ଗୁପ୍ତଯୁଗୀୟ ଭାସ୍କର୍ଯ୍ୟର ଜୀବନ୍ତ ଦସ୍ତାବିଜ୍- ବଙ୍କାଡ଼ଗଡ଼ର ଐତିହାସିକ ଶିବମନ୍ଦିର 

(ନିରୋଜ ମୁଦୁଲି): ବଙ୍କାଡ଼ଗଡ଼। ଦିନେ କୋଙ୍ଗଦ ରାଜ୍ୟର ଶୈଳୋଦ୍ଭବ ରାଜବଂଶର ଶାସକଙ୍କର ଏହା ଥିଲା ଏକ ଗିରିଦୁର୍ଗ। ଷଷ୍ଠ ଶତାଦ୍ଦୀରେ ଗୁପ୍ତଯୁଗୀୟ କଳାସ୍ଥାପତ୍ୟର ଜୀବନ୍ତ ଦସ୍ତାବିଜ୍ ସାଜିଛି ବଙ୍କାଡ଼ଗଡ଼ର ପ୍ରାଚୀନ ଶିବ ମନ୍ଦିର। ଏକ ବିଶାଳ ପାହାଡ଼ର ପାଦଦେଶରେ ବିଦ୍ୟମାନ ଏହି ଜରାଜୀର୍ଣ୍ଣ ଶିବମନ୍ଦିର। ଏହି ମନ୍ଦିର ସେଦିନର ବଙ୍କାଡ଼ଗଡ଼ର ଧର୍ମୀୟ ଭାବନାକୁ ଉଦ୍ରେକ କରିଥାଏ।

ବଙ୍କାଡ଼ଗଡ଼ ଯିବାକୁ ହେଲେ ୧୬ନମ୍ୱର ଜାତୀୟ ରାଜପଥରେ ଆପଣଙ୍କୁ ଯିବାକୁ ହେବ ଖୋର୍ଦ୍ଧା ଜିଲ୍ଲାର ବାଣପୁର ସହର। ସେଠାରୁ ଏକ ଘାଟିରାସ୍ତା ମଧ୍ୟଦେଇ ପ୍ରାୟ ୨୦ କିଲୋମିଟର ଗଲା ପରେ ପଡ଼ିବ ନୀଳାଦ୍ରିପ୍ରସାଦ ଗାଁ। ସେହିଠାରୁ ପ୍ରାୟ ୨ କିଲୋମିଟର ଭିତରକୁ ଗଲେ ଆପଣ ଦେଖିପାରିବେ ବଙ୍କାଡ଼ଗଡ଼ର ଏହି ଐତିହାସିକ ଶିବମନ୍ଦିର।

bankagada1

ମୁଖ୍ୟ ମନ୍ଦିରର ଚତୁଃପାର୍ଶରେ ରହିଛି ଆଖି ଖୁସୀ ହେଲା ଭଳି କାରୁକାର୍ଯ୍ୟ। ପଥରରେ ସୂକ୍ଷ୍ମ କଳାଚାତୁର୍ଯ୍ୟକୁ ଦେଖିଲେ ଆପଣ ନିଶ୍ଚିତ ଭାବେ ଚକିତ ହୋଇଯିବେ। ଆଉ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବ ଯେ, କୋଣାର୍କ ଏବଂ ପୁରୀ ମନ୍ଦିରର ବହୁ ବର୍ଷ ପୂର୍ବରୁ କ’ଣ ନିର୍ମିତ ହେଇପାରେ ଏମିତି ଏକ ଭବ୍ୟ ମନ୍ଦିର! ଐତିହାସିକ ଦୃଷ୍ଟିକୋଣରୁ ଏହି ଶିବମନ୍ଦିରର କୀର୍ତ୍ତିରାଜି ଅନେକ ଗୁରୁତ୍ୱ ରଖେ। ଗବେଷକ ଡ଼ଃ ସତ୍ୟ ଷଡ଼ଙ୍ଗୀଙ୍କ ମତରେ ଏହି ଶିବମନ୍ଦିର ଗୁପ୍ତଯୁଗୀୟ ଭାସ୍କର୍ଯ୍ୟର ପରିଚୟ ଦିଏ। ମନ୍ଦିରରେ ଅବସ୍ଥାପିତ ମୂର୍ତ୍ତିଗୁଡିକର କମନୀୟତା, ଶାବଲୀଳ ଭଙ୍ଗୀ ବିଶେଷ ଭାବେ ପ୍ରକାଶ ପାଇଥାଏ। ମୂର୍ତ୍ତିଗୁଡିକୁ ଲକ୍ଷ୍ୟ କଲେ ଏହାର ଚକ୍ଷୁ ଧନୁ ସଦୃଶ, ଓଠ ପକ୍ୱ ଆମ୍ୱ ଭଳି ଏବଂ ବାହୁଗୁଡିକ ହାତୀର ଶୁଣ୍ଢ ଭଳି ସୁନ୍ଦର ଭାବେ ପ୍ରତୀୟମାନ ହେଉଥିବ, ଯାହାକି ଗୁପ୍ତଯୁଗୀୟ କଳା ବୈଶିଷ୍ଠ୍ୟର ପ୍ରମାଣ ଦେଉଛି।

