ଅନୁଗୋଳ: ପାନୀୟଜଳ ସମସ୍ୟା ଉତ୍କଟ, ନାଳ ପାଣି ପିଉଛନ୍ତି ସୁବର୍ଣ୍ଣପୁର ଗ୍ରାମବାସୀ

ଅନୁଗୋଳ: ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳ ସମସ୍ୟା ବଢିବାରେ ଲାଗିଛି। ଲୋକେ ପିଇବା ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି। ଜଳସ୍ତର ନିମ୍ନଗାମୀ ହୋଇଯାଇଥିବାରୁ ନଳକୂପଗୁଡିକ ଅଚଳ ହୋଇଯିବା ସହ ଜଳ ଉତ୍ସଗୁଡିକ ଶୁଖିଯାଇଛି। ସରକାର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ବ୍ୟବସ୍ଥା କରିବା ସହ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ପ୍ରଶାସନିକ ଅବହେଳାରୁ ଏହାର ସଠିକ ରୂପାୟନ ହୋଇପାରୁନାହିଁ। ଏପରି ସମସ୍ୟା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ସୁବର୍ଣ୍ଣପୁର […]

anugulpani

Rakesh Mallick
  • Published: Saturday, 06 June 2015
  • , Updated: 06 June 2015, 10:07 AM IST

ଅନୁଗୋଳ: ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳ ସମସ୍ୟା ବଢିବାରେ ଲାଗିଛି। ଲୋକେ ପିଇବା ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି। ଜଳସ୍ତର ନିମ୍ନଗାମୀ ହୋଇଯାଇଥିବାରୁ ନଳକୂପଗୁଡିକ ଅଚଳ ହୋଇଯିବା ସହ ଜଳ ଉତ୍ସଗୁଡିକ ଶୁଖିଯାଇଛି। ସରକାର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ବ୍ୟବସ୍ଥା କରିବା ସହ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ପ୍ରଶାସନିକ ଅବହେଳାରୁ ଏହାର ସଠିକ ରୂପାୟନ ହୋଇପାରୁନାହିଁ। ଏପରି ସମସ୍ୟା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ସୁବର୍ଣ୍ଣପୁର ଗାଁରେ । ଜିଲ୍ଲା ସଦର ମହକୁମାଠାରୁ ଅଳ୍ପକିଛି ଦୂରରେ ଥିବା ଏହି ଗାଁର ଲୋକେ ପିଇବା ପାଣି ଟୋପେ ପାଇଁ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ଅନୁରୋଧ କଲେ ମଧ୍ୟ କିଛି ଲାଭ ହେଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଜିଲା ସଦର ମହକୁମାଠାରୁ ମାତ୍ର ପ୍ରାୟ ୭ କି.ମି. ଦୂରରେ ରହିଛି ସୁବର୍ଣ୍ଣପୁର ଗ୍ରାମ । ଗ୍ରାମର ମୋଟ ଜନସଂଖ୍ୟା ପ୍ରାୟ ୧୦୦୦ । ଏମାନଙ୍କ ବ୍ୟବହାର ପାଇଁ ଗ୍ରାମରେ ରହିଛି ୬ଟି ନଳକୂପ । ଏହାସହ ଗ୍ରାମରେ ଥିବା ଘରୋଇ କୂଅର ପାଣିକୁ ମଧ୍ୟ ଗ୍ରାମବାସୀ ପାନୀୟଜଳ ଭାବେ ବ୍ୟବହାର କରଥିଲେ । ମାତ୍ର ଗ୍ରାଷ୍ମ ପ୍ରବାହ ଯୋଗୁ ଏହି କୂଅଗୁଡିକ ଶୁଖି ଯାଇଛି। ୫ ନଳକୂପ ଅଚଳ ହୋଇଯାଇଛି। ଠିକ ଥିବା ଗୋଟିଏ ନଳକୂପରୁ ଭୂତଳ ଜଳସ୍ତର ହ୍ରାସ ଯୋଗୁ ଆବଶ୍ୟକ ପରିମାଣର ପାଣି ବାହାରୁ ନାହିଁ। ଫଳରେ ଗ୍ରାମବାସୀ ଗ୍ରାମ ନିକଟରେ ଥିବା ପୋଖରୀ ଓ ନନ୍ଦିରା ନାଳରୁ ପାଣି ଆଣି ବ୍ୟବହାର କରୁଛନ୍ତି। ଏହି ପାଣି ଦୂଷିତ ହୋଇଥିଲେ ମଧ୍ୟ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଏହାକୁ ବ୍ୟବହାର କରୁଛନ୍ତି। ମୁଣ୍ଡଫଟା ଖରାରେ ଗ୍ରାମର ମହିଳାମାନେ ଏହି ପୋଖରୀ ଓ ନାଳରୁ ପାଣି ଆଣିଥାନ୍ତି। ସେହିପରି ଗ୍ରାମର ପୁରୁଷମାନେ ଶଗଡରେ ପାଣି ବୋହି ହୋଇ ଆଣୁଥିବା ଦେଖିବାକୁ ମିଳୁଛି। ଛୋଟ ପୋଖରୀ ଓ ନାଳରେ ଗ୍ରାମବାସୀ ଗାଧୁଆଠାରୁ ଆରମ୍ଭ କରି ଲୁଗା ସଫା ଓ ଶୌଚାଦି କାର୍ଯ୍ୟ କରିଥାନ୍ତି। ଏହାସହ ଗୃହପାଳିତ ପ୍ରାଣୀ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି।

ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି । ହେଲେ ସୁବର୍ଣ୍ଣପୁର ଗ୍ରାମବାସୀ ବର୍ଷ ବର୍ଷ ଧରି ପାନୀୟଜଳ ସମସ୍ୟାରେ ଛନ୍ଦି ହୋଇ ହିନସ୍ତା ହେଉଥିଲେ ମଧ୍ୟ ଏଠାରେ ଏକ ଗଭୀର ନଳକୂପ ଖୋଲିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉ ନ ଥିବା ଅଭିଯୋଗ ହେଉଛି। ଏ ନେଇ ଏବିଡିଓ ସୁବାସ ଚନ୍ଦ୍ର ଦାସଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଗ୍ରାମରେ ଏକ ଗଭୀର ନଳକୂପ ବସାଯିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯାଇଥିଲା। ମାତ୍ର ସେଠାରେ ଭୂତଳ ଜଳସ୍ତର ବହୁ ତଳେ ରହୁଥିବାରୁ ତାହା ସମ୍ଭବ ହୋଇପାରିଲା ନାହିଁ। ସମସ୍ୟାକୁ ଦୃଷ୍ଟିରେ ରଖି ଟ୍ୟାଙ୍କର ଯୋଗେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯାଉଥିବା ସେ ପ୍ରକାଶ କରିଛନ୍ତି।

Related story