ବୌଦ୍ଧ ସଂସ୍କୃତିର ହୀରକ ତ୍ରିଭୁଜ ଲଳିତଗିରି, ଉଦୟଗିରି ଓ ରତ୍ନଗିରି

(ଜୟନ୍ତ ସେଠ୍): ଆମ ରାଜ୍ୟ ଓଡ଼ିଶା, ଯାହାର ଅତୀତରେ ନାମ ଥିଲା କଳିଙ୍ଗ, କିମ୍ବା ଉତ୍କଳ କିମ୍ବା ଉଡ୍ର। ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଏକାଦଶ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରସାର ଲାଭ କରିଥିଲା ବୌଦ୍ଧ ଧର୍ମ। ଶହ ଶହ ବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ବୌଦ୍ଧ ସଂସ୍କୃତିରେ ବିବର୍ତ୍ତନ ପ୍ରକ୍ରିୟାରେ ପରିବର୍ତ୍ତନ ଘଟିଥିଲା। ଓଡ଼ିଶା ମାଟିରେ ଅନେକ ଖ୍ୟାତନାମ ବୌଦ୍ଧ ସନ୍ୟାସୀ ଓ ବୌଦ୍ଧ ଭିକ୍ଷୁ ବୌଦ୍ଧ ଧର୍ମର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଥିଲେ।

lalitagiri
ଲଳିତଗିରି

ଯାଜପୁର ଜିଲ୍ଲାର ଲଳିତଗିରି, ରତ୍ନଗିରି ଏବଂ ଉଦୟଗିରି ଥିଲା ବୌଦ୍ଧ ସଂସ୍କୃତିର ପ୍ରାଣକେନ୍ଦ୍ର। ଆମେ ଚାହିଁଲୁ ପ୍ରାଚୀନ ବୌଦ୍ଧ ସଂସ୍କୃତିର ହୀରକ ତ୍ରିଭୁଜ ଲଳିତଗିରି, ରତ୍ନଗିରି ଏବଂ ଉଦୟଗିରି ବୁଲିବା ପାଇଁ।

ବଡ଼ିଭୋରରୁ ଆମେ ଚାଲିଲୁ ଲଳିତଗିରି। ଓଡ଼ିଶାର ବୌଦ୍ଧ ସଂସ୍କୃତିର ହୀରକ ତ୍ରିଭୁଜର ଏକ ପ୍ରମୁଖ ସ୍ଥାନ। କଟକ ଜିଲ୍ଲାରେ ଅବସ୍ଥିତ ଏହି ପ୍ରସିଦ୍ଧ ସ୍ଥାନଟି ଭୁବନେଶ୍ୱରଠାରୁ ୯୦ କିଲୋମିଟର ଦୂର। ଏଠାକୁ ଆସିବାକୁ ହେଲେ ଚଣ୍ଡିଖୋଲରୁ କେନ୍ଦ୍ରାପଡ଼ା-ପାରାଦ୍ୱୀପ ଏକ୍ସପ୍ରେସ୍ ହାଇୱେରେ ଆସିବାକୁ ପଡ଼ିବ।

ଲଳିତଗିରି ହେଉଛି ଓଡ଼ିଶାରେ ମିଳିଥିବା ସବୁଠାରୁ ପ୍ରାଚୀନ ବୌଦ୍ଧକୀର୍ତ୍ତି। ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଦ୍ୱାରା ସଂରକ୍ଷିତ ଏହି ସ୍ଥାନକୁ ଯିବାବେଳେ ଆଖିରେ ପଡ଼ିଲା ହଜାର ହଜାର ବର୍ଷ ତଳର ପ୍ରାଚୀନ ବିହାର ବା ମୋନେଷ୍ଟ୍ରି।  ଏଠାରେ ବୌଦ୍ଧ ସଂସ୍କୃତି ବିକଶିତ ହେବାର ବିଭିନ୍ନ ପର୍ଯ୍ୟାୟରେ ନିର୍ମିତ ହୋଇଥିଲା ଏଗୁଡ଼ିକ।

ଲଳିତଗିରିର ମୁଖ୍ୟ ଆକର୍ଷଣ ହେଉଛି ସ୍ଥାନୀୟ ଲଣ୍ଡା ପାହାଡ଼ ଶିଖରରେ ଖନନରୁ ମିଳିଥିବା ସୁନ୍ଦର ମହାସ୍ତୁପ। ଏଇ ପାହାଡ଼ ଉପରକୁ ଯିବା ପାଇଁ ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ନିର୍ମାଣ କରିଛି ପାହାଚ ଶ୍ରେଣୀ। ଏହି ମହାସ୍ତୁପରୁ ଖନନରେ ମିଳିଥିଲା ଏକ ପ୍ରାଚୀନ ପେଟିକା ଏବଂ ଏଥିରେ ଥିଲା ମହାପୁରୁଷ ଗୌତମ ବୁଦ୍ଧଙ୍କର ଅସ୍ଥି। ଏହି ମହାସ୍ତୁପ ପରିକ୍ରମା କରି ବୌଦ୍ଧ ସନ୍ୟାସୀମାନେ ପୂଜାର୍ଚ୍ଚନାର ବିଧି ପାଳନ କରୁଥିଲେ। ଏହା ନିକଟରେ ଠିଆ ହେଲେ ଆପଣଙ୍କୁ ଦେଖିବାକୁ ମିଳିବ ଦୂର ଦିଗବଳୟର ଆକର୍ଷଣୀୟ ଦୃଶ୍ୟ। ଏଇ ସ୍ଥାନରେ ପରିବେଶ ଆପଣଙ୍କୁ ବିଭୋର କରିଦେବ ନିଶ୍ଚୟ।

ଲଳିତଗିରିର ଅନ୍ୟତମ ମୁଖ୍ୟ ଆକର୍ଷଣ ଏଇ ସୁନ୍ଦର ଚୈତ୍ୟଗୃହ ବା ଉପାସନା କେନ୍ଦ୍ର। ଓଡ଼ିଶାରେ ଖନନ ସମୟରେ ମିଳିଥିବା ପ୍ରଥମ ସ୍ଥାନ ଯେଉଁଠି ଗୋଲାକାର ସ୍ତୁପ ଦେଖିବାକୁ ମିଳେ। କେବଳ ସେତିକି ନୁହେଁ, ଏଠାରେ ଏକ ପଦ୍ମଫୁଲ ସଦୃଶ ଢାଞ୍ଚା ରହିଛି। ଏଠାରେ ବୈଦ୍ଧଭିକ୍ଷୁମାନେ ଏକତ୍ରିତ ହୋଇ ପ୍ରାର୍ଥନା ଓ ଧ୍ୟାନ ଆଦି କରୁଥିଲେ। ଏହା ମଝିରେ ଦେଖିବାକୁ ମିଳେ ଧାଡ଼ି ହୋଇ ରଖାଯାଇଥିବା ଛୋଟ ଛୋଟ ସ୍ତୁପ। ଏଇ ଚୈତ୍ୟଗୃହଟି ଷଷ୍ଠ-ସପ୍ତମ ଶତାବ୍ଦୀ ସମୟର ବୋଲି ବିଶ୍ୱାସ କରାଯାଏ।

udayagiri
ଉଦୟଗିରି

ଲଳିତଗିରିରୁ ବିଦାୟ ନେଇ ଆମେ ଚାଲିଲୁ ବୌଦ୍ଧ ହୀରକ ତ୍ରିଭୁଜର ଦ୍ୱିତୀୟ କେନ୍ଦ୍ର ଉଦୟଗିରି। ଏଠାରୁ ଉଦୟଗିରିର ଦୂରତା ମାତ୍ର ୮ କିଲୋମିଟର। ଉଦୟଗିରି ବୁଦ୍ଧ ବିହାର ପରିସରକୁ ଯିବା ପରେ ପ୍ରଥମେ ଆଖିରେ ପଡ଼ିଲା ଅତି ପ୍ରାଚୀନ ବୁଦ୍ଧ ମୂର୍ତ୍ତି। ଏଗୁଡ଼ିକୁ ଖନନ ସମୟରେ ୧୯୫୮ ମସିହାରୁ ୧୯୯୦ ମସିହା ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଉଦ୍ଧାର କରାଯାଇଥିଲା।  ଏଇ ମୂର୍ତ୍ତିଗୁଡ଼ିକୁ ଅତିକ୍ରମ କରିବା ପରେ ଅଳ୍ପ ଦୂରରେ ଦେଖିବାକୁ ମିଳିଲା ଅଷ୍ଟମ-ଦଶମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ଏକ ପ୍ରାଚୀନ ବାଂଫି। ଏଇ ବାଂଫିରୁ ବୌଦ୍ଧ ସନ୍ୟାସୀମାନେ ଦୈନନ୍ଦିନ ବ୍ୟବହାର ପାଇଁ ପାଣି ନେଉଥିଲେ। ଏହାର ଗଠନ ଶୈଳୀକୁ ଭଲ ଭାବରେ ଅନୁଧ୍ୟାନ କଲେ ଜଣାପଡ଼ିବ କେତୋଟି ପଥରକୁ କଟାଯାଇ ବାଂଫିର ଫଳ ଓ ପାହାଚ ଆଦି ନିର୍ମାଣ କରାଯାଇଥିଲା। ଏଠାରୁ ପ୍ରାୟ ୩୦୦ ମିଟର ଦୂରରେ ଦେଖିବାକୁ ମିଳେ ବୌଦ୍ଧ ସ୍ତୁପର ସମାହାର। ଏଗୁଡ଼ିକ ପୋଡ଼ା ଇଟା ଓ ପଥରରେ ନିର୍ମାଣ କରାଯାଇଥିଲା। ପଥରରେ ନିର୍ମାଣ କରାଯାଇଥିବା ସ୍ତୁପକୁ ଦେଖିଲେ ଜଣାଯିବ- ଏହା ହିନ୍ଦୁ ମନ୍ଦିର ଶୈଳୀରେ ନିର୍ମାଣ କରାଯାଇଥିଲା। ସ୍ତୁପସମୂହର ଠିକ୍ ପାଖରେ ଦେଖିବାକୁ ମିଳେ ଉଦୟଗିରିର ପ୍ରସିଦ୍ଧ ଚୈତ୍ୟଗୃହ, ପୋଡ଼ାଇଟା ଓ ପଥରର ଉପାସନା ହଲ୍। ଏଠାରେ ଦେଖିବାକୁ ମିଳେ ମହାପୁରୁଷ ପଦ୍ମପାଣି ଓ ପ୍ରାଚୀନ ମୂର୍ତ୍ତି ସହିତ ଅନେକ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ସ୍ତମ୍ଭ ଓ ମୂର୍ତ୍ତି।