bankagada3

ଏହି ଐତିହାସିକ ଶିବ ମନ୍ଦିରର ଭିତର ବେଢ଼ାରେ ପଥରର ସୂକ୍ଷ୍ମ କାରୁକାର୍ଯ୍ୟଖଚିତ ବିଭିନ୍ନ ପ୍ରାଚୀନ ମୂର୍ତ୍ତି। ଗର୍ଭଗୃହର ଉପର ଚଉପାଢୀରେ ନବଗ୍ରହଙ୍କ ବଦଳରେ ଦେଖିବାକୁ ମିଳେ ଭିନ୍ନ ପ୍ରକାରର ମୂର୍ତ୍ତି। ମନ୍ଦିରର ପରିସରରେ  ପଡ଼ି ରହିଥିବା ଶିଲାଲେଖା ଅନେକ ଗୁରୁତ୍ୱପୂର୍ଣ୍ଣ ବିବରଣୀ ପ୍ରଦାନ କରେ। ଏଠାରେ ରହିଛି ଏକ ବିଶାଳ ଶିବଲିଙ୍ଗ। ଏହାର ବିଶେଷତ୍ୱ ହେଉଛି ଏଥିରେ ଖୋଦିତ ହେଇଥିବା  ହଜାରଟି ଛୋଟ ଛୋଟ  ଶିବଲିଙ୍ଗ। ଏହା ଦେଖଣାହାରୀଙ୍କୁ ଚକିତ କରିଥାଏ।

bankadagd4

ଏହି ଶିବ ମନ୍ଦିରର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ଯେ, ଏହା ଏକ ପଶ୍ଚିମମୁଖା ଶିବମନ୍ଦିର। ଏହାର ଚାରିପଟେ ୬ଟି ଜ୍ୟୋତିର୍ଲିଙ୍ଗ ସହିତ ମନ୍ଦିରର ଗର୍ଭଗୃହରେ ଜ୍ୟୋତିର୍ଲିଙ୍ଗ ବିଦ୍ୟମାନ। ହେଲେ ଏହି ଜ୍ୟୋତିର୍ଲିଙ୍ଗଙ୍କୁ ଚତୁଃପାର୍ଶ୍ୱରେ ଯେଉଁ ଶକ୍ତିଙ୍କର ସୋମଧାରା ରହିବା କଥା ତାହା ଦେଖିବାକୁ ମିଳେନା। ତେଣୁ ଏଥିରୁ ଅନୁମାନ କରାଯାଏ ତତ୍କାଳୀନ ପୂଜାପଦ୍ଧତିରେ ଜଳ ବା କ୍ଷୀର ଅଭିଷେକ ବୋଧହୁଏ ହେଉ ନ ଥିଲା।

୧୯୭୯ ମସିହାଠାରୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହାକୁ ହାତକୁ ନେଇଥିଲେ ବି ଖୁବ୍ ମନ୍ଥର ଗତିରେ ଏହାର ପୁନରୁଦ୍ଧାର କାମ ଚାଲିଛି। ଏହି ଐତିହାସିକ ଜାଗା ତଥା ମନ୍ଦିର  ପ୍ରତି  ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏଠାକୁ ପଡିଥିବା ରାସ୍ତାଘାଟ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରତି ଦୃଷ୍ଟିଦେବା ଦରକାର।

4

ଏହି ମନ୍ଦିର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରାଜ୍ୟ ସରକାର ଏହି ମନ୍ଦିରର ସଂରକ୍ଷଣର ଦାୟିତ୍ୱ ହାତକୁ ନେବା ପୂର୍ବରୁ ଏହାର ଅନେକ ମୂର୍ତ୍ତି ହଜିଯାଇଛି କିମ୍ୱା ଚୋରି ହୋଇଥିବା କୁହାଯାଉଛି। ହେଲେ ଅନେକ ବିରଳ  ମୂର୍ତ୍ତି  ମନ୍ଦିର ସଂଲଗ୍ନ ଏହି ସଂଗ୍ରହାଳରେ  ସଂରକ୍ଷିତ ହୋଇରହିଛି, ଯାହାକି ଗୁପ୍ତଯୁଗୀୟ କଳାଚାତୁରୀର ପ୍ରମାଣ ଦେଉଛି।

ଐତିହାସିକ ବିବରଣୀ ଅନୁଯାୟୀ ଷଷ୍ଠ ଶତାଦ୍ଦୀର ଅର୍ଦ୍ଧଭାଗରେ ପ୍ରାଚୀନ କଳିଙ୍ଗ ତିନି ଭାଗରେ ବିଭକ୍ତ ହୋଇ କଳିଙ୍ଗ, କୋଙ୍ଗଦ ଏବଂ ଉଡ୍ର ରାଜ୍ୟରେ ପରିଣତ ହୋଇଥିଲା। କୋଙ୍ଗଦ ରାଜ୍ୟର ଦୀର୍ଘ ଦେଢ଼ଶହ ବର୍ଷ ଧରି ବାଣପୁର ଅନ୍ତର୍ଗତ ରାଜଧାନୀ ଥିଲା ଗିରିଦୁର୍ଗ ବଙ୍ଗାଡ଼ଗଡ଼। ୬୩୮ ଖ୍ରୀଷ୍ଟାବ୍ଦରେ ଚୀନ ପରିବ୍ରଜକ ହୁଏନ୍ସା ଶୈଳୋଦ୍ଭବମାନଙ୍କ ରାଜଧାନୀ ବଙ୍ଗ।ଡଗଡରେ ଅବସ୍ଥାନ କରି କୋଙ୍ଗଦର ରାଜ୍ୟ, ରାଜଧାନୀ, ଶାସନ, ଅଧିବାସୀଙ୍କ ଆଚାର ବ୍ୟବହାର, ବ୍ୟବସାୟ ବାଣିଜ୍ୟ ସଂପର୍କରେ ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିଛନ୍ତି। ଯଦି ଏହି ମନ୍ଦିର ଉପରେ ଅଧିକ ଗବେଷଣା କରାଯାଆନ୍ତା, ତେବେ ଏହିଠାରୁ ଐତିହାସିକମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରନ୍ତା।