ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୭୫ ପ୍ରତିଶତ ଉପସ୍ଥାନ ନଥିଲେ କଲେଜ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ। ଜୁଲାଇ ୫ତାରିଖରେ ଏଭଳି ନିର୍ଦ୍ଦେଶନାମା ଜାରି କରିଥିବା ଉଚ୍ଚଶିକ୍ଷା ବିଭାଗ ଗତକାଲି ପୁଣିଥରେ ନିର୍ଦ୍ଦେଶନାମା ଜାରି କରି ୭୫% ଉପସ୍ଥାନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି। ଏକ୍ସଟ୍ରା କ୍ଲାସ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ୭୫% କରିବା ନିମନ୍ତେ ପରାମର୍ଶ ଦିଆଯାଇଛି।
ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ କଲେଜର ପ୍ରିନ୍ସିପାଲଙ୍କୁ ଚିଠି ଲେଖି ୭୫ ପ୍ରତିଶତ ଉପସ୍ଥାନ ନଥିଲେ କଲେଜ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷା ଦେଇପାରିବେ ନାହିଁ ବୋଲି ବିଭାଗର ନିର୍ଦ୍ଦେଶନାମାକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଯେଉଁଠି ଛାତ୍ରଛାତ୍ରୀଙ୍କୁ ଉପସ୍ଥାନ ନିର୍ଦ୍ଧାରିତ ୭୫%ରୁ କମ୍ ଥିବ ସେଠାରେ ଏକ୍ସଟ୍ରା କ୍ଲାସ୍ କରିବା ପାଇଁ ପ୍ରିନ୍ସିପାଲମାନଙ୍କୁ ପରାମର୍ଶ ଦିଆଯାଇଛି। ଯାହାଫଳରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଉପସ୍ଥାନକୁ ୭୫%କୁ ଆଣିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ ଶ୍ରୀ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ଗତ ଜୁଲାଇ ୫ତାରିଖରେ ରାଜ୍ୟ ସରକାର କଲେଜ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫% ନଥିଲେ ସେମାନେ ପରୀକ୍ଷା ଦେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ତେବେ ବିଭିନ୍ନ କାରଣରୁ ଛାତ୍ରଛାତ୍ରୀମାନେ ୭୫% ଉପସ୍ଥାନ ପୂରଣ କରିବାରେ ସକ୍ଷମ ହେଉନଥିବା ନେଇ ଉଚ୍ଚଶିକ୍ଷା ବିଭାଗକୁ ଅଭିଯୋଗ ଆସିବା ପରେ ଏଭଳି ଗଳାବାଟ ବାହାର କରାଯାଇଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।