କଫି ପରି କୋରାପୁଟ୍‌ ଆଳୁର ରହିଛି ଡିମାଣ୍ଡ, କିନ୍ତୁ ଏଥର ଭଲ ଫଳିଲାନି

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଆଳୁ ଉତ୍ପାଦନ ହ୍ରାସ ପାଇଛି। ଗତବର୍ଷ ଅପେକ୍ଷା ଏଥର ବହୁ ପରିମାଣରେ ଆଳୁ ଉତ୍ପାଦନ କମିଛି। ଏଥିପାଇଁ ଅନିୟମିତତା ବର୍ଷା ଓ ବିଳମ୍ୱିତ ଆଳୁ ବିହନ ଯୋଗାଣକୁ ଦାୟୀ କରାଯାଇଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶାରେ କେବଳ ଗୋଟିଏ ଋତୁରେ ଆଳୁ ଚାଷ ହୋଇଥାଏ। ହେଲେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଦୁଇଟି ଋତୁ ଆଳୁ ଚାଷ ହେଉଛି। ଅର୍ଥାତ ରବି […]

Koraput Patato

Koraput Patato

Manoranjan Sial
  • Published: Tuesday, 01 November 2022
  • Updated: 01 November 2022, 08:20 PM IST

Sports

Latest News

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଆଳୁ ଉତ୍ପାଦନ ହ୍ରାସ ପାଇଛି। ଗତବର୍ଷ ଅପେକ୍ଷା ଏଥର ବହୁ ପରିମାଣରେ ଆଳୁ ଉତ୍ପାଦନ କମିଛି। ଏଥିପାଇଁ ଅନିୟମିତତା ବର୍ଷା ଓ ବିଳମ୍ୱିତ ଆଳୁ ବିହନ ଯୋଗାଣକୁ ଦାୟୀ କରାଯାଇଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଓଡ଼ିଶାରେ କେବଳ ଗୋଟିଏ ଋତୁରେ ଆଳୁ ଚାଷ ହୋଇଥାଏ। ହେଲେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଦୁଇଟି ଋତୁ ଆଳୁ ଚାଷ ହେଉଛି। ଅର୍ଥାତ ରବି ଓ ଖରିଫ୍‌ ଋତୁରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଚାଷ ହେଉଛି। କଫି ପରି କୋରାପୁଟ୍‌ ଜିଲ୍ଲାରେ ଉତ୍ପାଦନ ହେଉଥିବା ଆଳୁର ରହିଛି ସ୍ୱତନ୍ତ୍ର ଚାହିଦା। ଆଳୁ ଚାଷ ପାଇଁ ପାଣିପାଗ ବେଶ୍‌ ଅନୁକୂଳ ହୋଇଥିବାରୁ ଜିଲ୍ଲାର କୋରାପୁଟ, ନନ୍ଦପୁର, ସେମିଳିଗୁଡ଼ା ଓ ପଟାଙ୍ଗୀ ବ୍ଲକରେ ବହୁ ଚାଷୀ ଆଳୁ ଚାଷ କରୁଛନ୍ତି।

୨୦୨୧ ମସିହାରେ କୋରାପୁଟ ଜିଲ୍ଲାରେ ୧୦୪୦ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଥିଲା। ଚାଷୀଙ୍କୁ ୪୦୬୦୦ ବସ୍ତା ଆଳୁ ବିହନ ଯୋଗାଇ ଦିଆଯାଇଥିଲା। ଭଲ ଚାଷ ମଧ୍ୟ ହୋଇଥିଲା। କିନ୍ତୁ ଚାଷୀ ଉଚିତ୍‌ ମୂଲ୍ୟ ପାଇନଥିଲେ। କାରଣ ଆଳୁ ଦର ୨୦ ଟଙ୍କା ଅତିକ୍ରମ କରିନଥିବାରୁ ଚାଷୀ ଭଲ ଦୁଇ ପଇସା ପାଇନଥିଲେ। ଚଳିତବର୍ଷ ଠିକ୍‌ ସମୟରେ ବିହନ ମିଳିନଥିଲା। ଯେଉଁଥିପାଇଁ ଚାଷୀମାନେ ନାହିଁନଥିବା ଅସୁବିଧାରେ ପଡ଼ିଥିଲେ। ଗତବର୍ଷ ପରି ଏଥର ଚାଷୀମାନେ ବେଶୀ ଆଳୁ ଚାଷ କରିପାରିନଥିଲେ। ମାତ୍ର ୫୭୦ ହେକ୍ଟର ଜମିରେ ଆଳୁ ଚାଷ ହୋଇଥିଲା। ଯେଉଁଥିପାଇଁ ଭଲ ଆଳୁ ଉତ୍ପାଦନ ହୋଇପାରିନଥିଲା। ଅନ୍ୟପକ୍ଷରେ ଏଥର ଆଳୁ ସାଇଜ୍‌ ଛୋଟ ହୋଇଛି। କିନ୍ତୁ ଏଥର ଆଳୁର ଡିମାଣ୍ଡ ଭଲ ରହିଛି ବୋଲି ଚାଷୀମାନେ କହିଛନ୍ତି।

ଆଳୁ ଚାଷୀ ଖଗପତି ହନ୍ତାଳ କହିଛନ୍ତି, “ଦୀର୍ଘ ଦିନ ଧରି ଆଳୁ ଚାଷ କରିଆସୁଛି। ଏଥର ପଞ୍ଜାବରୁ ବିହନ ମଗାଇଥିଲୁ। ସେଥିପାଇଁ ସରକାର କିଛି ମାତ୍ରାରେ ସବ୍‌ସିଡି ଦେଇଛନ୍ତି। ଗତବର୍ଷ ଅପେକ୍ଷା ଏଥର ଭଲ ଆଳୁ ହୋଇନାହିଁ। ପାଣିପାଗ ପରିବର୍ତ୍ତନ ଯୋଗୁ ଏଥର ଆଳୁ ସାଇଜ୍‌ ଛୋଟ ହୋଇଛି। ଆଳୁ ଭଲ ଫଳିନାହିଁ। ବେପାରୀ ନେବା ପାଇଁ ଆସୁଛନ୍ତି। ହେଲେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଆଳୁ ନାହିଁ।”

ଭୁବନେଶ୍ୱର ଇଣ୍ଟର ନ୍ୟାସନାଲ୍‌ ପଟାଟୋ ରିସର୍ଚ୍ଚ ସେଣ୍ଟରର ଜୁନିୟର ରିସର୍ଚର ରଞ୍ଜନ କୁମାର ସାହୁ କହିଛନ୍ତି, “ଗତ ୩ ବର୍ଷ ହେଲା କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ଆଳୁ ଚାଷ କରି ଆସୁଛୁ। ଖରିଫ ଋତୁରେ କୋରାପୁଟରେ ହେଉଥିବା ଆଳୁର ବିଶେଷତ୍ୱ ରହିଛି। ରାଜ୍ୟ ଅନ୍ୟ କୌଣସି ଜିଲ୍ଲାରେ ବର୍ଷା ଋତୁରେ ଆଳୁ ଚାଷ ହେଉନାହିଁ। କିନ୍ତୁ କୋରାପୁଟର ଚାଷୀ ଦୁଇ(ଖରିବ ଓ ରବି)ଟି ସିଜିନ୍‌ରେ ଆଳୁ ଚାଷ ହେଉଛି। ଚାଷୀମାନେ ବେଶ୍‌ ଲାଭ ପାଇପାରୁଛନ୍ତି।”

କିଛି ଦିନ ତଳେ ରାଜ୍ୟ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ କୋରାପୁଟ ଜିଲ୍ଲା ଗସ୍ତରେ ଯାଇଥିଲେ। ସେ ଚାଷୀ ଓ ବିଭାଗୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଆଳୁ ଚାଷ କ୍ଷେତ୍ରରେ ପୂର୍ବ ଗୌରବ ଫେରାଇ ଆଣିବାକୁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

କୃଷି ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, “କୋରାପୁଟ ଜିଲ୍ଲାର ଅର୍ଥନୀତି ବିଶେଷକରି କୃଷି ଉପରେ ନିର୍ଭର କରୁଛି। କୃଷି ଓ କୃଷକ ସଶକ୍ତ ବିଭାଗର ଯେତେ ସବୁ କାର୍ଯ୍ୟକ୍ରମ ଏଠାରେ ଚାଲିଛି, ତାହା ଉପରେ ଅନୁଧ୍ୟାନ କରିଛି। ବିଶେଷକରି ବିଭାଗୀୟ ଅଧିକାରୀ ଓ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କ ସହିତ ଆଲୋଚନା କରିଛି। ଯାହା ବି ସମସ୍ୟା ରହିଛି, ତାହା ଉପରେ ଅନୁଧ୍ୟାନ କରିଛି। ମିଲେଟ୍‌ ମିଶନର କାର୍ଯ୍ୟକ୍ରମ କୋରାପୁଟ ଜିଲ୍ଲାରେ ଅତି ସୁନ୍ଦର ଭାବେ ଚାଲିଛି। ଖରିଫ ଋତୁରେ କୋରାପୁଟ ଜିଲ୍ଲାରେ ଆଳୁ ଚାଷ କରାଯାଉଛି। ଆଗାମୀ ଦିନରେ ସେ ଦିଗରେ ଅଧିକ କାମ କରାଯିବ। ଏହା ଦ୍ୱାରା ଚାଷୀମାନେ ଲାଭବାନ ହେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos