ବାରିପଦା (ମାନିକ୍ ଲାଲ ପାଣି): ଏ ନିର୍ଯାତନା କ’ଣ ପାଇଁ? କ’ଣ ପାଇଁ ଜଣେ ଅସହାୟ ମହିଳାଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯାତନା? ତା’ର ଭୁଲ୍ କ’ଣ? ମହିଳାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିବା କେତେଦୂର ଯୁକ୍ତିଯୁକ୍ତ? ଯଦି ମହିଳା ଜଣକ କିଛି ଭୁଲ୍ କରିଛନ୍ତି, ତାହାହେଲେ ଦଣ୍ଡ ଦେବାର ଅଧିକାର କେବଳ ନ୍ୟାୟାଳୟର ରହିଛି। ହେଲେ ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ବାନ୍ଧି ପିଟିବାର ଅଧିକାର କାହାର ନାହିଁ। ତଥାପି ଅତି ନିର୍ଦ୍ଦୟ ଭାବେ ଜଣେ ମହିଳାଙ୍କୁ ମାଡ଼ ମରାଯାଉଛି। ଏହାର ଉତ୍ତର ହୁଏତ କାହା ପାଖରେ ନାହିଁ। ତେବେ ମୟୂରଭଞ୍ଜ ପୁଲିସ୍ ଏହାର ଉତ୍ତର ଖୋଜିବା ଦରକାର।
ପ୍ରକୃତରେ କଥାଟି ହେଉଛି, ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି। ଭିଡିଓଟି ମୟୂରଭଞ୍ଜ ଜିଲ୍ଲାର କୋଣସି ଗାଁର ବୋଲି ଅନୁମାନ କରାଯାଉଛି। ଯେଉଁଥିରେ ଗାଉନ୍ ପିନ୍ଧିଥିବା ଜଣେ ମହିଳାଙ୍କୁ ଜଣେ ଯୁବକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟୁଛନ୍ତି। ଆଉ ମହିଳା ଜଣକ ବଞ୍ଚାଅ ଅଞ୍ଚଳ କହି ଚିତ୍କାର କରୁଛନ୍ତି। ମଝିରେ ମଝିରେ ମହିଳା ଜଣକ କାକୁତି ମିନତି ମଧ୍ୟ ହେଉଛନ୍ତି। ହେଲେ ଜଣେ କେହି ତାଙ୍କୁ ଉଦ୍ଧାର କରିବାକୁ ଆସିନଥିଲେ। ଗାଁର ବୁଢ଼ା, ବୁଢ଼ି, ଯୁବକ, ଯୁବତୀ, ମହିଳା ଓ ପିଲା ସମସ୍ତେ ଦେଖଣାହାରୀ ସାଜିଥିଲେ। କେହି ପ୍ରତିବାଦ କରିନଥିଲା। ଯୁବକ ଜଣକ ନିର୍ଦ୍ଧୁମ ପିଟି ଚାଲିଥିଲେ।
ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବାର ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓଟି ବର୍ତ୍ତମାନ ପୁଲିସ୍ ପାଖରେ ପହଞ୍ଚିଛି। ପୁଲିସ ଭିଡିଓକୁ ନେଇ ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା କାରଣ ଜଣାପଡ଼ି ନାହିଁ। ଏହାଛଡ଼ା ଏହି ଭିଡିଓ କେବେକାର? ତାହାର ମଧ୍ୟ ଜଣାପଡ଼ି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।