ମୋ ବହି ପଢ଼ି ୬ଜଣ ଗୁଟଖା ଖାଇବା ଛାଡ଼ିଦେଇଥିଲେ: ଇମରାନ ଅଲ୍ଲୀ

ଭୁବimran-aliନେଶ୍ୱର: ଆଜିକାଲି ଦୁନିଆରେ ଲୋକଙ୍କ ପାଖରେ ସମୟ ନଥିଲା ବେଳେ ଏପରି ଏକ ବ୍ୟକ୍ତିତ୍ୱ ଯେ କି ସମାଜ ସେବା କରିବା ପାଇଁ ଆଗେଇ ଆସିଛନ୍ତି। ସାରା ଭାରତବର୍ଷକୁ ନିଶାମୁକ୍ତ କରିବା ପାଇଁ ଆଶା ରଖିଛନ୍ତି। ସେ ହେଉଛନ୍ତି ଏମ.ଡି ଇମରାନ ଅଲ୍ଲୀ। ୧୯୮୬ରେ  ଜନ୍ମଗ୍ରହଣ କରିଥିବା ଇମରାନ ସ୍କୁଲବେଳ ଠାରୁ ପରିବେଶ ପ୍ରତି ଧ୍ୟାନ ଦେବା ସହ ଲୋକମାନଙ୍କର ସେବା କରି ଆସୁଛନ୍ତି। ଏମଏସଡବ୍ଲ୍ୟୁରେ ସ୍ନାତକୋତ୍ତର କରିବା ପରେ ଏବେ ସୋସିଆଲ ୱାର୍କରେ ପିଏଚଡି କରୁଛନ୍ତି। ଏହା ସହ ବିଜେବି କଲେଜର ଗେଷ୍ଟ ଫାକଲଟି (ଅତିଥି ଅଧ୍ୟାପକ) ଭାବେ କାମ କରୁଛନ୍ତି। ସେ କେବେ ସ୍ଥାୟୀ ଚାକିରି କରିବା ଚିନ୍ତା କରିନାହାନ୍ତି। ତାଙ୍କର ସ୍ଥାୟୀ ଚାକିରି ସମାଜ ସେବାରେ ବାଧା ସୃଷ୍ଟି କରିବ ବୋଲି ସେ ଭାବିଛନ୍ତି। ତାଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି  ଓଡ଼ିଶା ରିପୋର୍ଟର ପ୍ରତିନିଧି ତପସ୍ୱିନୀ ନାୟକ। ।

ପ୍ରଶ୍ନ: ସମାଜ ସେବା ଆଡକୁ କିପରି ମନ ବଳାଇଲେ, ଛୋଟବେଳେ ଇଚ୍ଛା ଥିଲା ନା ବଡ଼ ହେଲା ପରେ କାହା ଦ୍ୱାରା ଅନୁପ୍ରାଣିତ ହୋଇ ଏହି କାମ ଆରମ୍ଭ କଲେ?

ଉତ୍ତର: ଛୋଟବେଳେ ଜେଜେ ମା’ଙ୍କ ପାଖରେ ଶୋଇଲା ବେଳେ ‘ଭଲାଇ ପର ଭଲାଇ ହୋଗା’,‘ବୁରାଇ ପର ବୁରାଇ ହୋଗା,’‘କୋଇ ଦେଖେ ନ ଦେଖେ ଖୁଦାତ୍ ଦେଖା ହୋଗା’ ସେ କହୁନ୍ତି। ସମାଜ ସେବା ବିଷୟରେ ସବୁବେଳେ ବୁଝାନ୍ତି। ଜେଜେ ମାଆଙ୍କ କଥା ଶୁଣି ମୋର ସମାଜ ସେବା କରିବା ପାଇଁ ମୋତେ ପ୍ରେରଣା ମିଳିଥିଲା। ସ୍କୁଲରେ ଭାରତ ସ୍କାଉଟ ଏଣ୍ଡ ଗାଇଡ୍‌ରେ ମୁଁ ସାମିଲ ହୋଇଥିଲି। ସେଥିରେ ଗଛ ଲଗାଇବା,ଟ୍ରାଫିକରେ କାମ କରିବା ଆଦି କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା।

ପ୍ରଶ୍ନ:ସମାଜ ସେବା କରିବା ପାଇଁ ବହୁତ କିଛି ରାସ୍ତା ଥିଲା। ଆପଣ ନିଶାମୁକ୍ତ ଅଭିଯାନ କାମ କରିବା ପାଇଁ କାହିଁକି ମନସ୍ଥ କଲେ?

ଉତ୍ତର-ମୁଁ ୨୦୦୬ରେ ଭୁବନେଶ୍ୱର ସ୍ଥିତ ନିଶ୍ୱାସରେ ଆଡମିଶନ ହୋଇଥିଲି,ସେତେବେଳେ ଗୋଟିଏ ବର୍ଷ ବସ୍ତିରେ ନିଯୁକ୍ତି (ପ୍ଲେସମେଣ୍ଟ) ହୋଇଥିଲା। ବସ୍ତିରେ କାମ କଲାବେଳେ ମୁଁ ଦେଖିବାକୁ ପାଇଲି ୬ରୁ ୭ ବର୍ଷର ପିଲାମାନେ ଗୁଟଖା ଖାଉଛନ୍ତି। ସେମାନଙ୍କ ପାଟିରୁ ଦୁର୍ଗନ୍ଧ ବାହାରୁଛି। ତାଙ୍କୁ ଦେଖି ମୋତେ ଦୁଃଖ ଲାଗିଲା। ଗୁଟଖା ଖାଇଲେ କ୍ୟାନସର ଭଳି ବିଭିନ୍ନ ମାରାତ୍ମକ ରୋଗ ହେବାର ସମ୍ଭାବନା ଥାଏ। ତାହା ଉପରେ ମୁଁ  କିଛି ଅଧ୍ୟୟନ କରିବା ପାଇଁ ଲାଗିଲି। ଲୋକମାନଙ୍କୁ ସଚେତନ କରିବା ପାଇଁ ମୁଁ ଗୋଟିଏ “ବ୍ଲଡି ଗୁଟୁଖା’ ନାମକ ଏକ ବହି ଇଂରାଜିରେ ଲେଖିଥିଲି। ମୋର ଜଣେ ବନ୍ଧୁ ସେହି ବହିକୁ ଓଡ଼ିଆରେ ଅନୁବାଦ କରିଥିଲା। ଓଡ଼ିଆରେ ଏହାର ନାମ ଥିଲା ‘ଘାତକ ଗୁଟଖା’। ଭଲ୍ୟୁନ୍‌ଟାରୀ ହେଲଥ ଆସୋସିଏସନର ଲୋକନାଥ ସାରଙ୍କୁ ଅନୁରୋଧ କରି ବହିଟିକୁ ପ୍ରକାଶ କରିଥିଲି। ପରେ ତବାଖୁ ସମେତ ସାମୂହିକ ନିଶାଦ୍ରବ୍ୟକୁ ସମାଜରୁ କିପରି ଦୂର କରାଯାଇପାରିବ ସେହି ଦିଗକୁ ଚିନ୍ତା କରି ଆମେ ଏକ ଗ୍ରୁପ ତିଆରି କଲୁ। ଯେଉଁଥିଲେ ଟ୍ୟାଗ୍ ଲାଇନ ଦେଲୁ ‘ଏକ ନଶା,ଏକ ନଶାକି ଖିଲାଫ’। ଏଇ କାର୍ଯ୍ୟକୁ ଆଗକୁ ନେବା ଆମ ସମସ୍ତେ ଲାଗିପଡ଼ିଥିଲୁ। ଏହାର ସ୍ଲୋଗାନ ଥିଲା ‘ଦିନକୁ ଟଙ୍କାଏ ଦିନକୁ ଘଣ୍ଟାଏ’। ଗୋଟିଏ ଟଙ୍କା ରଖିବା ଓ ୨୪ ଘଣ୍ଟାରୁ ଗୋଟିଏ ଘଣ୍ଟା ସମାଜ ପାଇଁ ଦେବା। ନିଶାମୁକ୍ତ ସମାଜ ଓ ନିଶାମୁକ୍ତ ରାଷ୍ଟ୍ର ତିଆରି  କରିବା ପାଇଁ ଆମର ଉଦ୍ଦେଶ୍ୟ ଥିଲା। ବହୁତ ଲୋକ ଏହି କଥାକୁ ନେଇ ଆମକୁ ଥଟ୍ଟା କରିଥିଲେ। ଯେତେବେଳେ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ବୁଝାଇଥିଲୁ। ପରେ ଲୋକମାନେ ଆମକୁ ଓ ଆମ କଥା ଗ୍ରହଣ କରିଥିଲେ। ରାଜ୍ୟବ୍ୟାପି ନିଶାମୁକ୍ତ କାର୍ଯ୍ୟ କାମ କରୁଛୁ। ଲୋକମାନେ ଏହାକୁ କିଛି ପରିମାଣରେ ଗ୍ରହଣ କଲେଣି।”

ପ୍ରଶ୍ନ: ଆପଣ ‘ବ୍ଲଡି ଗୁଟଖା’,‘ସଲାମ ଜୀବନ’ ଦୁଇଟି ପୁସ୍ତକ ଲେଖିଛନ୍ତି। ସେଗୁଡ଼ିକକୁ ନେଇ ଲୋକମାନେ କେତେ ଅନୁପ୍ରାଣିତ ହୋଇଛନ୍ତି?

ଉତ୍ତର-ପ୍ରଥମେ ମୁଁ ‘ବ୍ଲଡି ଗୁଟଖା’ ନାମକ ଏକ ବହି ଲେଖିଥିଲି। ବହିଟିକୁ ଆମେ ବିଭିନ୍ନ ଜାଗାରେ ବାଣ୍ଟିଥିଲୁ। ଏନ୍ଏସ୍ଏସ୍ କ୍ୟାମ୍ପକୁ ଯାଇ ମଧ୍ୟ ପିଲାଙ୍କୁ ଏହି ବହି ବାଣ୍ଟିଥିଲୁ। ଥରେ ଏନଏସ୍‌ଏସ୍ କ୍ୟାମ୍ପରୁ ଫେରିଲା ବେଳେ ଗୋଟିଏ ପିଲା ସହ ମୋର ଦେଖାହେଲା। ସେ ମୋ ପିଠି ଥାପୁଡାଇ କହିଥିଲା,ଭାଇ ଆପଣ ଯେଉଁ ବହି ଦେଇଥିଲେ ତାକୁ ପଢ଼ି ଆମେ ୬ଜଣ ସାଙ୍ଗ ଗୁଟଖା ଖାଇବା ଛାଡ଼ିଦେଇଛୁ। ସେଦିନ ଭାବିଲି ମୋର ପରିଶ୍ରମ ସାର୍ଥକ ହେଲା। ତମାଖୁ ସେବନ କରିବା ଦ୍ୱାରା ଆର୍ଥିକ, ସାମାଜିକ ହାନୀ କିପରି ହେଉଛି ସେଥିପାଇଁ ମୁଁ ମଧ୍ୟ ଗୋଟିଏ ‘ସଲାମ ଜୀବନ’ ନାମକ ଏକ ବହି ଲେଖିଥିଲି। ତାକୁ ମଧ୍ୟ ନେଇ ମୁଁ ଡକ୍ୟୁମେଣ୍ଟାରି ଫିଲ୍ମ କରିଛି। ସ୍କୁଲ ଓ କଲେଜରେ ଛାତ୍ରଛାତ୍ରୀମାନଙ୍କୁ ଏହି ଡକ୍ୟୁମେଣ୍ଟାରି ଫିଲ୍ମକୁ ଦେଖାଯାଇଛି।

ପ୍ରଶ୍ନ: ଆପଣଙ୍କର ଗୋଟିଏ ୟୁନିଅନ୍‌ ଅଛି, ଯାହାର ନାଁ ରହିଛି ‘ନିଶାମୁକ୍ତ ଯୁବ ସଂକଳ୍ପ’, ତା’ ବିଷୟରେ ଆପଣ କ’ଣ କହିବେ?

ଉତ୍ତର: ସାତରୁ ଆଠ ବର୍ଷ ତଳେ ୭ରୁ ୮ଜଣ ପିଲା ମିଶି ଆମେ ‘ନିଶା ମୁକ୍ତ ଯୁବ ସଂକଳ୍ପ ଆରମ୍ଭ କରିଥିଲୁ। ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯୁବପୀଢ଼ିମାନେ ସେଥିରେ ଆଗ୍ରହ ସହିତ ମିଶିଲେଣି। ସମାଜକୁ ନିଶା ମୁକ୍ତ କରିବା ଏହାର ଉଦ୍ଦେଶ୍ୟ। ଯୁବପୀଢ଼ି ଓ ନୂତନ ପୀଢ଼ିକୁ ନିଶାଦ୍ରବ୍ୟରୁ ଦୂରେଇ ରଖିବାକୁ ପାଇଁ ଅଭିଯାନ ଚଳାଇଛୁ। ବିଭିନ୍ନ ସ୍ଥାନକୁ ଯାଇ ଲୋକମାନଙ୍କୁ ଆମେ ମଧ୍ୟ ବୁଝାଉଛୁ। ଗାଁ ଗହଳିରୁ ଚିକିତ୍ସାଧୀନ ହେବାକୁ ଆସୁଥିବା କର୍କଟ ରୋଗୀ ସହର ଦୁନିଆ ବିଷୟରେ କିଛି ଜାଣି ନଥାଏ। ଆମେ ସେହିଭଳି କିଛି ରୋଗୀଙ୍କୁ ସାହାଯ୍ୟ କରିଥାଉ। ଏହା ସହିତ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବହି ଲେଖିବା ନାଟକ କରିବା ଓ ଫିଲ୍ମ ମଧ୍ୟ କରିଥାଉ।  ଗୁଟଖା, ଜର୍ଦ୍ଦା ଓ ପାନମସଲା ବନ୍ଦ କରିବା ପାଇଁ ହାଇକୋର୍ଟରେ ଏକ ଜନ ସ୍ୱାର୍ଥମାମଲା ମାମଲା ମଧ୍ୟ କରିଛୁ। ଲୋକମାନଙ୍କୁ ସଚେତନ କରିବା ପାଇଁ ‘ନିଶାନ୍ତ’ ନାମକ ଏକ ପ୍ରତିକା ମଧ୍ୟ ଛାପୁଛୁ।

ପ୍ରଶ୍ନ: ଆପଣ ଏତେ ବ୍ୟସ୍ତ ଜୀବନ ଭିତରେ ନିଜସ୍ୱ ଜୀବନକୁ କିପରି ସମୟ ଦିଅନ୍ତି?

ଉତ୍ତର:୨୦ରୁ୨୫ ବର୍ଷ ଭିତରେ ଜଣେ ଯୁବକ ଚାକିରି କରି ପଇସା ରୋଜଗାର କରେ। କିନ୍ତୁ ମୁଁ ତାହା କରିପାରିନାହିଁ। ମୁଁ ବିବାହ କରିଛି। ମୁଁ ଯାହାଙ୍କୁ ବିବାହ କରିଛି ସେ ମୋ କାମକୁ ବୁଝିପାରି ସମାଜ ସେବା କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି। ବିବାହ ପୂର୍ବରୁ ମୁଁ ତାଙ୍କୁ ମୋ କାମ ବିଷୟରେ ଜଣାଇ ଦେଇଥିଲି। ପରିବାର ଲୋକଙ୍କ ପକ୍ଷରୁ ମୋତେ ସମର୍ଥନ ମିଳିଛି।

ପ୍ରଶ୍ନ: ଆପଣ ବିଜେବି କଲେଜରେ ଗେଷ୍ଟ ଫାକଲିଟି (ଅତିଥି ଅଧ୍ୟାପକ) ଭାବେ କାର୍ଯ୍ୟ କରୁଛନ୍ତି। ଆପଣ ରକ୍ତ ଦାନ ଶିବିର ଓ କାଉନସେଲିଂ ସେଣ୍ଟର ବି ଚଳାଉଛନ୍ତି ତାହା ବିଷୟରେ କ’ଣ କହିବେ?

ଉତ୍ତର: ବିଭିନ୍ନ ଜାଗାରେ ଆମେ ରକ୍ତ ଦାନ ଶିବିର କରୁଛୁ। ନିଜେ ମଧ୍ୟ ରକ୍ତ ଦାନ କରୁଛୁ। ଖରାଦିନରେ ଲୋକ ରକ୍ତ ଦାନ କରିବା ପାଇଁ ପଛାଇଥାନ୍ତି। ସେହି ସମୟରେ ରୋଗୀମାନଙ୍କୁ ରକ୍ତ ଦେବା ପାଇଁ ବ୍ଲଡ ବ୍ୟାଙ୍କରେ ରକ୍ତ  ପର୍ଯ୍ୟପ୍ତ ପରିମାଣରେ ନଥାଏ। ବିଭିନ୍ନ ସ୍ଥାନକୁ ଯାଇ ଲୋକମାନଙ୍କୁ ବୁଝାଇ ଆମେ ରକ୍ତ ଦାନ କରିବା ପାଇଁ କହିଥାଉ।