ରାଜଧାନୀର ରାସ୍ତାକଡ଼ରେ ବିରିୟାନୀ ବେପାର

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ‘ମା ତାରିଣୀ ସ୍ପେଶାଲ୍‌ ଦମ୍‌ ବିରିୟାନୀ’, ‘ବୀରେନ୍‌ ଭାଇନା ଦମ୍‌ ବିରିୟାନୀ’, ‘ମା’ ସାରଳା ଦମ୍‌ ବିରିୟାନୀ’, ‘ମର୍ଡନ୍‌ ବିରିୟାନୀ ଦରବାର’, ‘ସୋନୁ ସ୍ପେଶାଲ୍‌ ଦମ୍‌ ବିରିୟାନୀ’ ଓ ‘ପ୍ରଧାନ୍ସ ବିରିୟାନୀ’। ଏଗୁଡ଼ିକ ସ୍ୱତନ୍ତ୍ର ଭାବେ ବିରିୟାନୀ ମିଳୁଥିବା କୌଣସି ରେଷ୍ଟୁରାଣ୍ଟ୍ ଅବା ହୋଟେଲ୍‌ର ନାମ ନୁହେଁ। ଏଗୁଡ଼ିକ ହେଉଛି ରାଜଧାନୀ ଭୁବନେଶ୍ୱରର ରାସ୍ତାକଡ଼ରେ ଚାରି ଚକିଆ ଠେଲା ଗାଡ଼ି, ସ୍ୱତନ୍ତ୍ର ଭାବେ ନିର୍ମିତ ତିନି ଚକିଆ ରିକ୍ସା ଅବା କାଠ ଓ […]

biriyan2

biriyan2

Rakesh Mallick
  • Published: Friday, 18 November 2016
  • Updated: 18 November 2016, 02:18 PM IST

Sports

Latest News

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ‘ମା ତାରିଣୀ ସ୍ପେଶାଲ୍‌ ଦମ୍‌ ବିରିୟାନୀ’, ‘ବୀରେନ୍‌ ଭାଇନା ଦମ୍‌ ବିରିୟାନୀ’, ‘ମା’ ସାରଳା ଦମ୍‌ ବିରିୟାନୀ’, ‘ମର୍ଡନ୍‌ ବିରିୟାନୀ ଦରବାର’, ‘ସୋନୁ ସ୍ପେଶାଲ୍‌ ଦମ୍‌ ବିରିୟାନୀ’ ଓ ‘ପ୍ରଧାନ୍ସ ବିରିୟାନୀ’। ଏଗୁଡ଼ିକ ସ୍ୱତନ୍ତ୍ର ଭାବେ ବିରିୟାନୀ ମିଳୁଥିବା କୌଣସି ରେଷ୍ଟୁରାଣ୍ଟ୍ ଅବା ହୋଟେଲ୍‌ର ନାମ ନୁହେଁ। ଏଗୁଡ଼ିକ ହେଉଛି ରାଜଧାନୀ ଭୁବନେଶ୍ୱରର ରାସ୍ତାକଡ଼ରେ ଚାରି ଚକିଆ ଠେଲା ଗାଡ଼ି, ସ୍ୱତନ୍ତ୍ର ଭାବେ ନିର୍ମିତ ତିନି ଚକିଆ ରିକ୍ସା ଅବା କାଠ ଓ ଟିଣ ଚଦରରେ ତିଆରି ଟେବୁଲର ଉଠା ଦୋକାନ ଯେଉଁଠି କେବଳ ବିରିୟାନୀ ହିଁ ମିଳେ। ମାଷ୍ଟର କ୍ୟାଣ୍ଟିନ୍‌ ଛକ, ନଅ ତାଲା ଓ ଫର୍ଚ୍ୟୁନ୍‌ ଟାୱାର ନିକଟରେ ଦେଖିବାକୁ ମିଳେ ଏଇସବୁ ବିରିୟାନୀ ଦୋକାନଗୁଡ଼ିକୁ। ଏମାନଙ୍କ ମଧ୍ୟରୁ କିଏ କେବଳ ଚିକେନ୍‌ ବିରୟାନୀ ଓ ଭେଜ୍‌ ବିରିୟାନୀ ବିକ୍ରି କରୁଛି ତ ଆଉ କେହି କେହି ଚିକେନ୍‌ ବିରିୟାନୀ, ମଟନ୍‌ ବିରିୟାନୀ ସାଙ୍ଗକୁ ଅଣ୍ଡା ବିରିୟାନୀ ବିକୁଛନ୍ତି। ଏହି ଦୋକାନଗୁଡ଼ିକରେ ସବୁଠୁ ଅଧିକ ଡିମାଣ୍ଡ୍‌ ହେଉଛି ଚିକେନ୍‌ ବିରିୟାନୀ। ଏମାନଙ୍କ ମଧ୍ୟରୁ କେହି କେହି ଚିକେନ୍‌ ବିରିୟାନୀରେ ଅଣ୍ଡା ପକାଇ ଦେଉଛନ୍ତି ତ ଆଉ କେହି ବିନା ଅଣ୍ଡାରେ। ପୁଣି କିଏ ଚିକେନ୍‌ ବିରିୟାନୀରେ ରାଇସ୍‌ ସହିତ ତିନି ପିସ୍‌ ଚିକେନ୍‌ ଦେଉଛନ୍ତି ତ ଆଉ କେହି ଚାରି ପିସ୍‌ ଦେଉଛନ୍ତି। ସେଇ ଅନୁସାରେ ଦାମ୍‌ ବି ଅଲଗା ଅଲଗା। ଏହି ଦୋକାନଗୁଡ଼ିକ ରାତିରେ ଖୋଲା ରୁହେନି। ସେମାନେ ସକାଳ ୧୦ଟାରୁ ଦିନ ଚାରିଟା ମଧ୍ୟରେ ବେପାର ଶେଷ କରି ଦିଅନ୍ତି।

biriyan2

ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ପିଏମ୍‌‍ଜି ଆଡ଼କୁ ଗଲା ବେଳେ ଏଇଭଳି ତିନୋଟି ଉଠା ବିରିୟାନୀ ଦୋକାନ ରହିଛି। ଅବଶ୍ୟ ବେଳେ ବେଳେ ଆପଣମାନେ ତିନୋଟି ଯାକୁ ଏକାବେଳେ ଖୋଲିଥିବାର ଦେଖିବାକୁ ପାଇବେ ନାହିଁ। ସେଠାରେ ପ୍ରାୟ ଦେଢ଼ ମାସ ହୋଇଯିବ କାଠ ଓ ଟିଣ ଚଦରରେ ନିର୍ମିତ ଦୁଇ ହାତ ଲମ୍ବା ଓ ହାତେ ଓସାରର ଟେବୁଲରେ ବିରିୟାନୀ ଦୋକାନ ଖୋଲିଛନ୍ତି ପ୍ରକାଶ। ଟେବୁଲ୍‌ ସମ୍ମୁଖରେ ଏକ ବ୍ୟାନ୍‌ର ଟାଙ୍ଗି ଦେଇଛନ୍ତି। ଏଥିରେ ଲେଖାଅଛି ‘ମା ତାରିଣୀ ସ୍ପେଶାଲ୍‌ ଦମ୍‌ ବିରିୟାନୀ’। ଦୋକାନଟିକୁ ଟିକେ ଛାଇ ଦେବା ପାଇଁ ଏକ ବଡ଼ ଛତା ଟାଙ୍ଗି ଦିଅନ୍ତି। ଚାରି ପାଞ୍ଚଟି ଷ୍ଟୁଲ୍‌ ପକାନ୍ତି ଗ୍ରାହକଙ୍କ ସୁବିଧା ପାଇଁ। ସେ କେବଳ ଦୁଇ ପ୍ରକାରର ବିରିୟାନୀ ବିକନ୍ତି- ଚିକେନ୍‌ ବିରିୟାନୀ ଓ ଭେଜ୍‌ ବିରିୟାନୀ। ଚିକେନ୍‌ ବିରିୟାନୀ ପ୍ଲେଟ୍‌ ପ୍ରତି ଦର ୫୦ ଟଙ୍କା ହୋଇଥିବା ବେଳେ ଭେଜ୍‌ ବିରିୟାନୀର ଦର ୩୦ ଟଙ୍କା। ଚିକେନ୍‌ ବିରିୟାନୀରେ ତିନି ପିସ୍‌ ଚିକେନ୍‌ ରହିଥାଏ। ତା’ସହିତ ଚିକେନ୍‌ ଝୋଳ ଓ କଚୁମ୍ୱର ଦିଅନ୍ତି। ସେ ପନିର, ସୋୟା, ବିନ୍‌, ଗାଜର ଓ ବିଟ୍‌ ଆଦି ପକାଇ ଭେଜ୍‌ ବିରିୟାନୀ କରନ୍ତି। ଭେଜ୍‌ ବିରିୟାନୀ ସହିତ କେବଳ କଚୁମ୍ୱର ମିଳେ। ଡାଲା ଅଟୋରେ ବିରିୟାନୀ ଭର୍ତ୍ତି ଦୁଇଟି ଡେକଚି ଧରି ସେ ପ୍ରତିଦିନ ସକାଳ ପ୍ରାୟ ୯ଟା ଅବା ୧୦ଟା ବେଳକୁ ଆସି ହାଜର ହୋଇଯାଆନ୍ତି ବେପାର କରିବାକୁ। ପ୍ରାୟ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରହନ୍ତି।

ପ୍ରକାଶ କହନ୍ତି,“ମୁଁ ଏବେ ନୂଆ ନୂଆ ଏହି ବ୍ୟବସାୟ ଆରମ୍ଭ କରିଛି। ତେଣୁ ଅଧିକ ମାଲ୍‌ ଆଣେ ନାହିଁ। ଆମିଷରୁ ୨୦/୨୫ ପ୍ଲେଟ୍‌  ଓ ନିରାମିଶରୁ ୨୦/୨୫ ପ୍ଲେଟ୍‌ ଆଣେ।”

ଏଠାରେ ନିୟମିତ ଭାବେ ବିରିୟାନୀ ବିକ୍ରି କରୁଥିବା ଏମିତି ଏକ ଦୋକାନ ହେଉଛି ‘ବୀରେନ୍‌ ଭାଇନା ଦମ୍‌ ବିରିୟାନୀ’। ଦୋକାନ କହିଲେ ସ୍ୱତନ୍ତ୍ର ଭାବେ ନିର୍ମିତ ଲୁହାର ଏକ ତିନି ଚକିଆ ଟ୍ରଲି। ପ୍ରକାଶଙ୍କ ଠାରୁ ଏହି ଦୋକାନର ମାଲିକ ଅଧିକ ପରିମାଣର ବିରିୟାନୀ ଆଣନ୍ତି। ସେ ବି ଚିକେନ୍‌ ଓ ଭେଜ୍‌ ବିରିୟାନୀ ଆଣନ୍ତି। ଦାମ୍ ମଧ୍ୟ ସେହି ଏକା। ଚିକେନ୍‌ ବିରିୟାନୀ ପ୍ଲେଟ୍‌ ୫୦ ଟଙ୍କା ଓ ଭେଜ୍‌ ବିରିୟାନୀ ପ୍ଲେଟ୍‌ ୩୦ ଟଙ୍କା।

