ପେପର ବିକି ସ୍କୁଲ ଯାଏ, ଫେରିଲେ ଦୋକାନରେ କାମ କରେ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଶୈଶବ ବୋହୁଛନ୍ତି ପରିବାର ବୋଝ। ଅକାଳରେ ବାପାଙ୍କ ଦେହାନ୍ତ ପରେ ରୋଗୀଣା ମାଆ ଓ ସାନ ଭାଇ ମୁହଁରେ ଆହାର ଦେବା ପାଇଁ ଘରକୁ ଘର ବୁଲି ଖବରକାଗଜ ବାଣ୍ଟୁଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ର ଚୁମନ ରାଓ। ଆଉ ପାଲଟି ଯାଇଛନ୍ତି ପେପର ବୟ। ଡାକ୍ତର ହେବାର ସ୍ୱପ୍ନରେ ସକାଳୁ ରାତି ଯାଏଁ କରିଚାଲିଛନ୍ତି ସଂଘର୍ଷ।

ବଲାଙ୍ଗିର ସହର କନ୍ଧପାଲି ପଡାର ସିଭିଲ ରାଓ। ପେସାରେ ଜଣେ ଠିକାଦାର। ପରିବାର କହିଲେ ପତ୍ନୀ ସୁନେନ୍ୟା, ବଡ଼ପୁଅ ଚୁମନ ଓ ସାନ ପୁଅ। ଭଲ ରୋଜଗାର ହେଉଥିବାରୁ ଚୁମନ ସରସ୍ୱତୀ ଶିଶୁ ମନ୍ଦିରରେ ପାଠ ପଢ଼ୁଥିଲେ। ଆଉ ସ୍କୁଟିରେ ଯିବା ଆସିବା କରୁଥିଲେ। ହେଲେ ହଠାତ୍‌ ସିଭିଲ୍‌ ଓରାମ ଯକୃତ ଜନିତ ରୋଗରେ ପୀଡ଼ିତ ହେଲେ। ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ଭଲ ହେଲାନାହିଁ। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସିଭିଲଙ୍କର ମୃତ୍ୟୁ ଘଟିଥିଲା।

ସ୍ୱାମୀଙ୍କ ମୃତ୍ୟୁ ପରେ ସୁନେନ୍ୟା ଭାଙ୍ଗି ପଡ଼ିଥିଲେ। ଦୁଇ ପୁଅଙ୍କୁ ନେଇ କେମିତି ପରିବାରକୁ ଆଗକୁ ବଢ଼ିବେ, ସେହି ଚିନ୍ତାରେ ପଡ଼ିଗଲେ। କିଛି ଦିନ ଦୁଃଖ କଷ୍ଟରେ ଚଳିଗଲେ। ହେଲେ ଆଉ ବେଶୀ ଦିନ ଅଣ୍ଟା ସଳଖି ପାରିଲେ ନାହିଁ। ଟିବି ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଲେ। ଠିକ୍‌ରେ ଚାଲି ବୁଲି ପାରିଲେ ନାହିଁ। ତେଣୁ ପୂରା ପରିବାର ବୋଝ ପଡ଼ିଲା ୧୩ ବର୍ଷୀୟ ବଡ଼ପୁଅ ଚୁମନ ଉପରେ। ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଚୁମନ ବଲାଙ୍ଗିର ସରକାରୀ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟରେ ନାଁ ଲେଖାଇଲେ। ସ୍କୁଲରେ ନାମ ଲେଖାଇଲେ, ହେଲେ ପଢ଼ିବେ କେମିତି?

ଘରେ ରୋଗୀଣା ମାଆ ଓ ୭ ବର୍ଷର ଛୋଟ ସାନ ଭାଇ। ତା’ପରେ ପାଠ ପଢ଼ିବାର ନିଶା। ଖାଲି ପାଠ ପଢ଼ିବେ ନାହିଁ, ଡାକ୍ତର ହେବେ। ହେଲେ ଏତେ ଗୋଡାଏ ସ୍ୱପ୍ନ ପୂରଣ କରିବା ପାଇଁ ଚୁମନଙ୍କ ପାଖରେ କୌଣସି ଯାଦୁର ବାଡ଼ି ନାହିଁ। ତେଣୁ ତାଙ୍କୁ ଘରୁ ଗୋଡ଼ କାଢ଼ିବାକୁ ପଡ଼ିବ। ଏପରିକି ସେ ଘରୁ ଗୋଡ଼ କଢ଼ିଲେ। ଘରକୁ ଘର ବୁଲି ପେପର ପକାଇଲେ। ଆଉ ବନି ଗଲେ ପେପର ବୟ୍‌।

ଶୀତୁଆ ସକାଳ। ସହର ପ୍ରାୟତଃ ଉଠିନାହିଁ। ତା’ ବୟସର ପିଲାମାନେ ବିଛଣା ଛାଡ଼ିନାହାନ୍ତି। ତାହାହି ଭିତରେ ଭୋରୁ ୫ଟାରୁ ବିଛଣାରୁ ଉଠି ପଡ଼ୁଥିଲେ ଚୁମନ୍‌। ମୁହଁ ଧୋଇ ସାଇକେଲ୍‌ ଧରି ଧାଇଁ ଯାଉଥିଲେ ବଲାଙ୍ଗିର ସରକାରୀ ବସ୍‌ଷ୍ଟାଣ୍ଡ୍‌। ସେଠାରୁ ଖବର କାଗଜ ଧରି ସହରର ଏ ଗଳି ସେ ଗଳି ଘୂରି ବୁଲୁଥିଲେ। ଆଉ ଘରକୁ ଘର ପେପର ପକାଉଥିଲେ। ୧୦୦ରୁ ଅଧିକ ଘରେ ଖବର କାଗଜ ପକାଇ କ୍ଲାନ୍ତ ଶରୀରକୁ ଧରି ସକାଳ ପ୍ରାୟ ୮ରୁ ୯ଟା ଭିତରେ ଘରକୁ ଫେରୁଥିଲେ ଚୁମନ୍‌।

ସାନ ଭାଇ ସହିତ ଦୁଇ ପଦ କଥା ହେଉଥିଲେ। ଆଉ ତା’ପରେ ଗାଧୋଇ ରୋଗୀଣା ମାଆ ଯାହା ରାନ୍ଧି ଥାଆନ୍ତି, ତାକୁ ଖାଇ ସ୍କୁଲ ପଳାଇ ଯାଉଥିଲେ। ଶ୍ରେଣୀ ଗୃହରେ ମନ ଦେଇ ପାଠ ପଢ଼ୁଥିଲେ। ଟ୍ୟୁସନ୍‌ ହେବାକୁ ପାଖରେ ଅର୍ଥ ନଥିବାରୁ ସାର୍‌ଙ୍କ ପାଖରେ ନିଜର ଡାଉଟ୍‌ କ୍ଲିଅର କରୁଥିଲେ। ଚୁମନକୁ ପାଠ ପଢାଉଥିବା ଶିକ୍ଷକଙ୍କ କହିବା ଅନୁସାରେ ସେ ଜଣେ ମେଧାବୀ ଛାତ୍ର। ସେ କେବଳ ମେଧାବୀ ତାହା ନୁହେଁ, ଶୃଙ୍ଖଳାରେ ମଧ୍ୟ ନମ୍ବର ୱାନ।

ସ୍କୁଲ ଛୁଟି ହେବା ପରେ ଚୁମନ୍‌ ଘରକୁ ଫେରୁଥିଲେ। ଘରେ ଏଣୁତେଣୁ ଗଣ୍ଡେ ଖାଇଦେଇ ଚାଲି ଯାଉଥିଲେ ଏକ ସାଇକେଲ୍‌ ଦୋକାନକୁ। ସେଠାରେ ହେଲ୍‌ପର ଭାବେ କାମ କରୁଥିଲେ। ଦୁଇରୁ ତିନି ଘଣ୍ଟା ଧରି କାମ କରିବା ସନ୍ଧ୍ୟାରେ ଘରକୁ ଫେରୁଥିଲେ। ସ୍କୁଲରେ ପଢ଼ା ଯାଇଥିବା ପାଠକୁ ମନଦେଇ ପଢ଼ୁଥିଲେ। ଆଉ ପାଠ ପଢ଼ାରୁ ସାମାନ୍ୟ ଫୁରସତ ମିଳିଲେ ସାନ ଭାଇ ସହିତ ଖେଳୁଥିଲେ। ତା’ପରେ ଖାଇପିଇ ଶୋଇ ପଡୁଥିଲେ। ଆଉ ଅପେକ୍ଷା କରୁଥିଲେ ଆଉ ଏକ ସକାଳକୁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।