ଆନନ୍ଦପୁର(ମୁନ୍ନା ସିଂ): ଅଣ୍ଟାରେ ବଳନାହିଁ। ଚାଲି ପାରୁ ନାହାନ୍ତି। ସେଥିପାଇଁ କିଏ ନିଜ ପତ୍ନୀଙ୍କୁ ଆଶ୍ରା ବାଡ଼ି କରିଛନ୍ତି ତ ଆଉ କିଏ ବାଡ଼ିର ସାହାରା ନେଇଛନ୍ତି। ଆଉ କିଏ ଦିବ୍ୟାଙ୍ଗ ଯନ୍ତ୍ରଣାରେ ଜର୍ଜରିତ ହୋଇ ହାମ୍ୱୁଡାଇ ହାମ୍ୱୁଡାଇ ବ୍ଲକ ଅଫିସ୍ ଆସିଛନ୍ତି। ହେଲେ ବାବୁ ମହାଶୟ ଅଧା କଥା ଶୁଣି ବ୍ୟାଙ୍କରେ ଭତ୍ତା ଟଙ୍କା ଜମା ହୋଇଛି କହି ବୃଦ୍ଧା, ବୃଦ୍ଧ ଓ ଦିବ୍ୟାଙ୍ଗମାନଙ୍କୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ୫ ମାସ ଧରି ଭତ୍ତା ଟଙ୍କା ନପାଇ ହିତାଧିକାରୀମାନେ ନାନା ଅସୁବିଧାରେ ପଡ଼ୁଛନ୍ତି। ଏପରି ଖବର ଆସିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରୁ।
ହାଟଡ଼ିହି ବ୍ଲକ୍ ସମଣା ପଞ୍ଚାୟତରେ ୫୨ ଜଣ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। କିଏ ୫ ମାସ ତ ଆଉ ୬ ମାସ ହେଲା ଭତ୍ତା ପାଇନାହାନ୍ତି। ହିତାଧିକାରୀମାନେ ଭତ୍ତା ଟଙ୍କା ଉଠାଇବା ପାଇଁ ଗଲେ, ବ୍ୟାଙ୍କ କହୁଛି ଟଙ୍କା ଆସିନି। ବ୍ଲକ୍ ଅଫିସ୍ ଗଲେ, ସେଠାରେ କୁହାଯାଉଛି ଆକାଉଣ୍ଟରେ ଜମା ହୋଇଯାଇଛି ଟଙ୍କା। ଭତ୍ତା ଟଙ୍କା ନପାଇ ବ୍ୟାଙ୍କ, ପଞ୍ଚାୟତ ଓ ବ୍ଲକ ଅଫିସ୍ ଦୌଡ଼ି ନୟାନ୍ତ ହେଉଛନ୍ତି ହିତାଧିକାରୀ।
ଅନ୍ୟପକ୍ଷରେ ଭତ୍ତା ଟଙ୍କା ମିଳୁନଥିବାରୁ ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗମାନେ ଆର୍ଥିକ ସଙ୍କଟ ଭିତରେ ଗତି କରୁଛନ୍ତି। କିଏ ମେଡିସିନ୍ କିଣି ପାରୁନାହାନ୍ତି ତ ଆଉ କିଏ ଡାଲି ଚାଉଳ କିଣିପାରୁନାହାନ୍ତି। ନାନା ଅସୁବିଧା ଭିତରେ ଗତି କରିବାକୁ ପଡ଼ୁଛି। ଅଭିଯୋଗ ନେଇ ବ୍ଲକ ଅଫିସ୍ ଗଲେ ବିଡିଓ ଧରାଛୁଆଁ ଦେଉନଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।
ଭତ୍ତା ପାଇନଥିବା ୫୨ ଜଣଙ୍କ ମଧ୍ୟରେ ୪୧ ଜଣ ଭିନ୍ନକ୍ଷମ ଥିବା ବେଳେ ଅନ୍ୟମାନେ ବିଧବା ଅଛନ୍ତି। ଏହି ହିତାଧିକାରୀମାନେ ପୂର୍ବରୁ ଠିକ୍ ସମୟରେ ଭତ୍ତା ଟଙ୍କା ପାଉଥିଲେ। ହେଲେ ଅନ୍ଲାଇନ୍ରେ ଟଙ୍କା ଟ୍ରାନ୍ସଫର ବ୍ୟବସ୍ଥା ହେବା ପରଠାରୁ ନାନା ଅବ୍ୟବସ୍ଥା ଲାଗି ରହିଥିଲା। ଟଙ୍କା ଉଠାଇ ପାଇଁ ବ୍ୟାଙ୍କକୁ ଯିବାକୁ ପଡ଼ୁଛି। ଆଉ ବ୍ୟାଙ୍କ ଗାଁରୁ ୭ରୁ ୮ କିମି ଦୂରରେ ଥିବାରୁ ଅଟୋ ଭଡ଼ା କରି ଯିବାକୁ ପଡ଼ୁଛି। ସେଥିପାଇଁ ଅଟୋ ନେଉଛି ୨୦୦ ଟଙ୍କା। ବାକି ୩୦୦ ଟଙ୍କାରେ କେମିତି ଚଳିବୁ ବୋଲି କହିଛନ୍ତି ଜଣେ ହିତାଧିକାରୀ। ସେପରି ସ୍ଥିତିରେ ଗତ ୫ରୁ ୬ ମାସ ହେଲା ଭତ୍ତା ଟଙ୍କା ମିଳିନି। ଏବେ ଆମେ କେମିତି ଅଛୁ? ଆମ କଥା କେହି ବୁଝୁନାହାନ୍ତି।
ଭତ୍ତା ଟଙ୍କା ନପାଇବାକୁ ନେଇ ଜଣେ ହିତାଧିକାରୀ ଭଗବାନ ସାହୁ କହିଛନ୍ତି, ୫ ମାସ ହେଲା ଭତ୍ତା ପାଉନାହିଁ। ବହୁତ ଅସୁବିଧାରେ ରହୁଛି। ମେଡିସିନ୍ ଖାଇବାକୁ ପାଇସା ପାଉନାହିଁ। ଭତ୍ତା ଟଙ୍କା ଉଠାଇବା ପାଇଁ ୩ ଥର ବ୍ୟାଙ୍କ ଗଲି। ହେଲେ ଟଙ୍କା ଆସିନଥିବା କହି ଫେରାଇଦେଲେ ବୋଲି କହିଛନ୍ତି ଭଗବାନ।
ଆଉ ଜଣେ ହିତାଧିକାରୀ ଇନ୍ଦୁମତି ସାହୁ କହିଛନ୍ତି, ଭତ୍ତା ଟଙ୍କା ନପାଇ ବ୍ଲକକୁ ଯାଇଥିଲୁ। ସେଠାରେ କୁହାଯାଉଛି ତୁମ ବହିରେ ଟଙ୍କା ଛଡ଼ା ଯାଇଛି। ଦିନ ସାରା ବ୍ୟାଙ୍କରେ ଲାଇନ୍ରେ ଛିଡ଼ା ହେବା ପରେ ଜାଣିବାକୁ ପାଉଛୁ ଭତ୍ତା ଟଙ୍କା ଆସିନି। କ’ଣ ଅସୁବିଧା ହେଉଛି ଜାଣିପାରୁ ନାହୁଁ ବୋଲି ଇନ୍ଦୁମତି କହିଛନ୍ତି।
ଆଉ ଜଣେ ହିତାଧିକାରୀ ଗଙ୍ଗାଧର ସାହୁ କହିଛନ୍ତି, ୫ ମାସ ହେଲା ଭତ୍ତା ଟଙ୍କା ପାଇନୁ। କଣ କରିବୁ? ଜୁଆଡ଼େ ଗଲେ କହୁଛନ୍ତି, ଭତ୍ତା ଟଙ୍କା ନାହିଁ ବୋଲି ଗଙ୍ଗାଧର କହିଛନ୍ତି।
୫ ମାସ ହେଲା କ’ଣ ପାଇଁ ହିତାଧିକାରୀଙ୍କୁ ମିଳୁନି ଭତ୍ତା? ଏହାର ଉତ୍ତର କାହା ପାଖରେ ନଥିବା ବେଳେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ତେବେ ଏନେଇ ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ କହିଛନ୍ତି, ଲୋକମାନେ ଯେପରି ହଇରାଣ ନହେବେ, ସେଥିପ୍ରତି ଧ୍ୟାନ ଦେବାକୁ ବ୍ୟାଙ୍କରଙ୍କୁ କୁହାଯାଇଥିଲା। ପେମେଣ୍ଟ ବ୍ୟାଙ୍କିଂ ସିଷ୍ଟମ ମାଧ୍ୟମରେ ଘରକୁ ଘର ଯାଇ ଭତ୍ତା ଟଙ୍କା ଦେବାକୁ କୁହାଯାଇଥିଲା। ହେଲେ କ’ଣ ପାଇଁ ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ଯାଉନାହିଁ? ତାହା ଉପରେ ତର୍ଜମା କରାଯିବ। ୧୫ ଦିନ ଭିତରେ ହିତାଧିକାରୀଙ୍କ ସମସ୍ୟା ସମାଧାନ ହୋଇଯିବ ବୋଲି ଉପଜିଲ୍ଲାପାଳ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।