ନଅ ତାଲା ପାଖରେ ରାସ୍ତାକଡ଼ରେ ଠେଲା ଅବା ଉଠା ଦୋକାନ କରି ୬ ଜଣ ବିରିୟାନୀ ବିକ୍ରି କରୁଛନ୍ତି। ଏଠାରେ ଆପଣ ଭେରାଇଟି ବିରିୟାନୀ ପାଇବେ। ପ୍ରାୟ ୧୪ ବର୍ଷ ହେଲାଣି ଏଠାରେ ବିରିୟାନୀ ବେପାର କରି ଆସୁଥିବା ମଣ୍ଟୁ ବାବୁଙ୍କ ‘ମର୍ଡନ୍‌ ବିରିୟାନୀ ଦରବର’ରେ ଆପଣ ଏଗ୍‌ ଚିକେନ୍‌ ବିରିୟାନୀ, ମଟନ୍ ବିରିୟାନୀ, ଏଗ୍‌ ବିରିୟାନୀ ଓ ଭେଜ୍‌ ବିରିୟାନୀ ପାଇବେ। ଏଗ୍‌ ଚିକେନ୍‌ ବିରିୟାନୀର ହାପ୍‌ ପ୍ଲେଟ ଦାମ୍ ହେଉଛି ୭୦ ଟଙ୍କା। ଏଥିରେ ସେ ରାଇସ୍‌ ସହିତ ତିନି ପିସ୍‌ ଚିକେନ୍‌ ଓ ଗୋଟିଏ ଅଣ୍ଡା ଦିଅନ୍ତି। ତା’ ସହିତ ଚିକେନ୍‌ ଝୋଳ ଓ କଚୁମ୍ୱର ବି ରହିଛି। ଏଗ୍‌ ଚିକେନ୍‌ କ୍ୱାର୍ଟର ପ୍ଲେଟର ଦାମ୍ ହେଉଛି ୫୦ ଟଙ୍କା। ମଟନ୍‌ ବିରିୟାନୀ ପ୍ଲେଟ୍‌ ୧୦୦ ଟଙ୍କା। ଭେଜ୍‌ ବିରିୟାନୀ ପ୍ଲେଟ୍‌ ୩୦ ଟଙ୍କା। ଏଗ୍‌ ବିରିୟାନୀରେ ରାଇସ୍‌ ସହିତ ଦୁଇଟି ଅଣ୍ଡା ଥାଏ। ମଣ୍ଟୁ ଦୈନିକ ପ୍ରାୟ ୧୦୦ ପ୍ଲେଟ୍‌ ଚିକେନ୍‌ ବିରିୟାନୀ, ୪୦ ପ୍ଲେଟ୍‌ ଭେଜ୍‌ ବିରିୟାନୀ ଓ ୧୦ରୁ ୨୦ ପ୍ଲେଟ୍‌ ମଟନ୍‌ ବିରିୟାନୀ ଆଣିଥାଆନ୍ତି। ବାର ଦେଖିକି ଆମିଷ ବିରିୟାନୀ ଟିକେ କମ୍‌ ବେଶୀ କରି ଆଣନ୍ତି। ଏଠାରେ ରବିବାର ଦିନ ସବୁ ଦୋକାନ ଖୋଲା ରହେ ନାହିଁ। ପାଳି କରି କେହି ଜଣେ ଦୋକାନ ଖୋଲନ୍ତି ବୋଲି ମଣ୍ଟୁ କହିଛନ୍ତି।

ନଅ ତାଲା ପାଖରେ ବିରିୟାନୀ ବିକୁ ଥିବା ଏହି ଦୋକାନୀମାନେ ପ୍ରାୟ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ଆସି ପହଞ୍ଚନ୍ତି। ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ବସନ୍ତି। ମଣ୍ଟୁ କହନ୍ତି,‘ନଅ ତାଲାକୁ ବିଭିନ୍ନ କାମରେ ବାହାରୁ ଆସୁଥିବା ଲୋକେ ହିଁ ଆମର ମୁଖ୍ୟ ଗ୍ରାହକ।’

ଏଭଳି ବିରିୟାନୀ ଦୋକାନ ସବୁଠୁ ଅଧିକ ରହିଛି ଫର୍ଚ୍ୟୁନ୍‌ ଟାୱାର ପାଖରେ। ଜୟଦେବା ବିହାର ପଟରୁ ଆସିଲେ ଫର୍ଚ୍ୟୁନ୍‌ ଟାୱାର ପରେ ପରେ ବାମ ପାଖରେ ଟେକ୍‌ ମହିନ୍ଦ୍ର ଆଡକୁ ଲମ୍ୱି ଯାଇଥିବା ରାସ୍ତାର ଉଭୟ ପାର୍ଶ୍ୱରେ ରହିଛି ଏଭଳି ୧୦ଟି ଦୋକାନ। ଏଠି କେହି ଆଠ ନଅ ବର୍ଷ ହେଲା ବିରିୟାନୀ ବେପାର କରୁଛନ୍ତି ତ କେହି ପାଞ୍ଚ ବର୍ଷ ହେଲା। ଏଠାରେ ବିରିୟାନୀ ଦର ଟିକେ ଭିନ୍ନ। ଗତ ୫ ବର୍ଷ ହେଲା ଏଠାରେ ବିରିୟାନୀ ବେପାର କରି ଆସୁଥିବା ସାନନ୍ଦ ପ୍ରଧାନ ଚିକେନ୍‌ ଓ ଭେଜ୍‌ ବିରିୟାନୀ ଦିଅନ୍ତି। ତାଙ୍କ ଚିକେନ୍‌ ବିରିୟାନୀ ପ୍ଲେଟ୍‌ ପ୍ରତି ଦର ୮୦ ଟଙ୍କା। ସେ ରାଇସ୍‌ ସହିତ ଚାରି ପିସ୍‌ ଚିକେନ୍‌ ଓ ଗୋଟିଏ ଅଣ୍ଡା ଦିଅନ୍ତି। ତା’ସହିତ ଚିକେନ୍‌ ଝୋଳ ଓ କଚୁମ୍ୱର ଦିଅନ୍ତି।

kkସାନନ୍ଦ କହନ୍ତି,‘ମୁଁ ସବୁ ଦିନେ ସମାନ ପରିମାଣର ମାଲ୍‌ ଆଣେ ନାହିଁ। ବାର ଦେଖି ଆଣିବାକୁ ପଡ଼େ। ବୁଧବାର, ଶୁକ୍ରବାର ଦିନ ଗୁଡ଼ିକରେ ୮୦ ପ୍ଲେଟ୍‌ ଚିକେନ୍‌ ବିରିୟାନୀ ଓ ୨୦ ପ୍ଳେଟ୍‌ ଭେଜ୍‌ ବିରିୟାନୀ ଆଣେ। ସୋମବାର, ମଙ୍ଗଳବାର ଓ ଗୁରୁବାର ଭଳି ଦିନଗୁଡ଼ିକରେ ୬୦ରୁ ୭୦ ପ୍ଲେଟ୍‌ ଚିକେନ୍‌ ବିରିଆନୀ ଓ ପ୍ରାୟ ୩୦ ପ୍ଲେଟ୍‌ ଭେଜ୍‌ ବିରିୟାନୀ ଆଣେ।’

ପ୍ରଫୁଲ ପରିଡ଼ା ମାତ୍ର ୧୫ ଦିନ ହେଲା ଫର୍ଚ୍ୟୁନ୍‌ ଟାୱାର ପାଖରେ ବିରିୟାନୀ ବିକ୍ରି କରୁଛନ୍ତି। ସେ ଟ୍ରଲି ବା ଠେଲା ଗାଡ଼ି ବଦଳରେ ଏକ ଭ୍ୟାନ୍‌ରେ ବିରିୟାନୀ ଦୋକାନ ଖୋଲିଛନ୍ତି। ଏଠାରେ ସକାଳ ପ୍ରାୟ ୧୦ଟା ବେଳକୁ ସେ ଗାଡ଼ି ଲଗାଇ ଦେଉଛନ୍ତି। ବିରିୟାନୀ ସହିତ ସେ ଇଡିଲି ଓ ଅନ୍ୟ କିଛି ଜଳଖିଆ ଆଇଟମ୍‌ ବି ବିକ୍ରି କରୁଛନ୍ତି। ସେ ଚିକେନ୍‌ ବିରିୟାନୀ ପ୍ଲେଟ୍‌ ପ୍ରତି ୭୦ ଟଙ୍କା ରଖିଥିବା ବେଳେ ଭେଜ୍‌ ବିରିଆନୀ ପ୍ଲେଟ୍‌ ପ୍ରତି ୪୦ ଟଙ୍କା ରଖିଛନ୍ତି। ସେ ପ୍ରାୟ ୫୦ ପ୍ଲେଟ୍‌ ଚିକେନ୍‌ ବିରିୟାନୀ ଦୈନିକ ପ୍ରସ୍ତୁତ କରୁଛନ୍ତି। ଏଠାରେ ପାଖରେ ଅନ୍ୟାନ୍ୟ ହୋଟେଲ୍‌ ରହିଥିଲେ ହେଁ ରାସ୍ତାକଡ଼ର ଏହି ଉଠା ବିରିୟାନୀ ଦୋକାନଗୁଡ଼ିକରେ ଲଞ୍ଚ୍‌ ଆୱାରରେ ଭିଡ଼ ଦେଖିବାକୁ ମିଳେ।

ହିମାଂଶୁ ସାହୁ ନାମକ ଜଣେ ଘରୋଇ କଂପାନୀ କର୍ମଚାରୀ କହିଛନ୍ତି ମଧ୍ୟାହ୍ନ ଭୋଜନ ଅଧଘଣ୍ଟା ମଧ୍ୟରେ ସାରିବାକୁ ପଡୁଛି। ତେଣୁ ହୋଟେଲ୍‌ରେ ଯାଇ ଅର୍ଡର ଦେଇ ଅପେକ୍ଷା କରିବାକୁ ସବୁ ବେଳେ ସମୟ ହେଉ ନାହିଁ। ହୋଟେଲ୍‌ରେ ବେଳେ ବେଳେ ଚେୟାର ଖାଲି ନ ଥାଏ।  ତେଣୁ ଏଠାରେ ଆମକୁ ସୁବିଧା ହେଉଛି। ଚେୟାର ଟେବୁଲ୍ ଦରକାର ନାହିଁ। ଅର୍ଡର ଦେବା ମାତ୍ରେ ଖାଇବା ମିଳିଯାଉଛି।

ଏହି ସବୁ ଦୋକାନଗୁଡ଼ିକରେ କେବଳ ରାସ୍ତାରେ ଯିବା ଆସିବା ଅବା ପାଖ ଅଫିସ୍‌ ଓ ଅଫିସକୁ ଆସୁଥିବା ଲୋକେ ଖାଆନ୍ତି ନାହିଁ। ଅନେକ ଏଗୁଡ଼ିକରୁ ଘରକୁ ପାର୍ସଲ ମଧ୍ୟ ନିଅନ୍ତି। ଅନେକଙ୍କର ସ୍ଥାୟୀ ଗ୍ରାହକ ବି ଅଛନ୍ତି।

ରାମ ମନ୍ଦିର ନିକଟ ବିଗ୍‌ ବଜାର ସମ୍ମୁଖରେ ଏମିତି ଉଠା ଦୋକାନ କରି ଦୁଇ ତିନି ଜଣ ବିରିୟାନୀ ବିକ୍ରି କରୁଛନ୍ତି। ସହରର ଆଉ କିଛି ସ୍ଥାନରେ ବି ଏଭଳି ଭାବେ କେତେ ଜଣ ବ୍ୟକ୍ତି ବିରିୟାନୀ ବିକ୍ରି କରୁଛନ୍ତି।

ମଣ୍ଟୁ ୧୪ ବର୍ଷ ହେଲାଣି ରାସ୍ତାକଡ଼ରେ ଏମିତି ଉଠା ଦୋକାନ କରି ବିରିୟାନୀ ବିକ୍ରି କରୁଥିବା ବେଳେ ପ୍ରଫୁଲ ଓ ପ୍ରକାଶ ଏବେ ବେପାର ଆରମ୍ଭ କରୁଛନ୍ତି। ଏଥିରୁ ଜଣାପଡୁଛି ଯେ ରାସ୍ତାକଡ଼ରେ ଏମିତି ବିରିୟାନୀ ବେପାରର ଚାହିଦା ଧୀରେ ଧୀରେ ବଢୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos