ସ୍ୱାଧୀନତା ସଂଗ୍ରାମର ନିର୍ଭୀକ ଯୋଦ୍ଧା, ଯାହାଙ୍କୁ ନେଇ ଏତେ ହୁଏନି ଚର୍ଚ୍ଚା

ଉ ଆଳ୍ପ କିଛି ଦିନର ଅପେକ୍ଷା। ଭାରତ ତାର ୭୩ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ସେଥିପାଇଁ ସବୁଠି ଖୁସି ଆଉ ଆନନ୍ଦର ପରିବେଶ। ଆଜି ଆମେ ଯେଉଁ ସ୍ୱାଧୀନତାର ସ୍ୱାଦ ଚାଖୁଛୁ, ତା’ ପଛରେ ଆମ ପୂର୍ବଜ ମାନଙ୍କର ବଳିଦାନ ରହିଛି। ଏହି ମୁକ୍ତି ସଂଗ୍ରାମରେ ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ସାମିଲ୍‌ ଥିଲେ। ସେଥିମଧ୍ୟରୁ ଏମିତି ଅନେକ ବିଶିଷ୍ଟ ଯୋଦ୍ଧା ରହିଛନ୍ତି, ଯେଉଁମାନଙ୍କୁ ନେଇ ଏତେ ଚର୍ଚ୍ଚା କିମ୍ବା ଆଲୋଚନା ହୁଏନି। ଆଜି ଆସନ୍ତୁ, ସେମିତି କିଛି ଯୋଦ୍ଧାଙ୍କ ବିଷୟରେ ଜାଣିବା।

ତିରୁପୁର କୁମାରନ୍‌

କୁମାରନ୍‌ ତାମିଲନାଡୁ କୋଏମ୍ବାଟୋରର ସନ୍ତାନ। ୧୯୩୨ ମସିହାରେ କୁମାରନ ବ୍ରିଟିଶ୍ ଶାସନ ବିରୋଧରେ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ। ଏହି ଶୋଭାଯାତ୍ରାରେ ସେ ତ୍ରିରଙ୍ଗା ପତକାକୁ ଧରି ଚାଲିଥିଲେ, ଯାହାକୁ ଦେଖି ବ୍ରିଟିଶ ଅଧିକାରୀ ଭୀଷଣ ରାଗିଯାଇଥିଲେ। ଏଥିପାଇଁ ସେ କୁମାରନ ଓ ଶୋଭାଯାତ୍ରାରେ ବାହାରିଥିବା ତାଙ୍କର ସାଥୀଙ୍କୁ ମାରପିଟ କରିଥିଲେ। ବ୍ରିଟିଶ୍ ଅଧିକାରୀ କୁମାରନ୍‌ଙ୍କୁ ତ୍ରିରଙ୍ଗା ପତାକାକୁ ତଳେ ଫିଙ୍ଗିଦେବାକୁ କହିଥିଲେ। କିନ୍ତୁ କୁମାରନ୍ ତାଙ୍କ କଥାକୁ କର୍ଣ୍ଣପାତ କଲେ ନାହିଁ। ଫଳରେ ଉପସ୍ଥିତ ପୁଲିସ୍‌ କର୍ମଚାରୀମାନେ ରାଗିଯାଇ ତାଙ୍କୁ ନିସ୍ତୁକ ପିଟିଥିଲେ। ତେବେ ସେ ତ୍ରିରଙ୍ଗାକୁ ସେମିତି ଜାବୁଡ଼ି ଧରି ରହିଥିଲେ। ପୁଲିସ୍‌ର ମାଡ଼ରେ କୁମାରନ୍‌ ଅଚେତ ହୋଇଗଲେ। ସେଦିନ ବ୍ରିଟିଶରଙ୍କ ମାଡ଼ରେ କୁମାରନଙ୍କର ମୃତ୍ୟୁ ଘଟିଥିଲା। ତେବେ ମଲା ପର୍ଯ୍ୟନ୍ତ ତ୍ରିରଙ୍ଗାକୁ ସେମିତି ଜାବୁଡ଼ି ଧରିଥିଲେ। ସେ ପଣ କରିଥିଲେ ଯେ, ସେ ପଛେ ତଳେ ପଡ଼ିଯିବେ, କିନ୍ତୁ ତ୍ରିରଙ୍ଗା ତଳେ ପକାଇବାକୁ ଦେବେ ନାହିଁ।

କମଲାଦେବୀ ଚଟ୍ଟୋପାଧ୍ୟାୟ

୧୯୦୩ ମସିହା ଏପ୍ରିଲ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ କମଲାଦେବୀ ଚଟ୍ଟୋପାଧ୍ୟାୟ। ମହିଳା ମାନଙ୍କ ସାମାଜିକ ଓ ଆର୍ଥିକ ଉତ୍‌ଥାନ ପାଇଁ ତାଙ୍କର ସଂଘର୍ଷ ଅତୁଳନୀୟ। ଏଥିସହ ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଯୋଗଦାନ ମଧ୍ୟ ଏକ ଉଦାହରଣ।

୧୯୨୩ ମସିହାର କଥା। କମଲା ଦେବୀ ୨୦ବର୍ଷର ହୋଇଥିବା ବେଳେ ତାଙ୍କର ବାହାଘର ହୋଇଗଲା। ବିବାହ ପରେ ସେ ଲଣ୍ଡନରେ ରହୁଥିଲେ। ସେତେବେଳେ ସେ ମହାତ୍ମାଗାନ୍ଧିଙ୍କର ଅସହଯୋଗ ଆନ୍ଦୋଳନ ବିଷୟରେ ଶୁଣିବାକୁ ପାଇଥିଲେ। ସେ ଭାରତ ଫେରିଆସିଲେ ଏବଂ ଏହି ଆନ୍ଦୋଳନରେ ଯୋଗଦେବା ପାଇଁ ସେବା ଦଳ(ସାମାଜିକ ଉତ୍‌ଥାନକୁ ପ୍ରୋତ୍ସାହିତ କରିବା ପାଇଁ ଗଠନ କରାଯାଇଥିବା ଏକ ଗାନ୍ଧିବାଦୀ ସଂଗଠନ)ରେ ସାମିଲ୍‌ ହୋଇଗଲେ।

୧୯୨୬ମସିହାରେ ଅଲ୍‌ ଇଣ୍ଡିଆ ୱିମେନ୍ସ କଂଗ୍ରେସର ସଂସ୍ଥାପକ ମାର୍ଗାରେଟ୍‌ ଇ କଜିନ୍‌ଙ୍କ ସହ ତାଙ୍କର ଭେଟ ହେଲା ଓ ସେ ମାଡ୍ରାସ ପ୍ରଭିଜନାଲ୍‌ ଲେଜିସ୍‌ଲେଟିଭ୍ ଆସେମ୍ବ୍ଲିରେ ସାମିଲ୍‌ ହେବାପାଇଁ ତାଙ୍କଠୁ ପ୍ରେରଣା ପାଇଥିଲେ। ଯେତେବେଳେ ସେ ଲୁଣ ପ୍ୟାକେଟ୍‌ ବିକିବା ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପ୍ରବେଶ କଲେ ତାଙ୍କୁ ଗିରଫ କରାଗଲା। ବର୍ଷେ ପର୍ଯ୍ୟନ୍ତ ସେ ଜେଲ୍‌ରେ ରହିଥିଲେ। ସ୍ୱାଧୀନତା ଆନ୍ଦୋଳନରେ ଗିରଫ ହେବାରେ ସେ ଥିଲେ ପ୍ରଥମ ଭାରତୀୟ ମହିଳା।

ଖୁଦିରାମ ବୋଷ

ଖୁଦିରାମ ବୋଷଙ୍କ କଥା ଉଠିଲେ ଆଖି ଆଗରେ ନାଚିଉଠେ ତାଙ୍କ ବୀର ଏବଂ ନିର୍ଭୀକ ଚେହେରା। ଯେତେବେଳେ ସ୍ୱାଧୀନତା ସଂଗ୍ରାମରେ ଲଢ଼େଇ ପାଇଁ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇ ଦିଆଯାଇଥିଲା ସେତେବେଳେ ତାଙ୍କୁ ମାତ୍ର ୧୮ବର୍ଷ ହୋଇଥିଲା। ୧୯୦୮ରେ ଖୁଦିରାମ ତାଙ୍କର ଜଣେ ସହଯୋଗୀ ପ୍ରଫୁଲ୍ଲ ଚାକୀଙ୍କ ସାଙ୍ଗେ ମିଶି ଜଣେ କ୍ରୁର ପ୍ରକୃତିର ଜିଲ୍ଲା ମାଜିଷ୍ଟ୍ରେଟ ଓ ବିଚାରପତି କିଙ୍ଗସଫୋର୍ଡଙ୍କୁ ମାରିବା ପାଇଁ ଠିକ୍‌ କଲେ। କିଙ୍ଗସଫୋର୍ଡ ଭାରତୀୟ ରାଜନେତା ମାନଙ୍କ କ୍ଷେତ୍ରରେ କଠୋରତମ ରାୟ ଦେଉଥିବା ନେଇ ଚର୍ଚ୍ଚାରେ ଥିଲେ। ସେ ଲୋକଙ୍କୁ ଶାରୀରିକ ଦଣ୍ଡ ଦେବାରେ ମଧ୍ୟ ମାହିର୍‌ ଥିଲେ। ଏହିପରି, ଯେତେବେଳେ ତାଙ୍କୁ ମୁଜାଫରପୁର ଜିଲ୍ଲାକୁ ସ୍ତାନାନ୍ତରିତ କରାଗଲା ସେତେବେଳେ ବୋଷ ତାଙ୍କୁ ମାରିବା ପାଇଁ ଚାକୀଙ୍କ ସହ ସେଠାରେ ପହଞ୍ଚିଥିଲେ।

୧୯୦୮ମସିହା ୨୦ଏପ୍ରିଲ୍‌ରେ ସେ ୟୁରୋପ କ୍ଲକ୍‌ ବାହାରେ ଥିବା ଗାଡ଼ିରେ ବମ୍‌ ପକାଇଦେଲେ। ସେ ଭାବିଥିଲେ ଯେ ସେହି ଗାଡ଼ିରେ କିଙ୍ଗ୍ସଫୋର୍ଡଙ୍କୁ ୟୁରୋପୀୟ କ୍ଲକ୍‌ ବାହାରକୁ ନିଆଯାଉଥିଲା। କିନ୍ତୁ ସେହି ଗାଡ଼ିରେ ମୁଜଫରପୁର ବାର୍‌ର ଜଣେ ପ୍ରମୁଖ ବାରିଷ୍ଟର ପ୍ରିଙ୍ଗଲ କେନେଡି ଏବଂ ତାଙ୍କ ପତ୍ନୀ ଓ ପୁଅ ଥିଲେ। ତେବେ ଏହି ଘଟଣା ପରେ ଅପରାଧୀଙ୍କୁ ଖୋଜିବା ପାଇଁ ଅତିରିକ୍ତ ପୁଲିସ୍‌ କର୍ମଚାରୀ ନିଯୁକ୍ତ କରାଗଲା। ସେହି ସମୟରେ ଖୁଦିରାମ ଓ ସହଯୋଗୀ ପ୍ରଫୁଲ୍ଲ ମାତ୍ର ୨୫କିଲୋମିଟର ଦୂରତା ଅତିକ୍ରମ କରି ବେନି ରେଲୱେ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଦୁଇଜଣ ପୁଲିସ୍‌ ଅଫିସର ଗିରଫ କରିନେଲେ ଏବଂ ୧୧ଅଗଷ୍ଟ ୧୯୦୮ରେ ତାଙ୍କୁ ଫାଶି ଦିଆଯାଇଥିଲା।

ପୀର୍‌ ଅଲ୍ଲୀ ଖାନ୍‌

ପୀର୍‌ ଅଲ୍ଲୀ ଖାନ୍‌ ୧୮୫୭ ମସିହାରେ ହୋଇଥିବା ସିପାହୀ ବିଦ୍ରୋହରେ ସାମିଲ ହୋଇଥିଲେ। ତାଙ୍କର ଜନ୍ମ ଉତ୍ତରପ୍ରଦେଶ ଆଜମଗଢ ଜିଲ୍ଲାର ମହମ୍ମଦପୁରରେ ହୋଇଥିଲା। ଯେତେବେଳେ ସେ ୭ବର୍ଷର ହୋଇଥିଲେ ସେତେବେଳେ ସେ ଘରଛାଡ଼ି ପାଟନା ପଳାଇଥିଲେ। ସେଠାରେ ତାଙ୍କୁ ଜଣେ ଜମିଦାର ତାଙ୍କ ଆଶ୍ରମରେ ଶରଣ ଦେଲେ ଏବଂ ସେ ତାଙ୍କୁ ତାଙ୍କ ପୁଅଙ୍କ ସହ ଆଣି ଶିକ୍ଷିତ କରିଥିଲେ।

ଏହାପରେ ପୀର୍‌ ପାଟନାରେ ଏକ ବହି ଦୋକାନ ଖୋଲିଲେ। ପୀର୍‌ଙ୍କର ଏହି ବହି ଦୋକାନ ସ୍ୱାଧୀନତା ସଂଗ୍ରାମୀଙ୍କର ଏକ ବୈଠକ ସ୍ଥଳ ପାଲଟିଗଲା, ଯେଉଁଠି ବସି ସ୍ୱାଧୀନତା ସଂଗ୍ରାମ ବିଷୟରେ ଆଲୋଚନା କରାଯାଉଥିଲା। ପୀର୍‌ ବ୍ରିଟିଶରଙ୍କ ବିରୋଧରେ ନିୟମିତ ଅଭିଯାନ ଚଲାଉଥିଲେ। ଏହାପରେ ୧୮୫୭ ବିଦ୍ରୋହର ସେ ଏକ ଅଭିନ୍ନ ଅଂଶ ପାଲଟିଗଲେ। ଯେତେବେଳେ ସେ ଦାନାପୁର ଛାଉଣି ସୈନିକମାନଙ୍କ ସହ ଯୋଜନା କରୁଥିଲେ ସେତେବେଳେ ସେଥିରୁ ଦୁଇଟି ଚିଠି ବ୍ରିଟିଶ ଲୋକଙ୍କ ହାତରେ ଲାଗିଯାଇଥିଲା।

ଏହାପରେ ପୀର ଅଲ୍ଲୀ ବ୍ରିଟିଶ୍‌ ଅଧିକାରୀଙ୍କ ଉପରେ ହମ୍‌ଲା କରିବା ପାଇଁ ଯୋଜନା କଲେ ଏବଂ ଏହି ହମ୍‌ଲାରେ ସାମିଲ୍‌ ହେବାପାଇଁ ଇଚ୍ଛା ରଖିଥିବା ଲୋକଙ୍କୁ ଏକାଠି କଲେ। ସେ ତାଙ୍କର ସହକର୍ମୀଙ୍କ ସହଯୋଗରେ ୫୦ଟି ବନ୍ଧୁକ ଯୋଗାଡ଼ ମଧ୍ୟ କରିଥିଲେ। ସେ ଏଗୁଡ଼ିକ ତାଙ୍କ ସହଯୋଗୀଙ୍କ ଭିତରେ ବାଣ୍ଟିଦେଲେ। ୧୮୫୭ ମସିହା ଜୁଲାଇ ୪ ତାରିଖରେ ଅଲ୍ଲୀ ଏବଂ ତାଙ୍କର ୩୩ଜଣ ସହଯୋଗୀଙ୍କୁ ଗିରଫ କରାଗଲା। ସେଥିରୁ ଅଧିକାଂଶ ଲୋକଙ୍କୁ ତା’ ପର ଦିନ ଫାଶୀ ଦିଆଗଲା। ଜୁଲାଇ ୭ତାରିଖ ଦିନ ପିର୍‌ ଅଲ୍ଲୀଙ୍କୁ ଫାଶୀ ଦିଆଯାଇଥିଲା।

ମାତାଙ୍ଗିନୀ ହାଜରା

ବ୍ରିଟିଶ୍‌ ଭାରତର ବଙ୍ଗଳା ପ୍ରେସିଡେନ୍ସିରେ ତମଲୁକ୍‌(ତତ୍କାଳୀନ ମିଦନାପୁର)ରୁ ବାହାରି ମାତାଙ୍ଗିନୀ ହାଜରା ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଭାରତଛାଡ଼ ଆନ୍ଦୋଳନର ଚାମ୍ପିଅନ୍‌ ଥିଲେ। ୧୮୭୦ ମସିହା ଅକ୍ଟୋବର ୧୯ରେ ଜନ୍ମଗ୍ରହଣ କରିଥିବା ମାତାଙ୍ଗିନୀ କୌଣସି ଔପଚାରିକ ଶିକ୍ଷା ଲାଭ କରି ନଥିଲେ। କମ୍‌ ବୟସରେ ତାଙ୍କର ବିବାହ ହୋଇଥିଲା ଏବଂ ୧୮ବର୍ଷ ବୟସରେ ସେ ବିଧବା ହୋଇଯାଇଥିଲେ।

୧୯୦୫ରେ ହାଜରା ସ୍ୱାଧୀନତା ଆନ୍ଦୋଲନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ୧୯୩୨ରେ ସେ ଆଇନ ଅମାନ୍ୟ ଆନ୍ଦୋଳନରେ ଭାଗ ନେଇଥିଲେ। ଗାନ୍ଧିଜୀଙ୍କର ନେତୃତ୍ୱରେ ଦାଣ୍ଡି ମାର୍ଚରେ ଭାଗ ନେବା ଏବଂ ଲବଣ ଅଧିନିୟମକୁ ଭାଙ୍ଗିବା ଅଭିଯୋଗରେ ଗିରଫ କରାଯାଇଥିଲା। ସେ ୬ମାସ ପର୍ଯ୍ୟନ୍ତ ବରହମ୍‌ପୁରରେ ବନ୍ଦୀ ହୋଇଥିଲେ।

୧୯୪୨ରେ ସେ ଗାନ୍ଧିଙ୍କଦ୍ୱାରା ଆରମ୍ଭ କରାଯାଇଥିବା ‘ଭାରତ ଛାଡ଼’ ଆନ୍ଦୋଳନରେ ସେ ଏକ ପ୍ରମୁଖ ଭୂମିକା ନେଇଥିଲେ। ସେ ବ୍ରିଟିଶରମାନଙ୍କୁ ଭାରତରେ ନିଜର ଶାସନ କାଳ ସମାପ୍ତ କରି ଭାରତ ଛାଡ଼ିବା ପାଇଁ କହିଥିଲେ। ସେତେବେଳେ ହାଜରାଙ୍କ ବୟସ ୭୧ବର୍ଷ ହୋଇଥିଲା। ପ୍ରାୟ ଛଅ ହଜାର ସମର୍ଥକଙ୍କ ସହ ସେ ଏକ ବିଶାଳ ଶୋଭାଯାତ୍ରାରେ ଯାଉଥିବା ସମୟରେ ପୁଲିସ୍‌ ଗୁଳିରେ ଟଳିପଡ଼ି ଥିଲେ। ସେତେବେଳେ ତାଙ୍କ ହାତରେ ଥିଲା ତ୍ରିରଙ୍ଗା।