ହାତକୁ ଅବଢ଼ା ବଢାଇ ଦେଲେ କୁନି ଜଗନ୍ନାଥ

ଦୁଇ ଭିନ୍ନ ମାନସିକତାର ବ୍ୟକ୍ତି  ଜୀବନକୁ ନିଆରାଭାବେ ଦେଖିଥାନ୍ତି । ଠିକ୍ ଯେମିତି ଗୋଟିଏ ଗ୍ଲାସରେ ଅଧା ଗ୍ଲାସ ପାଣି ରଖି ଦୁଇଜଣ ବ୍ୟକ୍ତିଙ୍କୁ ଦେଖାଇବାରୁ ଦୁହେଁ ଭିନ୍ନ ମତ ଦେଲେ । ନୈରାଶବାଦୀଙ୍କ କହିବା ଅନୁଯାୟୀ  ଗ୍ଲାସଟି ଅଧା ଖାଲି ଥିବା ବେଳେ ଆଶାବାଦୀ କହନ୍ତି, ଗ୍ଲାସଟି ଅଧା ପୂର୍ଣ୍ଣ ଅଛି । ପରମାତ୍ମା ହେଲେ ଏକ ସୃଷ୍ଟିରୂପୀ ବିଶ୍ୱ ନାଟକର ସ୍ରଷ୍ଟା। ସୃଷ୍ଟିର ପ୍ରତ୍ୟେକ ଜୀବାତ୍ମାର ହୃଦୟକୁ ନିମିଷକେ ପଢିପାରୁ ଥିବାରୁ ତାଙ୍କର ଅନ୍ୟ ନାମ ‘ଅନ୍ତର୍ଯାମୀ’। ଭକ୍ତର ଭକ୍ତି, ନିଷ୍ଠା ଓ ପ୍ରାର୍ଥନା ଦେଖି ସେ ଆବିଭୂର୍ତ ହୋଇଥା’ନ୍ତି ବଡ ସାଧାରଣ ଢଙ୍ଗରେ , ସ୍ୱାଭାବିକ ରୀତିରେ । ଯେ ପ୍ରକୃତ ଭକ୍ତ ସେ ଭଗବାନଙ୍କ ଅନୁକମ୍ପାକୁ ଚିହ୍ନିବାରେ ଟିକିଏ ବି ବିଳମ୍ୱ କରେ ନାହିଁ, କାରଣ ତାର ହୃଦୟ ଅତୀବ ନିର୍ମଳ।

ଥରେ ଜଣେ ବ୍ୟକ୍ତି ଦେଖିଲେ ଯେ, ଗୋଟିଏ ବୃକ୍ଷ ଉପରେ ଗୋଟିଏ ସୁନ୍ଦର ନାଲି ରଙ୍ଗର ପକ୍ଷୀଟିଏ ବସିଛି। ସେ ଆସି ଅନ୍ୟଜଣଙ୍କୁ କହିଲା, ଦେଖ ସେଇ ଗଛରେ ଗୋଟିଏ ନାଲି ରଙ୍ଗର ପକ୍ଷୀ ବସିଛି। ସେ ଲୋକଟି ଉତ୍ତର ଦେଲା ନା ନା ତାହା ନାଲି ରଙ୍ଗର ନୁହେଁ,ମୁଁ ଏବେ ଦେଖିଆସିଲି ତାହା ନୀଳ ରଙ୍ଗର ପକ୍ଷୀ। ଏ ଦୁଇଜଣଙ୍କ କଥା ଶୁଣି ତୃତୀୟ ବ୍ୟକ୍ତିଟି କହିଲା,ତୁମେ ଦୁଇ ଜଣ ଯାକ ଭୁଲ୍ କହୁଛ, ମୁଁ ତ ଏବେ ଦେଖି ଆସିଲି,ତାହା ହଲଦିଆ ରଙ୍ଗର ପକ୍ଷୀଟିଏ। ଏହିପରି ଧୀରେ ଧୀରେ ଲୋକଙ୍କ ସଂଖ୍ୟା ବଢିବାକୁ ଲାଗିଲା ଓ ସମସ୍ତେ ପକ୍ଷୀଟିକୁ ଭିନ୍ନ ଭିନ୍ନ ରଙ୍ଗର ବୋଲି ମତ ଦେଲେ। ସେଠାରୁ ସମସ୍ତେ ଏକାଠି ହୋଇ ପକ୍ଷୀ ରହୁଥିବା ବୃକ୍ଷମୂଳକୁ ଗଲେ, ଦେଖିଲେ ସେହି ବୃକ୍ଷମୂଳରେ ଜଣେ ବ୍ୟକ୍ତି ବସିଛି। ତାକୁ ପଚାରିବାରୁ ସେ କହିଲା ମୁଁ ଏଇ ଗଛମୂଳରେ ଥାଏ,ସେ ପକ୍ଷୀଟିକୁ ଭଲଭାବେ ଜାଣେ । ତୁମ୍ଭେମାନେ ଯାହା କହୁଛ ତାହା ସତ୍ୟ। କାରଣ ଏହି ପକ୍ଷୀଟି କେବେ ଲାଲ, କେବେ ସବୁଜ, କେବେ ହଳଦିଆ ତ କେବେ ନୀଳ ଏହିପରି ଭିନ୍ନ ଭିନ୍ନ ରଙ୍ଗ ଧାରଣ କରୁଥାଏ। ଏହା ବହୁରୂପୀ। ପୁଣି ବେଳେବେଳେ ଆବିଷ୍କାର କରେ ଏହାର କୌଣସି ରଙ୍ଗ ନାହିଁ। କେବେ ସୁଗୁଣ ତ କେବେ ନିଗୁର୍ଣ।  ଅର୍ଥାତ ଯେଉଁ ବ୍ୟକ୍ତି ସଦାସର୍ବଦା ଇଶ୍ୱରଙ୍କୁ ଚିନ୍ତା କରେ,କେବଳ ସେ ହିଁ  ଜାଣିପାରେ ତାଙ୍କର ସ୍ୱରୂପ କ’ଣ? ସେହି ବ୍ୟକ୍ତି ହିଁ ଅନୁଭବ କରେ ଯେ ଭଗବାନ କେତେବେଳେ କେଉଁଠି କିପରି କାହାକୁ ଦର୍ଶନ ଦେଇଥାନ୍ତି । ଅର୍ଥାତ୍ ଗଛ ମୁଳରେ ରହୁଥିବା ବ୍ୟକ୍ତି ହିଁ କେବଳ ଜାଣିପାରେ ବହୁରୂପୀର ରଙ୍ଗ ଓ ରୂପକୁ। ଗଛ ମୂଳଠୁ ଦୂରରେ ରହୁଥିବା ବ୍ୟକ୍ତିମାନେ ଅଜ୍ଞତା ହେତୁ ତର୍କ,ଝଗଡା, ବାଦବିବାଦରେ ଲିପ୍ତ ରହନ୍ତି। ଭକ୍ତଟିଏ ଭଗବାନଙ୍କର ସବୁଠୁ ପାଖ ଲୋକ। ନିର୍ମଳ ଭକ୍ତି ଓ ପ୍ରଗାଢ ପ୍ରେମ ମାଧ୍ୟମରେ ଭକ୍ତ ହିଁ  ଭଗବାନଙ୍କୁ ଦେଖେ, କେବେ ‘ସାକାର’ ଓ କେବେ ‘ନିରାକାର’ ରୂପରେ, କେବେ ‘ଶୂନ୍ୟ’ ତ କେବେ ‘ପୂର୍ଣ୍ଣବ୍ରହ୍ମ’ ରୂପରେ।

ସାଧାରଣ ଜୀବନରେ ଏମିତି କିଛି ଘଟଣା ଘଟିଥାଏ ଯାହାକୁ ଟିକିଏ  ନିରୀକ୍ଷଣ କଲେ ସହଜରେ ଅନୁଭବ କରିହୁଏ,  ଏହା ନିତାନ୍ତ ‘ଅସାଧାରଣ’ ବୋଲି ।

ମୋ ଜୀବନରେ ଘଟିଥିବା ସେପରି ଏକ ଅସାଧାରଣ ଘଟଣାକୁ ନେଇ ଲେଖାଟିଏ।  ସେଦିନ ଥାଏ କାର୍ତ୍ତିକ ମାସ ପଞ୍ଚୁକର ପହିଲି ଦିନ। ଜଗନ୍ନାଥ ମନ୍ଦିର ଭିତରେ  ବହୁତ ଭିଡ ଲାଗି ରହିଥାଏ। ସିଂହଦ୍ୱାରଠୁ ବାଇଶିପାହାଚ ଓ ରତ୍ନସିଂହାସନ ପର୍ଯ୍ୟନ୍ତ କେଉଁଠି ଟିକେ ସୋରିଷ ପକାଇବାକୁ ସ୍ଥାନ ନ ଥାଏ।  ମୁଁ ଓ ମୋର ବଡ ଭଉଣୀ(ସୁଲେଖିକା ପ୍ରାମୋଦା ଦେବୀ) ସେଦିନର ସେହି ଭିଡ ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିସାରି ଫେରୁଥାଉ।  ପ୍ରସାଦ ଟିକିଏ,ବିଶେଷକରି ଅବଢା ଅନ୍ନ ଓ ଡାଲି ଟିକେ ପାଇବା ପାଇଁ ମୋ ମନର ପ୍ରବଳ ଉତ୍କଣ୍ଠାକୁ ଏଡି ନପାରି ବଡ ଭଉଣୀ ଇତସ୍ତତଃ ଅଖି ପକାଉଥାଏ। ଏତେ ଭିଡ ଭିତରେ ଆନନ୍ଦ ବଜାର ପର୍ଯ୍ୟନ୍ତ ମୋଟେ ଯାଇହେବନି ଏ କଥା ଆମେ ଦୁହେଁ ହୃଦୟଙ୍ଗମ କରିସାରିଥାଉ। ସେହି ବେଢା ଭିତରେ କେହି କେହି ଅବଢା ବିକୁଥାନ୍ତି, ମାତ୍ର ସେମାନଙ୍କ ପାଖରେ ମଧ୍ୟ ପ୍ରବଳ ଭିଡ।  ମୋ ମନ ବେଳକୁ ବେଳ ଉଦାସ ହୋଇ ଉଠୁଥାଏ। ଭାବୁଥାଏ, ସତରେ କ’ଣ ଆଜି କାର୍ତ୍ତିକମାସ ପଞ୍ଚୁକରେ ଜଗନ୍ନାଥ ଟିକେ ପ୍ରସାଦର ବନ୍ଦୋବସ୍ତ କରିଦେବେନି!!

ଏମିତି ଭାବିବା ଭିତରେ ହଠାତ୍ ସାବିତ୍ରୀ ସତ୍ୟବାନଙ୍କ ମୂର୍ତ୍ତି ତଳକୁ (ଆମର ଦେହକୁ ବାଜିଲା ଭଳି) ଗୋଟିଏ ଛୋଟ ପିଲାଟିଏ ଅବଢା, ଡାଲି, ବେସର ଇତ୍ୟାଦି ଧରି ବସିଥିବାର ଦେଖି ଆମ ଦୁଇଜଣଙ୍କ ଆଖି ସ୍ଥିର ହୋଇଗଲା। ୧୦-୧୨ ବର୍ଷର ବାଳକଟିଏ । ଗୌରବର୍ଣ୍ଣ, କୁଞ୍ଚୁକୁଞ୍ଚିଆ ବାଳ,ଗୋଲାପୀ ଓଠରେ ଲାଖିରହିଛି ମନମତାଣିଆ ହସଧାରେ। ଗୁଲୁଗୁଲିଆ କଣ୍ଠରେ ସେ ଆମକୁ ପଚାରୁଛି,’ମା’ ଭୋଗ ନେବେ ଭୋଗ,ଗରମ ଗରମ ଭୋଗ,ଏବେ ତ ବାହାରିଛି ଠାକୁରଙ୍କ ନିକଟରୁ,ନିଅନ୍ତୁନା,ଏମିତି ଭୋଗ ଆଉ କେଉଁଠି ପାଇବେନି। ଏହା କହି ଆମ ମୁହଁର କିଛି କଥାକୁ ଅପେକ୍ଷା ନକରି ଗୋଟଏ ପରେ ଗୋଟିଏ ଓଳିରେ ବଢାଇ ଚାଲିଥାଏ ଭୋଗ-ମିଠାଅନ୍ନ, ମିଠା ଡାଲି, ବେସର, ମହୂର,ଖଟା ଶାଗ।  ସିଏ ଯେତିକି ଶୀଘ୍ର ବଢାଉଥାଏ ଆମେ ଦୁହେଁ ସେତିକି ଶୀଘ୍ର ମହାପ୍ରସାଦ ଓଳିଗୁଡିକୁ ଖାଲି କରିଦେଉଥାଉ। ମୋତେ ଲାଗୁଥାଏ ଏମିତି ସ୍ୱାଦିଷ୍ଟ ମହାପ୍ରସାଦ ମୁଁ ଆଗରୁ କେବେ ପାଇନି। ଅତି ତୃପ୍ତିରେ ତା’ଆଡକୁ ଅନାଇ ରହିଥାଉ ଆମେ ଦୁଇ ଭଉଣୀ।  କି ଲାବଣ୍ୟ ଝଟକୁଥାଏ ତା ମୁଁହରୁ !ଭୋଗ ବାବଦରେ ଶହେଟି ଟଙ୍କ। ତା ହାତକୁ ବଡ ଭଉଣୀ ବଢାଇଦେଲା। ମାତ୍ର ୩୦ ଟଙ୍କା ରଖି ସେ ବାକିତକ ଟଙ୍କା ଫେରାଇଦେଲା।  ମୁଁ କହିଲି, ‘ଆରେ ପୁଅ ଓଳିକ ୧୦ ଟଙ୍କା ଲେଖାଏଁ ହେଲେ ତୋର ତ ୮୦ ଟଙ୍କା ହେବ,ତୁ ଏତେ କମ୍ ଟଙ୍କା  କ’ଣ ରଖିଲୁ ! ପିଲାଟି ହସିକି କହିଲା, ନା’ ନା’ ମୋର ତ ସେତିକି ଟଙ୍କା ହେଲା।

ମୁଁ ଖୁସିହୋଇ ଫେରିବା ପୂର୍ବରୁ ତା’ ମୁହଁକୁ ଆଉଥରେ ଚାହିଁ ଭାବିଲି ଏଇ ପିଲାଟିକୁ ତାର ନାଁ ଓ ଠିକଣା ପଚାରିବିକି! ପୁଣିଥରେ ଯେବେ ମନ୍ଦିର ଆସିବି ଏଇ ପିଲାଟିକୁ ଖୋଜି ତା’ଠୁ ଶ୍ରୀମହାପ୍ରସାଦ ପାଇବି।  ଏକଥା ଭାବି ତାକୁ ପଚାରିଲି, ଆରେ ପୁଅ ତୋ ନାଁଟି କ’ଣ ? ସେ ହସି ହସି ଧୀରେ ନମ୍ର ଭାବେ କହିଲା,  ମୋ ନାଁ ଜଗନ୍ନାଥ।

ଏକଥା ଶୁଣି ନିଜ କାନକୁ ବିଶ୍ୱାଶ କରିପାରିଲୁନି। ଦୁହେଁ ଯାକ କିଛି ସମୟ ନିଶ୍ଚଳ ନିର୍ବାକ ଭାବେ ଠିଆହୋଇ ରହିଲୁ। ତା’ପରେ ବେଳକୁବେଳ ବଢୁଥିବା ଭିଡକୁ ଲକ୍ଷ୍ୟ କରି ବାଧ୍ୟ ହୋଇ ଫେରିଆସୁଥିବା ବେଳେ ବୁଲି ବୁଲି ତା ମୁହଁକୁ ଅନାଉଥିଲୁ ବାରମ୍ୱାର। ନାନୀ କହିଲା, ପ୍ରତିଭା ! ଆଉଥରେ ଯିବାକି ତା’ ପାଖକୁ ? ଜଗନ୍ନାଥ କ’ଣ ସତ ଜଗନ୍ନାଥ କି ? ଚେହେରା,ଚାହାଣୀ,  କଥା ସବୁଥିରେ ଭରି ରହିଥିଲା ସାମଞ୍ଜସ୍ୟ ଜଗନ୍ନାଥଙ୍କ ସହ। ତେଣୁ ଆମେ ଦୁହେଁ ଏପରି ଭାବିବାଟା ମଧ୍ୟ ସ୍ୱାଭାବିକ।  ମୁଁ ଟିକେ ଚିନ୍ତା କଲି ଓ ଆଉଥରେ ବୁଲି ସେ ପିଲାକୁ ଦେଖିବାକୁ ବାରଣ କଲି ନାନୀକୁ। ବାରଣ କଲି ଏଥିପାଇଁ ଯଦି ସେ ପ୍ରକୃତରେ ଜଗନ୍ନାଥ ହୋଇଥିବେ ତେବେ ତାଙ୍କୁ ପୁଣି ଥରେ ଦର୍ଶନ କରିବାର  ମହାନ ସୌଭାଗ୍ୟ ଏ ଅଧମ ଦି’ଟାଙ୍କୁ ତ ମିଳିଯିବ, ମାତ୍ର ଯଦି ସେ ଜଗନ୍ନାଥ ନ ହୋଇ ଜଗନ୍ନାଥ ନାମଧାରୀ ସାଧାରଣ ବାଳକଟିଏ ହୋଇଥିବ ତେବେ ଏହି ଅଳ୍ପ ସମୟର ଅମୃତ ‘ଅନୁଭବ’କୁ ନେଇ ଜଗନ୍ନାଥଙ୍କ ଚେତନାରେ ଆକ୍ତାମାକ୍ତା ହେଉଥିବା ଆମ ଦୁହିଁଙ୍କ କ’ ଣ ହେବ ? ଆମ ସ୍ୱପ୍ନ କଳ୍ପନା ଜଳ୍ପନାରେ ରୂପରଙ୍ଗ ନିମିଷକେ କେତେ ଫିକା ପଡିଯିବ ? ଶେଷରେ ଭକ୍ତି ଭାବରେ ରସାଣିତ ହୋଇ ସ୍ୱତନ୍ତ୍ର ତଥା ନିବିଡ ଅନୁଭୂତିକୁ ହୃଦୟରେ ଜଡେଇ ସଡେ଼ଇ ଫେରି ଆସୁଥିଲୁ ବାଇଶି ପାହାଚ ଦେଇ ବଡ ଦେଉଳରୁ ବଡ ଦାଣ୍ଡକୁ, ରତ୍ନ ସିଂହାସନରୁ ହୃଦୟ ସିଂହାସନକୁ। ଯେତେବେଳେ ଟିକେ ନିରୋଳା ସମୟ ପାଏ ସେ ଦିନର ସେହି ଅପୂର୍ବ ସୁଖଦ ଘଟଣାକୁ ବାରବାର ମନେ ପକାଉଥାଏ ଓ ଯେତେଥର ମନେ ପକାଉଥାଏ ସେତେଥର ପୁଣି ସେହି ସୁଖ, ଶାନ୍ତି, ସ୍ୱର୍ଗୀୟ ଆନନ୍ଦରେ ମନ ପ୍ରାଣ ହୃଦୟ ପୁରିଉଠେ।

ମୋ କଣ୍ଠରୁ ସ୍ୱତଃ ବାହାରିଆସେ ଭାଗବତର ସେହି ପଦଟି…

‘ଏ ମନ ଖୋଜୁଥାଇ ଯାହା, କାଳେ ପ୍ରାପତ ହୁଏ ତାହା’

ଲେଖିକା: ଡ଼. ପ୍ରତିଭା ମହାରଥୀ