ଭଦ୍ରକ(ପାର୍ଥ ସାରଥୀ ନାୟକ): ସ୍ୱାମୀ ଓ ସ୍ତ୍ରୀର ସଂପର୍କ ସାତ ଜନ୍ମର। ସୁଖଦୁଃଖ, ଝଡ଼ଝଞ୍ଜା ସବୁ କିଛି ମିଳିମିଶି ସାମନା କରିବାକୁ ନିଆଁକୁ ସାକ୍ଷୀ ରଖି ବେଦୀରେ ଶପଥ ନେଇଥାନ୍ତି ଦୁହେଁ। ହେଲେ ସ୍ୱାମୀ ଉପରେ ବିପଦ ପଡ଼ୁ ପଡ଼ୁ ବାଟ କାଟିଦେଲା ସ୍ତ୍ରୀ। ସ୍ୱାମୀ ଏଚଆଇଭି ପଜିଟିଭ ଜାଣିବା ପରେ ମାତ୍ର ୩ ବର୍ଷର ସଂସାରକୁ ନିଜ ହାତରେ ଛାରଖାର କରିଦେଲା ସ୍ତ୍ରୀ। ଶୁଣିଲାନି ସ୍ୱାମୀର ଗୁହାରି। ଏପରିକି ଛୁଆକୁ ଧରି ପତ୍ନୀ ବାପଘରକୁ ଚାଲିଯାଇଥିବା ବେଳେ ଏକାକୀ ଥିବା ଏଚଆଇଭି ଆକ୍ରାନ୍ତ ସ୍ୱାମୀ ଭାଙ୍ଗି ପଡ଼ିଛି । ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ତୋଡଙ୍ଗାରେ ଦେଖିବାକୁ ମିଳିଛି।
ତୋଡଙ୍ଗା ପଞ୍ଚାୟତର ଯୁବକଜଣକ ୩ ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ଚଳିବା ବେଶି ସ୍ୱଚ୍ଛଳ ନ ଥିଲେ ବି ବେଶ୍ ହସଖୁସିରେ ଗଡ଼ୁଥିଲା ସଂସାର ଗାଡ଼ି। ନିଜ ବାପା, ମାଆ, ସ୍ତ୍ରୀପିଲାଙ୍କ ସହ ବେଶ୍ ହସଖୁସିରେ ଯୁବକଙ୍କ ଦିନ କଟି ଯାଉଥିଲା।
କିଛି ଦିନ ପୂର୍ବେ ଆୟୋଜିତ ଏକ ରକ୍ତଦାନ ଶିବିରରେ ଯୁବକଜଣକ ରକ୍ତଦାନ କରିଥିଲେ । ସେଠାରେ ସେ HIV ପଜିଟିଭ ଥିବା ଜଣାପଡ଼ିଲା। ଏନେଇ ଯୁବକଜଣକ ନିଜ ଘରେ ତଥା ପତ୍ନୀଙ୍କୁ ଜଣାଇବା ପରେ ଆରମ୍ଭ ହେଇଥିଲା ପାରିବାରିକ ଜୀବନରେ ଝଡ଼।
ଯୁବକଜଣକଙ୍କ କହିବାନୁଯାୟୀ, ମୋତେ ଏଚଆଇଭି ପଜିଟିଭ ଥିବା ଜଣାପଡ଼ିବା ପରେ ପାଖରେ ରହିବେ ନାହିଁ ବୋଲି ସ୍ତ୍ରୀ ଅଡ଼ି ବସିଲେ। ପରିବାର ଲୋକ ଓ ଗ୍ରାମବାସୀ ଯେତେବ ବୁଝାଇଲେ ବି ସେ ନିଜ ଜିଦ୍ରେ ଅଟଳ ରହିଲେ । ଏପରିକି ସ୍ୱାମୀଙ୍କ ବିରୋଧରେ ଆଇନର ଆଶ୍ରୟ ନେଇଥିଲେ। ଶେଷରେ ପୁଲିସ ଓ ଗାଁ ଲୋକଙ୍କ ଉପସ୍ଥିତିରେ ବୁଝାମଣା ପରେ ସ୍ତ୍ରୀ ବିବାହ ସମୟରେ ଆଣିଥିବା ସମସ୍ତ ଯୌତୁକ ଜିନିଷ ନେଇ ଝିଅ ସହ ବାପଘରକୁ ପଳାଇଲେ।
ହେଲେ ସ୍ୱାମୀ ଓ ଶାଶୁ ଘର ଲୋକ ଲଗାଇଥିବା ସମସ୍ତ ଆରୋପକୁ ଖଣ୍ଡନ କରିଛନ୍ତି ମହିଳାଜଣକ । ଏ ନେଇ ମହିଳାଜଣକ କହିଛନ୍ତି, ମୋ ସ୍ୱାମୀ ଏଚଆଇଭି ଆକ୍ରାନ୍ତ ହେବା ପରେ ଶାଶୁ ଘର ଲୋକ ମୋ ଉପରେ ନିର୍ଯାତନା ଦେବା ଆରମ୍ଭ କଲେ। ଏଥିଯୋଗୁ ବାଧ୍ୟ ହୋଇ ମୁଁ ଘରୁ ଯିବାକୁ ବାଧ୍ୟ ହେଉଛି। ମୋତେ ଭରଣପୋଷଣ ଦରକାର।
ଅପରପକ୍ଷେ, ତିନି ବର୍ଷ ଧରି ସୁନାର ସଂସାର ଗଢ଼ିଥିବା ଯୁବକଜଣକ ଏବେ ସ୍ତ୍ରୀ, ପିଲାକୁ ଝୁରି ହେଉଛନ୍ତି। ପୁଅର ଏଭଳି ଅବସ୍ଥା ଦେଖି ବାପାମାଆ ଦୁଃଖରେ ରହୁଥିବାବେଳେ, ବୋହୁ ଓ ନାତୁଣୀଙ୍କୁ ଫେରିବାବାଟକୁ ଅନାଇଛନ୍ତି ପରିବାର ଲୋକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।