ବୀରବାହାନପୁର: ଖୋଲା ଆକାଶ ତଳେ ଚାଲିଛି ସ୍କୁଲ୍  

ଅନୁଗୋଳ: କେଉଁଠି ଛାତ୍ରଛାତ୍ରୀ ଅଭାବରୁ ସ୍କୁଲ୍ ବନ୍ଦ କରି ଦିଆଯାଉଛି ତ ଆଉ କେଉଁଠି ଶିକ୍ଷକ ଅଭାବକୁ ନେଇ ଦେଖାଯାଉଛି ଅସନ୍ତୋଷ। ମାତ୍ର ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ବୀରବାହାନପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଚିତ୍ର ଟିକେ ଭିନ୍ନ। ଏହି ସ୍କୁଲରେ ଛାତ୍ରଛାତ୍ରୀ ଅଛନ୍ତି। ପାଠ ପଢ଼ାଇବା ପାଇଁ ଶିକ୍ଷକ ବି ଅଛନ୍ତି। କିନ୍ତୁ ସ୍କୁଲ ଗୃହ ନାହିଁ। ତେଣୁ ପିଲାଏ ଗଛ ତଳେ ବସି ପାଠ ପଢୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସ୍କୁଲ୍ ଗୃହ ନିର୍ମାଣ […]

school1

school1

Rakesh Mallick
  • Published: Wednesday, 12 August 2015
  • Updated: 12 August 2015, 06:48 AM IST

ଅନୁଗୋଳ: କେଉଁଠି ଛାତ୍ରଛାତ୍ରୀ ଅଭାବରୁ ସ୍କୁଲ୍ ବନ୍ଦ କରି ଦିଆଯାଉଛି ତ ଆଉ କେଉଁଠି ଶିକ୍ଷକ ଅଭାବକୁ ନେଇ ଦେଖାଯାଉଛି ଅସନ୍ତୋଷ। ମାତ୍ର ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ବୀରବାହାନପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଚିତ୍ର ଟିକେ ଭିନ୍ନ। ଏହି ସ୍କୁଲରେ ଛାତ୍ରଛାତ୍ରୀ ଅଛନ୍ତି। ପାଠ ପଢ଼ାଇବା ପାଇଁ ଶିକ୍ଷକ ବି ଅଛନ୍ତି। କିନ୍ତୁ ସ୍କୁଲ ଗୃହ ନାହିଁ। ତେଣୁ ପିଲାଏ ଗଛ ତଳେ ବସି ପାଠ ପଢୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସ୍କୁଲ୍ ଗୃହ ନିର୍ମାଣ ନେଇ ପ୍ରଶାସନ ତତ୍ପରତା ଦେଖାଉ ନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ବଢୁଛି।

[caption id="attachment_22924" align="aligncenter" width="800"]school2 ବୀରବାହାନପୁରରେ ଖୋଲା ଆକାଶ ତଳେ ପିଲାଙ୍କୁ ପଢାଉଛନ୍ତି ଶିକ୍ଷକ[/caption]

ବୀରବାହାନପୁର ଗାଁରେ ପ୍ରାୟ ୩୫୦ ଅନୁସୂଚିତ ଜାତିର ଲୋକେ ବସବାସ କରନ୍ତି। ଦୀର୍ଘ ବର୍ଷର ଦାବି ପରେ ୨୦୧୨-୧୩ରେ ଏଠାରେ ସ୍କୁଲ୍ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଥିଲା। ୨୦୧୩ ମସିହାରୁ ପାଠପଢ଼ା ଆରମ୍ଭ ହୋଇଥିଲା। ତେବେ ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ସ୍କୁଲ୍ ଗୃହ ନିର୍ମାଣ ହୋଇପାରି ନାହିଁ। କେତେବେଳେ ଖୋଲା ଆକାଶ ତଳେ ତ କେତେବେଳେ ଗଛ ତଳେ ବସି ପାଠ ପଢ଼ି ଆସୁଛନ୍ତି ଛାତ୍ରଛାତ୍ରୀ। ଏହି ସ୍କୁଲରେ ଏବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ଅଛନ୍ତି ଜଣେ ସ୍ଥାୟୀ ଶିକ୍ଷକ ଓ ଜଣେ ଶିକ୍ଷା ସହାୟକ।

ସ୍କୁଲ ଗୃହ ନିର୍ମାଣ କରିବା ପାଇଁ ଗତ ଦୁଇ ବର୍ଷରେ ବୀରବାହାନପୁର ଗ୍ରାମବାସୀ ଅନେକ ଥର ବିଭାଗୀୟ ଅଧିକାରୀ ଓ  ଅନୁଗୋଳ ଜିଲ୍ଲାପାଳଙ୍କୁ ନିବେଦନ କରି ଥିଲେ। କିନ୍ତୁ କିଛି ଲାଭ ହୋଇନି। ଏପରିକି ସ୍କୁଲ ଗୃହ ନିର୍ମାଣ କ’ଣ ବାଧକ ରହିଛି ସେ ସଂପର୍କରେ ବି କୌଣସି ସୂଚନା ଦେଉ ନାହିଁ ପ୍ରଶାସନ। ତେଣୁ ଗାଁ ଲୋକେ ବାଧ୍ୟ ହୋଇ ଏକ ଚାଳିଆ ତିଆରି କରିଛନ୍ତି। ବର୍ଷା ହେଲେ ଛାତ୍ରଛାତ୍ରୀମାନେ ସେଠାରେ ପଢ଼ନ୍ତି। ତେବେ ପିଲାଏ କେତେବେଳେ ଖୋଲା ଆକାଶ ତଳେ ତ କେତେବେଳେ ଗଛ ତଳେ ପାଠ ପଢୁଥିବା ଯୋଗୁ ଅଭିଭାବକମାନେ ବି ଚିନ୍ତିତ। ସାପ ଓ ଅନ୍ୟାନ୍ୟ ପୋକଜୋକ ପିଲାଙ୍କୁ କାମୁଡ଼ି ଦେବାର ଭୟ ସବୁବେଳେ ଲାଗି ରହିଥାଏ ବୋଲି କହିଛନ୍ତି ଗ୍ରାମବାସୀ ବୀରବାହାନପୁର।

[caption id="attachment_22925" align="aligncenter" width="800"]school3 ବୀରବାହାନପୁରରେ ଖୋଲା ଆକାଶ ତଳେ ପିଲା ପଢୁଥିବା ବେଳେ ପାଖରେ କୁକୁରଟିଏ ଶୋଇଛି[/caption]

 ଆଉ ଏକ ବିଚିତ୍ର କଥା ମଧ୍ୟ ଦେଖିବାକୁ ମିଳିଛି। ଏଯାବତ ସ୍କୁଲ ଗୃହ ନିର୍ମାଣ ହୋଇ ନ ଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି। ଗାଁରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। କିନ୍ତୁ ବିବାଦ କାରଣରୁ ସେଠାରେ ବି ଛାତ୍ରଛାତ୍ରୀଙ୍କୁ ପଢ଼ିବାକୁ ଦିଆଯାଉ ନାହିଁ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜିତେନ୍ଦ୍ର କୁମାର ନାଏକ କହିଛନ୍ତି ଯେ କିଛି ଦିନ ପାଇଁ ଅଙ୍ଗନବାଡ଼ିରେ ସ୍କୁଲ୍ ଚାଲି ପାରିବ, କିନ୍ତୁ ସବୁ ଦିନ ନୁହେଁ। ତେଣୁ ସ୍ଥାୟୀ ସ୍କୁଲ ଗୃହର ଆବଶ୍ୟକ ରହିଛି।

school6

ବୀରବାହାନପୁର ସ୍କୁଲ ନେଇ ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ ଶ୍ରୀନିବାସନ ବେହେରା କହିଛନ୍ତି ଯେ ଅଙ୍ଗନବାଡ଼ି କେନ୍ଦ୍ରରେ ଅସ୍ଥାୟୀ ଭାବେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ କୁହାଯାଇଛି। ଏସଂପର୍କରେ ଅଙ୍ଗନବାଡ଼ି କେନ୍ଦ୍ର ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସକାଳେ ଅଙ୍ଗନାବାଡ଼ି ପିଲାଏ ଫେରିଯିବା ପରେ ସେଠାରେ ସ୍କୁଲ ଚଳାଇବାକୁ କୁହାଯାଇଥିଲା। ସ୍କୁଲରେ ୪୦ ଜଣ ଛାତ୍ରଛାତ୍ରୀ ଥିବା ଯୋଗୁ ଅଙ୍ଗନବାଡ଼ି କେନ୍ଦ୍ରରେ ଜାଗା ଅଭାବ ହେଲେ ବରଣ୍ଡାରେ ପିଲାଙ୍କୁ ପଢ଼ାଇବାକୁ କୁହାଯାଇଥିଲା। କିନ୍ତୁ ପିଲାଏ ଗଛ ତଳେ ପାଠ ପଢୁଥିବା ନେଇ କୌଣସି ସୂଚନା ନଥିଲା। ଏନେଇ ସେ ତଦାରଖ କରିବେ ବୋଲି କହିଛନ୍ତି। ଏହା ସହିତ ସ୍କୁଲ୍ ଗୃହ ନିର୍ମାଣ କାର୍ଯ୍ୟ ମାସେ ମଧ୍ୟରେ ଆରମ୍ଭ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos