କାହିଁକି ଶିଥିଳ ରାଜ୍ୟ ରାଜନୀତି: ବିଜେଡିର ମ୍ୟାନେଜମେଣ୍ଟ ନା ବିରୋଧୀଙ୍କ ଅପାରଗତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ଓ ବିରୋଧୀ ଦଳ ମଧ୍ୟରେ ଅଘୋଷିତ ରାଜନୀତିକ ମେଣ୍ଟଏବେ ରାଜ୍ୟ ରାଜନୀତିକୁ ଶିଥିଳ କରିଦେଇଛି। ରାଜନୀତିକ ଦଳ ଓ ନେତାମାନଙ୍କର ସ୍ୱାର୍ଥନ୍ୱେଷୀ ଆଭିମୁଖ୍ୟ ଯୋଗୁ ରାଜ୍ୟରେ ବିରୋଧୀ ଦଳଗୁଡ଼ିକ ଦୁର୍ବଳ ହେବାରେ ଲାଗିଥିବାବେଳେ ଶାସକ ଦଳକୁ ସୁହାଇବା ଭଳି ଅନୁକୂଳ ପରିବେଶ ପ୍ରଶସ୍ତ ହେଉଛି। ସାଧାରଣ ନିର୍ବାଚନ ପରଠୁ ରାଜ୍ୟରେ ବଦଳିଥିବା ରାଜନୀତିକ ପାଣିପାଗ ଯୋଗୁ ହିଁ ରାଜନେତାମାନଙ୍କ ମଧ୍ୟରେ ସାଂଗଠନିକ କାର୍ଯ୍ୟକ୍ରମ ନିମନ୍ତେ ଉତ୍ସାହ କମିବା ସହ କର୍ମୀମାନଙ୍କ ମଧ୍ୟରେ ଶିଥିଳତା […]

bjd-bjp-congress

bjd-bjp-congress

Manoranjan Sial
  • Published: Thursday, 12 September 2019
  • Updated: 12 September 2019, 08:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ଓ ବିରୋଧୀ ଦଳ ମଧ୍ୟରେ ଅଘୋଷିତ ରାଜନୀତିକ ମେଣ୍ଟଏବେ ରାଜ୍ୟ ରାଜନୀତିକୁ ଶିଥିଳ କରିଦେଇଛି। ରାଜନୀତିକ ଦଳ ଓ ନେତାମାନଙ୍କର ସ୍ୱାର୍ଥନ୍ୱେଷୀ ଆଭିମୁଖ୍ୟ ଯୋଗୁ ରାଜ୍ୟରେ ବିରୋଧୀ ଦଳଗୁଡ଼ିକ ଦୁର୍ବଳ ହେବାରେ ଲାଗିଥିବାବେଳେ ଶାସକ ଦଳକୁ ସୁହାଇବା ଭଳି ଅନୁକୂଳ ପରିବେଶ ପ୍ରଶସ୍ତ ହେଉଛି। ସାଧାରଣ ନିର୍ବାଚନ ପରଠୁ ରାଜ୍ୟରେ ବଦଳିଥିବା ରାଜନୀତିକ ପାଣିପାଗ ଯୋଗୁ ହିଁ ରାଜନେତାମାନଙ୍କ ମଧ୍ୟରେ ସାଂଗଠନିକ କାର୍ଯ୍ୟକ୍ରମ ନିମନ୍ତେ ଉତ୍ସାହ କମିବା ସହ କର୍ମୀମାନଙ୍କ ମଧ୍ୟରେ ଶିଥିଳତା ସୃଷ୍ଟି ହୋଇଥିବା ଚର୍ଚ୍ଚା।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଓଡ଼ିଶାରେ ଦୁଇ ଦଶନ୍ଧି ଧରି କ୍ଷମତାସୀନ ଥିବା ବିଜେଡି ନିଜର ସୁନ୍ଦର ମ୍ୟାନେଜମେଣ୍ଟ ଦକ୍ଷତା ବଳରେ ବିରୋଧୀ ଦଳଗୁଡ଼ିକୁ ନିଷ୍ପଭ୍ର କରିବାରେ ସକ୍ଷମ ହୋଇଛି। ଏବେ ରାଜ୍ୟରେ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଅନ୍ତଃକନ୍ଦଳରେ ଲିପ୍ତ ରହି ତଳକୁ ତଳ ଯାଉଥିବାବେଳେ ପ୍ରମୁଖ ବିରୋଧୀ ଦଳ ବିଜେପି ସକ୍ରିୟ ବିରୋଧୀ ଦଳ ପରିବର୍ତ୍ତେ ମାପିଚୁପି ବିରୋଧ କରୁଥିବା ଦେଖିବାକୁ ମିଳୁଛି। ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ପାଲଟିଥିବା ବିଜେପି ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜେଡିକୁ କଡ଼ା ଟକ୍କର ଦେଇ ଏକ ବିକଳ୍ପ ଭାବେ ଉଭା ହୋଇଥିଲା। କିନ୍ତୁ ସାଧାରଣ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଦୁଇ ଦଳ ମଧ୍ୟରେ ଅଘୋଷିତ ବୁଝାମଣା ରାଜ୍ୟ ରାଜନୀତିକ ପାଣିପାଗକୁ ସମ୍ପୂର୍ଣ୍ଣ ବଦଳାଇ ଦେଲା। ଏପରିକି ବିଜେଡି ନିଜର ଦୀର୍ଘ ଦଶନ୍ଧି ‘ସମଦ୍ୱରତ୍ୱ ଆଭିମୁଖ୍ୟ’କୁ ଛାଡ଼ି କେନ୍ଦ୍ରରେ ବିଜେପି ସରକାରକୁ ଆଖିରେ ରଖି ରାଜ୍ୟସ୍ୱାର୍ଥ ଓ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେବ ବୋଲି ଘୋଷଣା କଲା। ସେବେଠୁ ହିଁ ରାଜ୍ୟରେ ଶାସକ-ବିରୋଧୀ ମଧ୍ୟରେ ଚାଲିଥିବା କଡ଼ା ଟକ୍କରର ପରିଭାଷା ବଦଳି ଯାଇଛି ।

କ୍ରମାଗତ ପଞ୍ଚମପାଳି ସରକାର ଗଠନ କରିଥିବା ବିଜେଡି ସରକାର ଉପରେ ଏବେ ଲୋକଙ୍କ ଆଶାଆକାଂକ୍ଷା ଅଧିକ ରହିଥିବାବେଳେ କୌଣସି ଗୋଟିଏ ପ୍ରସଙ୍ଗରେ ବି ସରକାର ପଳାୟନପନ୍ଥୀ ସାଜିବାର ବାଟ ନାହିଁ। କେନ୍ଦ୍ରୀୟ ଅବହେଳାକୁ ଜପାମାଳି କରୁଥିବା ବିଜେଡି ସରକାର ପାଇଁ ସେ ବାଟ ବି ବନ୍ଦ ସରିଛି। ଏପରି ସ୍ଥିତିରେ ବିରୋଧୀ ଦଳଗୁଡ଼ିକର ଦାୟିତ୍ୱ ଅଧିକ ଥିବାବେଳେ ବିରୋଧୀ ଦଳ ଓ ନେତାମାନେ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କାହିଁକି ନିରବ ସାଜିଛନ୍ତି। ଏହା ଶାସକ ବିଜେଡିର ସୁଚିନ୍ତିତ ପରିଚାଳନା କୌଶଳ ନା ବିରୋଧୀ ଦଳର ଅପାରଗତା।

କାଳିଆ ଓ ଖାଦ୍ୟ ସୁରକ୍ଷା ଯୋଜନାରୁ ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବା ପ୍ରକ୍ରିୟା, ରାଜ୍ୟରେ ଚାଷୀ ପଞ୍ଜିକରଣ ହାର ଧିମା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ବିଫଳତା, ପୁରୀରେ ମଠମନ୍ଦିର ସଂସ୍କୃତି ଧ୍ୱଂସ, ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ , ମହିଳା ଓ ନାବାଳିକା ଦୁଷ୍କର୍ମ ଘଟଣା ବୃଦ୍ଧି, ଟ୍ରାଫିକ ନିୟମ ଆଳରେ ହିଟଲରୀ ଆଇନ ଓ ରାଜନୀତିକ ଥଇଥାନ ଆଳରେ ରାଜକୋଷ ଉପରେ ଅଯଥା ଚାପ ଆଦି ସହ ରାଜ୍ୟସ୍ୱାର୍ଥ ପ୍ରସଙ୍ଗ ଯଥା ପୋଲାଭରମ ପ୍ରକଳ୍ପ ନିର୍ମାଣ, ଚାଷୀଙ୍କୁ ଧାନର ସଠିକ୍ ଏମଏସପି ନମିଳିବା, ଟ୍ରିବ୍ୟୁନାଲରେ ମହାନଦୀ ଜଳବିବାଦ ଓ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଭଳି ପ୍ରସଙ୍ଗ ବି ଲୁଚି ଯାଇଛି। ଏସବୁ ପ୍ରସଙ୍ଗରେ ବିରୋଧୀ ଦଳ ନିରବଦ୍ରଷ୍ଟା ସାଜିଛି।

ବିଶେଷକରି ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ରାଜ୍ୟରେ ନିଜର ସଭ୍ୟ ସଂଗ୍ରହ ଅଭିଯାନ ଚଳାଇଥିଲେ ମଧ୍ୟ ତୃଣମୂଳସ୍ତରରେ କର୍ମୀମାନଙ୍କ ମଧ୍ୟରେ ଏହି ସାଂଗଠନିକ କାର୍ଯ୍ୟକ୍ରମକୁ ନେଇ ଜୋସ୍ ଦେଖିବାକୁ ମିଳିନଥିଲା। ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ ଶେଷ ହୋଇଥିବାବେଳେ ବିଜେଡିର ଏବେ ଜାରି ରହିଛି। ବିଜେଡିକୁ ସୁହାଇବା ଭଳି କାର୍ଯ୍ୟ କଂଗ୍ରେସ ଓ ଦଳର କିଛି ବରିଷ୍ଠ ନେତାମାନେ କରିଥିବାର ସ୍ୱର ପ୍ରଦେଶ କଂଗ୍ରେସରୁ ଶୁଭିଛି। ଯାହାକୁ ଦଳର ବରିଷ୍ଠ ନେତା ଅମର ପ୍ରଧାନ ଓ ଯୁବନେତା ଇତିଶ ପ୍ରଧାନ ମଧ୍ୟ ଏଥିରେ ମୋହର ମାରିସାରିଛନ୍ତି।

ନିଷ୍କଣ୍ଟକ ରାଜ୍ୟଭୋଗ ଓ କ୍ଷମତାରେ ରହିବା ପାଇଁ ଶାସକ ବିଜେଡିର ସୁଚିନ୍ତିତ ମ୍ୟାନେଜମେଣ୍ଟ କୌଶଳ ଯୋଗୁ ଛୋଟଛୋଟ ଦଳଗୁଡ଼ିକ ନିଜର ଅସ୍ତିତ୍ୱ ହରାଇ ସାରିଥିବାବେଳେ ବିରୋଧୀ ଦଳ ମଧ୍ୟ ଜାଲରେ ଫସି ରାଜ୍ୟବାସୀଙ୍କ ସ୍ୱାର୍ଥ ପ୍ରତି ଆଖି ବୁଜି ଦେଇଥିବା ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos