ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସାମ ଭଳି କେନ୍ଦ୍ରାପଡ଼ାରେ ଏନ୍ଆରସି ଲାଗୁ ନେଇ ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଚିଠି ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସ୍ଥାନୀୟ ପ୍ରଶାସନ ଏହାକୁ ଲାଗୁ କରିବା ପୂର୍ବରୁ କେନ୍ଦ୍ରର ନିର୍ଦ୍ଦେଶକୁ ଅପେକ୍ଷା କରିଥିବା ବେଳେ ବାଂଲାଦେଶୀ ଅନୁପ୍ରବେଶ ପ୍ରବଣ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ସ୍ଥିତି ପରଖି ଥିଲା ଓ ଟିଭି।
କେନ୍ଦ୍ରାପଡ଼ା ମହାକାଳପଡ଼ା ପୋସ୍ତା ଗାଁରେ ରହୁଥିବା ଗୀତାଙ୍କ ଅସଲ ନାଁ ହେଉଛି ଗୀତା ମାଲ। ସେ ୪୫ ବର୍ଷ ହେଲା ଏହି ଗାଁରେ ରହୁଛନ୍ତି। ସେ ସମୟ କ୍ରମେ ଗୀତା ମାଲରୁ ଗୀତ ମଲ୍ଲକୁ ବଦଳି ଗଲେଣି। ଜବ୍ କାର୍ଡ, ଆଧାର, ଭୋଟର ପରିଚୟପତ୍ର ସବୁଥିରେ ଏଇ ଟାଇଟଲ ରହିଛି। ତାଙ୍କ ସ୍ୱାମୀ ବି ମାଲରୁ ମଲ୍ଲ ହୋଇଛନ୍ତି।
ଖାଲି ଏଇ ପରିବାର ନୁହେଁ ଜିଲ୍ଲାର ରାମନଗର ଜମ୍ବୁ, ଖରନାସି, ବତୀଘର ଭଳି ବହୁ ଗାଁରେ ଏମିତି ସାଙ୍ଗିଆ ବଦଳ କରି ଶହ ଶହ ବାଂଲାଦେଶୀ ପରିବାର ରହି ଆସୁଛନ୍ତି। ଏମାନେ ବାଂଲାଦେଶୀ ହୋଇଥିଲେ ହେଁ କିଛି ଲୋକ ଏହାକୁ ସ୍ୱୀକାର କରୁଥିବା ବେଳେ ଆଉ କିଛି ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି। ଜମ୍ବୁର ୭୦ ବର୍ଷୀୟ ଅମଲ ସିକଦାର କହିଛନ୍ତି ଯେ ତାଙ୍କ ଗୋସେଁଇ ବାପ ବାଂଲାଦେଶୀ ଶରଣାର୍ଥୀ ହେଲେ। କେନ୍ଦ୍ର ସରକାର ତାଙ୍କୁ ଜାଗା ଦେଇ ଏଠି ରହିବାର ଅନୁମତି ଦେଇଥିଲେ। ତେଣୁ ସେ ଅନୁପ୍ରବେଶକାରୀ କେମିତି ବୋଲି ପ୍ରଶ୍ନ କରିଛନ୍ତି।
ଏପଟେ ସରକାରୀ ତଥ୍ୟ କହୁଛି, ୨୦୦୫ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୧୫୫୧ ଜଣ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ଦେଶାନ୍ତର ନୋଟିସ୍ ଦିଆଯାଇଥିଲା। ହେଲେ ସେ ନିର୍ଦ୍ଦେଶ ଏଯାଏ କାର୍ଯ୍ୟକାରୀ ତ ହୋଇ ପାରିନି ବରଂ ସାରା ଜିଲ୍ଲାରେ ଉଦବେଗଜନକ ଭାବେ ବଢ଼ିଚାଲିଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା।
ବର୍ଷ ବର୍ଷ ଧରି ସମୁଦ୍ର ପଥ ଦେଇ ବାଂଲାଦେଶରୁ ଅନୁପ୍ରବେଶକାରୀ ଭିତରକନିକାରୁ କେନ୍ଦ୍ରାପଡ଼ାରେ ପ୍ରବେଶ କରି ବସବାସ କରୁଛନ୍ତି। ଭୋଟ୍ ରାଜନୀତି ପାଇଁ ରାଜନୀତିକ ଦଳଗୁଡ଼ିକର ସମର୍ଥନ ବି ଏମାନେ ପାଉଛନ୍ତି।
ନିକଟରେ କେନ୍ଦ୍ରାପଡ଼ାରେ ଜାତୀୟ ନାଗରିକ ପଞ୍ଜୀକରଣ ବା ଏନଆରସିର ଆବଶ୍ୟକତା ଓ ପ୍ରସ୍ତୁତି ନେଇ ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚିଠି ପରେ କେନ୍ଦ୍ରାପଡ଼ାରୁ ଅନୁପ୍ରବେଶକାରୀ ତଡ଼ିପାର ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ହେଲେ ଜନଗଣନା ନିର୍ଦ୍ଦେଶାଳୟ ଯୁଗ୍ମ ସଚିବ ପ୍ରଭାକର ବରାଡ଼ କହିଛନ୍ତି, ଏନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଆସିଲେ ପଦକ୍ଷେପ ନିଆଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।