ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଭଲ ପାଇ ଠକି ଦେଇଥିଲେ। ଧାରଣା ଦେବା ପରେ ସରପଞ୍ଚ ଓ ଗାଁ ଲୋକଙ୍କ ଉପସ୍ଥିତିରେ ପଡ଼ିଥିଲା ହାତଗଣ୍ଠି। ହେଲେ ବନ୍ଧନର ସେ ଖିଅ ବେଶୀ ଦିନ ତିଷ୍ଠି ପାରିଲାନି। ଘରକୁ ଯିବାର ବାହାନା କରି ବ୍ରହ୍ମପୁର ଷ୍ଟେସନ୍ରେ ପତ୍ନୀଙ୍କୁ ଛାଡ଼ି ଚମ୍ପଟ ମାରିଲେ ପ୍ରେମିକରୁ ସ୍ୱାମୀ ସାଜିଥିବା ଦୁଷ୍ମନ୍ତ ସାହୁ। ଏବେ ବୋହୂର ମାନ୍ୟତା ପାଇଁ ଶାଶୂ ଘର ଆଗରେ ଧାରଣାରେ ବସିଛନ୍ତି ଟିନା ସାହୁ।
ତାରସିଙ୍ଗି ଥାନା ଗାଲେରି ଗାଁର ଦୁଷ୍ମନ୍ତ ସାହୁ ବ୍ରହ୍ମପୁର ଅଞ୍ଚଳର ଟିନା ସାହୁଙ୍କୁ ଭଲ ପାଉଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କ ୩ ବର୍ଷର। ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଦୁଷ୍ମନ୍ତଙ୍କ ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ। ସେମାନେ ଟିନାଙ୍କୁ ବୋହୂ କରିବା ପାଇଁ ଚାହୁଁନଥିଲେ। ଟିନାଙ୍କ ସହିତ କଥା ନହେବା ପାଇଁ ଦୁଷ୍ମନ୍ତୁ ପରିବାର ଲୋକ କହିଥିଲେ। ଯେଉଁଥିପାଇଁ ଦୁଷ୍ମନ୍ତ ତାଙ୍କ ପ୍ରେମିକା ଟିନାଙ୍କ ସହିତ କଥା ହେଉନଥିଲେ। ଏକଥା ଟିନା ଜାଣିବା ପରେ ତାଙ୍କ ଅକଲ୍ ଗୁଡ଼ୁମ ହୋଇଯାଇଥିଲା।
ଦୁଷ୍ମନ୍ତଙ୍କୁ ବାହାହେବା ପାଇଁ ଅଡି ବସିଥିଲେ। ସେ ଗଲେରି ଗାଁକୁ ଆସି ଦୁଷ୍ମନ୍ତଙ୍କ ଘର ଆଗରେ ଧାରଣା ଦେଇଥିଲେ। ପାଞ୍ଚ ଦିନ ଧରି ଧାରଣା ଦେବା ପରେ ଗଲେରି ଗାଁରେ ପହଞ୍ଚିଥିଲେ ସମାଜ ସେବୀ ପ୍ରମିଳା ତ୍ରିପାଠୀ। ସେ ଦୁଷ୍ମନ୍ତ ଓ ତାଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ସ୍ଥାନୀୟ ସରପଞ୍ଚ ଓ ଗାଁ ଲୋକଙ୍କ ଉପସ୍ଥିତିରେ ଗତ ୨୯ ତାରିଖରେ ଗାଁ ଦାଣ୍ଡରେ ଟିନାଙ୍କୁ ବିବାହ କରିଥିଲେ ଦୁଷ୍ମନ୍ତ। ବିବାହ ସାରିବା ପରେ ଉଭୟ ବ୍ରହ୍ମପୁର ଚାଲି ଯାଇଥିଲେ। ସେଠାରେ ଏକ ଲଜ୍ରେ ଉଭୟ ତିନି ଦିନ ଧରି ରହିଥିଲେ। ଉଭୟଙ୍କ ଭିତରେ ଭଲ ସମ୍ପର୍କ ଥିଲା।
ତେବେ ହଠାତ୍ କ’ଣ ହେଲା ବଦଳିଗଲେ ଦୁଷ୍ମନ୍ତ। ଘରକୁ ଯିବା ବାହାରରେ ଟିନାଙ୍କୁ ବ୍ରହ୍ମପୁର ଷ୍ଟେସନରେ ଛାଡ଼ି ଚମ୍ପଟ ମାରିଥିଲେ ଦୁଷ୍ମନ୍ତ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ଟିନା। ପରେ ତାଙ୍କୁ ଚାରିଆଡେ ବହୁ ଖୋଜା ଖୋଜି କରିଥିଲେ। ହେଲେ ଦୁଷ୍ମନ୍ତଙ୍କ ସମ୍ପର୍କରେ କୌଣସି ସୂଚନା ପାଇଲେ ନାହିଁ। ଶେଷରେ ଶାଶୂ ଘରକୁ ଫେରିଥିଲେ ଟିନା। ହେଲେ ଘର ଭିତରକୁ ପଶି ପାରିଲେ ନାହିଁ ଶାଶୂ ଘର ଲୋକ। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଦୁଷ୍ମନ୍ତଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଟିନା।
ଗତ ୩ ଦିନ ହେଲା ସେ ଧାରଣାରେ ବସିଛନ୍ତି। ହେଲେ ଶାଶୂ ଘର ଲୋକେ ତାଙ୍କୁ ଗ୍ରହଣ କରୁନାହାନ୍ତି। ଅନ୍ୟପକ୍ଷରେ ଟିନା କହିଛନ୍ତି, ଦୁଷ୍ମନ୍ତ ଆସିଥିଲେ ମୁଁ ଧାରଣାରୁ ଉଠିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।