ସାଲେପୁର(ମନୋଜ ଆଚାର୍ଯ୍ୟ): ବିରାଟ ଗୋଶାଳା। ଅଧିକ ଦୁଗ୍ଧ ଦେଉଥିବା ଉନ୍ନତମାନର ୨୦ ପ୍ରଜାତିର ଗାଈ ସାଙ୍ଗକୁ ଷଣ୍ଢ ଏଠାରେ ପୋଷା ହେଉଛନ୍ତି। ରାଜ୍ୟ ବାହାର କପିଳା ଓ କାଳୀ ଗାଈମାନେ ଏହା ଭିତରେ ଭରି ରହିଛନ୍ତି। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଦୁଗ୍ଧ ଉତ୍ପାଦନ ଓ ବିକ୍ରି ପାଇଁ ନୁହେଁ, ବରଂ ଗାଈମାନଙ୍କୁ ପୂଜା କରିବା ପାଇଁ ଚାଲିଛି ଏହି ଗୋଶାଳା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଖଣ୍ଡସାହି ଗାଁରେ ରହିଛି ଗୋଶାଳା। ଗୋଶାଳାର ନାଁ ଶ୍ରୀବୈଦ୍ୟଭବନ ଗୌଶାଳା। ଗୋସେବକ ଡକ୍ଟର ଶାରଦା ନନ୍ଦ ମିଶ୍ର ଏହି ଗୋଶାଳାର ମାଲିକ ଓ ରକ୍ଷକ। ପ୍ରତିବର୍ଷ ରାଜ୍ୟ ବାହାରରୁ ଏଠାକୁ ଉନ୍ନତ କିଶମର ଗାଈ ଓ ଷଣ୍ଢକୁ ଏଠାକୁ ଅଣାଯାଉଛି।
କାହିଁ କେଉଁ କାଳରୁ ପିଢ଼ି ପରେ ପିଢ଼ି ଗୋସେବାକୁ ବ୍ରତ କରିଛନ୍ତି ଡକ୍ଟର ମିଶ୍ରଙ୍କ ପରିବାର। ଗୋଟିଏ କି ଦୁଇଟି ନୁହେଁ, ବରଂ ଶତାଧିକ ଗୋରୁଗାଈଙ୍କୁ ରଖି ସେମାନଙ୍କର ସେବାଯତ୍ନରେ ଲାଗି ପଡ଼ିଛନ୍ତି ସମସ୍ତେ। ନା ଏଠାରେ ଦୁଗ୍ଧ ବିକ୍ରି ହେଉଛି ନା, ଗୋରୁଗାଈଙ୍କୁ ଏଠାରେ ବନ୍ଧାଯାଉଛି। ସେମାନଙ୍କର ରହିବା ଖାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଅନେକ ବିରଳ ପ୍ରଜାତିର ଗୋରୁଗାଈ ଏଠାରେ ଅଛନ୍ତି। ଗୋବର ଓ ଗୋମୂତ୍ର ବ୍ୟବହାର କରି ଏଠାରେ ବହୁ ମୂଲ୍ୟବାନ ଔଷଧ ତିଆରି ହେଉଛି। ଗୋବରରୁ ଖତ ତିଆରି ହେଉଥିବା ଶୁଣିଥିବେ, ହେଲେ ଏଠାରେ ଗୋବରରୁ ତିଆରି ହେଉଛି ଇଟା। ପିଢ଼ି ପରେ ପିଢ଼ି ସମ୍ପୂର୍ଣ୍ଣ ପାରମ୍ପରିକ ଶୈଳୀରେ ଚାଲୁ ରହିଛି ଏହି ଗୋଶାଳା।
ପୁରାତନ ଉତ୍କଳୀୟ ଗୃହସ୍ଥ ଗୋ-ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଏଠାରେ ଚାଲୁରଖିଛନ୍ତି ଏହି ପରିବାର। ଗୋ ମାତା ଭାବେ ଏଠାରେ ପ୍ରତ୍ୟେହ ଗୋରୁଗାଈଙ୍କୁ ପୂଜା କରାଯାଏ। ଏଠି ଗାଈମାନେ ବନ୍ଧା ହୁଆନ୍ତିନି। ସେଥିପାଇଁ ଖୁଣ୍ଟ ନାହିଁ। ଏକ ବିରାଟ ସ୍ଥାନକୁ ବାଡ଼ କରି ଏହା ଭିତରେ ଗୋରୁମାନଙ୍କୁ ଛାଡ଼ି ଦିଆଯାଇଛି। ଗୋରୁଗାଈଙ୍କ ରହଣି ନିମନ୍ତେ ଅଜବେଷ୍ଟସ୍ ଘରମାନ କରାଯାଇଛି। ଏଠାରେ ସେମାନଙ୍କ ଖାଇବା ଓ ପିଇବାର ସବୁ ବନ୍ଦୋବସ୍ତ କରାଯାଇଛି।
