Advertisment

ଲୁଟ୍‌ ହେଉଛି ନଈ ବାଲି!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଅଧିକାଂଶ ନଦୀରେ ଖୋଲିଛି ବେଆଇନ ବାଲି ଖଣି। ସରକାରୀ ଆଇନ ଓ ନିୟମର ହେଉଛି ଖୋଲାଖୋଲି ଉଲ୍ଲଙ୍ଘନ। ଗାଁ ପରିମଳ ଧୋବା ତୁଠାରୁ ଜଣାପଡ଼େ ଭଳି ରାଜଧାନୀ ଭୁବନେଶ୍ୱର ନିକଟରେ ଚାଲିଥିବା ବେଆଇନ ବାଲି ଖଣିର ଦୃଶ୍ୟ ବୟାନ କରୁଛି ରାଜ୍ୟର ସ୍ଥିତି। ଖୋଦ୍ ରାଜଧାନୀ ଭୁନେଶ୍ୱରରେ ଆଇନକୁ ଆଖିଠାର ମାରି ଚାଲିଛି ବେଆଇନ୍ ବାଲି ଉତ୍ତୋଳନ। ସବୁ ନିୟମକୁ ଜଳାଞ୍ଜଳି ଦେଇ ଲୁଟ ହେଉଛି କୋଟି କୋଟି ଟଙ୍କାର ଲଘୁ […]

author-image
Ordigital Desk
ଅଦ୍ୟତନ ହୋଇଛି
ଲୁଟ୍‌ ହେଉଛି ନଈ ବାଲି!

Illigal mining

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଅଧିକାଂଶ ନଦୀରେ ଖୋଲିଛି ବେଆଇନ ବାଲି ଖଣି। ସରକାରୀ ଆଇନ ଓ ନିୟମର ହେଉଛି ଖୋଲାଖୋଲି ଉଲ୍ଲଙ୍ଘନ। ଗାଁ ପରିମଳ ଧୋବା ତୁଠାରୁ ଜଣାପଡ଼େ ଭଳି ରାଜଧାନୀ ଭୁବନେଶ୍ୱର ନିକଟରେ ଚାଲିଥିବା ବେଆଇନ ବାଲି ଖଣିର ଦୃଶ୍ୟ ବୟାନ କରୁଛି ରାଜ୍ୟର ସ୍ଥିତି। ଖୋଦ୍ ରାଜଧାନୀ ଭୁନେଶ୍ୱରରେ ଆଇନକୁ ଆଖିଠାର ମାରି ଚାଲିଛି ବେଆଇନ୍ ବାଲି ଉତ୍ତୋଳନ। ସବୁ ନିୟମକୁ ଜଳାଞ୍ଜଳି ଦେଇ ଲୁଟ ହେଉଛି କୋଟି କୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ।

Advertisment

ବାଲିଅନ୍ତା ତହସିଲ୍ ଅନ୍ତର୍ଗତ କୁଆଖାଇ ନଦୀରେ ଠିକ୍ ପୋଲ ତଳେ ହିଁ ଚାଲିଛି ବେଆଇନ୍ ବାଲି ଖନନ। ପରିବେଶ ନିୟମକୁ ଉଲ୍ଲଂଘନ କରି ନଦୀଗର୍ଭରେ ପକାଯାଉଛି ବନ୍ଧ ବାଡ଼। ହାଇୱା ଭଳି ବଡ଼ ବଡ଼ ଯାନବାହାନ ନଦୀ ଭିତରକୁ ଯାଇ ବାଲି ଉଠାଉଛନ୍ତି। କେବଳ ସେତିକି ନୁହେଁ ନଦୀ ଭିତରେ ପମ୍ପ ଲଗାଇ ବୋରିଂ କରାଯାଉଛି। ଆଉ ଅପ୍ରାକୃତିକ ପଦ୍ଧତିରେ ନଦୀ ଗର୍ଭକୁ ଖୋଳି ବାଲି ଉତ୍ତୋଳନ କରାଯାଉଛି।

ତହସିଲ୍ କାର୍ଯ୍ୟାଳୟରୁ ମାତ୍ର ଶହେ ମିଟର ଦୂରରେ ଚାଲିଛି ଏଭଳି ବେଆଇନ ବାଲି ଖନନ। କିନ୍ତୁ ସବୁ ଦେଖି ନ ଦେଖିଲା ପରି ହାତ ଜାକି ଚୁପ୍ ହୋଇ ବସିଛି ପ୍ରଶାସନ। ଉମାଦେଇବ୍ରହ୍ମପୁର, ଅଲାରପୁର, ହାଟଯସୁଆପୁର, ହୀରାପୁର ଅଂଚଳରେ ୧୨୦ ଏକର ନଦୀ ପଠାରୁ ବାଲି ଉତ୍ତୋଳନ ପାଇଁ ନିଲାମୀ ନେଇଛନ୍ତି ସ୍ଥାନୀୟ ଅଂଚଳର କମଳ ପାତ୍ର ନାମକ ଜଣେ ବ୍ୟକ୍ତି। ନିୟମ ଅନୁଯାୟୀ, ନଦୀ ପୋଲଠାରୁ ଉଭୟ ପାର୍ଶ୍ୱରେ ୫୦୦ ମିଟର ପର୍ଯ୍ୟନ୍ତ ଅଂଚଳରେ ବାଲି ଖନନ ସଂପୂର୍ଣ୍ଣ ନିଷିଦ୍ଧ। ହେଲେ ନବ ନିର୍ମିତ ପୋଲକୁ ବିପଦରେ ପକାଇ ସବୁ ନିୟମକୁ ଫୁ କରି ଏଠାରେ ଚାଲିଛି ବେଧଡକ୍ ବାଲି ଚାଲାଣ।

Advertisment

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ନଦୀରେ ମେସିନ୍ ଲଗାଇ ମନ ଇଛା ବାଲି ଖୋଳା ହେଉଛି। ନଦୀ ଅଣ ଓସାରିଆ ହୋଇ ଅଧିକ ଗଭୀର ହୋଇଯାଉଛି। ଫଳରେ ନଦୀରୁ ଆଉ ମାଛ ମଧ୍ୟ ଟିକେ ଗାଁ ଲୋକ ଧରିକି ଖାଇ ପାରୁ ନାହାଁନ୍ତି । ୧୫ ବର୍ଷ ହେଲା ଏମିତି ବାଲି ଖୋଳା ଚାଲିଛି। ନିଲାମ ନନେଇଥିବା ଜାଗାରୁ ବି ବାଲି ଖୋଳା ହେଉଛି। କାହାକୁ କ’ଣ ପଇସାପତ୍ର ଦେଇ କାମ କରି ନେଉଛି ଖଣି ମାଲିକ।”

ବିଜେପିର ନଦୀ ସୁରକ୍ଷା ରାଜ୍ୟ କମିଟି ସଭାପତି ମହେଶ୍ୱର ସାହୁ କହିଛନ୍ତି, “କୁଆଖାଇ ଓ ଦୟା ନଦୀର ଠିକ୍ ପୋଲ ତଳେ ଦିନଦିପ୍ରହରରେ ରାଜଧାନୀରେ ଖୋଲାଖୋଲି ବାଲି ଖୋଳା ହେଉଛି। ଏନଜିଟି ନିୟମକୁ ଉଲଙ୍ଘନ କରି ପମ୍ପ ଯୋଗେ ବାଲି ଖୋଳା ଚାଲିଛି। ମୁଖ୍ୟମନ୍ତ୍ରୀ କ’ଣ ଦେଖି ପାରୁନାହାଁନ୍ତି? ନାଁ ତାଙ୍କ ଜିଲ୍ଲାପାଳ ଓ ରାଜସ୍ୱ ବିଭାଗର କୌଣସି ଅଧିକାରୀଙ୍କୁ ଦେଖାଯାଉନାହିଁ? ରାଜ୍ୟରେ ସବୁଠି ଏମିତି ଚୋରା ବାଲି ଚାଲାଣ ହେଉଛି। କେବଳ ଧର୍ମକୁ ଆଖିଠାର ଭଳି ୪/୫ଟି ଟ୍ରାକ୍ଟରକୁ ଧରି ଫାଇନ୍ ପକାଇ ବାହାବା ଲୁଟୁଛନ୍ତି ସରକାର।”

[caption id="attachment_711403" align="aligncenter" width="650"]Sand mining ଭୁବନେଶ୍ୱରରେ ଚାଲିଛି ବେଆଇନ ବାଲି ଚାଲାଣ[/caption]

ରାଜଧାନୀକୁ ଘେରି ରହିଥିବା ସମସ୍ତ ନଦୀ ପଠାରେ ଏମିତି ବେଆଇନ ଭାବେ ଅନବରତ ବାଲି ଖନନ ଓ ଚାଲାଣ ଚାଲିଛି। ତ୍ରିଶୁଳିଆ ନିକଟସ୍ଥ ମହାନଦୀ ଗର୍ଭରେ ବି ଚାଲିଛି ବେଆଇନ ବାଲି ଉତ୍ତୋଳନ। ବାଲି ଉତ୍ତୋଳନ ନାଁରେ ମହାନଦୀ ଶଯ୍ୟାକୁ ଖିନଭିନ୍ କରାଯାଉଛି। ହାଇୱାରେ ବାଲି ପରିବହନ ଉପରେ କଠୋର କଟକଣା ଥିବା ସତ୍ତ୍ୱେ ନଦୀରେ ମୋରମ ରାସ୍ତା ତିଆରି କରି ହାଇୱା ଲଗାଇ ମନ ଇଚ୍ଛା ବାଲି ଚାଲାଣ ଚାଲିଛି। ଖଣି ଉତ୍ତୋଳନ ପାଇଁ ମଞ୍ଜୁରୀ ଦେଇ ନିରବଦ୍ରଷ୍ଟା ସାଜିଛନ୍ତି ରାଜ୍ୟ ସ୍ତରୀୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ ବା SEIAA।

ଜାତୀୟ ଗ୍ରୀନ ଟ୍ରିବୁନାଲରେ ବିଭିନ୍ନ ପରିବେଶ ସଂକ୍ରାନ୍ତିୟ ମାମଲା ଲଢୁଥିବା ଓକିଲ ଶଙ୍କର ପାଣି କହିଛନ୍ତି, “୨୦୧୬ରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ସଷ୍ଟେନେବେଲ ସାଣ୍ଡ ମାଇନିଂ ଗାଇଡ୍ ଲାଇନ୍ ଓ ମନିଟୋରିଂ ଏନଫୋରସମେଣ୍ଟ -୨୦୨୦ଗାଇଡ ଲାଇନ୍ ଆଣିଲେ। ଦେଶରେ ସମସ୍ତ ବାଲି ଖଣି ଏହି ଗାଇଡ୍ ଲାଇନ୍ ଆଧାରରେ ଚାଲିବା ବାଧ୍ୟତାମୂଳକ ରହିଲା । ଏହି ଗାଇଡ୍ ଲାଇନ୍ ଅନୁଯାୟୀ ବାଲି ଖଣିରେ କୌଣସି ମେସିନ୍ ବ୍ୟବହାର କରାଯାଇ ପାରିବ ନାହିଁ । ଏପରକି ପମ୍ପିଂ ସଂପୂର୍ଣ୍ଣ ଭାବେ ବେଆଇନ୍ । କାରଣ ଏହା ଦ୍ୱାରା ନଦୀ ଗର୍ଭରେ ୨୦ ଫୁଟରୁ ଅଧିକ ଗଭୀର ସୃଷ୍ଟି ହେଉଛି । ଫଳରେ ନଦୀରେ ଜଳ ପ୍ରବାହ ବାଧାପ୍ରାପ୍ତ ହେଉଛି।”

କେବଳ ସିଆ(SEIAA)ର ନିୟମ ନୁହେଁ, ରାଜସ୍ୱ ବିଭାଗର ୨୦୧୯ ଗାଇଡ଼୍‌ଲାଇନ୍ ଓ ୨୦୨୧ ବାଲିନୀତି ଅନୁଯାୟୀ ବାଲି ଖଣି ଅଂଚଳ ଡିମାର୍କେଟିଂ ହେବ ଓ ସନ୍ଧ୍ୟା ୬ଟା ପରେ ବାଲି ପରିବହନ ହେବ ନାହିଁ। ମେସିନ୍ ନୁହେଁ ବରଂ ଲୋକ ହିଁ ବାଲି ଖନନରେ ନିୟୋଜିତ ହେବେ। ନଦୀର କେବଳ ନିଲାମୀ ଅଂଚଳରୁ ହିଁ ବାଲି ଉଠିବ। ନଦୀର ୩ ମିଟର ଗଭୀର ପର୍ଯ୍ୟନ୍ତ ହିଁ ବାଲି ଖୋଳା ଯାଇ ପାରିବ। ସବୁଠାରୁ ବଡ଼ କଥା ହେଲା ନଦୀରେ କୌଣସି ବୋରିଂ କିମ୍ବା ସକ୍‌ସନ୍ ମେସିନ୍ ଦ୍ୱାରା ବାଲି ଖନନ ହେବ ନାହିଁ। ହେଲେ ସବୁ ନିୟମକୁ ଜଳାଞ୍ଜଳି ଦେଇ ବେଧଡ଼କ୍ ବାଲି ଚାଲାଣ ଚାଲିଥିବା ବେଳେ ସିଆ (SEIAA) କର୍ତ୍ତୃପକ୍ଷ ମୁହଁ ଖୋଲିବାକୁ ନାରାଜ।

ନିୟମ ଖିଲାପକାରୀଙ୍କ ବିରୋଧରେ MMDR ଆକ୍ଚ ୧୯୫୭ ନିୟମ ୨୧(୫) ଏବଂ MMCR ୨୦୧୬ ନିୟମ ୫୧ ଅନୁଯ।ୟୀ ନିଲାମୀ ରଦ୍ଦ କରାଯାଇ ପାରିବ। ଏପରିକି ନିଲାମଧାରୀଙ୍କ ଉପରେ ଜୋରିମାନା ଲଗାଯାଇ ପାରିବ। ରାଜ୍ୟର ପ୍ରତି କୋଣରୁ ଓ ପ୍ରତି ନଦୀରୁ ଏମିତି ବେଆଇନ୍ ବାଲି ଚାଲାଣ ଚାଲିଛି। ଖୋଦ୍ ରାଜସ୍ୱ ବିଭାଗ ସ୍ୱୀକାର କରିଛି କି ରାଜ୍ୟରେ ୧୪୪ଟି ତହସିଲରେ ଏପରି ବାଲି ଚୋରା ଚାଲାଣ ହେଉଛି। ରାତି ଅଧିଆ ରାଜ୍ୟ ବାହାରକୁ ଟ୍ରିପ୍ ଟ୍ରିପ୍ ବାଲି ଯାଉଛି। ଫଳରେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର। ଆଉ ମାଲେମାଲ ହେଉଛନ୍ତି ବାଲି ମାଫିଆ ଓ ତାଙ୍କ ସହ ଜଡ଼ିତ ଥିବା ନେତା ଓ ଅଧିକାରୀ।