ନିଜ ୬ ପୁଅଙ୍କୁ କାର୍ଗିଲ ଯୁଦ୍ଧକୁ ପଠାଇଥିଲେ ମଁଗେଶ ଦେବୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୯୯୯ କାର୍ଗିଲ ଯୁଦ୍ଧରେ ଭାରତୀୟ ସେନାର ୫୨୭ ଯବାନ ସହିଦ ହୋଇଥିଲେ। ହେଲେ ସେମାନଙ୍କ ପ୍ରାଣବଳି ବୃଥା ଯାଇନଥିଲା। ପ୍ରାୟ ୬୦ ଦିନର ଏହି ଯୁଦ୍ଧ ଶେଷରେ ବିଜୟ ପତାକା ଉଡାଇଥିଲା ଭାରତ। ଆଉ ସେବେଠୁ ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ ଭାରତୀୟ ସେନା ପାଳନ କରି ଆସୁଛି ବିଜୟ ଦିବସ। ବୀର ଯବାନଙ୍କ ବଳୀଦାନରେ ଭାରମାତାର ବିଜୟର ସୃତି ଚାରଣ କରୁଛନ୍ତି ସଭିଏଁ । ଆଜି ଆସନ୍ତୁ ଜାଣିବା, ସେପରି ବୀର ୬ ଭାଇଙ୍କ ବିଷୟରେ।

ପୁଅଟିଏ ଯୁଦ୍ଧରେ ସାମିଲ ହେଲେ ସମ୍ଭାଳି ପାରେନି ମା’ ମନ। କିପରି ଓ କେଉଁ ପରିସ୍ଥିତିରେ ଥିବ ପୁଅ, କେତେବେଳେ ଶତ୍ରୁ  ହାବୁଡ଼ରେ ପଡ଼ିଯିବ, ଭାବି ଗୁମୁରି ଗୁମୁରି କାନ୍ଦେ ମା’ ହୃହୟ। ନିଜ ପୁଅ କିପରି ଭଲରେ ଭଲରେ ଘରକୁ ଫେରିବ, ସେଥିଲାଗି ସେ କେତେ ଦିଅଁଙ୍କ ନିକଟରେ ମାନସିକ କରିଥାଏ। ହେଲେ ଏଥିରେ ବ୍ୟତିକ୍ରମ ହେଉଛନ୍ତି ମଁଗେଶ ଦେବୀ। ରାଜସ୍ଥାନ ନିବାସୀ ମଁଗେଶ ଦେବୀ ୬ ପୁତ୍ର ସନ୍ତାନର ଜନନୀ ଥିଲେ।

୧୯୯୯ ମସିହାରେ ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତ ସୀମାରେ ଥିବା କାର୍ଗିଲ୍‌ ଅଞ୍ଚଳ ଭିତରକୁ ପଶି ଆସିଥିବା ଖବର ପ୍ରଚାରିତ ହୋଇଥିଲା ।  ଏଥିରେ ସମ୍ଭାଳି ପାରି ନ ଥିଲେ ମଁଗେଶ ଦେବୀ। ଦେଶ ମାତୃକାର ରକ୍ଷା ଲାଗି  ପ୍ରଥମେ ନିଜ ୫ ପୁତ୍ରଙ୍କୁ  କାର୍ଗିଲ ପଠାଇ ଦେଇଥିଲେ।  ସେମାନେ ଅଲଗା ଅଲଗା ମୋର୍ଚ୍ଚାରେ ସାମିଲ ହୋଇ ଶତ୍ରୁ ପକ୍ଷଙ୍କୁ ସାମନା କରୁଥିଲେ। ସେତେବେଳେ ମା’ ମନ କେବଳ ଥାଏ ନିଜ ଛୁଆଙ୍କ ପାଖରେ।

ସେ ଝିଭି, ରେଡ଼ିଓରୁ  ସବୁ କ୍ଷଣର ଖବର ରଖୁଥାନ୍ତି।  ଭାରତର ଜିତ୍‌ ସହ ଈଶ୍ୱରଙ୍କ ନିକଟରେ ନିଜ ପିଲାମାନଙ୍କ ସୁରକ୍ଷା ଲାଗି ମଧ୍ୟ ପ୍ରାର୍ଥନା କରୁଥାନ୍ତି। ହେଲେ  ସେମାନଙ୍କ ମଧ୍ୟରୁ  ଶତ୍ରୁ ପକ୍ଷ  ଗୁଳି ବେକରେ ବାଜିବାରୁ ସହିଦ ହୋଇଯାଇଥିଲେ  ମଁଗେଶ ଦେବୀଙ୍କ ଜଣେ ପୁଅ।  ଏହି ଖବର ପାଇବା ପରେ ନିଜ ଛାତିକୁ ପଥର କରି ଦେଇଥିଲେ ସେ। ସହିଦ ପୁଅ ତ୍ରିରଙ୍ଗା ଗୁଡ଼ାଇ ହୋଇ ଫେରିବା ପରେ ବହୁତ କାନ୍ଦିଥିଲେ ସେ, ହେଲେ ଲକ୍ଷ୍ୟରୁ ବିଚ୍ୟୁତ ହୋଇ ନ ଥିଲେ କି ହାରି ନ ଥିଲେ ଦମ୍ଭ। ଏହାପରେ ଘରେ ଥିବା ସାନ ପୁଅକୁ ମଧ୍ୟ ସେନାରେ ସାମିଲ ହୋଇ ଶତ୍ରୁ ପକ୍ଷର ସାମନା କରିବାକୁ ପଠାଇ ଦେଇଥିଲେ ମଁଗେଶ ଦେବୀ।

କାର୍ଗିଲ ଯୁଦ୍ଧର ୨୦ ବର୍ଷ ପରେ ବି ତାଙ୍କ ୨ ପୁଅ ଏବେ ବି ସେନାରେ ମୋର୍ଚ୍ଚା ସମ୍ଭାଳୁଛନ୍ତି। ୩ ଜଣ ଅବସର ନେଇ ସାରିଛନ୍ତି। ହରିୟାଣା ଝିଅ ମଁଗେଶ ରାଜସ୍ଥାନରେ ବିବାହ କରିଥିଲେ। ମଁଗେଶଙ୍କ ପୁଅ  ସୁବେଦାର ପ୍ରତାପ ସିଂ କହିଛନ୍ତି,  ଆମେ ୫ ଭାଇ ଅଲଗା ଅଲଗା ୟୁନିଟରେ ରହିଥିଲୁ।  ୪ ଭାଇ ଜମ୍ମୁ ସେନାରେ ଭର୍ତ୍ତି ହୋଇଥିବା ବେଳେ ଦିଲ୍ଲୀରେ ଥିବା ୧୦୫ ପ୍ରାଦେଶିକ ସେନାରେ ସାମିଲ ଥିଲେ ପ୍ରତାପ। କାର୍ଗିଲ ଯୁଦ୍ଧ ସମୟରେ ଡକରା ଆସିବାରୁ ତତ୍‌କ୍ଷଣାତ ସେ ପହଞ୍ଚିଥିଲେ କାର୍ଗିଲରେ।

ପ୍ରତାପ ଆହୁରି କହିଛନ୍ତି, ଆମେ ୫ ଭାଇ ଠାଣି ନେଇଥିଲୁ ଯେ, ପାକିସ୍ତାନକୁ ପାନେ ଦେବାର ଅଛି। ସେତେବେଳେ ଆମକୁ ନିଜର କିମ୍ବା ପରିବାରର ଚିନ୍ତା ନ ଥିଲା। ଚିନ୍ତା ଥିଲା କେବଳ ଏହି ଯୁଦ୍ଧରେ ବିଜୟ ପତାକା ଉଡାଇବାର। ଏହି ଯୁଦ୍ଧ ସମୟରେ  ଭାଇ କଂବରପାଲ ତୋତଲିଙ୍ଗ ପାହାଡ଼ ଶିଖରରେ  ଶତ୍ରୁ ପକ୍ଷ ସହ କଡ଼ା ମୁକାବିଲା କରୁଥିଲେ। ସେଠାରେ ଯୁଦ୍ଧ ପକ୍ଷଙ୍କ ଗୁଳି ତାଙ୍କ ବେକରେ ବାଜିବାକୁ ସେ ସେଠାରେ ଟଳି ପଡ଼ିଥିଲେ।  ଏହାପରେ ସେମାନେ ନିଜ ସବୁଠୁ ସାନ ଭାଇଙ୍କୁ ମଧ୍ୟ ସେନାରେ ଭର୍ତ୍ତି କରାଇ ଦେଇଥିଲେ।