ବାଲିଯୋରୀ ଗାଁରେ ବର୍ଷର ଛଅ ମାସ ଅତିଥି ସାଜନ୍ତି ବିଦେଶାଗତ ପକ୍ଷୀ

ବରଗଡ଼: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବାଲିଯୋରୀ ଗାଁରେ ଅତିଥି ସାଜିଛନ୍ତି ବିଦେଶାଗତ ପକ୍ଷୀ। ଗାଁର ଅନୁକୂଳ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଏମାନଙ୍କୁ ଆକର୍ଷିତ କରିଥାଏ। ସକାଳ ଓ ସଂଧ୍ୟ୍ୟାରେ ଏହି ସାରସ ଜାତୀୟ ପକ୍ଷୀଙ୍କ କିଚରିମିଚରି ଶବ୍ଦରେ ଗାଁର ପରିବେଶ କମ୍ପୁଥାଏ। କୋଳାହଳ ପୁଣି ଦିନେ କି ଦୁଇ ଦିନ ନୁହେଁ, ପୂରା ଛଅ ମାସ ପର୍ଯ୍ୟନ୍ତ। ପ୍ରତିବର୍ଷ ଏମାନଙ୍କ ଆଗମନକୁ ଅପେକ୍ଷା କରିଥା’ନ୍ତି ଗ୍ରାମବାସୀ। ସକାଳର ସୂର୍ଯ୍ୟଙ୍କ ପହିଲି […]

bird1

bird1

Rakesh Mallick
  • Published: Monday, 01 August 2016
  • Updated: 01 August 2016, 10:20 PM IST

Sports

Latest News

ବରଗଡ଼: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବାଲିଯୋରୀ ଗାଁରେ ଅତିଥି ସାଜିଛନ୍ତି ବିଦେଶାଗତ ପକ୍ଷୀ। ଗାଁର ଅନୁକୂଳ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଏମାନଙ୍କୁ ଆକର୍ଷିତ କରିଥାଏ। ସକାଳ ଓ ସଂଧ୍ୟ୍ୟାରେ ଏହି ସାରସ ଜାତୀୟ ପକ୍ଷୀଙ୍କ କିଚରିମିଚରି ଶବ୍ଦରେ ଗାଁର ପରିବେଶ କମ୍ପୁଥାଏ। କୋଳାହଳ ପୁଣି ଦିନେ କି ଦୁଇ ଦିନ ନୁହେଁ, ପୂରା ଛଅ ମାସ ପର୍ଯ୍ୟନ୍ତ। ପ୍ରତିବର୍ଷ ଏମାନଙ୍କ ଆଗମନକୁ ଅପେକ୍ଷା କରିଥା’ନ୍ତି ଗ୍ରାମବାସୀ।

bird1

ସକାଳର ସୂର୍ଯ୍ୟଙ୍କ ପହିଲି କିରଣ ଗାଁ ମାଟିକୁ ଛୁଇଁବା ଆଗରୁ ଖାଦ୍ୟ ଅନ୍ୱେଷଣରେ ବାହାରି ଯାଆନ୍ତି ଏହି ବିଦେଶାଗତ ପକ୍ଷୀ। ସଞ୍ଜ ନଇଁବା ବେଳକୁ କାକଳୀର ମଧୁତାନରେ ଉତ୍‌ଫୁଲିତ୍ ହୋଇଉଠେ ଗାଁ ପରିବେଶ। ଏମାନଙ୍କ ଆଗମନକୁ ଶୁଭ ବୋଲି ମାନନ୍ତି ଗ୍ରାମବାସୀ। ପକ୍ଷୀଙ୍କୁ ଦେଖି ଚାଷବାସ କାମ ଆରମ୍ଭ କରନ୍ତି ସେମାନେ। କିନ୍ତୁ କେବେଠାରୁ ଏହି ବିଦେଶାଗତ ପକ୍ଷୀଙ୍କର ବାଲିଯୋରୀ ଗାଁକୁ ଆଗମନ ହେଉଛି, ତାହା କେହି ଜାଣନ୍ତି ନାହିଁ। ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର, ବିଭିନ୍ନ ଜାତିର ପକ୍ଷୀ ଦେଖାଯାଉଥିଲେ ମଧ୍ୟ ଏହି ପ୍ରଜାତିର ପକ୍ଷୀ ବିରଳ। ଗାଁର ପ୍ରତକୂଳ ପରିବେଶ ହିଁ ସେମାନଙ୍କ ପାଇଁ ଉପଯୋଗୀ ହୋଇଥାଏ।

ବରଗଡ଼ ଠାରୁ ୧୨ କି.ମି ଦୂର ବାଲିଯୋରୀ ଗାଁକୁ ପ୍ରତିବର୍ଷ ବୈଶାଖ ମାସରେ ଅକ୍ଷୟ ତୃତୀୟାରେ ଆସି ବଂଶ ବିସ୍ତାର କରି କାର୍ତ୍ତିକ ପୂର୍ଣ୍ଣମୀ ବେଳକୁ ପ୍ରତ୍ୟାବର୍ତ୍ତନ କରିଥା’ନ୍ତି ଏହି  ସାରସ ଜାତୀୟ ପକ୍ଷୀ। କୌତୁହଳର ବିଷୟ ହେଉଛି ଅକ୍ଷୟ ତୃତୀୟା ଦିନ ଗୋଟିଏ ମୁଖିଆ ପକ୍ଷୀ ଗାଁକୁ ଆସି ସ୍ଥିତି ଅନୁଧ୍ୟାନ କରି ଗଛ ଉପରେ ଏକ ବାଡ଼ି ରଖି ଚାଲିଯାଏ। ପରେ ସପ୍ତାହକ ମଧ୍ୟରେ ଦଳଦଳ ହୋଇ ଅନ୍ୟ ପକ୍ଷୀଙ୍କ ସୁଅ ଛୁଟିଥାଏ। ସେମାନେ ବସାବାନ୍ଧି ଛୁଆ ଦେବା ପରେ ସେମାନଙ୍କ ଲାଳନପାଳନ କରିଥା’ନ୍ତି। ଛୁଆ ଉଡ଼ିବା ଶିଖିଲେ ସମସ୍ତେ ପୁଣି ଫେରିଯାଇଥା’ନ୍ତି।

bird2

ବାଲିଯୋରୀ ଗ୍ରାମବାସୀ ଧନପତି ପ୍ରଧାନ କହିଛନ୍ତି,“ଆମ ଗାଁକୁ କେତେ ବର୍ଷ ହେବ ବିଦେଶାଗତ ପକ୍ଷୀଙ୍କ ଆଗମନ ହେଉଛନ୍ତି କାହାରିକୁ ଜଣା ନ ଥିଲେ ମଧ୍ୟ ବାପ ଅଜା ଅମଳରୁ ପକ୍ଷୀମାନେ ଏଠାକୁ  ଆସୁଥିବା ଆମେ ଜାଣିଛୁ। ଅକ୍ଷୟ ତୃତୀୟା ଦିନ ଗୋଟିଏ ପକ୍ଷୀ ପ୍ରଥମେ ଗାଁକୁ ଆସିଥାଏ। ପରେ ଦଳ ଦଳ ପକ୍ଷୀ ଗାଁକୁ ଆସି ବଂଶବିସ୍ତାର କରି କାର୍ତ୍ତିକ ପୂର୍ଣ୍ଣମୀ ବେଳକୁ  ପଳାଇଯାଇଥା’ନ୍ତି।  ଏମାନେ  ଗାଁର କାହାର କ୍ଷତି କରନ୍ତି ନାହିଁ। ସକାଳ ହେଲେ ଏମାନେ କ୍ଷେତକୁ ଯାଇ ଚରି ବୁଲି କରି ସନ୍ଧ୍ୟାକୁ ଫେରିଥା’ନ୍ତି। ବିଦେଶୀ ପକ୍ଷୀମାନଙ୍କୁ ଆମ ଗାଁର ଲୋକ ସୁରକ୍ଷା ଦେଉଛନ୍ତି। ପକ୍ଷୀମାନଙ୍କ ଛୋଟ ଶାବକ ହେଲେ ତାଙ୍କର କିଚରିମିଚରି ଶବ୍ଦ ଆମକୁ ବେଶୀ ଆନନ୍ଦିତ କରିଥାଏ।”

ଗାଁର ଆଉ ଜଣେ ବାସିନ୍ଦା  କହିଛନ୍ତି,“ବିଦେଶାଗତ ପକ୍ଷୀମାନେ ଆମ ଗାଁକୁ ଆସିଲେ ଆମେ ଚାଷ କାମ ଆରମ୍ଭ କରିଥାଉ। ସେମାନେ ଆସିଲେ ଆମେ ଭାବିଥାଉ ଚାଷ କାର୍ଯ୍ୟ ପାଇଁ ସମୟ ଠିକ୍‌ ଅଛି। ଆମେ ଆନନ୍ଦର ସହ ଚାଷ କାର୍ଯ୍ୟ କରିଥାଉ। ଆମ ଗାଁକୁ ଅଳ୍ପ ବିଦେଶାଗତ ପକ୍ଷୀ ଆସିଲେ ଅଳ୍ପ ବର୍ଷା ହେବ ବୋଲି ଆମେ ବିଶ୍ୱାସ କରୁ। ପୂର୍ବରୁ ବହୁତ ପକ୍ଷୀ ଆସୁଥିଲେ, କିନ୍ତୁ ଏବେ ତାଙ୍କ ସଂଖ୍ୟା କମିଯାଇଛି।”

birdss

ବିଦେଶାଗତ ପକ୍ଷୀଙ୍କୁ ଅତିଥି ଭାବେ ଦେଖିଥା’ନ୍ତି ବାଲିଯୋରୀର ଗ୍ରାମବାସୀ। ସେମାନଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ କିଏ କ୍ଷତି ଘଟାଇଲେ ଦଣ୍ଡ ଓ ଜରିମାନା ବ୍ୟବସ୍ଥା ମଧ୍ୟ କରିଥା’ନ୍ତି।  ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ସଂରକ୍ଷଣ ବିଭାଗ ପକ୍ଷରୁ ଜଗୁଆଳ ମଧ୍ୟ ମୁତୟନ କରାଯାଇଥାଏ।

ବରଗଡ଼ ଡିଏଫଓ ସାଲୋରାମ ମାରାଣ୍ଡି କହିଛନ୍ତି,“ବାଲିଯୋରୀ ଗାଁକୁ ପ୍ରତିବର୍ଷ ବିଦେଶାଗତ ପକ୍ଷୀ ବହୁ ସଂଖ୍ୟାରେ ଆସିଥା’ନ୍ତି। ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବାଲିଯୋରୀ ଗାଁରେ ଫରେଷ୍ଟଗାର୍ଡ ମୁତୟନ କରାଯାଇଥାଏ। ଗାଁର ଲୋକମାନେ ପକ୍ଷୀମାନଙ୍କୁ ସୁରକ୍ଷା ଦେଇଥାଆନ୍ତି। ପକ୍ଷୀମାନେ ଗ୍ରାମବାସୀଙ୍କ ବନ୍ଧୁ ପାଲଟିଛନ୍ତି।  ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଆମେ ଗାଁରେ ବରଗଛ, ଅଶ୍ୱତ୍ଥ ଗଛ ଲଗାଇବାର ବ୍ୟବସ୍ଥା କରୁଛୁ।  ଗାଁକୁ ଅଭୟାରଣ୍ୟ ଘୋଷଣା ପାଇଁ ପଦକ୍ଷେପ ନିଆଯାଇନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos