ସାରା ଦେଶରେ ଏହିପରି ପାଳନ ହୋଇଥାଏ ମକର ସଂକ୍ରାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସକଳ ଶକ୍ତିର ଆଧାର ସୂର୍ଯ୍ୟ। ଆଉ ତାଙ୍କର ବକ୍ର ଗତିକୁ ନେଇ ଆଜିର ଏ ଉତ୍ସବ ‘ମକର ସଂକ୍ରାନ୍ତି’। ପାରମ୍ପରିକ କ୍ରମରେ କହିଲେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିକୁ ଆଧାର କରି ଆଜିର ଉତ୍ସବ ପାଳନ କରାଯାଇଥାଏ। ହିନ୍ଦୁ ଧର୍ମରେ ଏହି ମହାନ୍‌ ପର୍ବର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି। ଏହିଦିନ ପବିତ୍ର ନଦୀମାନଙ୍କରେ ସ୍ନାନ କରିବାର ବିଧି ମଧ୍ୟ ରହିଛି। ଆଜିଠାରୁ ଖରା ପ୍ରଖର ହେଉଥିବାରୁ କୃଷି ପାଇଁ ପରିବେଶ ଅନୁକୂଳ ବୋଲି କୁହାଯାଏ। ଏପରିକି ଆଜିଠାରୁ ଦିନ ଲମ୍ୱା ହୋଇଥାଏ ଏବଂ ଶୀତ କମିବା ଆରମ୍ଭ ହୋଇଥାଏ। ତା ହେଲେ ଆସନ୍ତୁ ଜାଣିବା ସାରା ଦେଶରେ ଏହି ଉତ୍ସବ କେମିତି ଆଉ କେଉଁ ଢଙ୍ଗରେ ପାଳନ କରାଯାଏ।”

ଓଡ଼ିଶା : ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ । ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ମିଶାଇ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଇଥାଏ। ଏହି ଭୋଗ ‘ମକର ଚାଉଳ’ ଭାବେ ପରିଚିତ । ଏହି ଭୋଗକୁ ଖାଇ ଲୋକେ ‘ମକର’ ବସନ୍ତି। କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପ୍ରସ୍ତୁତ ପୋଡ଼ପିଠା ସହିତ ଗୁଡ, କଦଳୀ, ନଡ଼ିଆ ଓ ଅରୁଆଚାଉଳରେ ଭୋଗ କରାଯାଇ ଦେବାଦେବୀଙ୍କ ପାଖରେ ଦିଆଯାଏ। ସୂର୍ଯ୍ୟଙ୍କ ଯୋଗୁଁ କୃଷିକ୍ଷେତରେ ଶସ୍ୟ ଉତ୍ପନ ହେଉଥିବାରୁ କୃଷକମାନେ ମକରସଂକ୍ରାନ୍ତିର ପୂଣ୍ୟକାଳରେ ସୂର୍ଯ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥା’ନ୍ତି ।

ଏହା ସହିତ ଏହି ଦିନ ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ଗୁଡ଼ି ମଧ୍ୟ ଉଡ଼ାଇଥାନ୍ତି।

କେବଳ ଓଡ଼ିଶାରେ ନୁହେଁ, ଭାରତର ସମସ୍ତ ରାଜ୍ୟରେ ଏହି ପର୍ବକୁ ଧୁମ୍‌ଧାମ୍‌ର ସହିତ ପାଳନ କରାଯାଇଥାଏ। ଏହି ପର୍ବର ନାମ ମଧ୍ୟ ଭିନ୍ନ ଭିନ୍ନ ରହିଛି। ଆସନ୍ତୁ ଜାଣିବା ଏହି ପର୍ବ କିପରି ବିଭିନ୍ନ ରାଜ୍ୟରେ ପାଳନ କରାଯାଇଥାଏ।
ରାଜସ୍ଥାନ : ରାଜସ୍ଥାନରେ ମକର ସଂକ୍ରାନ୍ତିରେ ଲୋକେ ସ୍ୱାଦିଷ୍ଟ ଖାଦ୍ୟ ଯେପରିକି ତିଲ୍‌-ପାଟି, ଗଜକ୍‌, ଖୀର୍‌, ଘେବର୍‌ ଓ ତିଲ୍‌ ଲଡ଼ୁ ତିଆରି କରିଥାନ୍ତି। ଏହା ସହିତ ସେମାନେ ବିଭିନ୍ନ ରଙ୍ଗର ଗୁଡ଼ି ମଧ୍ୟ ଉଡ଼ାଇଥାନ୍ତି। ରାଜସ୍ଥାନ ମହିଳାମାନେ ଏହିପରି ଖାଦ୍ୟ ପ୍ରସ୍ତୁତ କରି ଏହାକୁ ପାଳନ କରିଥାନ୍ତି। ୧୩ ଜଣ ବିବାହିତ ମହିଳାଙ୍କୁ ଶାଢ଼ୀ, ସଙ୍ଖା, ସିନ୍ଦୁର ଆଦି ସାମଗ୍ରୀ ବଣ୍ଟନ କରିଥାନ୍ତି। ନବ ବିବାହିତ ଯୁବକ ଯୁବତୀଙ୍କ ପାଇଁ ଏହି ଉତ୍ସବ ସେଠାରେ ଏକ ବିଶେଷ ମହତ୍ୱ ରଖିଥାଏ। ଏହି ଦିନ ନୂଆ ବିବାହ କରିଥିବା ଝିଅ-ଜ୍ୱାଇଁଙ୍କୁ ଘରକୁ ଡାକି ଭୋଜିର ଆୟୋଜନ ମଧ୍ୟ ହୋଇଥାଏ।

ହରିୟାଣା ଓ ଦିଲ୍ଲୀ: ହରିୟାଣା ଓ ଦିଲ୍ଲୀରେ ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡ଼ାଇବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଏହା ସହିତ ଏହି ଦିନ ରାଶି ଓ ଗୁଡ଼ରେ ତିଲ୍‌ର ଲଡ଼ୁ ପ୍ରସ୍ତୁତ କରାଯାଇଥାଏ। ପରିବାର ସଦସ୍ୟ ସକାଳୁ ଉଠି ନୂତନ ପୋଷାକ ପରିଧାନ କରି ସୂର୍ଯ୍ୟଙ୍କୁ ପୂଜା କରିଥାନ୍ତି। ଏହା ବ୍ୟତୀତ ହରିୟାଣାରେ ଏହି ଦିନ ଘିଅ ତିଆରି ଚୁର୍‌ମା, ଆଟା ଓ ନଟସ୍‌ ତିଆରି ହୋଇଥାଏ। ଅନେକ ଲୋକ ଏକାଠି ହୋଇ ଏକ ସଂକ୍ରାନ୍ତ ଭୋଜିର ଆୟୋଜନ ମଧ୍ୟ କରିଥାନ୍ତି ଏବଂ ଭୋଜି ଶେଷରେ କ୍ଷୀରି ଖାଇବାକୁ ଦିଆଯାଇଥାଏ।


ଉତ୍ତର ପ୍ରଦେଶ: ଉତ୍ତରପ୍ରଦେଶରେ ଏହି ଦିନ ତ୍ରିବେଣୀ ସଙ୍ଗମ କୂଳରେ ହେଉଥିବା ବାର୍ଷିକ ମାଘ ମେଳାରେ ବିଭିନ୍ନ ଦେଶର ଲୋକ ଏକାଠି ହୋଇ ବୁଡ଼ ପକାଇଥାନ୍ତି ଏବଂ କିଛି ଲୋକ ଗଙ୍ଗାରେ ବୁଡ଼ ପକାଇ ସେଠାରେ ଲାଗିଥିବା ଷ୍ଟଲ୍‌ରୁ ପ୍ରସାଦ ସେବନ କରିଥାନ୍ତି। ଉତ୍ତରପ୍ରଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ସଂକ୍ରାନ୍ତି ପାଳନ କରାଯାଇଥାଏ। ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଯେପରିକି ଚିକ୍କି, ଚୁରା, ତିଲ୍‌ ଲଡ଼ୁ, ଗୁଡ଼ ଲଡ଼ୁ, କ୍ଷୀରି ଓ ଖେଚୁଡ଼ି ଆଦି ତିଆରି କରିଥାନ୍ତି।


ବେଙ୍ଗଲ୍‌: ବେଙ୍ଗଲ୍‌ରେ ମକର ସଂକ୍ରାନ୍ତିକୁ ‘ପୌଷ ସଂକ୍ରାନ୍ତି’ ବୋଲି କୁହାଯାଇଥାଏ। ଏହାର କାରଣ ଏହି ସଂକ୍ରାନ୍ତି ପୌଷ ମାସର ଶେଷ ଦିନରେ ପଡ଼ିଥାଏ। ଏହି ଦିନ ପ୍ରତ୍ୟେକ ପରିବାରରେ ନୂଆ କଟା ଯାଇଥିବା ଧାନ, ଗୁଡ଼ ଓ ଖଜୁରୀରେ କ୍ଷୀରି ପ୍ରସ୍ତୁତ କରାଯାଇଥାଏ। ଏହା ସହିତ ଦୁଧ ପୁଳି, ପାୟସ୍‌ ଓ ପତିଶପ୍ତ(ଏକ ବଙ୍ଗଳା ବ୍ୟଞ୍ଜନ) ପ୍ରସ୍ତୁତ କରାଯାଇଥାଏ। ଏହି ଉତ୍ସବକୁ ବଙ୍ଗଳାରେ ତିନି ଦିନ ଧରି ପାଳନ କରାଯାଇଥାଏ। ଯାହା ମକର ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇ ସଂକ୍ରାନ୍ତିର ଗୋଟିଏ ଦିନ ପରେ ଶେଷ ହୋଇଥାଏ।
ମହାରାଷ୍ଟ୍ର: ମକର ସଂକ୍ରାନ୍ତିରେ ମହାରାଷ୍ଟ୍ରରେ ଅନେକ ଖାଦ୍ୟ ତିଆରି କରାଯାଇଥାଏ। ଗୁଡ଼ରେ ତିଆରି ପୁରନ୍‌ ପୋଲି ଓ ତିଲାଚି ଲଡ଼ୁ ପ୍ରସ୍ତୁତ ହୋଇଥାଏ। ଏହି ଲଡ଼ୁକୁ ସାଙ୍ଗସାଥୀ ଓ ସଂମ୍ପର୍କୀୟଙ୍କୁ ଖାଇବାକୁ ଦେବା ସମୟରେ ଏହା କହି ଖାଇବାକୁ ଦିଆଯାଇଥାଏ ଯେ, “ତୁଲ୍‌ ଗୁଡ୍‌ ଗୟା, ଆନି ଗୋଡ୍‌ ଗୋଡ୍‌ ବୋଲା।“ ଏହାର ଅର୍ଥ “ରାଶି ଓ ଗୁଡ଼ର ଲଡ଼ୁ ଖାଇ ଭଲ କଥା କୁହନ୍ତୁ।”
ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶରେ ମକର ସଂକ୍ରାନ୍ତିକୁ ‘ମାଘା ସାଜି’ ବୋଲି କୁହାଯାଇଥାଏ। ଏହି ଦିନ ସକାଳୁ ଉଠି ଲୋକମାନେ ପୋଖରୀ କିମ୍ୱା ନଦୀରେ ବୁଡ଼ ପକାଉଥାନ୍ତି। ଏହା ସହିତ ପାଖ ପଡ଼ିଶା ଘରକୁ ବୁଲିବାକୁ ଆସିବା ସମୟରେ ତାଙ୍କୁ ଖେଚେଡ଼ି, ଘିଅ, କ୍ଷୀର ଖାଇବାକୁ ଦେବା ସହିତ ଲୋକ ଗୀତର ବାଦନ କରାଯାଇଥାଏ। ଆହୁରି ମଧ୍ୟ ମନ୍ଦିରରେ ଅନ୍ନବସ୍ତ୍ର ଦାନ କରାଯାଇଥାଏ।
କର୍ଣ୍ଣାଟକ: କର୍ଣ୍ଣାଟକରେ ମକର ସଂକ୍ରାନ୍ତିକୁ ‘ସୁଗି’ ବୋଲି କୁହାଯାଇଥାଏ। ଏହି ଦିନ ଘରର ଝିଅମାନେ ନୂଆ ପୋଷାକ ପରିଧାନ କରି ସାଙ୍ଗ ଓ ସମ୍ପର୍କୀୟଙ୍କ ଘରେ ସଂକ୍ରାନ୍ତି ପ୍ରସାଦ ବଣ୍ଟନ କରିଥାନ୍ତି। ଏହି ବିଧିକୁ ସେଠାରେ ‘ଏଲୁ ବିରୋଧୁ’ ବୋଲି କୁହାଯାଏ। ଧଳା ରାଶି ସହିତ ଚିନାବାଦାମ, ଶୁଖିଲା ନଡ଼ିଆ ଓ ଗୁଡ଼କୁ ମିଶ୍ରଣ କରି ଏହି ପ୍ରସାଦ ତିଆରି କରାଯାଇଥାଏ। ଏହା ସହିତ ଏହି ପ୍ରସାଦରେ ତିନିରେ ତିଆରି ଏକ ସ୍ୱତନ୍ତ୍ର ପ୍ରସାଦ ‘ସାକ୍‌ରେ ଏକ୍ୟୁ’ ମଧ୍ୟ ରହିଥାଏ। ଝିଅମାନେ ଭୋଗ ବାଣ୍ଟି ପରସ୍ପରକୁ ‘ଇଲ୍ଲୁ ବେଲା ଥିଣ୍ଡୁ ଓଲେ ମାଥାଡ଼ି’ ବୋଲି କହିଥାନ୍ତି। ଯାହାର ଅର୍ଥ “ଏହି ସ୍ୱାଦିଷ୍ଟ ପ୍ରସାଦ ଖାଇ ଭଲ କଥା କୁହ।“
ଗୁଜରାଟ: ଗୁଜରାଟରେ ମକରସଂକ୍ରାନ୍ତିକୁ ‘ଉତ୍ତରାୟନ୍‌’ ବୋଲି କୁହାଯାଏ। ଏହି ଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିକୁ ହେଉଥିବା ଯୋଗୁ ଏହି ଉତ୍ସବକୁ ପାଳନ କରାଯାଇଥାଏ। ଗୁଜରାଟରେ ‘ଉତ୍ତରାୟନ୍‌’ ଏକ ବଡ଼ ପର୍ବ। ୧୪ ଜାନୁଆରୀ ଏଠାରେ ‘ଉତ୍ତରାୟନ୍‌’ ପାଳନ କରାଯିବା ପରେ ୧୫ ଜାନୁଆରୀରେ ଗୁଜରାଟରେ ‘ଭାସି-ଉତ୍ତରାୟନ୍‌’ ବା ‘ଷ୍ଟେଲ୍‌-ଉତ୍ତରାୟନ୍‌’ ପାଳିତ ହୋଇଥାଏ। ଏହି ପର୍ବରେ ଗୁଜରାଟରେ ବ୍ୟଞ୍ଜନ ଯେପରିକି ଗୁଜିୟା, ଚିକ୍କି, ତିଲ୍‌ ଲଡ଼ୁ, ଉନ୍‌ଢିୟୋ ତିଆରି କରାଯାଇଥାଏ। ଏହା ବ୍ୟତୀତ ବାପାମା’ ତାଙ୍କ ପିଲାଙ୍କୁ ଏହି ଦିନ ମିଠା ବ୍ୟଞ୍ଜନ ଖାଇବାକୁ ଦେଇଥାନ୍ତି।

ତାମିଲନାଡୁ, ଆନ୍ଧ୍ରପ୍ରଦେଶ: ଦକ୍ଷିଣ ଭାରତରେ ମକର ସଂକ୍ରାନ୍ତି ପର୍ବକୁ ପୋଙ୍ଗଲ ଭାବେ ପାଳନ କରାଯାଇଥାଏ। ଏହାର ତେଲୁଗୁ ଭାବାର୍ଥ ହେଉଛି ପେଡା ପଣ୍ଡଗା । ଏହିଦିନ ଚାଷୀମାନେ ଉତ୍ପାଦିତ ଫସଲ ଓ ଗାଈ ଗୋରୁଙ୍କୁ ପୂଜା କରି କରିଥାନ୍ତି । ପୂଜା ପରେ ଗାଈ କ୍ଷୀରକୁ ଚୂଲିରେ ଫୁଟାନ୍ତି । ସେହି କ୍ଷୀରରେ ଚାଉଳ ପକାଇ ଖିରୀ କରିଥାନ୍ତି ।ଏହି କ୍ଷୀରୀର ନାମ ପୋଙ୍ଗାଲୀ ବୋଲି କୁହାଯାଏ । ଏହି ଖିରୀ ନିଜ ଘର ବ୍ୟତୀତ ମନ୍ଦିରରେ ଓ ଚାଷ ଜମିରେ ମଧ୍ୟ କର ଯାଇଥାଏ । ଏହି ଖିରୀରେ ଚିନୀ ବ୍ୟବହାର କରାଯାଏ ନାହିଁ । କେବଳ ଗୁଡ ପକାଇ ଖିରୀ କରାଯିବାର ପରମ୍ପରା ରହିଛି । ଚାଷୀ କୁଳ ବ୍ୟତୀତ ଅନ୍ୟ ସାଧାରଣ ତେଲୁଗୁ ଲୋକମାନେ ଏହି ଦିନରେ ପିତୃ ପୁରୁଷଙ୍କୁ ପୂଜା କରିଥାନ୍ତି । ପୁରୁଷ ପିତୃ ପୁରୁଷଙ୍କୁ ଧୋତି ଯୋଡ ଓ ମହିଳା ପିତୃ ପୁରୁଷଙ୍କୁ ସୂତା ଶାଢୀ ବା ପାଟ ଲାଗି କରାଯାଇଥାଏ । ଏହା ପରେ ସମସ୍ତେ ନୂଆ ଲୁଗା ପିନ୍ଧିଥାନ୍ତି । ସାଧାରଣତଃ ଏହି ଦିନରେ କେହି ଆମିଷ ଖାଇନଥାନ୍ତି ।