ଡକ୍ଟର ମିଶ୍ର ବେଶ ଉଚ୍ଚ ଶିକ୍ଷିତ। ମୁମ୍ବାଇରେ ଉଚ୍ଚ ପଦବୀରେ ଚାକିରି କରିଥିଲେ। ହେଲେ ଚାକିରି ଛାଡି ସେ ଗାଁରେ ପହଞ୍ଚିବା ପରେ ଗୋସେବାରେ ଲାଗିଛନ୍ତି। ତାଙ୍କ ସହ ତାଙ୍କ ପାଠ ପଢୁଆ ପୁଅ ଲୋପେଶ ମିଶ୍ର ମଧ୍ୟ ଗୋ ସେବାରେ ସାହାଯ୍ୟ କରୁଛନ୍ତି। ଗୋରୁମାନଙ୍କ ଯତ୍ନ ନିମନ୍ତେ ସେ କିଛି ଗୋ-ସେବକଙ୍କୁ ମଧ୍ୟ ଏଠାରେ ନିଯୁକ୍ତି ହେଇଛନ୍ତି।
ଡକ୍ଟର ମିଶ୍ର କହିଛନ୍ତି, ଗୋଶାଳାକୁ ପୂର୍ବରୁ ବାପା ସମ୍ଭାଳୁ ଥିଲେ। ବାପାଙ୍କ ଅନ୍ତେ ଅନ୍ୟ ଭାଇମାନେ ଏହି ଦାୟିତ୍ୱ ତାଙ୍କ ଉପରେ ଦେଇଥିଲେ। ଗୋଶାଳା ପରିଚାଳନା କରିବା ତାଙ୍କ ନିମନ୍ତେ ସମ୍ମାନ କିମ୍ବା ଅସମ୍ମାନର ପ୍ରଶ୍ନ ନ ଥିଲା। ପରମ୍ପରାକୁ ବଜାୟ ରଖିବା ତାଙ୍କ ନିମନ୍ତେ ଚ୍ୟାଲେଞ୍ଚ ସୃଷ୍ଟି କରିଥିଲା। କାରଣ ଗୋ-ସମ୍ବର୍ଦ୍ଧନ ବିଭିନ୍ନ ରାଜ୍ୟରେ ବିଲୁପ୍ତ ହୋଇଗଲାଣି। କୁଳିନ ବ୍ରାହ୍ମଣ କୂଳରେ ଜନ୍ମ ହୋଇ ଗୋ, ଗାୟତ୍ରୀ ଓ ବେଦର ପୂଜା କରିବା ନିହାତି ଜରୁରୀ ଥିଲା। ଏହାକୁ ବଜାୟ ରଖିବାକୁ ଆପ୍ରାଣ ଉଦ୍ୟମ ଜାରି ରହିଛି। ବୃନ୍ଦାବନ ଯାଇ ଗିରିଗାଈ ଓ କପିଳା ଗାଈ ଆଣିଛନ୍ତି। ଗାଈ ସଂଖ୍ୟା ବଢ଼ାଇବା ନିମନ୍ତେ ପ୍ରତି ଦୁଇବର୍ଷ ଅନ୍ତରରେ ବାହାରୁ ସମାନ କିଶମର ଷଣ୍ଢ ମଧ୍ୟ ଅଣାଯାଏ। ଗୁଜୁରାଟ, ମଥୁରା, ରାଜସ୍ଥାନରୁ ଏହି ସବୁ ଗାଈ ଷଣ୍ଢ ଆଣି ପ୍ରାୟ ୨୧ଟି ଗୋତ୍ରର ଗାଈର ସଂରକ୍ଷଣ କରାଯାଇପାରିଛି।
ମୁକ୍ତ ସଂଚାର ନିୟମ ଅନୁଯାୟୀ ଗୋରୁମାନଙ୍କୁ ବନ୍ଧା ଯାଏନି। କେବଳ ଆଶ୍ରମ ଓ ମନ୍ଦିର ନିମନ୍ତେ ଜରୁରୀ ପଡ଼ିଲେ ଦୁଗ୍ଧ ବାହାର କରାଯାଏ। ନଚେତ୍ ବାଛୁରୀମାନେ ସବୁ ଦୁଗ୍ଧ ପିଇଥାନ୍ତି। ବୈଦ୍ୟରାଜ ପରିବାରରୁ ଶିକ୍ଷା ପାଇଥିବାରୁ ଗୋମୂତ୍ର ଓ ଗୋବରରୁ ବିଭିନ୍ନ ପ୍ରକାର ଆୟୁର୍ବେଦ ଔଷଧ ପ୍ରସ୍ତୁତ କରାଯାଏ। ଯିଏ ମାଗେ ତାକୁ ମାଗଣା ଦିଆଯାଏ। ଗୋବରରୁ ଗ୍ୟାସ, ଇଟା ଓ ଜୈବିକ ଖତ ପ୍ରସ୍ତୁତି କରାଯାଏ। ଖତ କ୍ଷେତରେ ବ୍ୟବହାର ହୁଏ। ଇଟା ଘରେ ବ୍ୟବହାର ହୁଏ। ଏହି ଇଟା ବ୍ୟବହାର ଦ୍ୱାରା ଘରକୁ ବାହ୍ୟ କିଟାଣୁ ଓ ଭୂତାଣୁ ଆକ୍ରମଣରୁ ସୁରକ୍ଷା ମିଳିଥାଏ। ଏଭଳି କରି ଜୀବନରେ ବହୁ ଶାନ୍ତି ମିଳିଛି। ଭଗବାନଙ୍କ ପାଖରେ ଉଚ୍ଚ ନିଚ ପଦ ଭେଦ ନ ଥିବା ଭଳି, ଗୋମାତାଙ୍କ ସେବାରେ ବ୍ରତି ହେବା ପରେ ସେହିପରି ପଦର ଇଚ୍ଛା ନାହିଁ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।