ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିୟମିତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୨୫୦ରେ ପହଂଚିଥିବାବେଳେ ସବୁଠୁ ଅଧିକ ଯୁବବର୍ଗ ଏହାର ଶିକାର ହେଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ଏବେ କେବଳ ନବରଙ୍ଗପୁର ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି ଓ ଏହି ସଂଖ୍ୟା ୯୫୭ ବୋଲି ସୂଚନା ମିଳିଛି।
ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ରାଜ୍ୟରେ ଗତକାଲି ମଧ୍ୟରାତ୍ରି ସୁଦ୍ଧା ୧ଲକ୍ଷ ୮୫ହଜାର ୪୧୦ଜଣଙ୍କ କୋଭିଡ-୧୯ ନମୂନା ପରୀକ୍ଷା କରାଯାଇଥିଲା। ଏବେସୁଦ୍ଧା ୩୨୫୦ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ୨୨୮୨ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି । ୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ୯୫୭ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ୧୩୭୧ଜଣ ବିଭିନ୍ନ ହସ୍ପିଟାଲରେ ଆଇସୋଲୋସନରେ ଅଛନ୍ତି।
ଏହି ମୋଟ ସଂକ୍ରମିତ ୩୨୫୦ଜଣଙ୍କ ମଧ୍ୟରେ ୨୭୯୧ଜଣ ପୁରୁଷ ଓ ୪୫୯ଜଣ ମହିଳା ଅଛନ୍ତି। ତେବେ ୧୫ରୁ ୪୦ବର୍ଷ ବୟସ ମଧ୍ୟରେ ରାଜ୍ୟର ସର୍ବାଧିକ ୨୩୦୭ଜଣ ଯୁବକଯୁବତୀ କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି ୪୧ରୁ ୬୦ବର୍ଷ ବୟସ ମଧ୍ୟରେ ୭୫୫ଜଣ ସଂକ୍ରମିତ ଥିବାବେଳେ ୦ରୁ ୧୪ବର୍ଷ ବୟସ ମଧ୍ୟରେ ୯୪ଜଣ ଓ ୬୦ବର୍ଷରୁ ଅଧିକ ବୟସର ୯୪ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି।
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏବେ ସର୍ବାଧିକ ୧୪୭ଜଣ ସକ୍ରିୟ କରୋନା ରୋଗୀ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ୧୦୨ଜଣ, କଟକ ଜିଲ୍ଲାରେ ୮୯ଜଣ ,ଜଗତସିଂହପୁର ଜିଲ୍ଲାରେ ୫୪ଜଣ, ମୟୂରଭଞ୍ଜ ଜିଲ୍ଲାରେ ୬୭ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ତେବେ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଅନ୍ୟ ଜିଲ୍ଲାଗୁଡ଼ିକ ତୁଳନାରେ କମ୍ ରହିଛି। ଯାଜପୁର ଜିଲ୍ଲାରେ ମୋଟ ୩୨୬ଜଣ ସଂକ୍ରମିତ ଥିବାବେଳେ ସେଥିରୁ ୨୮୭ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ବାଲେଶ୍ୱରରେ ୧୯୭ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୫୯ଜଣ, ଭଦ୍ରକ ଜିଲ୍ଲାରେ ମୋଟ ୧୫୨ଜଣଙ୍କ ମଧ୍ୟରୁ ୧୩୫ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧୧୮ଜଣଙ୍କ ମଧ୍ୟରୁ ୬୯ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ବ୍ୟତୀତ ଏନଡିଆର ଓ ଓଡ୍ରାଫର ୬୧ଜଣ କର୍ମଚାରୀ ମଧ୍ୟ ଏବେ କରୋନା ସଂକ୍ରମିତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।