ଓଡ଼ିଶାରେ ଜନଜାତିଙ୍କ ପାଇଁ ସଂରକ୍ଷିତ ସମସ୍ତ ୩୨ଟି ବିଧାନସଭା, ୫ଟି ଲୋକସଭା ଆସନରେ ଜିତିବାକୁ ବିଜେପି ସମର୍ଥ: ଜୁଏଲ ଓରାମ

ଓଡ଼ିଶା ରିପୋର୍ଟର- ନିକଟରେ ଏନଡିଏ ସରକାର ଏକ ବର୍ଷ ପୂରଣ କରିଛି, ଆପଣଙ୍କ ବିଭାଗ ଏହି ଗୋଟିଏ ବର୍ଷ ମଧ୍ୟରେ କ’ଣ ସବୁ ଯୋଜନାର ସଫଳ ରୂପାୟନ କରିଛି? ଜୁଏଲ- ଏକ ମହତକାଂକ୍ଷୀ ବନବନ୍ଧୁ କଲ୍ୟାଣ ଯୋଜନା  ଆରମ୍ଭ କରିଛୁ। ଯାହାର ଲକ୍ଷ୍ୟ ରହିଛି ହୋଲିଷ୍ଟିକ୍ ଆପ୍ରୋଚ୍। ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଅନୁସାରେ ପ୍ଲାନିଂ ହେବ ଏବଂ କାର୍ଯ୍ୟକାରୀ କରାଯିବ। ଦିଲ୍ଲୀ କିମ୍ୱା ଭୁବନେଶ୍ୱରରେ କୌଣସି ଯୋଜନା କରାଯାଇ କାର୍ଯ୍ୟକାରୀ କରାଯିବ ନାହିଁ। ଏହି ପ୍ରକାର ବିଚାରକୁ […]

juel

juel

Rakesh Mallick
  • Published: Friday, 19 June 2015
  • Updated: 27 April 2017, 05:29 PM IST

Sports

Latest News

ଓଡ଼ିଶା ରିପୋର୍ଟର- ନିକଟରେ ଏନଡିଏ ସରକାର ଏକ ବର୍ଷ ପୂରଣ କରିଛି, ଆପଣଙ୍କ ବିଭାଗ ଏହି ଗୋଟିଏ ବର୍ଷ ମଧ୍ୟରେ କ’ଣ ସବୁ ଯୋଜନାର ସଫଳ ରୂପାୟନ କରିଛି?

ଜୁଏଲ- ଏକ ମହତକାଂକ୍ଷୀ ବନବନ୍ଧୁ କଲ୍ୟାଣ ଯୋଜନା  ଆରମ୍ଭ କରିଛୁ। ଯାହାର ଲକ୍ଷ୍ୟ ରହିଛି ହୋଲିଷ୍ଟିକ୍ ଆପ୍ରୋଚ୍। ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଅନୁସାରେ ପ୍ଲାନିଂ ହେବ ଏବଂ କାର୍ଯ୍ୟକାରୀ କରାଯିବ। ଦିଲ୍ଲୀ କିମ୍ୱା ଭୁବନେଶ୍ୱରରେ କୌଣସି ଯୋଜନା କରାଯାଇ କାର୍ଯ୍ୟକାରୀ କରାଯିବ ନାହିଁ। ଏହି ପ୍ରକାର ବିଚାରକୁ ନେଇ ଆମେ ବନବନ୍ଧୁ କଲ୍ୟାଣ ଯୋଜନା ଆରମ୍ଭ କରିଛୁ। ଏହି ଯୋଜନାଟି ଗୁଜରାଟ ମଡେଲରେ କରାଯାଇଛି। ପ୍ରଥମ ଫେଜରେ ଆମେ ଓଡ଼ିଶାର କୋରାପୁଟ ଜିଲ୍ଳାର ବନ୍ଧୁଗାଁ ବ୍ଲକରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବୁ।

ଦ୍ୱିତୀୟରେ ଆଦିବାସୀଙ୍କୁ ଜଙ୍ଗଲଜାତ ଦ୍ରବ୍ୟର ଠିକ୍ ମୂଲ୍ୟ ଦେବାକୁ ଆମେ ଚେଷ୍ଟା କରୁଛୁ। ଶାଳ ମଞ୍ଜି, ମହୁଲ ଓ କରଞ୍ଜ ମଞ୍ଜିର ଉପଯୁକ୍ତ ମୂଲ୍ୟ ଦେବା ସହ ବଜାରରେ ଜଙ୍ଗଲଜାତ ସାମଗ୍ରୀ କମ୍ ଦରରେ ବିକ୍ରି ହେଉଥିଲେ ଟ୍ରାଇଫେଡ୍ ସଂସ୍ଥା ବା ମଲଟି ପରପସ୍ ସୋସାଇଟି ଏଥିରେ ହସ୍ତକ୍ଷେପ କରି ଏହାକୁ କିଣିବା ପାଇଁ ସୁବିଧା କରିଛୁ। ବିଭିନ୍ନ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି।

ଏହା ସଙ୍ଗେ ସଙ୍ଗେ ଏମଏପି ନେଟ୍ ଆରମ୍ଭ କରିଛୁ। ଯେଉଁଥିରେ ବିଭିନ୍ନ ସ୍ଥାନର ବନଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଦେଖିପାରିବେ। କେଉଁ ମଣ୍ଡିରେ ଶସ୍ୟର ମୂଲ୍ୟ କେତେ ରହିଛି ଓ କେତେ ମହଜୂତ ଅଛି ତାହା ଏମଏପି ନେଟ୍ ସାହାଯ୍ୟରେ ସହଜରେ ଜାଣି ହେବ।  ଏହା ସହିତ ୪୦୦ କିଷାନ୍ କଲ୍ ସେଣ୍ଟର ସହ ଏହାକୁ ସଂଯୋଗ  କରାଯାଇଛି।

ଓଡ଼ିଶା ରିପୋର୍ଟର - ଜନଜାତିଙ୍କ ପାଇଁ ତୃଣମୂଳ ସ୍ତରରେ ଯୋଜନା ହେବା ଦରକାର, ହେଲେ ସେଥିରେ ପ୍ରମୁଖ ଭୂମିକା ରହୁଛି ରାଜ୍ୟ ସରକାରଙ୍କର। ଯଦି ସରକାର ଆନ୍ତରିକତାର ସହ ଯୋଜନା କାର୍ଯ୍ୟକାରୀ ନ କରନ୍ତି ତେବେ ସେହି ସବୁ ଯୋଜନା କିପରି ସଫଳ ହେବ?

ଜୁଏଲ- ବିଭିନ୍ନ ଯୋଜନା ପାଇଁ କେନ୍ଦ୍ର ପଇସା ଦେଉଛି। ଲୋକଙ୍କ ନିକଟରେ ପହଞ୍ଚାଇବା କାମ ରାଜ୍ୟ ସରକାରଙ୍କର। ଏହା ସହିତ ଫେଡେରାଲ ଷ୍ଟ୍ରକଚରରେ ଆମେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ  ବିଭିନ୍ନ ସମୟରେ ରିଭ୍ୟୁ କରୁଛୁ, ଗାଇଡ୍ ଲାଇନ୍ ଇସୁ କରୁଛୁ ଏବଂ ବିଭିନ୍ନ ଅଞ୍ଚଳ ବୁଲି ଉନ୍ନୟନ କାର୍ଯ୍ୟର ସମୀକ୍ଷା ମଧ୍ୟ କରୁଛୁ। ରିଭ୍ୟୁରେ ଜଣାପଡିଛି ଯେ କିଛି ରାଜ୍ୟ ଆନ୍ତରିକତାର ସହ କାମ କରୁଛନ୍ତି ଆଉ କେତେକ ରାଜ୍ୟ ଏଥିପ୍ରତି ଆଦୌ ଧ୍ୟାନ ଦେଉ ନାହାନ୍ତି। ଏଥିପାଇଁ ଆମେ ରାଜ୍ୟ ସରକାରଙ୍କୁ ଉତ୍ସାହିତ କରିବା ପାଇଁ ଚେଷ୍ଟା କରୁଛୁ। ଆମ ଦେଶରେ ୧୭ଟି ଟ୍ରାଇବାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ରହିଛି। ସେଠାରେ ମାନବ ସମ୍ବଳ ବଢ଼ାଇ ସେସବୁକୁ ମନିଟରିଂ କରି ତାକୁ ବ୍ୟବହାର କରିବାକୁ ଚେଷ୍ଟା ଚଲାଇଛୁ।

ଓଡ଼ିଶା ରିପୋର୍ଟର - ରାଜ୍ୟର ବିଜେଡି ସରକାର ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଅବହେଳା କରୁଛନ୍ତି ବୋଲି ଅଭିଯୋଗ କରୁଛି। ଅନ୍ୟପଟେ ଆପଣ ଅଭିଯୋଗ କରୁଛନ୍ତି, କେନ୍ଦ୍ରରୁ ଆସୁଥିବା ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନାହାନ୍ତି। ଏପରି ସ୍ଥିତିରେ ସମାଧାନର ବାଟ କ’ଣ?

ଜୁଏଲ- ଏହି ସମସ୍ୟାର ସମାଧାନ ଦୁଇଟି ଉପାୟରେ ହୋଇ ପାରିବ। ପ୍ରଥମତଃ ଜନ ଜାଗରଣ- ଗଣମାଧ୍ୟମ ମାଧ୍ୟମରେ ଓ ରାଜନୈତିକ ଦଳ ମାଧ୍ୟମରେ ଜନତା ତା’ର ଅଧିକାର ସରକାରଙ୍କ ଠାରୁ ମାଗିବା ଦରକାର। ଯାହା ଦ୍ୱାରା ସରକାର ଚାପରେ ଆସି  ବା ଭୟ କରି ସେହି କାମକୁ କରିବେ। ଦ୍ୱିତୀୟଟି ହେଉଛି ମୋଟିଭେସନ୍।  କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଦରକାର। ବିଭିନ୍ନ ଦାୟିତ୍ୱରେ ଥିବା ଅଫିସର ମାନଙ୍କୁ କାର୍ଯ୍ୟକାରୀ କରିବାକୁ ମୋଟିଭେସନ୍ କରାଇବାକୁ ପଡ଼ିବ। ଏହା ତାଙ୍କର ରାଷ୍ଟ୍ରୀୟ କର୍ତ୍ତବ୍ୟ ଓ ସାମାଜିକ ଦାୟିତ୍ୱ, ଏହି  କାମ ନକଲେ ଦେଶର କ୍ଷତି ହେଉଛି। ଏହି ପ୍ରକାର ମନୋଭାବ ତାଙ୍କ ଭିତରେ ଜାଗ୍ରତ କରି ପ୍ରେରିତ କରି କାମ କରାଇବାକୁ ଚେଷ୍ଟା କରୁଛୁ।

juel-2

ଓଡ଼ିଶା ରିପୋର୍ଟର- ଆପଣ ଭାବୁଛନ୍ତି ଓଡ଼ିଶାରେ ଜନଜାତିଙ୍କୁ ଜନଜାଗରଣରେ ସାମିଲ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ସ୍ଥିତିରେ ବିଜେପି ରହିଛି?

ଜୁଏଲ- ବିଲକୁଲ ଅଛି। ସେଥିପାଇଁ ସରକାର ବେଳେ ବେଳେ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ପ୍ରତି ପ୍ରତିକ୍ରିୟାଶୀଳ ହେଉଛି। ଆମେ ସତର୍କ ଅଛୁ, ଆମର ସାମର୍ଥ୍ୟ ଓ ଶକ୍ତି ରହିଛି, ମୁଁ ଏଦିଗରେ ଜନଜାତିମାନଙ୍କୁ ପ୍ରେରିତ କରିବାକୁ ଚେଷ୍ଟା କରୁଛି।

ଓଡ଼ିଶା ରିପୋର୍ଟର-ଆଜି ପର୍ଯ୍ୟନ୍ତ ରାଜ୍ୟରେ ବିଜେପି ନେତୃତ୍ୱରେ ସେଭଳି କୌଣସି ଜନଆନ୍ଦୋଳନ ହୋଇଥିବା ପରିଲକ୍ଷିତ ହୋଇନାହିଁ କାହିଁକି?

ଜୁଏଲ- ଆମେ କରୁଛୁ। କିନ୍ତୁ ବଡ ଧରଣର କରି ନାହୁଁ। ତାହା ମାନୁଛି। ତୃଣମୂଳ ସ୍ତରରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଗରିବ, ଶୋଷିତ, ପୀଡିତ ଜନଜାତି ଲୋକଙ୍କ ପ୍ରତି ଯେଉଁ ଅନ୍ୟାୟ ହେଉଛି ତା’ର ପ୍ରତିବାଦ କରୁଛନ୍ତି। ଯେଉଁ ଯୋଜନା କେନ୍ଦ୍ର ସରକାର କରିଛନ୍ତି କିନ୍ତୁ ରାଜ୍ୟରେ ଲାଗୁ ହୋଇପାରୁ ନାହିଁ, ସେନେଇ ବିଜେପି ତୃଣମୂଳ ସ୍ତରରେ ଆନ୍ଦୋଳନ କରୁଛି। ଆଗକୁ ମଧ୍ୟ ଆମେ ବ୍ୟାପକ ଆନ୍ଦୋଳନ କରିବାକୁ ଚିନ୍ତା କରୁଛୁ।

ଓଡ଼ିଶା ରିପୋର୍ଟର- ଦ୍ୱିତୀୟ ପ୍ରସଙ୍ଗ ହେଲା, ଆପଣ କହୁଛନ୍ତି ରାଜ୍ୟ ସରକାରଙ୍କୁ ମୋଟିଭେଟ୍ କରିବା   ସହ ସହଯୋଗର ହାତ ବଢାଇ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯିବ। ଆପଣ ଭାବୁଛନ୍ତି ସେ ଦିଗରେ ଆପଣ କିଛି ପଦକ୍ଷେପ ନେଇଛନ୍ତି?

ଜୁଏଲ- ହଁ ମୁଁ ନେଉଛି। ରେଗୁଲାର ଭିଜିଟ୍ କରୁଛି। ଅଫିସର ମାନଙ୍କ ସହିତ ଯୋଜନା ସଂପର୍କରେ ଆଲୋଚନା କରୁଛି। ମୋର ବିଭାଗୀୟ ଅଫିସରମାନେ ମଧ୍ୟ ବିଭିନ୍ନ ସମୟରେ ଯୋଜନା ଅନୁଯାୟୀ କାର୍ଯ୍ୟର ରିଭ୍ୟୁ କରୁଛନ୍ତି। ରାଜ୍ୟସ୍ତରରେ ରିଭ୍ୟୁ କରାଯାଉଥିବା ସହ ତୃଣମୂଳ ସ୍ତରକୁ ଯାଇ ବିଭିନ୍ନ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହା ରିଭ୍ୟୁ କରାଯାଉଛି।

ଓଡ଼ିଶା ରିପୋର୍ଟର- ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟକାରୀତା ନେଇ ଆପଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କୌଣସି ଆଲୋଚନା କରିଛନ୍ତି କି?

ଜୁଏଲ- ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ହୋଇନାହିଁ। କିନ୍ତୁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଆସି ମୋ ସହିତ ସାକ୍ଷାତ କରିଛନ୍ତି। ମିଳିତ ରିପୋର୍ଟ ମଧ୍ୟ ହୋଇଛି। ଦେଶର ଆଦିବାସୀ ମାନଙ୍କ କଲ୍ୟାଣ ପାଇଁ ଚେଷ୍ଟା ଚାଲିଛି।

ଓଡ଼ିଶା ରିପୋର୍ଟର- ନିକଟରେ ବିଜେପି ଜନଜାତି ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ଭୁବନେଶ୍ୱରରେ ହୋଇଥିଲା। ଓଡ଼ିଶାର ଜନଜାତି ଭୋଟ୍ ବ୍ୟାଙ୍କ ଉପରେ ବିଜେପି ନଜର ରଖିଥିବା ସ୍ପଷ୍ଟ ବାରି ହେଉଥିଲା। ରାଜ୍ୟରେ ଥିବା ଜନଜାତିଙ୍କ ପାଇଁ ସଂରକ୍ଷିତ ୩୨ଟି ବିଧାନସଭା ଆସନକୁ କିଭଳି ଦଖଲ କରାଯିବ ସେ ନେଇ ମଧ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଥିଲା। ଆପଣ ଭାବୁଛନ୍ତି ରାଜ୍ୟରେ ବିଜେପି ଏ ଦିଗରେ ସଫଳ ହେବ?

ଜୁଏଲ-ଆମେ କରିପାରିବୁ। ଆମ ପାଖରେ ସାମର୍ଥ୍ୟ ଅଛି। ଆଦିବାସୀଙ୍କ ପାଇଁ ସଂରକ୍ଷିତ ୩୨ ରୁ ୩୨ ବିଧାନସଭା ଓ ୫ ଟି ଯାକ ଲୋକସଭା ଆସନ ଆମେ ଜିତି ପାରିବୁ। ସେଥିରେ କିଛି ଦ୍ୱିମତ ନାହିଁ। ଆଜିର ଦିନରେ ଅଲ୍ ଇଣ୍ଡିଆରେ ସର୍ବାଧିକ ଟ୍ରାଇବାଲ୍ ଏମପି  ଭାରତୀୟ ଜନତା ପାର୍ଟି ପାଖରେ ଅଛନ୍ତି।  ସର୍ବାଧିକ ଏମଏଲଏ ବି ଭାରତୀୟ ଜନତା ପାର୍ଟି ପାଖରେ ଅଛନ୍ତି। ଓଡ଼ିଶାରେ ମଧ୍ୟ ଏକ ସମୟରେ ୧୮ ଜଣ ଆଦିବାସୀ ଏମଏଲଏ ଏବଂ ୪ ଜଣ ଆଦିବାସୀ ଏମପି  ଆମ ପାର୍ଟିରେ ଥିଲେ। ଯେହେତୁ ଅତୀତରେ ଥିଲେ ଆମେ ଏବେ ବି କରିପାରିବୁ।

ଓଡ଼ିଶା ରିପୋର୍ଟର- ଗୋଟିଏ ସମୟରେ ଆପଣଙ୍କ ପାର୍ଟିର ୧୮ ଜଣ ଆଦିବାସୀ ବିଧାୟକ ଓ ୪ ଜଣ ଆଦିବାସୀ ସାଂସଦ ଥିଲେ। ହେଲେ ଆପଣ ସ୍ୱୀକାର କରିବେ ନାହିଁ ବିଜେପି ତା’ର ପୂର୍ବ ସ୍ଥିତି ବଜାୟ ରଖିବାରେ ବିଫଳ ହୋଇଛି?

ଜୁଏଲ- ଆମେ ସେହି ସ୍ଥିତିକୁ ଯାଇ ପାରିବୁ। ଆମ ପାଖରେ ସେହି ଶକ୍ତି ଅଛି। ତେବେ ଜନଜାତି ମୋର୍ଚ୍ଚାର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଏକ ରୁଟିନ୍ କାମ ଥିଲା। ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବିଭିନ୍ନ ରାଜ୍ୟରେ ହୁଏ। ଏହା ପୂର୍ବରୁ ଝାଡ଼ଖଣ୍ଡ, ରାଜସ୍ଥାନ, ମହାରାଷ୍ଟ୍ର ଓ ଗୁଜରାଟରେ ହୋଇଥିଲା। ତେଣୁ ଏଥିରେ କିଛି ଅସ୍ୱଭାବିକତା ନାହିଁ।

ଓଡ଼ିଶା ରିପୋର୍ଟର- ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଏବଂ ବରିଷ୍ଠ କଂଗ୍ରେସ ନେତା ଗିରିଧର ଗମାଙ୍ଗଙ୍କୁ ବିଜେପିରେ ସାମିଲ କରି ବିଜେପି ଟ୍ରାଇବାଲ୍ କାର୍ଡ ଖେଳିବାକୁ ଚେଷ୍ଟା କରୁନାହିଁ କି?  

ଜୁଏଲ- ଜନଜାତି ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ଭୁବନେଶ୍ୱରରେ ଅୟୋଜନ କରିବାକୁ ୩ ମାସ ଆଗରୁ ନିଷ୍ପତ୍ତି ହୋଇଥିଲା। ତା’ପରେ ଦ୍ରୌପଦୀ ମୁର୍ମୁ  ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ଏବଂ ତା’ପରେ ଗିରିଧର ବାବୁ ବିଜେପିକୁ ଆସିଲେ। ଯେଉଁ ରାଜ୍ୟରେ ଆଦିବାସୀ ଶକ୍ତି ବଢ଼ାଇବାର ଅଛି ସେଠିକାର ୟୁନିଟକୁ ସଶକ୍ତ କରାଯାଏ। ଏଥିରେ ଲୁଚାଇବାର କିଛି ନାହିଁ।

ଓଡ଼ିଶା ରିପୋର୍ଟର- ଦ୍ରୌପଦୀ ମୁର୍ମୁ  ରାଜ୍ୟପାଳ ହେବା ପରେ ସେ ଓଡ଼ିଶା ଆସିଥିବା ବେଳେ ଏକ ବିରଳ ଘଟଣା ଘଟିଲା। ଝାଡ଼ଖଣ୍ଡ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନକୁ ଯାଇ ସାକ୍ଷାତ କଲେ। ଆପଣ ଭାବୁ ନାହାଁନ୍ତି କି ଏଥିରେ କିଛି ରାଜନୈତିକ ଦିଗ ରହିଛି?

ଜୁଏଲ- ନାଁ ଏଥିରେ କିଛି ରାଜନୈତିକ ଅର୍ଥ ବାହାର କରିବା ଆବଶ୍ୟକତା ନାହିଁ। ଏହା ସଂପୂର୍ଣ୍ଣ ଭାବେ ବ୍ୟକ୍ତିଗତ, ସୋସିଆଲ ଏଙ୍ଗେଲରୁ ସେ ଭେଟିଛନ୍ତି। ଏଥିରେ କୌଣସି ରାଜନୈତିକ ଅର୍ଥ ନାହିଁ। ସେ (ଦ୍ରୌପଦୀ ମୁର୍ମୁ) ପ୍ରଥମ ଥର ଆସିଥିଲେ। ତାଙ୍କ (ନବୀନଙ୍କ) କ୍ୟାବିନେଟ୍ ବନ୍ଧୁ ଥିଲେ। ସେହିଦୃଷ୍ଟିରୁ ସେମାନେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏଥିରେ କୌଣସି ଅସାମ୍ୱିଧାନିକ କାର୍ଯ୍ୟ ହୋଇନାହିଁ କିମ୍ୱା ପ୍ରୋଟକଲ୍ ଭାଙ୍ଗି ନାହିଁ।

ଓଡ଼ିଶା ରିପୋର୍ଟର- ଆଉ ଗୋଟିଏ କଥା ଚର୍ଚ୍ଚା ହେଉଛି, ବିଜେଡି ଓ ବିଜେପି ମଧ୍ୟରେ ଡିଲ୍ ଅଛି ଅର୍ଥାତ୍ କେନ୍ଦ୍ରର ବିଜେପି ସରକାର ବର୍ତ୍ତମାନ ନବୀନ ସରକାରଙ୍କ ଉପରେ ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି କି ?

ଜୁଏଲ- ଭୁଲ୍ କଥା, ମୁଁ ଏହାକୁ ଜୋରଦାର୍ ଖଣ୍ଡନ କରୁଛି।  ଏ ପ୍ରକାର କିଛି ନାହିଁ। ଆମର କୌଣସି ଆଭିମୁଖ୍ୟ ପରିବର୍ତ୍ତନ ହୋଇନାହଁ। ବରଂ ଏହା କଂଗ୍ରେସ ସମୟରେ ଥିଲା। ୟୁପିଏ ସରକାରର ବହୁମତ ନଥିବାରୁ କଂଗ୍ରେସ ଦଳ ଲୋକସଭାରେ ଅନ୍ୟ ଦଳର ସାହାଯ୍ୟ ନେବା ପାଇଁ ଏଭଳି ରଣନୀତି ଆପଣେଇ ଥିଲା।

ଆମ ପାର୍ଟିର ଏମିତି କିଛି ଆବଶ୍ୟକତା ନାହିଁ। ରାଜ୍ୟସଭାରେ କୌଣସି ବିଲ୍ ପାସ୍ କରିବା ବେଳେ ଆମର ବହୁ ମତ ନାହିଁ, ସେଥିପାଇଁ ଆମର ଅନ୍ୟ ଦଳ ସଦସ୍ୟଙ୍କ ସମର୍ଥନ ହେଉଛି। ତେବେ ସବୁଥିରେ ବିଜେଡି ଆମକୁ ସାହାଯ୍ୟ କରିନାହିଁ। ସ୍ଥାନେ ସ୍ଥାନେ ତାଙ୍କ (ବିଜେଡି) ଆବଶ୍ୟକ ଅନୁସାରେ ଆମକୁ ସାହାଯ୍ୟ କରୁଛନ୍ତି। ତେବେ ଏନେଇ କଂଗ୍ରେସ ସାଧାରଣରେ ଯେଉଁ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ମୁଁ ତାକୁ ଖଣ୍ଡନ କରୁଛି। ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଏକୁଟିଆ ଲଢିବ। ଏକୁଟିଆ ସରକାର କରିବା ପାଇଁ ଚେଷ୍ଟା କରିବ।

ଓଡ଼ିଶା ରିପୋର୍ଟର- ଗିରିଧର ଗମାଙ୍ଗଙ୍କର ରାଜନୈତିକ କ୍ୟାରିଅର ଦେଖିଲେ ଯେ କେହିବି ଉତ୍ସାହିତ ହେବ। ତେବେ ଆପଣ ଭାବୁଛନ୍ତି କି ଗିରିଧରଙ୍କ ବିଜେପିରେ ଯୋଗ ଦାନ ପରେ ଦଳ ସେହଭଳି ଭାବରେ କିଛି ଫାଇଦା ପାଇବ?

ଜୁଏଲ- ନିଶ୍ଚିତ ଭାବରେ ପାଇବ। ଗିରିଧର ବାବୁ କୋରାପୁଟ ଜିଲ୍ଲାରେ ସକ୍ରିୟ ଅଛନ୍ତି। ତାଙ୍କୁ ଲୋକମାନେ ପସନ୍ଦ କରନ୍ତି। ସେ ନେଗେଟିଭ୍ ପଲିଟିକ୍ସକୁ ବିଶ୍ୱାସ କରନ୍ତି ନାହିଁ। ସେ ଦେଖିଲେ କଂଗ୍ରେସ ତାଙ୍କୁ ଉଚିତ ସ୍ଥାନ ଦେଲା ନାହିଁ। ଭାରତୀୟ ଜନତା ପାର୍ଟି ତାଙ୍କୁ ଉଚିତ ସ୍ଥାନ ଦେବ ବୋଲି ଭରସା ଦେଇଛି।

ଓଡ଼ିଶା ରିପୋର୍ଟର- ଆପଣ ଭାବୁଛନ୍ତି କି ଗିରିଧର ଗମାଙ୍ଗ କଂଗ୍ରେସ ଛାଡ଼ିବା ପରେ କଂଗ୍ରେସ ଦୁର୍ବଳ ହେବ ଏବଂ କଂଗ୍ରେସ କର୍ମୀ ଭାଜପା ପ୍ରତି ଆକୃଷ୍ଟ ହେବେ?

ଜୁଏଲ-ନିଶ୍ଚୟ ଏଥିରେ କିଛି ସନ୍ଦେହ ନାହିଁ। ନିଶ୍ଚିତ ଭାବରେ କିଛି ଭୋଟ୍ ଭାରତୀୟ ଜନତା ପାର୍ଟିକୁ ମିଳିବ।

ଓଡ଼ିଶା ରିପୋର୍ଟର- ତା’ହେଲେ ଆପଣ ସ୍ୱୀକାର କରିବେ କି କିଛି ନେତା ବିଜେପି ଛାଡ଼ିବାରୁ ରାଜ୍ୟରେ ବିଜେପି ଦୁର୍ବଳ ହୋଇଯାଇଛି?

ଜୁଏଲ- କିଛି ମାତ୍ରାରେ। ଭାରତୀୟ ଜନତା ପାର୍ଟି କ୍ୟାଡର ଭିତ୍ତିକ ପାର୍ଟି। ଆମ ପାର୍ଟିରୁ ବହୁ ନେତା ଛାଡିଛନ୍ତି କିନ୍ତୁ ପାର୍ଟି ଉପରେ କିଛି ଫରକ୍ ପଡି ନାହିଁ। ଭାରତୀୟ ଜନତା ପାର୍ଟି ସାଧାରଣ କାର୍ଯ୍ୟକର୍ତ୍ତାଙ୍କ ପାର୍ଟି। ଆମ ପାର୍ଟି ଓ କଂଗ୍ରେସ ପାର୍ଟି ଉପରେ ବେଶ୍ ଅନ୍ତର ରହିଛି। ଆମ ପାର୍ଟି କୌଣସି ବ୍ୟକ୍ତିର ପାର୍ଟି ନୁହେଁ। ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ପରି ବ୍ୟକ୍ତିଙ୍କ ପାର୍ଟି ନୁହେଁ। ଆମ ପାର୍ଟିକୁ ଛାଡିକି ଗଲେ ବହୁତ କିଛି ଫରକ୍ ପଡିବ ନାହିଁ। ଓଡ଼ିଶାରେ କଂଗ୍ରେସ ପାର୍ଟିର ଯେଉଁ ପ୍ରକାର ସ୍ଥିତି ଅଛି ବା ଯେଉଁପ୍ରକାର ପରିବେଶ ଅଛି ସେ ଦୃଷ୍ଟିରୁ ଦେଖାଗଲେ ଗିରିଧର ଗମାଙ୍ଗ ଛାଡିଲା ପରେ କଂଗ୍ରେସ ପାର୍ଟିକୁ ଏକ ପ୍ରକାର ଝଟକା ଲାଗିଥିବ। ବିଜୁ ପଟ୍ଟନାୟକ କିମ୍ବା ଜାନକୀ ପଟ୍ଟନାୟକ ଯେତେବେଳେ ସରକାରେ ଆସିଛନ୍ତି ସେମାନଙ୍କ ସପକ୍ଷରେ ବିପୁଳ ଟ୍ରାଇବାଲ ଭୋଟ୍ ଯାଇଛି।

ଓଡ଼ିଶା ରିପୋର୍ଟର- ୨୦୧୪ ନିର୍ବାଚନରେ ସମଗ୍ର ଦେଶରେ ବିଜେପି ପ୍ରତି ସମର୍ଥନ ମିଳିଲା କିନ୍ତୁ ତାହା ଓଡ଼ିଶାରେ ଘଟିଲା ନାହିଁ। ବିଜେପି ଗତ ୧ ବର୍ଷ ମଧ୍ୟରେ ଲୋକଙ୍କ ହୃଦୟ ଜିତିବା ପାଇଁ ସେଭଳି କିଛି ପଦକ୍ଷେପ ନେଇଛି କି?

ଜୁଏଲ-ଆମେ ପୂର୍ବରୁ ୨୦ ଲକ୍ଷ ଭୋଟ୍ ପାଇଥିଲୁ। ଏବେ ଆମକୁ ୪୦ ଲକ୍ଷ ଭୋଟ ମିଳିଛି।  କିନ୍ତୁ ଏହା ସିଟରେ କନଭଟ୍ ହୋଇପାରିଲା ନାହିଁ। ବାକି ୩ଟି ସିଟ୍ ଜିତୁ ଜିତୁ ଆମେ ହାରିଗଲୁ। ସଙ୍ଗଠନ ଦୃଷ୍ଟିରୁ ୨୦୦୯ରେ ମେଣ୍ଟ ଭାଙ୍ଗିଗଲା ପରେ ଆମେ ସଙ୍ଗଠନକୁ ସଜାଡ଼ି ଚାଲିଛି।  ବର୍ତ୍ତମାନ ସୁଦ୍ଧା ୩୧ ଲକ୍ଷ ଆମର ମେମ୍ୱର ସିପ୍ ନେଇଛନ୍ତି। ଆଗକୁ ଏହା ବଢିବାର ଅଛି।

ଓଡ଼ିଶା ରିପୋର୍ଟର- ଆପଣ ସ୍ୱୀକାର କରିବେ କି ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ବିଜେଡି ସହ ମେଣ୍ଟ ସରକାରରେ ଥିଲେ ସେଥିପାଇଁ ବର୍ତ୍ତମାନ ପାର୍ଟିକୁ ମୂଲ୍ୟଦେବାକୁ ପଡୁଛି? ଲୋକମାନେ ବିଜେପିକୁ ବିଶ୍ୱାସକୁ ନେଇ ପାରୁ ନାହାନ୍ତି କି?

ଜୁଏଲ- କଂଗ୍ରେସକୁ କ୍ଷମତାରୁ ହଟାଇବା ପାଇଁ ଆମେ ମେଣ୍ଟ କରିଥିଲୁ। ତାଙ୍କ (ବିଜେଡି) ଖରାପ ସମୟରେ ଆମେ ହାତ ବଢାଇଥିଲୁ। ଆମ ଖରାପ ସମୟରେ ସେମାନେ (ବିଜେଡି) କିକ୍ ଆଉଟ୍ କରିଥିଲେ। ଆଉ ସେଥିପାଇଁ ଆମକୁ ମୂଲ୍ୟଦେବାକୁ ପଡୁଛି। ଆମେ ଅନେକ ମୂଲ୍ୟ ଦେଇସାରିଛୁ। ଏଇ ଭିତରେ ଅନେକ କାମ କରିସାରିଛୁ। ଆଗାମୀ ଦିନରେ ଭାତୀୟ ଜନତା ପାର୍ଟି ନିଶ୍ଚିତ ଭାବେ ଓଡ଼ିଶାରେ ସଶକ୍ତ ହୋଇ ସରକାର କରିବ ବୋଲି ମୋର ବିଶ୍ୱାସ ରହିଛି।

ଓଡ଼ିଶା ରିପୋର୍ଟର- ୨୦୧୯ ରେ ବିଜେପି ଏକାକୀ ନିର୍ବାଚନ ଲଢିବ କି?

ଜୁଏଲ- ନିଶ୍ଚିତ ରୂପେ ବିଜେପି ଏକାକୀ ନିର୍ବାଚନ ଲଢିବ ଓ ଶାସନ କରିବ। ବିଜେଡି ସହିତ କୌଣସି ପରିସ୍ଥିତିରେ ମେଣ୍ଟ କରିବାର ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos