ଏଠି ଗେଣ୍ଡାଳିଆ ପକ୍ଷୀ ଚାଷୀଙ୍କ ପାଇଁ ଇନ୍ଦ୍ର ଦେବତା !

birdsକାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଗଡ଼ପଳାଶୁଣି ଗାଁର ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଗୁଆ ସୂଚନା ପାଇଥାଆନ୍ତି। କିନ୍ତୁ ପାଣିପାଗରୁ ବିଭାଗ କିମ୍ୱା ଦିଅଁ ଦେବତାକୁ ପୂଜା କରି ନୁହଁ । ଗାଁକୁ ଆସୁଥିବା ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀଙ୍କ ଆଗମନ ହେଲେ ଏଠାକାର ଚାଷୀ ଚାଷ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୁଏ। ମେ’ ମାସ ଶେଷ ବେଳକୁ ଗେଣ୍ଡାଳିଆମାନେ ଗାଁକୁ ଆସିଥାଆନ୍ତି। ଗାଁରେ ୮ ମାସ ରହିବା ପରେ ଗେଣ୍ଡାଳିଆ ପକ୍ଷୀ ଚାଲି ଯାଆନ୍ତି। ଯେଉଁ ବର୍ଷ ଯେତେ ଗେଣ୍ଡାଳିଆ ଆସିବେ ସେ ବର୍ଷ ସେତେ ଭଲ ଫସଲ ହୁଏ ବୋଲି ଗାଁ ଲୋକଙ୍କ ବିଶ୍ୱାସ ରହିଛି।

ସାଧାରଣତଃ ବର୍ଷା ଋତୁ ଆସିଲେ ଚାଷୀ ଚାଷ କାର୍ଯ୍ୟ କରିବା ପାଇଁ ଅଣ୍ଟା ଭିଡ଼ିଥାଏ। ଭଲ ଫସଲ ପାଇଁ ଚାଷୀ ଇନ୍ଦ୍ର ଦେବତାଙ୍କ ଉପରେ ନିର୍ଭର କରିଥାଏ। ହେଲେ ଗଡ଼ପଳାଶୁଣି ଗାଁ ଲୋକେ ଗେଣ୍ଡାଳିଆଙ୍କୁ ଇନ୍ଦ୍ରଦେବତା ବୋଲି ବିଶ୍ୱାସ କରନ୍ତି।

ଗାଁର ଶତୃଘ୍ନ ମୁଦୁଲି କହିଛନ୍ତି,‘“ ଆମ ଗାଁକୁ ଗେଣ୍ଡାଳିଆ ଆସିଲେ ଆମକୁ ଖୁସି ଲାଗେ। ଆମ ପୂର୍ବ ପୁରୁଷ ଅମଳରୁ ଆମେ ଜାଣିଛୁ ଗେଣ୍ଡାଳିଆ ଆମ ଗାଁକୁ ଆସିଲେ ଚାଷ ବାସ ଖୁବ୍ ଭଲ ହୁଏ। ଯଦି ଗେଣ୍ଡଳିଆ ଗାଁରୁ ହଠାତ୍ ଚାଲି ଯାଆନ୍ତି, କୌଣସି ଦୁର୍ଘଟଣା କିମ୍ୱା ଚାଷରେ କ୍ଷତି ହୋଇଥାଏ। ଗେଣ୍ଡାଳିଆଙ୍କ ସୁରକ୍ଷା ପାଇଁ ଗାଁ ତରଫରୁ ଏକ କମିଟି ଗଠନ ହୋଇଛି। ଯଦି କୌଣସି ବ୍ୟକ୍ତି ଗେଣ୍ଡାଳିଆଙ୍କୁ ମାରନ୍ତି ତାଙ୍କ ଉପରେ ଗାଁ କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ।”

ପ୍ରାୟ ଦୁଇ ଶହ ବର୍ଷ ହେବ ଗେଣ୍ଡାଳିଆ ପକ୍ଷୀ ଗାଁକୁ ଆସୁଛନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି। ଗାଁ ଶିବ ମନ୍ଦିର ପାଖରେ ଥିବା କଇଁଆ ଗଛ ଓ ଆମ୍ୱ ଗଛରେ ଏମାନେ ବସା ବାନ୍ଧି ରହିଥାଆନ୍ତି। ଗେଣ୍ଡାଳିଆଙ୍କ ସୁରକ୍ଷା ପାଇଁ ଗାଁରେ ଏକ ସୁରକ୍ଷା ସଂଘ ଗଠନ କରାଯାଇଛି। କେହି ଗେଣ୍ଡାଳିଆଙ୍କୁ ମାରିଲେ ସେଥିପାଇଁ ଅର୍ଥ ଦଣ୍ଡର ବ୍ୟବସ୍ଥା ରହିଛି। ଏହାସହିତ ପାଳି କରି ଗାଁ ଲୋକେ ଗେଣ୍ଡାଳିଆଙ୍କ ସୁରକ୍ଷା କରନ୍ତି।

ଆଉ ଜଣେ ଗ୍ରାମବାସୀ କାର୍ତ୍ତିକ ମୁଦୁଲି କହିଛନ୍ତି,“ ଗେଣ୍ଡାଳିଆଙ୍କ ସୁରକ୍ଷା ଦାୟିତ୍ୱ ଗାଁ କମିଟି ନେଉଛି। ସରକାରଙ୍କ ପକ୍ଷରୁ ଗେଣ୍ଡାଳିଆଙ୍କ ସୁରକ୍ଷା ପାଇଁ କିଛି ପଦକ୍ଷେପ ନିଆଗଲେ ଭଲ ହୁଅନ୍ତା। ଗେଣ୍ଡାଳିଆମାନେ ରହୁଥିବା ସ୍ଥାନରେ ପାଚେରୀ କରାଗଲେ ସେମାନଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଗେଣ୍ଡାଳିଆ ଆସିଲେ ଚାଷର ଆଗମନ ହୁଏ ବୋଲି ପୂର୍ବ ପୁରୁଷରୁ ଆମର ବିଶ୍ୱାସ ରହି ଆସିଛି।”

ପରିବେଶବିତ୍ ସଞ୍ଜୀବ ନାୟକ କହିଛନ୍ତି, “ ଗେଣ୍ଡାଳିଆ ପକ୍ଷୀ ଆସିଲେ ଗଡ଼ପଳାଶୁଣି ଚାଷୀମାନଙ୍କ ମନରେ ଆନନ୍ଦ ଖେଳିଯାଏ। ଏହି ପକ୍ଷୀକୁ କୃଷକର ବନ୍ଧୁ ବୋଲି କୁହାଯାଏ। ହଜାର ହଜାର ସଂଖ୍ୟାରେ ଏହି ପକ୍ଷୀ ଗାଁକୁ ଆସିଲା ମାତ୍ରେ ଚାଷୀ ଖୁସି ହୋଇ ତାର ଚାଷ କାର୍ଯ୍ୟ ଆରମ୍ଭ କରିଥାଏ। ଏହି ଅଞ୍ଚଳର ଚାଷୀମାନଙ୍କ ବିଶ୍ୱାସ ରହିଛି ଏହି ପକ୍ଷୀ ଆସିଲେ ଭଲ ଫସଲ ହୁଏ। ଭଲ ଫସଲ ଅମଳ ହେବା ଯୋଗୁଁ ଚାଷୀମାନେ ମଧ୍ୟ ଦି ପଇସା ରୋଜଗାର କରିନ୍ତି। ଗେଣ୍ଡାଳିଆମାନେ ରଜ ସଂକ୍ରାନ୍ତିରେ ଆସି ଦୀପାବଳିରେ ଫେରି ଯାଆନ୍ତି।  ଏହି ସମୟ ମଧ୍ୟରେ ଗେଣ୍ଡାଳିଆମାନେ ଶାବକ ଜନ୍ମ କରିଥାନ୍ତି। ଏହି ପକ୍ଷୀକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ ରହିଛି।”