର୍କରେ ଦୁଇ ଧାଡ଼ି ଲେଖନ୍ତୁ।
ସରପଞ୍ଚ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିଥିବା କଥା ଜଣାପଡ଼ିବା ପରେ ଏହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମାଲୁପଡ଼ା ଗାଁରେ ସାମାନ୍ୟ ଅଶାନ୍ତି ମଧ୍ୟ ଦେଖାଯାଇଛି। ଲିଖିତ ପରୀକ୍ଷାରେ ପାସ୍ ଓ ଫେଲ୍ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ବଚସା ହୋଇଥିବା ଜଣାପଡ଼ିଛି। ତେବେ ଖବର ଲେଖାଯିବା ସୁଦ୍ଧା କୌଣସି ଗ୍ରାମବାସୀ ବା ପ୍ରାର୍ଥୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ସୂଚନାଯୋଗ୍ୟ, ଚଳିତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ନେତାମାନେ ଜନ ଆକ୍ରୋଶର ଶିକାର ହେଉଥିବା ଦେଖିବାକୁ ମିଳିଛି। କେଉଁ ସ୍ଥାନରେ ପ୍ରଚାର ବେଳେ ବିଧାୟକଙ୍କୁ ରାସ୍ତାରେ ଅଟକାଇ ଗ୍ରାମବାସୀ ପ୍ରଶ୍ନ ପରେ ପ୍ରଶ୍ନ କରି ଅସ୍ତବ୍ୟସ୍ତ କରି ଦେଇଛନ୍ତି ତ କେଉଁଠି ସାଂସଦଙ୍କୁ ଅଟକାଇ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି। ପୁଣି କେଉଁଠି କଳା ପତାକା ଦେଖାଇଛନ୍ତି। ବିଶେଷ କରି ରାଜ୍ୟରେ କ୍ଷମତାରେ ଥିବା ବିଜେଡିର ନେତାଙ୍କୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଆଉ ଏ ସବୁ ପଛରେ ଗୋଟିଏ ସାଧାରଣ ଅଭିଯୋଗ ହୋଇଛି ଯେ ନେତାମାନେ ଖାଲି ନିର୍ବାଚନ ସମୟରେ ଲୋକଙ୍କ ପାଖକୁ ଆସୁଛନ୍ତି। ଅନ୍ୟ ସମୟରେ ସେମାନଙ୍କ ସୁଖଦୁଃଖରେ ନେତାଙ୍କ ଦେଖା ମିଳୁନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