ଉଦୟଗିରି ପରେ ଆମର ପରବର୍ତ୍ତୀ ଡେଷ୍ଟିନେସନ୍ ଥିଲା ହୀରକ ତ୍ରିଭୁଜର ତୃତୀୟ କେନ୍ଦ୍ର ରତ୍ନଗିରି। ରତ୍ନଗିରି ଯିବାକୁ ହେଲେ ଏଠାରୁ ମାତ୍ର ୧୨ କିଲୋମିଟର ରାସ୍ତା ଯିବାକୁ ପଡ଼ିବ। ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜି ଏକ ଛୋଟ ପାହାଡ଼ ଉପରେ ଅବସ୍ଥିତ। ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ଏହାକୁ ବହୁତ ସୁନ୍ଦର ଭାବେ ବିକଶିତ କରାଯାଇଛି ପର୍ଯ୍ୟଟକମାନଙ୍କର ସୁବିଧା ପାଇଁ। ପାହାଡ଼ ଉପରକୁ ଯିବା ପାଇଁ ଅଛି ପାହାଚଶ୍ରେଣୀ। ପାହାଚ ଅତିକ୍ରମ କରି ଉପରକୁ ଆସିବା ପରେ ଆମେ ଦେଖିଲୁ ଅନେକ ଛୋଟ ଛୋଟ ବୌଦ୍ଧ ସ୍ତୁପର ସମାହାର। ଏ ସବୁକୁ କୁହାଯାଏ ମନାସି ସ୍ତୁପ। ସେତେବେଳେ ବୌଦ୍ଧ ସଂପ୍ରଦାୟରେ ମାନସିକ ପୂରଣ କରିବା ପାଇଁ ଏପରି ସ୍ତୁପ ନିର୍ମାଣ କରି ଏଠାରେ ସ୍ଥାପନା କରାଯାଉଥିଲା।

ratnagiri
ରତ୍ନଗିରି

ମନାସି ସ୍ତୁପ ଅତିକ୍ରମ କରି ପ୍ରାୟ ୧୦୦ ମିଟର ଦୂର ଯିବା ପରେ ଦେଖିବାକୁ ମିଳିଲା ସେ ସମୟର ବୌଦ୍ଧ ଉପାସନା ପୀଠର ଭଗ୍ନାବଶେଷ। ଏହାକୁ ଅତିକ୍ରମ କରିବା ପରେ ଦେଖିଲୁ ଚମତ୍କାର ବୌଦ୍ଧ ବିହାର। ଏହାର ମୁଖ୍ୟ ଆକର୍ଷଣ ହେଉଛି ଏହାର ଆକର୍ଷଣୀୟ ପ୍ରବେଶ ଦ୍ୱାର। ଏଇ ପ୍ରବେଶ ଦ୍ୱାରର କାରୁକାର୍ଯ୍ୟ ଆଜି ବି ଦେଶବିଦେଶର ଗବେଷକମାନଙ୍କୁ ଆଶ୍ଚର୍ଯ୍ୟ କରି ଦିଏ। ପ୍ରବେଶଦ୍ୱାର ଅତିକ୍ରମ କଲା ପରେ ଆମେ ଦେଖିବାକୁ ପାଇଲୁ ଏକ ବିରାଟ ବୌଦ୍ଧବିହାର ପରିସର। ଏଠାରେ ଅଛି ଏକ ପ୍ରଶସ୍ତ ଅଗଣା। ଏ ଅଗଣାର ଚାରିପଟେ ରହିଛି ପ୍ରାଚୀନ ସ୍ତମ୍ଭ, କେତୋଟି କାରୁକାର୍ଯ୍ୟ ଛୋଟ ମନ୍ଦିର ଅଂଶବିଶେଷ ଏବଂ ମହାପୁରୁଷ ବୁଦ୍ଧଦେବଙ୍କର ଏକ ଧ୍ୟାନରତ ମୁଦ୍ରାର ମୂର୍ତ୍ତି।

ରତ୍ନଗିରି ଥିଲା ବ୍ରଜଯାନ ସଂପ୍ରଦାୟର ବୌଦ୍ଧଭିକ୍ଷୁମାନଙ୍କର ପୀଠସ୍ଥଳୀ। ଏହାର ମୋନେଷ୍ଟ୍ରି ବା ବିହାର ମହାସ୍ତୁପ ପ୍ରଭୁତି ସୋମବଂଶୀ ରାଜାମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ବୌଦ୍ଧ ଭିକ୍ଷୁମାନଙ୍କ ନିର୍ଦ୍ଦେଶରେ ହିଁ ଏସବୁ ତିଆରି ହୋଇଥିଲା। ସୋମବଂଶୀ ରାଜାମାନେ ଥିଲେ କଳାର ମାର୍ଗଦର୍ଶକ। ଏହି ରାଜବଂଶ ସବୁ ଧର୍ମକୁ ସମାନ ସ୍ଥାନରେ ରଖି କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ଚରମ ସ୍ଥାନରେ ପହଞ୍ଚାଇଥିଲେ। ରତ୍ନଗିରିର ବୌଦ୍ଧ ଉପାସନାପୀଠ ସେ ସମୟର ସାମାଜିକ ଅର୍ଥନୈତିକ ଓ ମାନସିକ ବିକାଶର ନମୁନା ପ୍ରଦର୍ଶନ କରେ। ଯଦି ଏଠାରେ ବିଭିନ୍ନ ସ୍ଥାନରେ ଭଗ୍ନପ୍ରାୟ ଅବସ୍ଥାରେ ମୂର୍ତ୍ତି ସବୁ ପଡ଼ିଛି, ତଥାପି ଉତ୍କଳୀୟ ଶିଳ୍ପୀମାନଙ୍କର କଳାକୂଶଳତା ମାଧ୍ୟମରେ ବଞ୍ଚି ରହିଛି।

ଅନ୍ୟ ବୌଦ୍ଧପୀଠ ପରି ରତ୍ନଗିରିରେ ମଧ୍ୟ ରହିଛି ଏକ ମହାସ୍ତୁପ। ପୋଡ଼ାଇଟାରେ ନିର୍ମିତ ଏହି ମହାସ୍ତୁପ ନବମ ଶତାବ୍ଦୀରେ ନିର୍ମିତ ହୋଇଥିଲା। ଏହାର ଚାରିପାଖରେ ଆପଣମାନେ ଦେଖିବାକୁ ପାଇବେ ଅନେକ ଗୁଡ଼ିଏ ଭୋବିଭ୍ ସ୍ତୁପ। ସେସବୁ ଇଟା କିମ୍ବା ପଥରରେ ତିଆରି।

ଲଳିତଗିରି, ଉଦୟଗିରି ଓ ରତ୍ନଗିରିଠାରେ ପ୍ରତ୍ନତତ୍ତ୍ୱ ଖନନ ବେଳେ ମିଳିଥିଲା ଅନେକ ପ୍ରାଚୀନ ମୂର୍ତ୍ତି, ପଥର ଓ ଧାତବ ପାତ୍ର, ମୁଦ୍ରା ଓ ମାଟିପାତ୍ର ଆଦି ଐତିହାସିକ ଜିନିଷ। ସେସବୁକୁ ସଂରକ୍ଷିତ କରି ରଖାଯାଇଛି। ସେସବୁ ସଂରକ୍ଷିତ କରି ରଖାଯାଇଛି ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରତିଷ୍ଠିତ ଏକ ସଂଗ୍ରହାଳୟରେ। ଏହାକୁ ବାଦ ଦେଲେ ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ମୂର୍ତ୍ତି ଓ ବୌଦ୍ଧ ସଂସ୍କୃତି ସଂପର୍କିତ ପ୍ରାଚୀନ ଦଲିଲ। ଏଣୁ ରତ୍ନଗିରି ଆସିଲେ ଏହି ମ୍ୟୁଜିୟମକୁ ଆପଣମାନେ ଯେମିତି ହେଲେ ଥରେ ପରିଦର୍ଶନ କରିବା ଉଚିତ୍।