ଖଡ଼ିଆଳ (କୁନାଲ ଚରଣ ବେହେରା): ପୁଣି ସାମ୍ନାକୁ ଆସିଛି ସରକାରୀ ସ୍କୁଲର ଦୁର୍ବଳ ଭିତ୍ତିଭୂମିର ଚିତ୍ର। ଗୋଟିଏ କକ୍ଷରେ ପଢ଼ୁଛନ୍ତି ୫ଟି ଶ୍ରେଣୀର ପ୍ରାୟ ୫୮ ଜଣ ଛାତ୍ରଛାତ୍ରୀ। ସେପଟେ ସେମାନଙ୍କୁ ପାଠ ପଢ଼ାଇବା ନିମନ୍ତେ ରହିଛନ୍ତି ମାତ୍ର ୨ ଜଣ ଶିକ୍ଷକ। ଏ ଚିତ୍ର ହେଉଛି ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କର୍ଲାକୋଟ ପଞ୍ଚାୟତର ବନ୍ଦପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର।
୨୦୧୨ ମସିହାରେ ଏହି ସ୍କୁଲଟି ସ୍ଥାପିତ ହୋଇଥିଲା। ତେବେ ଏଥିରେ ମାତ୍ର ଗୋଟିଏ ଶ୍ରେଣୀ ଗୃହ ରହିଛି। ଏହି ଶ୍ରେଣୀ ଗୃହରେ ପ୍ରଧାନଶିକ୍ଷକ ଅଫିସ୍ କାମ କରିବା ସହିତ ମଧ୍ୟାହ୍ନ ଭୋଜନ ଚାଉଳ ବସ୍ତା ମଧ୍ୟ ଗଚ୍ଛିତ କରି ରଖିଛନ୍ତି। ଏହା ସହିତ ଏହି ଏକ ମାତ୍ର ଶ୍ରେଣୀ ଗୃହରେ ତିନିଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଏ। ବାକି ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲ ବାରଣ୍ଡାରେ ପଢ଼ନ୍ତି। ଏଥିଯୋଗୁ ଛାତ୍ରଛାତ୍ରୀଙ୍କୁ ବହୁତ ଅସୁବିଧା ହେଉଛି।
ବର୍ଷା ଦିନେ ଏହି ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏକ ପ୍ରକାର ବନ୍ଦ ହୋଇଯାଏ। କାରଣ ବାରଣ୍ଡାରେ ବସିଲେ ସେମାନଙ୍କ ପରେ ପାଣି ପଡ଼େ। ସେହିପରି ସେମାନଙ୍କ ବହିବସ୍ତାନି ଓଦା ହୋଇଯାଏ। ଏଭଳି ଅଭାବନୀୟ ସ୍ଥିତି ଯୋଗୁ ସ୍କୁଲରେ ଉପସ୍ଥାନ କମିବାରେ ଲାଗିଛି। ଆଉ ଏହା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସେହିଭଳି ଏହି ସ୍କୁଲ୍ରେ ପାଠପଢ଼ାଇବା ପାଇଁ ପ୍ରଧାନଶିକ୍ଷକଙ୍କ ସହିତ ଜଣେ ମାତ୍ର ଶିକ୍ଷୟିତ୍ରୀ ଅଛନ୍ତି। କୌଣସି କାରଣରୁ ସେମାନଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ରହିଲେ ପାଠପଢ଼ା ଏକ ପ୍ରକାର ବନ୍ଦ ହୋଇଯାଏ କହିଲେ ଭୁଲ୍ ହେବ ନାହିଁ।
ଛାତ୍ର ଜୟବର୍ଦ୍ଧନ ବେହେରା ଓ ନିର୍ମଳ ବାଗ କହିଛନ୍ତି, ଗୋଟିଏ ଶ୍ରେଣୀ ଗୃହରେ ପାଠପଢ଼ିବାରେ ବହୁତ ହଇରାଣ ହେବାକୁ ପଡ଼ୁଛି। ଗୋଟିଏ ଶ୍ରେଣୀର ପିଲାମାନଙ୍କୁ ଶିକ୍ଷକ ପାଠ ପଢ଼ାଇଲେ ଅନ୍ୟ ଶ୍ରେଣୀର ପିଲାମାନଙ୍କ ପାଠପଢ଼ାରେ ବିଘ୍ନ ଉପୁଜୁଛି। ପ୍ରତି ଶ୍ରେଣୀ ନିମନ୍ତେ ଶିକ୍ଷକ ନାହାନ୍ତି। ତେଣୁ ସରକାର ଯଥାଶୀଘ୍ର ସମସ୍ତ ଶ୍ରେଣୀ ନିମନ୍ତେ ପକ୍କାଘର ଓ ଜଣେ ଲେଖାଏଁ ଶିକ୍ଷକ ଦେବା ବ୍ୟବସ୍ଥା କରନ୍ତୁ। ଫଳରେ ସମସ୍ତଙ୍କୁ ପାଠ ପଢ଼ିବାରେ ସୁବିଧା ହେବ।
ତିଖାଲି ଡ୍ୟାମ ଯୋଗୁ ବିସ୍ଥାପିତ ହୋଇଥିବା ଅନେକ ପରିବାର ବନ୍ଦପଡ଼ାରେ ରୁହନ୍ତି ଓ ସେମାନଙ୍କ ପିଲାମାନେ ଏହି ସ୍କୁଲରେ ପାଠପଢ଼ନ୍ତି। ଏହି ବିସ୍ଥାପିତ ପରିବାରର ପିଲାମାନଙ୍କ ପାଠପଢ଼ା ନିମନ୍ତେ ସବୁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା। ହେଲେ ପ୍ରତିଶ୍ରୁତି ପ୍ରତାରଣା ପାଲଟି ଯାଇଛି।
ଗ୍ରାମବାସୀ ରାଧେଶ୍ୟାମ ବେହେରା କହିଛନ୍ତି, ସରକାର ପିଲାମାନଙ୍କ ଭବିଷ୍ୟତ ସହ ଖେଳିବା ବନ୍ଦ କରନ୍ତୁ। ସରକାରୀ ସ୍କୁଲର ଏଭଳି ଦୁର୍ଦ୍ଦଶା ଯୋଗୁ ପିଲାମାନଙ୍କ ଭବିଷ୍ୟତ ଠିକ୍ ଭାବେ ଗଢ଼ା ଯାଇପାରୁନି। ସରକାର ଦାୟିତ୍ୱହୀନ ନ ହୋଇ ଠିକ୍ ଭାବେ କାମ କରନ୍ତୁ। ଏହି ସ୍କୁଲରେ ଆବଶ୍ୟକ ସଂଖ୍ୟକ ୫ଟି ଶ୍ରେଣୀଗୃହ ନିର୍ମାଣ କରାଯାଉ। ସେମାନଙ୍କୁ ପାଠ ପଢ଼ାଇବା ନିମନ୍ତେ ଶିକ୍ଷକ ନିଯୁକ୍ତ କରନ୍ତୁ।
ପ୍ରଧାନଶିକ୍ଷକ ହରେକୃଷ୍ଣ ବେହେରା କହିଛନ୍ତି, ପିଲାମାନଙ୍କୁ ପାଠ ପଢ଼ାଇବା ନିମନ୍ତେ ବହୁତ ହଇରାଣ ହେବାକୁ ପଢ଼ୁଛି। ନିହାତିପକ୍ଷେ ପ୍ରତ୍ୟେକ ଶ୍ରେଣୀ ନିମନ୍ତେ ଗୋଟିଏ ଲେଖାଏଁ କୋଠରୀ ଆବଶ୍ୟକ। ସ୍କୁଲରେ ପାନୀୟଜଳ ସମସ୍ୟା ରହିଛି। ହେଲେ ପ୍ରଥମେ ସରକାର ଶ୍ରେଣୀ ଗୃହ କରିବାକୁ ପଦକ୍ଷେପ ନିଅନ୍ତୁ। ଅନେକ ଥର ସମସ୍ୟା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଉନି।
ବୋଡେ଼ନ ବିଡିଓ ପ୍ରିୟରଞ୍ଜନ କୁମ୍ଭାର କହିଛନ୍ତି, ସମସ୍ୟା ସମ୍ପର୍କରେ ସେ ଜାଣି ନ ଥିଲେ। ଏ ବାବଦରେ ଜିଲ୍ଲାପାଳଙ୍କୁ ଜଣାଇ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।