ଜେଏନ୍ ପଙ୍କଜ ଏସଟିଏଫ ଡିଆଇଜି, କାହିଁକି ହଟିଲେ ଆଶିଷ ସିଂହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୦୪ ବ୍ୟାଚ୍ ଆଇପିଏସ ଆଶିଷ ସିଂହଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଡିଆଇଜି ପଦରୁ ହଟାଇ ୨୦୦୫ ବ୍ୟାଚ୍ ଆଇପିଏସ୍ ଜୟନାରାୟଣ ପଙ୍କଜଙ୍କୁ ଅବସ୍ଥାପିତ କରାଯାଇଛି। ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂହଙ୍କୁ ଭୁବନେଶ୍ୱର ଆଣି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ସମେତ ଏସଟିଏଫର ଦାୟିତ୍ୱ ନ୍ୟସ୍ତ କରିଥିବା ରାଜ୍ୟ ସରକାର କାହିଁକି ଅଚାନକ ତାଙ୍କୁ ବଦଳି କଲେ, ତାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା। ଏସଟିଏଫ୍ ଦାୟିତ୍ୱରେ ରହୁଥିବା ଆଇପିଏସଙ୍କୁ […]

jn-pankaj

jn-pankaj

Manoranjan Sial
  • Published: Tuesday, 20 August 2019
  • Updated: 20 August 2019, 10:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୦୪ ବ୍ୟାଚ୍ ଆଇପିଏସ ଆଶିଷ ସିଂହଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଡିଆଇଜି ପଦରୁ ହଟାଇ ୨୦୦୫ ବ୍ୟାଚ୍ ଆଇପିଏସ୍ ଜୟନାରାୟଣ ପଙ୍କଜଙ୍କୁ ଅବସ୍ଥାପିତ କରାଯାଇଛି। ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂହଙ୍କୁ ଭୁବନେଶ୍ୱର ଆଣି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ସମେତ ଏସଟିଏଫର ଦାୟିତ୍ୱ ନ୍ୟସ୍ତ କରିଥିବା ରାଜ୍ୟ ସରକାର କାହିଁକି ଅଚାନକ ତାଙ୍କୁ ବଦଳି କଲେ, ତାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା। ଏସଟିଏଫ୍ ଦାୟିତ୍ୱରେ ରହୁଥିବା ଆଇପିଏସଙ୍କୁ ହାତ କଣ୍ଢେଇ କରି ନିଜ ଦଳର ଅଧିକାଂଶ ପ୍ରମୁଖ ନେତା ଓ ବିରୋଧୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାରେ କ୍ଷମତାସୀନ ସରକାର ସକ୍ଷମ ହୋଇପାରିଛନ୍ତି।

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ସହ ମିଶି କାମ କରିବାବେଳେ ଏସଟିଏଫ ଡିଆଇଜି ଶ୍ରୀ ସିଂହ ତାଙ୍କର ଆସ୍ଥାଭାଜନ ହୋଇପାରିଥିଲେ। ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେପରେ ବିଜେଡିରେ ଏକ ନୂଆ ‘କ୍ଷମତାକେନ୍ଦ୍ର’ ଭାବେ ଶ୍ରୀ ସିଂହ ଉଭା ହୋଇସାରିଥିଲେ। ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ସହ ତାଙ୍କର ଘନିଷ୍ଠତା ଥିବାରୁ ତାଙ୍କୁ ଭେଟିବା ପାଇଁ ବି ବିଜେଡି ନେତାମାନଙ୍କର ଲମ୍ବାଧାଡ଼ି ଲାଗିବା ଆରମ୍ଭ ହୋଇଥିଲା। କିନ୍ତୁ ପାଟକୁରା ବିଧାନସଭା ନିର୍ବାଚନବେଳେ ଶ୍ରୀ ସିଂହଙ୍କୁ ନେଇ ବିବାଦ ହେବାରୁ ତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖାଯାଇଥିଲା। ସ୍ଥିତି ଏଭଳି ହେଲା ଯେ ଜୁଲାଇ ୧୭ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରାରେ ନିର୍ବାଚନୀ ପ୍ରଚାରବେଳେ ଶ୍ରୀ ସିଂହ ଛୁଟିରେ ପଳାଇଥିଲେ ଓ ନିର୍ବାଚନ ପ୍ରକ୍ରିୟା ସରିବାପରେ ସେ ଫେରିଥିଲେ। ଏହା ପରଠୁ ଶ୍ରୀ ସିଂହ ସେଠାରୁ ବଦଳିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଥିଲା। ଗତକାଲି ତାଙ୍କୁ ସମସ୍ତ ଦାୟିତ୍ୱ(ଏସଟିଏଫ୍ ଡିଆଇଜି, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା)ରୁ ମୁକ୍ତ କରି କେବଳ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କେନ୍ଦୁଝରରେ ଏସପି ଥିବା ଜେଏନ୍ ପଙ୍କଜଙ୍କୁ ଦାୟିତ୍ୱ ମିଳିଛି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ କ’ଣ ଏଭଳି ବାଧ୍ୟବାଧକତା ରହୁଛି ଯେ ଏସଟିଏଫ୍ ଦାୟିତ୍ୱରେ ରହୁଥିବା ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ସେଠାରେ ବେଶୀଦିନ ରଖାଇ ଦେଉନାହାନ୍ତି? ଗତ ବର୍ଷକ ମଧ୍ୟରେ ହିଂମାଶୁ ଲାଲ, ଯତୀନ୍ଦ୍ର କୋଏଲ ଓ ଆଶିଷ ସିଂହଙ୍କ ଭଳି ୩ଜଣ ବରିଷ୍ଠ ଆଇପିଏସଙ୍କୁ ଏହି ପଦରୁ ବିଦା ହେବାକୁ ପଡ଼ିଲାଣି। ୨୦୧୮ ଜୁନ୍ ୯ ତାରିଖରେ ହିମାଂଶୁ ଲାଲଙ୍କୁ ଏସଟିଏଫ୍ ଡିଆଇଜି ଭାବେ ନିଯୁକ୍ତି ମିଳିଲା। ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ସାମ୍ରାଜ୍ୟ ଉପରେ ସେ ଏଭଳି ଷଣ୍ଢୁଆସୀ ଆକ୍ରମଣ କଲେ ଯେ ଉପକୂଳ ଓଡ଼ିଶାରେ ଅପରାଧୀମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳିଗଲା। କିନ୍ତୁ ହିମାଂଶୁ ଲାଲଙ୍କ ଏଭଳି ଆକ୍ସନରେ ବିଜେଡି ନିଜର ରାଜନୀତିକ କ୍ଷତି ହେଉଥିବା ଦେଖି ତାଙ୍କୁ ତରବରିଆ ଭାବେ ୨୦୧୮ ଅକ୍ଟୋବର ୨୩ତାରିଖରେ ବଦଳି କରାଇ ଦିଆଗଲା।

ଶ୍ରୀ ଲାଲଙ୍କ ସ୍ଥାନରେ ଯତୀନ୍ଦ୍ର କୋଏଲଙ୍କୁ ଏସଟିଏଫ ଆଇଜି ଭାବେ ନିଯୁକ୍ତି ମିଳିଲା। କିନ୍ତୁ ଶ୍ରୀ କୋଏଲଙ୍କ ମାଧ୍ୟମରେ ସାଧାରଣ ନିର୍ବାଚନ ବୈତରଣୀ ପାର ହେବା ସହଜ ହେବନି ଜାଣିବାପରେ ତାଙ୍କୁ ୨୦୧୯ ଫେବୃୟାରୀ ୧୨ରେ ବଦଳି କରି ଆଶିଷ ସିଂହଙ୍କୁ ଦାୟିତ୍ୱ ଦିଆଗଲା। ଶ୍ରୀ ସିଂହ ବିଜେଡି ନେତୃତ୍ୱଙ୍କ ଆକାଂକ୍ଷା ଅନୁରୂପ କାର୍ଯ୍ୟ ଠିକଠାକ୍ କରୁଥିବାବେଳେ ତାଙ୍କୁ ଭେଟିବାକୁ ବିଜେଡି ନେତାମାନଙ୍କ ଦୈନିକ ଲମ୍ବା ଧାଡ଼ିକୁ ବିଜେଡି ଦ୍ୱିତୀୟ କ୍ଷମତାକେନ୍ଦ୍ର ସହଜରେ ହଜମ କରିପାରିଲେନି। ଆଉ ଖାସ ଏଇଥିପାଇଁ ତାଙ୍କୁ ଏସଟିଏଫରୁ ବିଦା ହେବାକୁ ପଡ଼ିଛି। ଏପର୍ଯ୍ୟନ୍ତ ଏସଆଇଡବ୍ଲ୍ୟୁ ଓ ଏସଟିଏଫକୁ ରାଜନୀତିକ କାରଣ ପାଇଁ ଉପଯୋଗ କରି ସଫଳତା ପାଇଥିବା ବିଜେଡି ନେତୃତ୍ୱ ନୂଆ ଏସଟିଏଫ ଡିଆଇଜି ଜେଏନ୍ ପଙ୍କଜଙ୍କୁ କେତେଦିନ ସେହି ପଦରେ ରଖୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos