Advertisment

୭୬ ବର୍ଷ ପରେ ବି ରାସ୍ତାର ଭାଗ୍ୟ ବଦଳୁନି, ପଞ୍ଚାୟତବାସୀଙ୍କ ପ୍ରଶ୍ନ କେବେ ଆସିବ ‘ଅଚ୍ଛେ ଦିନ୍’ ?

ବାସୁଦେବପୁର(କିରୀଟି ଦାସ): ନିର୍ବାଚନ ପରେ ନିର୍ବାଚନ ଯାଉଛି। ନେତା ବଦଳୁଛନ୍ତି। ହେଲେ ଗାଁ ରାସ୍ତାର ଭାଗ୍ୟ ବଦଳୁନି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନୋବାଭାବେ ନଗର ପଞ୍ଚାୟତରୁ ଏଭଳି ଦୟନୀୟ ସ୍ଥିତିର ଚିତ୍ର ସାମ୍ନାକୁ ଆସିଛି, ଯାହା ରାଜ୍ୟ ସରକାରଙ୍କ ବିକାଶ ନାରାକୁ ଉପହାସ କରୁଛି। ଦେଶ ସ୍ୱାଧୀନତା ପୂର୍ବରୁ ଏହି ଅଞ୍ଚଳବାସୀ ଯେପରି ଦହଗଞ୍ଜ ହେଉଥିଲେ, ଆଜି ବି ସେହିପରି ଅବସ୍ଥାରେ ଅଛନ୍ତି। ମାଟିକାଦୁଅ ରାସ୍ତାଟି ପକ୍କା କିମ୍ବା ପିଚୁ ରାସ୍ତାରେ ପରିଣତ ହୋଇପାରୁନି। ଫଳରେ […]

author-image
Niranjan Mishra
ଅଦ୍ୟତନ ହୋଇଛି
୭୬ ବର୍ଷ ପରେ ବି ରାସ୍ତାର ଭାଗ୍ୟ ବଦଳୁନି, ପଞ୍ଚାୟତବାସୀଙ୍କ ପ୍ରଶ୍ନ କେବେ ଆସିବ ‘ଅଚ୍ଛେ ଦିନ୍’ ?

village

ବାସୁଦେବପୁର(କିରୀଟି ଦାସ): ନିର୍ବାଚନ ପରେ ନିର୍ବାଚନ ଯାଉଛି। ନେତା ବଦଳୁଛନ୍ତି। ହେଲେ ଗାଁ ରାସ୍ତାର ଭାଗ୍ୟ ବଦଳୁନି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନୋବାଭାବେ ନଗର ପଞ୍ଚାୟତରୁ ଏଭଳି ଦୟନୀୟ ସ୍ଥିତିର ଚିତ୍ର ସାମ୍ନାକୁ ଆସିଛି, ଯାହା ରାଜ୍ୟ ସରକାରଙ୍କ ବିକାଶ ନାରାକୁ ଉପହାସ କରୁଛି। ଦେଶ ସ୍ୱାଧୀନତା ପୂର୍ବରୁ ଏହି ଅଞ୍ଚଳବାସୀ ଯେପରି ଦହଗଞ୍ଜ ହେଉଥିଲେ, ଆଜି ବି ସେହିପରି ଅବସ୍ଥାରେ ଅଛନ୍ତି। ମାଟିକାଦୁଅ ରାସ୍ତାଟି ପକ୍କା କିମ୍ବା ପିଚୁ ରାସ୍ତାରେ ପରିଣତ ହୋଇପାରୁନି। ଫଳରେ ସେମାନଙ୍କର ଆର୍ଥିକ ଉନ୍ନତି ହୋଇପାରୁନି। ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଆଉ କେବେ ସେମାନଙ୍କ ନିମନ୍ତେ ‘ଅଚ୍ଛେ ଦିନ୍’ ଆସିବ?

Advertisment

ଗାଁଗୁଡ଼ିକୁ ରାସ୍ତା ସଂଯୋଗ କରିବାକୁ ଅନେକ ଯୋଜନା ରହିଛି। ହେଲେ ସେସବୁ ବିନୋବାଭାବେ ନଗର ପଞ୍ଚାୟତ ପାଇଁ ମୂଲ୍ୟହୀନ ପ୍ରମାଣିତ ହୋଇଛି। ଭଲ ରାସ୍ତାଟିଏ ନ ଥିବାରୁ ଆମ୍ବୁଲନ୍ସ ବା ଦମକଳ ଗାଡ଼ିଟିଏ ଗାଁକୁ ଆବଶ୍ୟକ ସମୟରେ ପହଞ୍ଚି ପାରୁନି।  ଆମ୍ବୁଲାନ୍ସ ଆସିପାରୁ ନଥିବାରୁ ବର୍ଷ ବର୍ଷ ଧରି ଯନ୍ତ୍ରଣା ଭୋଗୁଛନ୍ତି ଗ୍ରାମର ଗର୍ଭବତୀ, ବୃଦ୍ଧବୃଦ୍ଧା ଓ ସାଧାରଣ ଲୋକ। ଏଠାରେ କେହି ଗର୍ଭ ଯନ୍ତ୍ରଣାରେ ପଡ଼ିଲେ ବହୁ କଷ୍ଟରେ ତାଙ୍କୁ ଡାକ୍ତରଖାନା ନେବାକୁ ପଡ଼ୁଛି। ବର୍ଷାଦିନେ ଲୋକେ ସବୁଠାରୁ ବେଶୀ ହିନସ୍ତା ହେଉଛନ୍ତି।

ସୂଚନା ମୁତାବକ, ବାସୁଦେବପୁର-ଧାମରା ରାସ୍ତାର କଣ୍ଟିଆନାଳୀ ଛକ ଠାରୁ ଏହି ରାସ୍ତା ବିନୋବାଭାବେ ନଗର ପଞ୍ଚାୟତ ଦେଇ ସମୁଦ୍ର ଲୁଣାବନ୍ଧ ପର୍ଯ୍ୟନ୍ତ ତିନି କିଲୋମିଟର ଲମ୍ବିଛି। ଏହି ରାସ୍ତା ଉପରେ ପ୍ରାୟ ୪ ହଜାରରୁ ଅଧିକ ଲୋକ ନିର୍ଭର କରିଥାନ୍ତି। କେବଳ ବିନୋବାଭାବେ ନଗର ପଞ୍ଚାୟତ ନୁହଁ, ପଡୋଶୀ ଗୋପବନ୍ଧୁ ନଗର ପଞ୍ଚାୟତର ଲୋକ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଖରାଦିନରେ ଯାହି ଯେମିତି ଲୋକେ ଏହି ରାସ୍ତା ଉପରେ ଯାତାୟତ କରିଥାନ୍ତି, ହେଲେ ବର୍ଷା ଦିନ ଆସିଲେ ଦୁର୍ଦଶା ବଢ଼ିଯାଏ। ଘରୁ ପାଦ କାଢ଼ିଲେ କାଦୁଅ ଲଟପଟ ରାସ୍ତାରେ ହିନସ୍ତା ହୋଇ ଲୋକେ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି।

Advertisment

ଏହି ରାସ୍ତା ଦେଇ ଗାଡି ମୋଟର ନେଇ ଯିବା ତ' ଦୂରର କଥା, ସାଇକେଲ ଖଣ୍ଡେ ଧରି ବାହାରିଲେ ଏହାକୁ କାନ୍ଧରେ ବୋହି ଯିବାକୁ ପଡ଼ୁଛି। ରାସ୍ତା ଖରାପ ଥିବା ଯୋଗୁ ଦମକଳ ହେଉ ଅବା ଆମ୍ବୁଲାନ୍ସ ଗାଁ ଭିତରକୁ ପଶି ନପାରି ତିନି କିଲୋମିଟର ଦୂରରେ ଛିଡ଼ା ହେଉଛନ୍ତି। ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ବିଧାୟକଙ୍କୁ ମଧ୍ୟ ଅବଗତ କରିଛନ୍ତି। ହେଲେ ଆଜିଯାଏଁ ସମସ୍ୟା ସମାଧାନ ହୋଇପାରିଲାନାହିଁ।

ଗ୍ରାମବାସୀ ହେମଲତା ଜେନା କହିଛନ୍ତି, ଏବେ ବୟସର ଅପରାହ୍ନରେ ପହଞ୍ଚିଲିଣି। ଛୋଟ ବେଳୁ ଏହି ରାସ୍ତାକୁ ଦେଖି ଆସୁଛି। ଖରାଦିନେ ଯାହିତାହି ଚଳି ଯାଉଛି, ବର୍ଷା ଦିନେ ଯାତାୟତ ବେଳେ ଗୋଡ଼ ଖସି ପଡ଼ୁଛୁ। ଆମେ ଖଟି ଖିଆ ଲୋକ, ଏ ସମ୍ପର୍କରେ ସରପଞ୍ଚ ଜଣାଇ ସମସ୍ୟାର ସମାଧାନ କରିବା କଥା।

ଗ୍ରାମବାସୀ ଶାନ୍ତିଲତା ଜେନା କହିଛନ୍ତି, ଏହି ଗାଁକୁ ବୋହୂ ହୋଇ ଆସିବା ଆଜକୁ ୧୨ ବର୍ଷ ବିତିଗଲାଣି। ଏମିତି ସବୁବେଳେ ଖରାପ ରାସ୍ତାରେ କଷ୍ଟେମଷ୍ଟେ ଯାତାୟତ କରିବାକୁ ପଡ଼ୁଛି। ଭଲ ପାଣି ବୁନ୍ଦାଏ ପାଇବାକୁ ଏହି ରାସ୍ତାରେ ୨ କିଲୋମୋଟର ଦୂରକୁ ଯିବାକୁ ପଡ଼ୁଛି। ପିଲାମାନେ ସ୍କୁଲ ଯିବାରେ ଓ ଶାଶୁ, ଶ୍ୱଶୁରଙ୍କୁ ଡାକ୍ତରଖାନା ଯିବାରେ ବହୁ ହଇରାଣ ହେବାକୁ ପଡ଼ୁଛି। ଗ୍ରାମରେ କେହି ରୋଗରେ ପଡ଼ିଲେ ତାଙ୍କୁ ଟେକିଟେକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡ଼ୁଛି, ନ ଆସିପାରିଲେ ଘରେ ତାଙ୍କର ମୃତ୍ୟୁ ହେଉଛି। ତେଣୁ ଗ୍ରାମକୁ ଭଲ ରାସ୍ତାଟିଏ ତୁରନ୍ତ ହେବା ଜରୁରୀ।

ଗ୍ରାମବାସୀ କମଲ ପ୍ରଧାନ କହିଛନ୍ତି, ଓଡ଼ିଶାର ଆଛା ଦିନ ଆସିଯାଇଛି ବୋଲି ସରକାର କହୁଛନ୍ତି। ହେଲେ ସ୍ୱାଧୀନତାର ୭୬ ବର୍ଷ ପରେ ବି ଆମେ କିପରି ଦୁର୍ଦ୍ଦଶାରେ ଅଛୁ, ତାହା ଦେଖିଲେ ଏ ସବୁ ଘୋଷଣା ମୂଲ୍ୟହୀନ ବୋଲି ପ୍ରମାଣିତ। ଗ୍ରାମବାସୀଙ୍କୁ ପରିବା କିମ୍ବା ରାସନ କିଣିବାକୁ ହେଲେ ପାଞ୍ଚ କିଲୋମିଟର ଏଭଳି ରାସ୍ତାରେ ଯାତାୟତ କରିବାକୁ ପଡ଼ୁଛି। ପ୍ରତିଦିନ ଏହି ରାସ୍ତାରେ ହଜାରେ ଲୋକ ବିଭିନ୍ନ କାମରେ ଯାତାୟତ କରିଥାନ୍ତି। କାହାରି ଦେହ ଖରାପ ହେଲେ, ସେ ଯମ ଯନ୍ତ୍ରଣା ଭୋଗୁଛି।

ସରପଞ୍ଚ ଆଦିତ୍ୟ ପ୍ରସାଦ ଗିରି କହିଛନ୍ତି, ସମଗ୍ର ଭାରତରେ ଏଭଳି ଦୁର୍ଦ୍ଦଶାରେ କୌଣସି ପଞ୍ଚାୟତବାସୀ ନ ଥିବେ। ସରପଞ୍ଚ ହୋଇ ସେ ଏଥିପାଇଁ ନିଜେ ଯେତିକି ଦୁଃଖିତ, ସେତିକି ଲଜ୍ଜିତ ମନେ କରୁଛନ୍ତି। କାରଣ ଏଭଳି ସାଧାରଣ ସମସ୍ୟାର ସମାଧାନ ହୋଇପାରୁନି। ଏହି ରାସ୍ତା କରିବା ନିମନ୍ତେ କୋଟିକୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ। ସରପଞ୍ଚ ହାତରେ ଏ ସବୁ ହୋଇପାରିବନି। ଏଥିପାଇଁ ବିଧାୟକ କିମ୍ବା ସାଂସଦ ଉଦ୍ୟମ କରିପାରିଲେ ଆରଡି, ଡ୍ରେନେଜ୍ କିମ୍ବା ଜଳସେଚନ ବିଭାଗ ଜରିଆରେ ରାସ୍ତା କାମ ହୋଇପାରନ୍ତା। ତେଣୁ ଆଗକୁ ବିଧାୟକ, ସାଂସଦ, ବିଡିଓଙ୍କୁ ଏ ବାବଦରେ ଅନୁରୋଧ କରିବେ ଓ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନେବେ।

ଅନ୍ୟପଟେ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି ବୋଲି ବିଡ଼ିଓ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଗାଁରୁ ସହରର ଦୂରତା କମିବ । ଗାଁର ଲୋକ ସହଜ ଆଉ ସୁବିଧାରେ ସହରକୁ ପହଞ୍ଚି ପାରିବେ। ଗାଁରୁ ସହର ମଧ୍ୟରେ ଏହି ଦୂରତା କମାଇବା ପାଇଁ ସରକାର ସବୁବେଳେ ଯତ୍ନବାନ। ଲୋକମାନଙ୍କ ମୌଳିକ ସୁବିଧାକୁ ଗୁରୁତ୍ୱ ଦେବାପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଗାଁର ଚିତ୍ରକୁ ବଦଳା ଯାଉଛି। ହେଲେ ଏହି ପଞ୍ଚାୟତରେ ସବୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। କାରଣ ପଞ୍ଚାୟତର ମୁଖ୍ୟ ରାସ୍ତାର ସ୍ଥିତି ବର୍ଷ ବର୍ଷ ଧରି ସୁଧୁରି ପାରୁନି। ପିଚୁ କଂକ୍ରିଟ ତ ଦୂରର କଥା, ରାସ୍ତାରେ ମୋରମ ମୁଠେ ବି ପଡିପାରୁନାହିଁ।