ଭିନ୍ନ ଏକ ଶୈବ ପୀଠ ପଞ୍ଚଲିଙ୍ଗେଶ୍ୱର

(ଜୟନ୍ତ ସେଠ୍): ଆମେ ବାହାରିଲୁ ବାଲେଶ୍ୱରର ପ୍ରସିଦ୍ଧ ଶୈବ ପୀଠ ପଞ୍ଚଲିଙ୍ଗେଶ୍ୱର ଅଭିମୁଖେ। ଦେବଗିରି ପାହାଡ଼ର ମଧ୍ୟ ଭାଗରେ ଝରଣା ଭିତରେ ଅବସ୍ଥାନ କରୁଥିବା ପଞ୍ଚଲିଙ୍ଗେଶ୍ୱରଙ୍କ ସମ୍ପର୍କରେ ବହୁତ ଶୁଣିଥିଲୁ। କିନ୍ତୁ କେବେ ଦେଖି ନ ଥିଲୁ। ପଞ୍ଚଲିଙ୍ଗେଶ୍ୱର ପୀଠ ବାଲେଶ୍ୱରରୁ ମାତ୍ର ୩୨ କିଲୋମିଟର ଦୂର। ପର୍ଯ୍ୟଟକମାନେ ଚାହିଁଲେ ବସ ଯୋଗେ ନଚେତ୍ ନିଜର କାର ନେଇ ଏଠାକୁ ଆସିପାରିବେ।

ଦେବଗିରି ପାହାଡର ଠିକ୍ ମଝିଆ ମଝି ଜାଗାରେ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ଆସ୍ଥାନ। କିନ୍ତୁ ସେଠାକୁ ପହଞ୍ଚିବାକୁ ହେଲେ ଆପଣଙ୍କୁ ଚଢିବାକୁ ହେବ ପ୍ରାୟ ୩୦୦ରୁ ଅଧିକ ପାହାଚ।

ଦେବଗିରି ପାହାଡକୁ ଚଢିବା ବେଳେ ଆପଣମାନେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଉପଭୋଗ କରିପାରିବେ। ବଡ଼ ବଡ଼ ପଥର ଖଣ୍ଡ ଦେଇ କୁଳୁ କୁଳୁ ନାଦରେ ବହି ଆସୁଥିବ ଝରଣା। କିନ୍ତୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କର ଅଶୋଭନୀୟ ଆଚରଣ ଯୋଗୁଁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ଯାଉଛି।

panchalingeswarଅନେକ ଗୁଡ଼ିଏ ପାହାଚ ଚଢ଼ି ସାରିବା ପରେ ଶେଷରେ ଆମେ ପହଞ୍ଚିଥିଲୁ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠରେ। ଏଠାରେ ପାହାଡ଼ର ଖୋଲରେ ବହି ଯାଉଥିବା ଝରଣାର ପାଣି ଭିତରେ ଅବସ୍ଥାନ କରୁଛନ୍ତି ପାଞ୍ଚଟି ଶିବଲିଙ୍ଗ। ଏଠାରେ ବାବାଙ୍କୁ ଦର୍ଶନ କରିବା ଅର୍ଥ ହେଉଛି ସାବଧାନତାର ସହିତ ପଥର ଗାତରେ ହାତ ପୂରାଇ ପାଞ୍ଚଲିଙ୍ଗଙ୍କୁ ସ୍ପର୍ଶ କରିବାକୁ ହେବ। ସତରେ ବିଚିତ୍ର ଅନୁଭୂତି। ଖରାଦିନେ ଝରଣାର ପାଣି ଶୁଖିଗଲା ପରେ ପଞ୍ଚଲିଙ୍ଗେଶ୍ୱରଙ୍କୁ ଦେଖିବାର ସୁଯୋଗ ମିଳେ।

ଦେବଗିରି ପାହାଡ଼ର ଶିଖରରେ ରହିଛି ମା’ ବନଦେବୀଙ୍କ ମନ୍ଦିର। ସେହି ମନ୍ଦିର ସାମ୍ନାରେ ଅଛି ଝରଣାର ଜଳଉତ୍ସ। ସେଠାରୁ ଝରଣା ପଥର ସନ୍ଧିରେ ବହି ଆସି ପଞ୍ଚଲିଙ୍ଗେଶ୍ୱରଙ୍କ ଉପରେ ପ୍ରବାହିତ ହୁଏ। ତେବେ ପଞ୍ଚଲିଙ୍ଗେଶ୍ୱର ମହାଦେବଙ୍କୁ କିଏ ପ୍ରଥମେ ଆବିଷ୍କାର କଲା, ସେ ନେଇ ଇତିହାସରେ ଚମତ୍କାର ବର୍ଣ୍ଣନା ଅଛି।

ରାଣୀ ଅନ୍ନପୂର୍ଣ୍ଣା ଦେବୀଙ୍କର ପ୍ରଥମ ଦର୍ଶନ ପରେ ନୀଳଗିରି ତତ୍କାଳୀନ ମହାରାଜ କୃଷ୍ଣଚନ୍ଦ୍ର ମହାରାଜ ହରିଚନ୍ଦନ ପଞ୍ଚଲିଙ୍ଗେଶ୍ୱର ମହାଦେବଙ୍କ ଦୈନିକ ପୂଜାବିଧି ପାଇଁ ପୂଜକ ନିଯୁକ୍ତ କରିବା ସହିତ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରିଥିଲେ। ଏବେ ସ୍ଥାନୀୟ ପରିଚାଳନା କମିଟି ପକ୍ଷରୁ ପଞ୍ଚଲିଙ୍ଗେଶ୍ୱରଙ୍କ ପ୍ରତୀକ ଶିବଲିଙ୍ଗ ମୂର୍ତ୍ତିଙ୍କୁ ଆଉ ଦୁଇଟି ମଣ୍ଡପରେ ପ୍ରତିଷ୍ଠା କରାଯାଇଛି ପର୍ଯ୍ୟଟକମାନଙ୍କର ପୂଜାର୍ଚ୍ଚନା ପାଇଁ।

ଦେବଗିରି ପାହାଡ଼ରୁ ଓହ୍ଲାଇବା ପରେ, ଯେଉଁଠାରୁ ପାହାଚ ଆରମ୍ଭ ହୋଇଛି ସେଠାରେ ଅଛି ଛୋଟ ବଜାରଟିଏ। ପର୍ଯ୍ୟଟକ ଓ ଭକ୍ତମାନଙ୍କ ପାଇଁ ପୂଜା ସାମଗ୍ରୀ ବ୍ୟତୀତ ବିଭିନ୍ନ ପ୍ରକାର ଜିନିଷ ସବୁ ମିଳେ।

ପଞ୍ଚଲିଙ୍ଗେଶ୍ୱର ପୀଠ ଓ ଦେବଗିରି ପାହାଡରେ ଆପଣମାନଙ୍କ ପାଇଁ ରହିଛି ଅନେକ ଆକର୍ଷଣୀୟ ସ୍ଥାନ। ସ୍ୱାସ୍ଥ୍ୟକର ଜଳବାୟୁ ଓ ବିଭିନ୍ନ ଔଷଧୀୟ ଗଛଲତାର ପରିବେଶ ଆପଣଙ୍କୁ ବିମୁଗ୍ଧ କରିବ ନିଶ୍ଚୟ।